ପା‌ନୀୟ ଜଳଯୋଗାଣ ‌ଭେଳିକି

ବାଲିପାଟଣା: ସମ୍ପ୍ରତି ବାଲିପାଟଣା ବ୍ଲକର ବିଭିନ୍ନ ଅଞ୍ଚଳରେ ପାନୀୟ ଜଳ ସମସ୍ୟା ଉତ୍କଟ ହେବାରେ ଲାଗିଛି। କେଉଁଠି ନଳକୂଅ ଅଚଳ ହୋଇ ପଡ଼ିଛି ତ କେଉଁଠି ପାଇପ୍‌ ଜଳ ଯୋଗାଣ ପ୍ରକଳ୍ପରୁ ଲୁହାମିଶା ପାଣି ବାହାରୁଛି। ବର୍ଷ ବର୍ଷ ଧରି ମରାମତି ହୋଇନଥିବାରୁ କେତେକ ପାଇପ୍ ଜଳ ପ୍ରକଳ୍ପର ବ୍ୟାପକ ଅଂଶ ଅଚଳ ହୋଇ ପଡ଼ିଛି। ଫଳରେ ପ୍ରକଳ୍ପ ଥାଇ ଲୋକେ ପିଇବା ପାଣି ପାଇବାରୁ ବଞ୍ଚିତ ହେଉଥିବାରୁ ଏହି ବ୍ଲକର ଜଳ ଯୋଗାଣ ବ୍ୟବସ୍ଥା କେବଳ ଏକ ‌ଭେଳିକି ବୋଲି କୁହାଯାଉଛି।

ସ୍ଥାନୀୟ ଅଠାନ୍ତର ପଞ୍ଚାୟତ ଅନ୍ତର୍ଗତ ବାରିଲୋ ପାନୀୟ ଜଳ ପ୍ରକଳ୍ପ ଦୀର୍ଘ ୬ ବର୍ଷ ହେଲା କାମ କରୁଛି। ପ୍ରକଳ୍ପରୁ ବାରିଲୋ, ବାଲିପାଟଣା, ଗିରିଙ୍ଗ ପର୍ଯ୍ୟନ୍ତ ପାଇପ ବିଛାଯାଇଛି ଓ ଷ୍ଟାଣ୍ତ ପୋଷ୍ଟ ତିଆରି ହୋଇଛି। କିନ୍ତୁ ଗତବର୍ଷ ବାତ୍ୟା ଫନି ପରଠାରୁ ଶିଶୁ ଅନନ୍ତଙ୍କ ଆଶ୍ରମଠାରୁ ଆଗକୁ ପାଣି ଯାଇ ପାରୁନାହିଁ। ଷ୍ଟାଣ୍ତ ପୋଷ୍ଟ ସବୁ ଭାଙ୍ଗିରୁଜି ଅକାମୀ ହୋଇ ପଡ଼ିଛି। ଗିରିଙ୍ଗ ମହାନ୍ତି ସାହି, ଭୋଳ ସାହି, ଜେନା ସାହି, ଭୋଇସାହି ପ୍ରଭୃତି ଗ୍ରାମବାସୀଙ୍କ ପାଇପ୍‌ ଜଳ ପାଇବା ଆଶା ମରି ଯାଇଛି। କାରଣ ଏହି ପ୍ରକଳ୍ପରୁ ବାହାରୁଥିବା ଜଳରେ ପ୍ରଚୁର ଲୌହ ଅଂଶ ରହୁଥିବାରୁ ଲୋକେ ପାଇପ୍ ଜଳ ବ୍ୟବହାର କରିବାକୁ ପସନ୍ଦ କରୁନାହାନ୍ତି ଓ ବିକଳ୍ପଭାବେ ନଳକୂଅ ବା ସାଧାରଣ କୂଅ ଉପରେ ନିର୍ଭର କରୁଛନ୍ତି। ମାତ୍ର ଖରାଦିନରେ କୂଅମାନଙ୍କର ଜଳସ୍ତର ତଳକୁ ଖସି ଯାଇଥିବାରୁ ସେଥିରୁ ଗୋଳିଆ ପାଣି ବାହାରୁଛି। ଫଳରେ ତାହା ବି ପିଇବା ଉପଯୋଗୀ ନୁହେଁ ବୋଲି ଲୋକେ ଅଭିଯୋଗ କରୁଛନ୍ତି। ସେହିଭଳି କୁଳନ୍ତିରା ବାଗିଲୋ ଓ ଗଡ଼ବନ୍ତପୁର ଗ୍ରାମର ନଳକୂପ ଅଚଳ ହୋଇପଡିଛି। ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ ମରାମତି କରିବାକୁ ବିଭାଗୀୟ କର୍ମଚାରୀମାନେ କର୍ଣ୍ଣପାତ କରୁନଥିବା ଗ୍ରାମବାସୀମାନେ କହିଛନ୍ତି। ଏଭଳି ସ୍ଥିତିରେ ବ୍ଲକ ପ୍ରଶାସନ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ଅଗ୍ରାଧିକାର ଦେବାକୁ ବିଭିନ୍ନ ମହଲରୁ ଦାବି ହେଉଛି।

ସମ୍ବନ୍ଧିତ ଖବର