ତ୍ରିଶୁଳିଆ: ବାରଙ୍ଗ ବ୍ଲକ ବେଲଗଛିଆ ପଞ୍ଚାୟତ ଜୟପୁର ଗ୍ରାମର ପାଇପ୍ ଜଳ ପ୍ରକଳ୍ପ ବହୁ ଦିନ ହେଲା ଭୂତକୋଠି ପାଲଟିଛି। ୨୦୦୫ ମସିହାରୁ ନିର୍ମାଣ ହୋଇଥିବା ଏହି ପ୍ରକଳ୍ପ ଦୀର୍ଘ ୧୫ ବର୍ଷ ଧରି ଅଚଳ ହୋଇ ରହିଛି। ଆରମ୍ଭରୁ ଲୋକେ ସେଥିରୁ ପଇବା ପାଣି ପାଇନଥିବା ଅଭିଯୋଗ ହୋଇଆସୁଛି। ଗାଁ ଲୋକେ ଶୁଦ୍ଧ ପାନୀୟ ଜଳ ପାଇଁ ସମସ୍ୟାରେ ପଡ଼ୁଥିବାବେଳେ ୧୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଏହି ପ୍ରକଳ୍ପ ସେମିତି ଅକ୍ଷମ ହୋଇ ପଡ଼ିଛି।
ସୂଚନାନୁସାରେ ଏହି ବ୍ଲକ କଟକ ସଦର ନିର୍ବାଚନ ମଣ୍ଡଳୀରେ ଥିବାବେଳେ ତତ୍କାଳୀନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ପ୍ରଚେଷ୍ଟାରେ ୧୫ ଲକ୍ଷ ବ୍ୟୟ ଅଟକଳରେ ଏହି ଯୋଜନାଟି ସମ୍ପୂର୍ଣ୍ଣ କରାଯାଇଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ପ୍ରକଳ୍ପଟି କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ। ପମ୍ପ ହାଉସ୍ ଚାରିପଟେ ଅନାବନା ଗଛ ଉଠି ଜଙ୍ଗଲ ସଦୃଶ ହୋଇଯାଇଛି। ପମ୍ପ ହାଉସ୍ରେ ଲାଗିଥିବା ବହୁ ଯନ୍ତ୍ରପାତି ଚୋରି ହୋଇଯାଇଥିବା ଅଭିଯୋଗ ହେଉଛି। ପମ୍ପ ଚଳାଇବା ପାଇଁ ଜଣକୁ ନିଯୁକ୍ତି ଦିଆଯାଇଛି। ଅଥଚ ପ୍ରକଳ୍ପରୁ ଉପକରଣ ଚୋରି ହୋଇ ଯାଉଛି। ଏ ନେଇ ଦାୟିତ୍ୱରେ ଥିବା ଯନ୍ତ୍ରୀ ସୁଶାନ୍ତ କୁମାର ସେଠୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ତାଙ୍କ ବିଭାଗ ତରଫରୁ କାହାରିକୁ ନିଯୁକ୍ତି ଦିଆଯାଇନାହିଁ। ତେବେ ସେ ନିକଟରେ ଦାୟିତ୍ୱ ଗ୍ରହଣ କରିଥିବାରୁ ଉକ୍ତ ପ୍ରକଳ୍ପ ବାବଦରେ ବିଶେଷ ତଥ୍ୟ ଜାଣିନାହାନ୍ତି ବୋଲି କହିଛନ୍ତି। ତେଣୁ ଖୁବ୍ ଶୀଘ୍ର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି। ବିଭାଗୀୟ ଯନ୍ତ୍ରୀ ଶ୍ରୀ ସେଠୀଙ୍କ କଥାରୁ ସ୍ପଷ୍ଟ ଯେ ଏହି ପ୍ରକଳ୍ପ ବାବଦରେ ବ୍ଲକ ପ୍ରଶାସନ ପୁରା ଅଜ୍ଞ ରହିଛି। ୧୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ଗୋଟିଏ ପ୍ରକଳ୍ପ ଦୀର୍ଘ ୧୬ ବର୍ଷ ହେଲା ଅଚଳ ହୋଇ ପଡ଼ିଥିବାରୁ ବ୍ଲକ ପ୍ରଶାସନ କେତେ ତତ୍ପର, ତାହା ଜଳଜଳ ହୋଇ ଦେଖାଯାଉଛି। ଏ ନେଇ ଜୟପୁରବାସୀଙ୍କ ଭିତରେ ଦୀର୍ଘ ଦିନ ହେଲା ଅସନ୍ତୋଷ କୁହୁଳିବାରେ ଲାଗିଛି। ଖୁବ୍ ଶୀଘ୍ର ଜୟପୁର ଗ୍ରାମବାସୀମାନେ ବ୍ଲକ କାର୍ଯ୍ୟାଳୟ ଘେରାଉ କରିବେ ବୋଲି ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/dgjh7d98g7jdg98j7d98gj7j98gj.jpg)