ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ ଫକୀରମୋହନ ଛାତ୍ରାବାସ ଛାତରୁ ପଡ଼ି କଟକଜିଲ୍ଲା ନରସିଂହପୁର ଅଞ୍ଚଳର ବିଶ୍ବରଂଜନ ଯାଦବ(୪୦)ଙ୍କର ମୃତ୍ୟୁ ଘଟିଛି। ଏନେଇ ସହିଦନଗର ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଠାଇଛି। ସୂଚନା ମୁତାବକ, ବହୁଦିନ ହେବ ବିଶ୍ବରଂଜନ ରାଜଧାନୀରେ ରହି ବିଜେଡି ନେତା ଚିନ୍ମୟ ସାହୁଙ୍କ ଗାଡ଼ି ଚଳାଉଥିଲେ। ଗତକାଲି ରାତିରେ ସେ କାମ ସାରି ଉତ୍କଳ ବିଶ୍ବବିଦ୍ୟାଳୟ ଫକୀରମୋହନ ଛାତ୍ରାବାସର ୩ୟ ମହଲାରେ ଥିବା ଜଣେ ବନ୍ଧୁଙ୍କ ପାଖକୁ ଯାଇଥିଲେ। ରାତି ପାଖାପାଖି ୪ଟା ସମୟରେ ସେ ତଳେ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା କିଛି ଛାତ୍ର ଦେଖିଥିଲେ। ଖବରପାଇ ସହିଦନଗର ଥାନା ପୁଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ସେଠାରେ ପହଞ୍ଚି ମୃତଦେହକୁ ଜବତ କରି କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଠାଇଥିଲେ। ହେଲେ ବିଶ୍ବରଂଜନଙ୍କ ଏଭଳି ଛାତରୁ ପଡ଼ି ମୃତ୍ୟୁ ଘଟିବାକୁ କେହି ସହଜରେ ଗ୍ରହଣ କରିପାରି ନଥିଲେ। ତାଙ୍କର କେମିତି ମୃତ୍ୟୁ ଘଟିଲା? ସେ ଛାତରୁ ପଡ଼ିଯାଇଛନ୍ତି ନା ତାଙ୍କୁ କେହି ଠେଲି ଦେଇଛି? ତାକୁ ନେଇ ପରିବାର ଲୋକେ ସନ୍ଦେହ କରିଛନ୍ତି। ଏନେଇ ତାଙ୍କ ଭିଣୋଇ ସତ୍ୟବ୍ରତ ନାୟକ ଥାନାରେ ଅଭିଯୋଗ ପରେ ପୁଲିସ ଅପମୃତ୍ୟୁ ମାମଲା ରୁଜୁକରି ବ୍ୟବଚ୍ଛେଦ ପରେ ମୃତଦେହକୁ ହସ୍ତାନ୍ତର କରିଛି। ମୃତ୍ୟୁପଛର ପ୍ରକୃତ କାରଣ ଜାଣିବା ପାଇଁ ପୁଲିସ ସିସିଟିଭି ଫୁଟେଜ୍‌ ଯାଞ୍ଚ କରିଛି। 
ଅନ୍ୟପଟେ ଚିନ୍ମୟଙ୍କ ଚାଳକ କାହିଁକି ହଷ୍ଟେଲ୍‌ରେ ରହିଥିଲେ? ସେ ଏଠାକୁ କାହିଁକି ଆସିଥିଲେ? ତାକୁ ନେଇ ଉତ୍କଳ ବିଶ୍ବବିଦ୍ୟାଳୟ ଛାତ୍ର ସଂଘ ସନ୍ଦେହ ପ୍ରକଟ କରିଛି। ଚିନ୍ମୟଙ୍କ ଭୂମିକାକୁ ସନ୍ଦେହ କରି ତାଙ୍କୁ ଗିରଫ ପାଇଁ ଛାତ୍ର ସଂଘ ସହିଦନଗର ଥାନାରେ ଅଭିଯୋଗ କରିଛି।