ଭୁବନେଶ୍ୱର : ରାଜଧାନୀର ଗୁରୁତ୍ୱପୂର୍ଣ୍ଣ ଛକ ଓ ରାସ୍ତା କଡ଼ରେ ନିର୍ମାଣ ହେଉଛି ପାନୀୟ ଜଳ ପ୍ରକଳ୍ପ। କେଉଁଠି ବିଏମ୍ସି ନିଜେ ପ୍ରକଳ୍ପ ନିର୍ମାଣ କରୁଛି ତ କେଉଁଠି ସାଂସଦ ପାଣ୍ଠିରୁ, ପୁଣି କେଉଁଠି ଘରୋଇ ସଂସ୍ଥା ଦ୍ୱାରା ପିପିପି ମୋଡ୍ରେ। ଉଦ୍ଦେଶ୍ୟ ହେଲା ଲୋକଙ୍କୁ ଶୁଦ୍ଧ ପାନୀୟ ଜଳ ସୁବିଧାରେ ଯୋଗାଇ ଦେବା। ପ୍ରକଳ୍ପ ନିର୍ମାଣ ବେଳେ ବେଶ୍ ଜାକଜମକରେ ଉଦ୍ଘାଟନ ହେଉଛି। ପ୍ରଚାର, ପ୍ରସାର କରାଯାଉଛି। କିନ୍ତୁ କିଛି ଦିନ ପରେ ଅବସ୍ଥା ଶୋଚନୀୟ ହୋଇପଡ଼ୁଛି। କେଉଁଠି ପାଣି ଆସୁନି ତ କେଉଁଠି ପ୍ରକଳ୍ପକୁ ସୁରକ୍ଷିତ କରି କରାଯାଇଥିବା ସେଡ୍ ଭାଙ୍ଗିଗଲାଣି। ଆଉ କେଉଁଠି ଆବର୍ଜନା ଭର୍ତ୍ତି ହୋଇଯାଇଛି। ଚିନ୍ତାର ବିଷୟ ହେଲା ଯେ, ପାନୀୟ ଜଳ ପ୍ରକଳ୍ପଗୁଡ଼ିକ ନିର୍ମାଣ ହେଲା ପରେ କିପରି ଠିକ୍ ଭାବେ ରକ୍ଷଣାବେକ୍ଷଣ ହେବ, ସେ ନେଇ ବିଏମ୍ସିର ଚିନ୍ତା ନାହିଁ। ଦୀର୍ଘ ଦିନ ଧରି ଏହି ସମସ୍ୟା ଲାଗି ରହିଥିଲେ ବି ଏଥି ପାଇଁ ଏକ ବ୍ୟବସ୍ଥିତ ଯୋଜନା କରାଯାଉ ନାହିଁ। ଖରାଦିନ ପୂର୍ବରୁ ଏ ନେଇ ଠୋସ୍ ପଦକ୍ଷେପ ନେବାକୁ ବିଭିନ୍ନ ମହଲାରେ ଦାବି ହେଉଛି।
ହାଉସିଂବୋର୍ଡ ଛକ
ହାଉସିଂବୋର୍ଡ ଛକରେ ଟ୍ରାଫିକ୍ ପୋଷ୍ଟ ସାମ୍ନାରେ ତିନି ବର୍ଷ ତଳେ ଅର୍ଥାତ ୨୦୧୫ ଜାନୁଆରି ମାସରେ ଏକ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ଲକ୍ଷ୍ୟ ଥିଲା ଏହି ରାସ୍ତା ଦେଇ ଯାତାୟାତ କରୁଥିବା ଲୋକମାନେ ସୁବିଧାରେ ପାଣି ପିଇପାରିବେ। କିନ୍ତୁ ଏବେ ଏହାର ସ୍ଥିତି ଅତ୍ୟନ୍ତ ଶୋଚନୀୟ ହେଇପଡ଼ିଛି। ଦୀର୍ଘ ଦିନ ହେବ ଲୋକମାନେ ଏହାକୁ ବ୍ୟବହାର କରୁନାହାନ୍ତି। ଏହାରେ ଚାରି ପଟେ ଅଳିଆ ଆବର୍ଜନା ପଡ଼ିବା ସହିତ, ଟ୍ୟାପ୍ଗୁଡ଼ିକ ଆଉ କାମ କରୁନାହିଁ। ଯନ୍ତ୍ରପାତିରେ କଳଙ୍କି ଲାଗିଗଲାଣି। ଏହି ପ୍ରକଳ୍ପ ନିର୍ମାଣ ବାବଦକୁ ସାଂସଦ ପାଣ୍ଠିରୁ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲା। ନିଜେ ସ୍ଥାନୀୟ ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କ ସମେତ ସ୍ଥାନୀୟ ବିଧାୟକ, ମେୟର ଓ କର୍ପୋରେଟର୍ ଏହାକୁ ଉଦ୍ଘାଟନ କରିଥିଲେ। ପ୍ରକଳ୍ପଟି ଅଚଳ ହୋଇଯାଇଥିଲେ ବି ଉପରକୁ ଉଦ୍ଘାଟନୀ ଫଳକଟି ବେଶ୍ ଶୋଭାପାଉଛି। ଏହି ବିଶିଷ୍ଟ ଲୋକମାନେ ଉଦ୍ଘାଟନ କରିଥିଲେ ବୋଲି ଲୋକମାନେ ପଢ଼ିପାରୁଛନ୍ତି। କିନ୍ତୁ ଅଚଳ ପ୍ରକଳ୍ପଟି କିପରି ସଚଳ ହେବ ସେ ଦିଗରେ କାହାରି ଚିନ୍ତା ନାହିଁ। ଉଦ୍ଘାଟନ ପରେ ସମସ୍ତେ ନିଜ ଉପରୁ ଦାୟିତ୍ୱ ଖସାଇଦେଇଛନ୍ତି। ସାଂସଦ ପାଣ୍ଠି କିପରି ଅପବ୍ୟୟ ହେଉଛି, ଏହା ତାହାର ଏକ ନମୁନା।
ରମାଦେବୀ କଲେଜ ପାଖ
ରୂପାଲି ଛକରୁ ବାଣୀବିହାର ଛକ ପର୍ଯ୍ୟନ୍ତ ରାସ୍ତାଟି ସବୁବେଳେ ଭିଡ଼ ଥାଏ। ବହୁ ଛାତ୍ରୀ, ଅଭିଭାବକ ଓ ଲୋକମାନେ ସେପଟେ ଯାତାୟାତ କରନ୍ତି। ଏଠାରେ ପିଇବା ପାଣିର ଆବଶ୍ୟକତା ଜରୁରି ଥିବାରୁ ରମାଦେବୀ କଲେଜ ପାଖରେ ଏକ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହୋଇଥିଲା। ଲୋକ ଉପକୃତ ହୋଇଥିଲେ। କିନ୍ତୁ ଏବେ ପ୍ରକଳ୍ପଟି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ପାଣି ପାଇପ୍ର ଚିହ୍ନବର୍ଣ୍ଣ ନାହିଁ। ପ୍ରକଳ୍ପ ପାଇଁ ନିର୍ମିତ ହୋଇଥିବା ଘରଟି ବି ଭାଙ୍ଗିଗଲାଣି। ପାଣି ତ ଆଉ ମିଳୁନି, ବରଂ ଏହା ସେହି ସ୍ଥାନର ସୌନ୍ଦର୍ଯ୍ୟ ବି ବିଗାଡ଼ି ଦେଉଛି। ଏପରି ଏକ ଅଚଳ ପ୍ରକଳ୍ପକୁ ସେଠାରେ କାହିଁକି ରଖାଯାଇଛି, ତାହା ସ୍ଥାନୀୟ ଲୋକମାନେ ବୁଝିପାରୁ ନାହାନ୍ତି।
ୟୁନିଟ୍-୧ ହାଟ
ଏକ ନମ୍ବର ପରିବା ହାଟ ପାଖରେ ବିଏମ୍ସି ପକ୍ଷରୁ ଲୋକଙ୍କ ପାଇଁ ପିଇବା ପାଣିର ବ୍ୟବସ୍ଥା କରାଯାଇଛି। ଏଠି ତିନିଟି କଳ ଲଗାଯାଇଛି। ଗୋଟିଏ କଳ ଖରାପ ହୋଇଯାଇଛି। ଲୋକଙ୍କ କାମରେ ଆସୁ ନାହିଁ। ଆଉ ଗୋଟିଏ କଳରୁ ଅହରହ ପାଣି ବାହାରୁଛି। ଏହି ସ୍ଥାନଟି ରାଜଧାନୀର ଅନ୍ୟତମ ବ୍ୟସ୍ତବହୁଳ ଅଞ୍ଚଳ। ସବୁବେଳେ ଏଠାରେ ଲୋକଙ୍କ ଭିଡ଼ ଥିବାରୁ ପିଇବା ପାଣିର ଅଧିକ ଆବଶ୍ୟକତା ରହିଛି। ତାହାକୁ ନଜରରେ ରଖି ପିଇବା ପାଣି ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ଠିକ୍ ଭାବେ ରକ୍ଷଣାବେକ୍ଷଣ କରିବାକୁ କର୍ତ୍ତୃପକ୍ଷ ଭୁଲିଯାଇଛନ୍ତି। ଗୋଟିଏ ଅଚଳ ହୋଇଥିଲା ବେଳେ ଅନ୍ୟଟିରୁ ପାଣି ବାହାରି ଅଯଥାରେ ନଷ୍ଟ ହେଉଛି। ଏ ନେଇ ସ୍ଥାନୀୟ ଦୋକାନୀ ଓ ଜନସାଧାରଣ ଅସନ୍ତୋଷ ପ୍ରକାଶ କରିଛନ୍ତି।