ପାଣି ପାଇଁ ଅଧା ରାଜଧାନୀ ଡହଳବିକଳ

ସବୁ ଘରକୁ ପାଇପ୍‌ ପାଣି ପାଇଁ ବର୍ଷେ ଟାର୍ଗେଟ୍‌

ଭୁବନେଶ୍ୱର : ୨୦୧୯ ଶେଷ ସୁଦ୍ଧା ପୂରା ଭୁବନେଶ୍ୱରକୁ ପାଇପ୍‌ ପାଣି ଯୋଗାଣ ହେବ। ଏଥିପାଇଁ ୧୧୯କୋଟିର ଖର୍ଚ୍ଚ ହେବ। କେଉଁ ଓ୍ଵାର୍ଡର କେଉଁ ଅଞ୍ଚଳକୁ ପାଇପ୍‌ ପାଣି ଯୋଗାଣ ହେବ, କେତେ ପାଇପ୍‌ ବିଛା ହେବ ସେନେଇ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ ହୋଇଥିବାବେଳେ ଏହାକୁ ରାଜ୍ୟସ୍ତରୀୟ ଉଚ୍ଚସ୍ତରୀୟ କମିଟି ଅନୁମୋଦନ କରିଛି। ଅମୃତ ଯୋଜନାରେ ସାରା ରାଜଧାନୀକୁ ବର୍ଷକ ମଧ୍ୟରେ ପାଇପ୍‌ ପାଣି ଯୋଗାଣ କରିବାକୁ ନିଷ୍ପତ୍ତି ହୋଇଛି।

ଭୁବନେଶ୍ୱର ମହାନଗର ନିଗମର ୬୭ଟି ଓ୍ଵାର୍ଡ ମଧ୍ୟରୁ ହାତଗଣତି କେତୋଟି ଓ୍ଵାର୍ଡରେ ସମସ୍ତଙ୍କୁ ପାଇପ୍‌ ପାଣି ମିଳୁଥିଲେ ହେଁ ବାକି ଅଞ୍ଚଳରେ ଲୋକ ପାଣି ପାଇଁ ଡହଳବିକଳ ହେଉଛନ୍ତି। ବିଏମ୍‌ସିର ୬୭ଟି ଓ୍ଵାର୍ଡରୁ ମାତ୍ର ୨୪ଟି ଓ୍ଵାର୍ଡରେ ସମସ୍ତଙ୍କୁ ପାନୀୟ ଜଳ ଯୋଗାଣ ହୋଇପାରିଥିବାବେଳେ ୪୩ଟି ଓ୍ଵାର୍ଡରେ ପ୍ରତି ଘରେ ପାଣି ସଂଯୋଗ ନାହିଁ। ଏଥିରୁ ଏମିତି ବହୁତ ଓ୍ଵାର୍ଡ ଅଛି ଯେଉଁଠାରେ ୫୦%ରୁ କମ୍‌ ଅଞ୍ଚଳକୁ ପାଣି ଯୋଗାଣ ହେଉଛି। ଅଧିକାଂଶ ଓ୍ଵାର୍ଡରେ ୩୦ରୁ ୪୦% ବି ବାସିନ୍ଦାଙ୍କୁ ଏ ପର୍ଯର୍୍ୟନ୍ତ ପାଇପ୍‌ ପାଣି ଯୋଗାଣ ହୋଇପାରିନି।

ରାଜଧାନୀରେ ପ୍ରାୟ ୨ଲକ୍ଷ ୧୦ହଜାର ଘର ଥିବାବେଳେ ଏବେ ଜନସ୍ୱାସ୍ଥ୍ୟ ବିଭାଗ ପ୍ରାୟ ୯୫ହଜାର ଘରକୁ ପାଣି ସଂଯୋଗ ଦେଇଛି। ଏଥିରୁ ୫ହଜାରରୁ ଅଧିକ ବସ୍ତିିରେ ପାନୀୟ ସଂଯୋଗ ଦିଆଯାଇଛି।

ରାଜଧାନୀରେ ଜଳ ଯୋଗାଣ ଓ ମରାମତି ପାଇଁ ଜନସ୍ୱାସ୍ଥ୍ୟ ବିଭାଗ ବର୍ଷକୁ ପ୍ରାୟ ୨୫୦କୋଟିରୁ ଅଧିକ ଅର୍ଥ ଖର୍ଚ୍ଚ କରୁଥିବାବେଳେ ରାଜଧାନୀର ଅଧାରୁ ଅଧିକ ଅଞ୍ଚଳରେ ପାନୀୟ ଜଳ ଯୋଗାଇ ନ ପାରିବା ବିଭାଗର ପାରିବାପଣିଆକୁ ପଦାରେ ପକାଇଛି। ଜନସ୍ୱାସ୍ଥ୍ୟ ବିଭାଗ କହୁଛି ଜଣଙ୍କୁ ଦିନକୁ ୧୩୫ଲିଟର ପାଣି ଆବଶ୍ୟକ ଥିବାବେଳେ ଆମେ ପ୍ରାୟ ୨୩୦ ଲିଟର ପାଣି ଯୋଗାଉଛୁ। ତେବେ ଅଧାରୁ କମ୍‌ ରାଜଧାନୀରେ ପାଣି ଯୋଗାଉଥିବା ଜନସ୍ୱାସ୍ଥ୍ୟ ବିଭାଗ ଏବେବି ଯେତିକି ଅଞ୍ଚଳରେ ପାଣି ଯୋଗାଉଛି ସେଥିରୁ ଅଧିକାଂଶ ଅଞ୍ଚଳକୁ ଦିନକୁ ଏକ ଘଣ୍ଟା ପାନୀୟ ଜଳ ଯୋଗାଉଥିବାବେଳେ ତାହା ଲୋକଙ୍କ ଶୋଷ ମେଣ୍ଟାଇପାରୁନି। ଯେଉଁଥିପାଇଁ ଏବେ ଏହି ଅଞ୍ଚଳର ବାସିନ୍ଦାମାନେ କୂଅ ଏବଂ ବୋରେଓ୍ଵଲ୍‌ ପାଣି ପିଉଛନ୍ତି। ଆଉ ବର୍ଷତମାମ୍‌ ଜଣ୍ଡିସ୍‌ ଓ ବିଭିନ୍ନ ଜଳବାହିତ ରୋଗରେ ଆକ୍ରାନ୍ତ ହେଉଛନ୍ତି। ସ୍ଥିତି ଏପରି ହେଉଛି ଯେ, ରାଜଧାନୀରେ ବର୍ଷକୁ ଜଣ୍ଡିସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ଟପି ଯାଉଛି।

ଜନସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଅମୃତ ଯୋଜନାରେ ପୂରା ରାଜଧାନୀକୁ ଜଳ ଯୋଗାଣ ହେବ। ଏଥିପାଇଁ ଚଳିତବର୍ଷ ୧୦୩କୋଟି ୨୧ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବାବେଳେ ଗତବର୍ଷ ୧୫କୋଟି ୭୦ଲକ୍ଷ ଅନୁମୋଦନ ହୋଇଛି। ଗତବର୍ଷ ଜନସ୍ୱାସ୍ଥ୍ୟ ବିଭାଗ ଡିଭିଜନ-୨ ଅଞ୍ଚଳ ପାଇଁ ୧୫.୭୦କୋଟି ମଞ୍ଜୁର କରିଥିବାବେଳେ ଏହାର ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି। ଖୁବ୍‌ ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ। ବାକି ପ୍ରକଳ୍ପଗୁଡ଼ିକର ଚଳିତ ବର୍ଷ ଶେଷ ସୁଦ୍ଧା ଟେଣ୍ଡର ପ୍ରକ୍ରିୟା ଶେଷ ହେବ।

କେଉଁ ଅଞ୍ଚଳକୁ ପାଣି ଯୋଗାଇବାକୁ ଯୋଜନା

ଜନସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁଯାୟୀ, ୨୦୧୯ ଶେଷ ସୁଦ୍ଧା ପୂରା ଭୁବନେଶ୍ୱରକୁ ପାଇପ୍‌ ପାଣି ଯୋଗାଣ ହେବ। ଏଥିପାଇଁ ଓ୍ଵାର୍ଡ ୬୨ରେ ପାଇପ୍‌ ପାଣି ଯୋଗାଣ ପାଇଁ ୬.୪୫କୋଟି, ଓ୍ଵାର୍ଡରେ ଇନଟେକ୍‌ ଓ୍ଵଲ୍‌, ଜଳ ବିଶୋଧନାଗାର ଏବଂ ପାଣି ଯୋଗାଣ ପାଇଁ ୨୮.୭୩କୋଟି, ଓ୍ଵାର୍ଡ ୨ ଓ ୩ର ପଟିଆ ଅଞ୍ଚଳରେ ପାଣି ଯୋଗାଣ ପାଇଁ ୧୦.୦୮କୋଟି, ଭକ୍ତମଧୁନଗର, ମଲ୍ଲିକ କମ୍ପ୍ଲେକ୍ସ ଏବଂ ନିୟୁ ଫରେଷ୍ଟ ପାର୍କ ଅଞ୍ଚଳ ପାଇଁ ୫.୩୫କୋଟି, ପଞ୍ଚସଖାନଗର, ପାଇକନଗର, ଶତାବ୍ଦୀନଗର, ଶାସ୍ତ୍ରୀନଗର, ନୂଆପଲ୍ଲୀ ନୂଆସାହି ଏବଂ ୟୁନିଟ-୪ ଅଞ୍ଚଳ ପାଇଁ ୧.୦୫କୋଟି, ଅଶୋକନଗର, ବାପୁଜୀନଗର ଲେନ୍‌-୯, କାଳିମନ୍ଦିର ଗଳି, କଳିଙ୍ଗ ବସ୍ତି, ଧୋବି କଲୋନି, ୟୁନିଟ-୩ ହରିଜନ ବସ୍ତି, ମସଜିଦ୍‌ କଲୋନି ଉପରବସ୍ତି, ପଞ୍ଜାବୀ କଲୋନି ପାଇଁ ୩୪ଲକ୍ଷ, ସୁନ୍ଦରପଦା ଗାଁ, ପୋଖରୀପୁଟ, ଭୀମଟାଙ୍ଗି, କୁଞ୍ଜପାଟଣା, ଶ୍ରୀରାମନଗର ଅଞ୍ଚଳ, କପିଳେଶ୍ୱର ଅଞ୍ଚଳ, ବ୍ରହ୍ମେଶ୍ୱର ପାଟଣା, ଗୌରୀନଗର, ଗଡ଼ମା ପାଇଁ ୧୨.୩୯କୋଟି, ଚକେଇସିହାଣି, ସମେଇଗାଡ଼ିଆ, ଭୋଟପଡ଼ା, ପିଏଚ୍‌ଡି କଲୋନି, ଗଣେଶନଗର, ରାଧାକୃଷ୍ଣବିହାର, ସପ୍ତିନଗର ଏବଂ ଜ୍ଞାନଭାରତୀ ବିଜ୍ଞାନ କଲେଜ ଓ ଓ୍ଵାର୍ଡ ୫ର ଭୋଟପଡ଼ା ପାଇଁ ୮.୬୫କୋଟି, ସତ୍ୟବିହାର, ବଧୁସୂଦନନଗର, ଓ୍ଵାର୍ଡ ୩୬, ଓ୍ଵାର୍ଡ ୩୭ର ନୂଆପଲ୍ଲୀ ଅଞ୍ଚଳ, ଓ୍ଵାର୍ଡ ୧୬, ୨୦, ୨୧, ୨୬, ୧୨, ୯, ୨୮, ୨୯ ପାଇଁ ୧୯କୋଟି, ଓ୍ଵାର୍ଡ ୨୨, ୨୩ ଓ ୪୯ ପାଇଁ ୧୧.୧୭କୋଟି ଖର୍ଚ୍ଚ ହେବ ବୋଲି ଜନସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

