ଡ୍ରାଇଭରଙ୍କ କ୍ଷତାକ୍ତ ମୃତଦେହ ମିଳିବା ଘଟଣାକୁ ବିତିଲା ୩ ମାସ: ମାମଲା ରୁଜୁ କରି ହାତ ବାନ୍ଧି ବସିଛି ପୁଲିସ

ମୁଣ୍ଡରେ ଲାଗିଥିଲା ଶକ୍ତ ଆଘାତ, ସନ୍ଦେହଘେରରେ ଟ୍ରାଭେଲ ଏଜେନ୍ସି ମାଲିକ

ଭୁବନେଶ୍ବର: ଚନ୍ଦ୍ରଶେଖରପୁର ଥାନା ପଟିଆ ଶ୍ରୀବିହାରରେ ଡ୍ରାଇଭର ସୁନୀଲ ସେଠୀଙ୍କ କ୍ଷତାକ୍ତ ମୃତଦେହ ମିଳିବା ଘଟଣା ଇତିମଧ୍ୟରେ ତିନି ମାସ ବିତି ଗଲାଣି। ଏହି ଘଟଣାରେ ପରିବାର ଲୋକଙ୍କ ଅଭିଯୋଗକୁ ଆଧାର କରି ପୁଲିସ କେବଳ ଏକ ହତ୍ୟା ମାମଲା ରୁଜୁ କରି ବସିଛି। ଯେଉଁମାନେ ସନ୍ଦେହ ପରିସରକୁ ଆସିଥିଲେ ସେମାନଙ୍କୁ କେବଳ ପଚରାଉଚରା କରି ଛାଡ଼ି ଦେଇଛି। ପୁଅ ମୃତ୍ୟୁର ନ୍ୟାୟ ପାଇବା ପାଇଁ ପୁଲିସ ଡିଜି, ପୁଲିସ କମିସନର, ମାନବାଧିକାର କମିସନଙ୍କ ନିକଟକୁ ଦୌଡ଼ି ଦୌଡ଼ି ନିରାଶ ହୋଇ ଯାଇଛନ୍ତି ସୁନୀଲଙ୍କ ବାପା। ପ୍ରଭାବଶାଳୀ ବ୍ୟକ୍ତିଙ୍କ ଚାପ ରହୁଥିବାରୁ ପୁଲିସ ଘଟଣା ଉପରୁ ପରଦା ଉଠାଉ ନାହିଁ ବୋଲି କହିଛନ୍ତି ମୃତ ସୁନିଲଙ୍କ ବାପା ବାବାଜୀ ସେଠୀ। ରୋଜଗାରିଆ ପୁଅକୁ ହରାଇ ଦୁଃଖରେ ଦିନ କାଟୁଛନ୍ତି ପରିବାର ଲୋକେ।ଅଭିଯୋଗରୁ ଜଣାପଡିଛି, ୨୦୧୯ ଡିସେମ୍ବର ୧ ତାରିଖ ସକାଳେ ସୁନିଲ ପୁରୀର ଏକ ଟ୍ରାଭେଲ ଏଜେନ୍ସିରେ ଚଳାଉଥିବା କାରରେ ଏସ୍ ଖାଁ ନାମକ ବ୍ୟକ୍ତିଙ୍କୁ ତାଙ୍କ ଝିଅଙ୍କ ସହ ପୁରୀରୁ ଭୁବନେଶ୍ବର ନେଇ ଆସିଥିଲେ। ସେମାନେ ସେଦିନ ପଟିଆ ଶ୍ରୀବିହାର ବର୍ଷା ଭିଲ୍ଲାରେ ଥିବା ଭଡାଘରକୁ ଆସିଥିଲେ। ‌ସେଠାରେ ସୁନୀଲ ପହଞ୍ଚିବା ପରେ ରହସ୍ୟଜନକ ଭାବେ ସେ ଅନ୍ତର୍ଦ୍ଧାନ ହୋଇ ଯାଇଥିଲେ। ସେଦିନ ସୁନୀଲଙ୍କ ବାପା ତାଙ୍କୁ ଏକାଧିକ ଥର ଫୋନ୍ କରିଥିଲେ ମଧ୍ୟ କିଛି ଉତ୍ତର ମିଳି ନ ଥିଲା। କିନ୍ତୁ ପରଦିନ ଅର୍ଥାତ୍ ୨ତାରିଖ ସକାଳେ ସୁନୀଲର ମୃତଦେହ ପଡ଼ିଥିବା ଜାଣିବାକୁ ପାଇଥିଲେ ବୋଲି କହିଛନ୍ତି ବାବାଜୀ। ଖବର ପାଇବା କ୍ଷଣି ସେ ଚନ୍ଦ୍ରଶେଖରପୁର ଥାନାରେ ପହଞ୍ଚି ଘଟଣାସ୍ଥଳକୁ ଯାଇଥିଲେ। ଏସ୍ ଖାଁଙ୍କ ଘର ନିକଟରେ ଥିବା ଏକ ଜାଗାରେ ସୁନୀଲର କ୍ଷତ ବିକ୍ଷତ ମୃତଦେହ ପଡିଥିବା ଦେଖିଥିଲେ। ମୁଣ୍ଡରେ ଗଭୀର ଆଘାତ ଥିବା ବେଳେ କାନ, ନାକ ଓ ହାତ ଖଣ୍ଡିଆ ଖାବରା ହୋଇଥିଲା। ଏ ନେଇ ଚନ୍ଦ୍ରଶେଖରପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଆଇପିସି ଦଫା-୩୦୨(ହତ୍ୟା), ୧୨୦(ବି) (ଷଡ଼୍‌ଯନ୍ତ୍ର), ୩୪ରେ ମାମଲା ରୁଜୁ କରିଥିଲା।

