ଭୁବନେଶ୍ବର: ଭୁବନେଶ୍ବର ସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ)ରେ ବର୍ତ୍ତମାନ ପାନୀୟ ଜଳ ସମସ୍ୟା ଦେଖିବାକୁ ମିଳିଛି। ଏଠାରେ ଥିବା ସମୁଦାୟ ୬ଟି ଵାଟର୍ ପ୍ୟୁରିଫାୟର୍ରୁ ୪ଟି ଖରାପ ହୋଇଯାଇଥିବାରୁ ଲୋକେ ପିଇବା ପାଣି ପାଇଁ ଡହଳ ବିକଳ ହେଉଛନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ବର୍ତ୍ତମାନ ଖରାଦିନ ଆରମ୍ଭ ହୋଇ ଯାଇଥିଲେ ହେଁ ଏଗୁଡ଼ିକୁ କାର୍ଯ୍ୟକ୍ଷମ କରାଯାଉନଥିବାରୁ ଏମ୍ସକୁ ଆସୁଥିବା ରୋଗୀ, ସେମାନଙ୍କ ସଂପର୍କୀୟ ଏପରିକି କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
ଏମ୍ସକୁ ପ୍ରତିଦିନ ରାଜ୍ୟ ବାହାରୁ ଏବଂ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ସଂଖ୍ୟାରେ ରୋଗୀ ଚିକିତ୍ସିତ ହେବାକୁ ଆସନ୍ତି। ସୁବିଧା ସୁଯୋଗ ତଥା ସର୍ବୋତ୍କୃଷ୍ଟ ଚିକିତ୍ସା ଯୋଗାଇ ଦିଆଯାଉଥିଲେ ସୁଦ୍ଧା ଉତ୍କଟ ଜଳାଭାବକୁ ନେଇ ଏମ୍ସ କର୍ତ୍ତୃପକ୍ଷଙ୍କ ନିରବତା ଲୋକଙ୍କ ପାଇଁ ସମସ୍ୟା ବଢ଼ାଉଛି। ତଳ ଫ୍ଲୋର୍ରେ ଥିବା ଦୁଇଟି ଵାଟର୍ ପ୍ୟୁରିଫାୟର୍ରୁ ଗୋଟିଏ ସଚଳ ଥିବାବେଳେ ପ୍ରଥମ ଫ୍ଲୋର୍ରେ ଥିବା ଦୁଇଟି ଯାକ ଵାଟର୍ ପ୍ୟୁରିଫାୟର୍ ଅଚଳ ହୋଇଯାଇଛି। ସେହିଭଳି ଦ୍ବିତୀୟ ଫ୍ଲୋର୍ରେ ମଧ୍ୟ ଗୋଟିଏ ପ୍ୟୁରିଫାୟର୍ ଖରାପ ହୋଇଯାଇଛି। ମାସମାସ ଧରି ଏହି ପ୍ୟୁରିଫାୟାର୍ ଅଚଳ ଥିଲେ ମଧ୍ୟ ଖରାଦିନେ ସ୍ଥିତି ନ ସୁଧୁରିବା ଲୋକଙ୍କ ସମସ୍ୟାକୁ ଦ୍ବିଗୁଣିତ କରିଛି।
ମୟୂରଭଞ୍ଜରୁ ବାପାଙ୍କ ସ୍ନାୟବିକ ରୋଗର ଚିକିତ୍ସା କରିବାକୁ ଆସିଥିବା ଜିତେନ୍ଦ୍ର ସାହୁ କହିଛନ୍ତି ଯେ ପ୍ରତିଦିନ ପାଣି ଆଣିବାକୁ ଧାଡ଼ି ଲଗାଇବାକୁ ପଡ଼ୁଛି। ବାଇକ୍ ପାର୍କିଂ ପାଇଁ ରହିଥିବା ସ୍ଥାନ ସମ୍ମୁଖରେ ପିଇବା ପାଣି ପାଇଁ ବ୍ୟବସ୍ଥା ହୋଇଥିଲେ ମଧ୍ୟ ତା’ ଆମ ପାଇଁ ପର୍ଯ୍ୟାପ୍ତ ହେଉନାହିଁ। ଏ ନେଇ ଏମ୍ସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଗତବର୍ଷ କରୋନା ଆରମ୍ଭ ହେବା ପୂର୍ବରୁ ଅର୍ଥାତ୍ ୨୦୨୦ ମାର୍ଚ୍ଚ ପୂର୍ବରୁ ୪ଟି ଯାକ ଵାଟର୍ ପ୍ୟୁରିଫାୟାର୍ ଅଚଳ ହୋଇ ଯାଇଥିଲା। ମାତ୍ର ଏହାକୁ ସଜାଡ଼ିବା ପାଇଁ କୌଣସି ପଦକ୍ଷେପ ନିଆଗଲା ନାହିଁ। ପ୍ରଥମ ଫ୍ଲୋର୍ରେ ଦୁଇଟି ଯାକ ଵାଟର୍ ପ୍ୟୁରିଫାୟାର୍ ଅଚଳ ହୋଇଯାଇଥିବାରୁ ହେମାଟୋଲୋଜି, ଶ୍ବାସକ୍ରିୟା ଜନିତ ରୋଗ, ହୃଦ୍ବିଭାଗ ଭଳି ପ୍ରାୟ ୮ଟି ଓପିଡି ରହିଛି। ପ୍ରତି ଓପିଡିକୁ ପ୍ରାୟ ୨୦୦ରୁ ଅଧିକ ଲୋକେ ଚିକିତ୍ସିତ ହେବାକୁ ଆସୁଛନ୍ତି। ଅର୍ଥାତ୍ କେବଳ ପ୍ରାୟ ୧୬୦୦ ରୋଗୀ ଏଠାକୁ ରୋଗ ଚିକିତ୍ସା ପାଇଁ ଆସୁଥିବା ବେଳେ ତାଙ୍କ ସହିତ ପରିବାର ଲୋକ ମଧ୍ୟ ଆସୁଛନ୍ତି। ହେଲେ ପାଣି ପାଇଁ ଖୋଜିଲା ବେଳକୁ ଵାଟର୍ ପ୍ୟୁରିଫାୟର ଅଚଳ ଥିବାରୁ ବାଧ୍ୟ ହୋଇ ବାରମ୍ବାର ତଳ ଉପର ହେଉଛନ୍ତି। ତେବେ ଏ ନେଇ ଏମ୍ସର ସୁପରିନଟେଣ୍ଡେଣ୍ଟ୍ଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ଉତ୍ତର ମିଳିନଥିଲା।
ଖଣ୍ଡଗିରି ଶ୍ୟାମପୁରସ୍ଥିତ ପଣ୍ଡାକୁଦିଆରେ ବର୍ତ୍ତମାନ ପ୍ରାୟ ୭୦୦ରୁ ଅଧିକ ପରିବାର ବାସ କରୁଛନ୍ତି। ପିଇବା ପାଣି ପାଇଁ ନଳକୂଅ ଓ ଜଳଯୋଗାଣ ବ୍ୟବସ୍ଥା ହୋଇଥିଲେ ମଧ୍ୟ ଏହା ପର୍ଯ୍ୟାପ୍ତ ହେଉନାହିଁ। ୨୦୧୮ରୁ ଉଚ୍ଛେଦ ହୋଇ ଆସିଥିବା ଜଗନ୍ନାଥ ବସ୍ତିବାସିନ୍ଦା ଓ ମୂଳ ପଣ୍ଡାକୁଦିଆ ବାସିନ୍ଦାଙ୍କ ସଂଖ୍ୟା ୧୨୦୦ ମଧ୍ୟରେ ସୀମିତ ଥିଲା। ମାତ୍ର ସମୟ କ୍ରମେ ଧୀରେ ଧୀରେ ଅନ୍ୟ ବସ୍ତିରୁ ଉଚ୍ଛେଦ ହେଉଥିବା ବସ୍ତିବାସିନ୍ଦାଙ୍କ ସଂଖ୍ୟା ଇତି ମଧ୍ୟରେ ୩୦୦୦ ଅତିକ୍ରମ କରିଥିଲେ ହେଁ ପାନୀୟ ଜଳ ଯୋଗାଣ ପାଇଁ ଦୁଇଟି ଵାଟର୍ ଏଟିଏମ୍ରେ ସୀମିତ ରଖାଯାଇଛି। ଏନେଇ ପଣ୍ଡାକୁଦିଆ ବସ୍ତିବାସିନ୍ଦା ବାରମ୍ବାର ବିଏମ୍ସିକୁ ଲିଖିତ ଆକାରରେ ଜଣାଇଲେ ସୁଦ୍ଧା କୌଣସି ଫଳପ୍ରଦ ହେଉନଥିବା କହିଛନ୍ତି। ଜଗନ୍ନାଥ ବସ୍ତିର ବାସିନ୍ଦା ରାକେଶ ଦିଗାଲ୍ଙ୍କ କହିବା କଥା ହେଉଛି, ନଳକୂଅ ପାଣି ବ୍ୟବହାର ଉପଯୋଗୀ ହେଉନଥିବାରୁ ଵାଟର୍ ଏଟିଏମ୍ ଉପରେ ସବୁ ଲୋକ ନିର୍ଭରଶୀଳ। ଦିନରେ ଦୁଇଥର ଆସି ପାଣି ଟ୍ୟାଙ୍କର୍ ଏଟିଏମ୍ରେ ପାଣି ଭରୁଥିଲେ ହେଁ ଏହା ସେମାନଙ୍କ ପାଇଁ ପର୍ଯ୍ୟାପ୍ତ ନୁହେଁ ବୋଲି ସେ କହିଛନ୍ତି।