କେଉଁ ଅଞ୍ଚଳରେ ଏବେ ବି ପାଣି ସଙ୍କଟ

ବିଭାଗୀୟ ତଥ୍ୟ ଅନୁଯାୟୀ, ଓ୍ଵାର୍ଡ ନଂ-୧ର ଇନଫୋସିଟି ଛକରୁ ଶିଖରଚଣ୍ଡୀ ପର୍ଯ୍ୟନ୍ତ ୩୦% ଅଞ୍ଚଳରେ ପାନୀୟ ଜଳ ଯୋଗାଣ ହୋଇପାରିନି। ଓ୍ଵାର୍ଡ -୨ର ଆର୍ଯ୍ୟ ପଲ୍ଲୀ, ଶିଖରଚଣ୍ଡୀ ବସ୍ତି, ତ୍ରିଷ୍ଣା ଏନକ୍ଲେଭ୍‌, ମାରୁତି ବିହାର ଆଦି ଅଞ୍ଚଳରେ ମାତ୍ର ୫୦ପ୍ରତିଶତ ଲୋକଙ୍କୁ, ଓ୍ଵାର୍ଡ ୩ର ପଟିଆ ଗାଁ, କାନନ ବିହାର ଫେଜ୍‌-୨ ଅଞ୍ଚଳରେ ଏବେ ବି ୬୦% ଅଞ୍ଚଳ, ଓ୍ଵାର୍ଡ ୪ର ପାହଳ, ନହରକଣ୍ଟା ଆଦି ଅଞ୍ଚଳରେ ୫୦% ଘର, ଓ୍ଵାର୍ଡ ୫ର ମଞ୍ଚେଶ୍ୱର, ପଳାସୁଣୀ, ସତ୍ୟବିହାର ଆଦି ଅଞ୍ଚଳରେ ୪୦% ଘରେ ପାନୀୟ ଜଳ ଯୋଗାଣ ହୋଇପାରିନି। କେବଳ ଏତିକି ନୁହେଁ ଓ୍ଵାର୍ଡ ୧୮ର ପଳାସୁଣୀ ଗାଁ, କପିଳେଶ୍ୱର ବିହାର ଆଦି ଅଞ୍ଚଳରେ ମାତ୍ର ୩୦ପ୍ରତିଶତ ଘରେ ପାନୀୟ ଜଳ ଯୋଗାଣ ହୋଇଛି। ଓ୍ଵାର୍ଡ ୨୬ର ମୈତ୍ରୀନଗର, ଶରଣପଲ୍ଲୀ ବସ୍ତି ଅଞ୍ଚଳରେ ଏବେ ୩୦% ଲୋକଙ୍କୁ ପାଣି ଯୋଗାଣ ବାକି ଅଛି, ଓ୍ଵାର୍ଡ ୪୩ରେ ଥିବା ଲକ୍ଷ୍ମୀ ସାଗର ଅଞ୍ଚଳରେ ଏବେ ବି ୧୫ପ୍ରତିଶତ ଲୋକଙ୍କ ଘରେ ପିଇବା ପାଣି ପହଞ୍ଚିନି, ଓ୍ଵାର୍ଡ ୪୪ର ବଡ଼ଗଡ଼ ଅଞ୍ଚଳରେ ୧୦% ଘରେ, ଓ୍ଵାର୍ଡ ୪୯ର ଖଣ୍ଡଗିରି ପାହାଡ଼ ନିକଟବର୍ତ୍ତୀ ଅଞ୍ଚଳରେ ୧୫% ଲୋକଙ୍କ ଘରେ, ଓ୍ଵାର୍ଡ ୬୪, ୬୫, ୬୬ ଓ ୬୭ରେ ଥିବା ଡୁମୁଡୁମା, ଯଦୁପୁର, ରଘୁନାଥନଗର, ସତ୍ୟନଗର, ସୁନ୍ଦରପଦା, କପିଳପ୍ରସାଦ ଗାଁ ଆଦି ଅଞ୍ଚଳରେ ୩୦% ଘରକୁ ଏବେ ବି ପାଣି ଯୋଗାଣ ହୋଇପାରିନି।

ସମ୍ବନ୍ଧିତ ଖବର