ଏହି ଘଟଣାରେ ସେଦିନ ପୁଅ ସହ ଆସଥିବା ଏସ୍‌. ଖାଁ ଏବଂ ତାଙ୍କ ପୁଅ ଓ ଟ୍ରାଭେଲ ଏଜେନ୍ସି ମାଲିକ ସମ୍ପୃକ୍ତ ବୋଲି ଅଭିଯୋଗ ଆଣିଥିଲେ ବାବାଜୀ। ଏସ୍ ଖାଁଙ୍କ ଘର ନିକଟରେ କାର ରହିଥିଲେ ବି ତା ପରେ ସୁନୀଲଙ୍କର ଯଦି ପତ୍ତା ନ ମିଳିଲା ତାହା ହେଲେ ଟ୍ରାଭେଲ ଏଜେନ୍ସି ମାଲିକ କାହାକୁ ନ ଜଣାଇ କିପରି ଗାଡ଼ି ନେଇ ପଳାଇଲେ ଏବଂ ଏ ସମ୍ପର୍କରେ ଘର ଲୋକ କିମ୍ବା ଅନ୍ୟ କେହି ଥାନାକୁ କାହିଁକି ଜଣାଇଲେ ନାହିଁ ବୋଲି ପ୍ରଶ୍ନ ଉଠିଛି। ସୁନିଲଙ୍କ ମୃତ୍ୟୁ ନେଇ ଅନେକ ସନ୍ଦେହ ଉପୁଜିଛି। ବିଶେଷକରି ଶବ ବ୍ୟବଚ୍ଛେଦ ରିପୋର୍ଟରେ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବା ଜଣା ପଡିଥିଲା। ତାଙ୍କ ମୁଣ୍ଡରେ କିପରି ଆଘାତ ଲାଗିଲା ଏବଂ ସୁନିଲ ଗାଡ଼ିରେ ନ ଥିବା ବେଳେ ଚାବି ଲାଗିଥିଲା କେମିତି ବୋଲି ବାବାଜୀ ସନ୍ଦେହ ପ୍ରକାଶ କରିଛନ୍ତି। ଫଳରେ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ସେ ଅଭିଯୋଗ କରିଛନ୍ତି। ଏସ୍. ଖାଁ ନିଜ ପ୍ରତିକ୍ରିୟାରେ କହିଛନ୍ତି, ପୁରୀରୁ ଭୁବନେଶ୍ବର ଆସି ଝିଅକୁ ଛାଡ଼ିବା ପରେ ମୁଁ ଓ ଅନ୍ୟ ଦୁଇ ଜଣ କଟକର ଜଣେ ଓକିଲଙ୍କ ପାଖକୁ ଯିବାର ଥିଲା। ଝିଅକୁ ଛାଡ଼ି ଘରୁ ବାହାରିବା ବେଳେ ଡ୍ରାଇଭରକୁ ପାଇ ନ ଥିଲୁ। ବହୁ ଖୋଜାଖୋଜି ପରେ ପତ୍ତା ନ ମିଳିବାରୁ ଏ ନେଇ ଆମେ ଟ୍ରାଭେଲ ଏଜେନ୍ସି ମାଲିକଙ୍କୁ ଜଣାଇ ଦେଇଥିଲୁ। ସେ ଅନ୍ୟ ଡ୍ରାଇଭର ପଠାଇ ଗାଡ଼ି ନେଇ ଯାଇଥିଲେ। ଆମେ ଅନ୍ୟ ଏକ ଗାଡ଼ିରେ କାମକୁ ବାହାରି ଯାଇଥିଲୁ। ପରଦିନ ସକାଳେ ଭଡ଼ାଘରର ମାଲିକାଣୀ ଜଣେ ବ୍ୟକ୍ତି ପଡ଼ିଥିବା ଦେଖିଥିଲେ। ପରେ ଜାଣିବାକୁ ପାଇଥିଲି ରେ ତାହା ସେହି ଡ୍ରାଇଭରର ମୃତଦେହ ବୋଲି। ତେବେ ଘଟଣାର ତଦନ୍ତ ଜାରି ରହିଥିବା ଜଣେ ପୁଲିସ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର