ଆହତଙ୍କୁ ଅଟୋରେ ନେଇ ଅଡ଼ୁଆରେ ଚାଳକ: ବେଗ ୫୦କିମି ଟପିବାରୁ ଆସିଲା ୨ ହଜାର ଟଙ୍କା ଜରିମାନା

ଭୁବନେଶ୍ବର: ଦୁର୍ଘଟଣାରେ ବାପ-ଝିଅ ରକ୍ତାକ୍ତ ହୋଇ ରାସ୍ତା ଉପରେ ସାହାଯ୍ୟ ମାଗୁଥିଲେ। ସେହି ବାଟ ଦେଇ ଯାଉଥିବା ଅଟୋ ଚାଳକ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ନେଇ ଛାଡ଼ିଥିଲେ। ଝିଅ ଅଧିକ ଆହତ ହୋଇଥିଲା, ପ୍ରବଳ ରକ୍ତସ୍ରାବ ହେଉଥିଲା। ତେଣୁ ତୁରନ୍ତ ହସ୍ପିଟାଲ ନେଇ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଥିଲେ ଚାଳକ। ଏହାରି ଭିତରେ ଗାଡ଼ିର ବେଗ ସାମାନ୍ୟ ବଢ଼ି ଯାଇଥିଲା। ଆହତଙ୍କୁ ହସ୍ପିଟାଲରେ ଛାଡ଼ି ଫେରିବାର କେଇ ଘଣ୍ଟା ପରେ ମୋବାଇଲକୁ ଆସିଥିଲା ୨ ହଜାର ଟଙ୍କାର ଚାଲାଣ ମେସେଜ୍। ୧୧୨କୁ ଫୋନ୍ କରି ଘଟଣା ସମ୍ପର୍କରେ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳି ନାହିଁ। ଆହତଙ୍କୁ ଉଦ୍ଧାର କରି ଜଣେ ଅଟୋ ଚାଳକ ଏମିତି ଅଡ଼ୁଆରେ ପଡ଼ିଛନ୍ତି।

ପୂରା ଘଟଣା ଥିଲା ଏମିତି; ଅଟୋ ଚାଳକ କାଳିଆ ପଣ୍ଡାଙ୍କ ଘର ସତ୍ୟନଗର ଅଞ୍ଚଳରେ। ଗତ ମାର୍ଚ୍ଚ ୨୬ ତାରିଖରେ ପୁଅକୁ ନେଇ ସେ ୟୁନିଟ୍-୯ ବାୟାବାବା ମଠ ରୋଡ୍‌ରେ ଯାଉଥିଲେ। ବାୟାବାବା ମଠ ନିକଟରେ ଜଣେ ବ୍ୟକ୍ତି ଓ ତାଙ୍କ ଝିଅ ସ୍କୁଟିରେ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ଅଟୋକୁ ଅଟକାଇବା ସହ ହସ୍ପିଟାଲ ନେବା ପାଇଁ ଅନୁରୋଧ କରିଥିଲେ। ଅନଲାଇନ୍‌ରେ ତୁରନ୍ତ ଅଟୋ ବୁକିଂ କରାଯାଇଥିଲା। ପରେ କାଳିଆ ସକାଳ ୭ଟା ୨୬ରେ ସେମାନଙ୍କୁ ନେଇ ୭ଟା ୩୭ରେ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚାଇଥିଲେ। କିନ୍ତୁ ଦିନ ୧୨ଟାରେ ତାଙ୍କ ମୋବାଇଲ୍‌କୁ ଆସିଥିଲା ଚାଲାଣ ମେସେଜ୍। ଗାଡ଼ିର ବେଗ ଘଣ୍ଟା ପ୍ରତି ୭୦ କିମି ଥିବାରୁ ୨ହଜାର ଟଙ୍କା ଜରିମାନା ବୋଲି ସେଥିରେ ଉଲ୍ଲେଖ ରହିଥିଲା। ସାହାଯ୍ୟ କରିବାକୁ ଯାଇ ଏଭଳି ଅସୁବିଧାର ସମ୍ମୁଖୀନ ହୋଇଥିବାରୁ କାଳିଆ ଦୁଃଖପ୍ରକାଶ କରିଛନ୍ତି। ଏପରିକି ଜରିମାନା ଅର୍ଥ ଛାଡ଼ କରିବାକୁ ସେ ଅନୁରୋଧ କରିଛନ୍ତି।

ଅଭିଯୋଗ ଆସିଲେ ପଦକ୍ଷେପ ନିଆଯିବ: ଟ୍ରାଫିକ୍‌ ଡିସିପି

ଏ ସମ୍ପର୍କରେ ଟ୍ରାଫିକ ଡିସିପି ଏସ୍. ସୁଶ୍ରୀ କହିଛନ୍ତି, ଯଦି ଏନେଇ ଲିଖିତ ଅଭିଯୋଗ ତାଙ୍କ ପାଖକୁ ଆସିବ, ତାହେଲେ ଏହାର ଯାଞ୍ଚ କରାଯିବ। ଆହତଙ୍କୁ ହସ୍ପିଟାଲ ନେବା କଥା ଯାଞ୍ଚରେ ଜଣାପଡ଼ିଲେ, ଜରିମାନା ଛାଡ଼ କରାଯିବ। ଅନ୍ୟପକ୍ଷରେ କାଳିଆ କହିଛନ୍ତି, ତାଙ୍କ ପାଖରେ ଅନଲାଇନ୍ ବୁକିଂର ମେସେଜ୍ ରହିଛି। ଆହତଙ୍କୁ ନେବା ସ୍ଥାନ ଓ କ୍ୟାପିଟାଲ ହସ୍ପିଟାଲରେ ଛାଡ଼ିବା ସ୍ଥାନ ଉଲ୍ଲେଖ ରହିଛି। ସେହିପରି କ୍ୟାପିଟାଲ ହସ୍ପିଟାଲର ସିସିଟିଭି ଫୁଟେଜ ରହିଥିବା ବେଳେ ଟିକେଟ୍‌ ରେଜିଷ୍ଟ୍ରେସନ୍‌ କାଉଣ୍ଟରରେ ନାଁ ମଧ୍ୟ ରହିଥିବ।

ବେଗ ବଢ଼ିଲେ ଚାଲାଣ କଟୁଛି, ସୂଚନା ଫଳକ କେବେ?

ରାଜଧାନୀରେ ପ୍ରାୟ ୧୧ଟି ପ୍ରମୁଖ ଛକରେ ଗାଡ଼ିର ବେଗ ୫୦ କିମି ଟପିଲେ ଜରିମାନା ଆଦାୟ କରାଯିବ ବୋଲି ଘୋଷଣା କରାଯାଇଛି। ଆଇନ ଉଲ୍ଲଂଘନକାରୀଙ୍କଠାରୁ ଜରିମାନା ମଧ୍ୟ ଆଦାୟ କରାଯାଉଛି। ଏପରିକି ଫାଙ୍କା ରାସ୍ତାରେ କିମ୍ବା କୌଣସି ମେଡିକାଲ କାମରେ ଗାଡ଼ିର ବେଗ ୫୦ ଡେଇଁଲେ ମୋବାଇଲକୁ ଆସୁଛି ଚାଲାଣ। ଯେଉଁ ରାସ୍ତାରେ ସ୍ପିଡ୍ ଲିମିଟ୍ ଥାଏ, ସେହି ରାସ୍ତାରେ ସୂଚନାଫଳକ ଲଗାଯାଇ ଥାଏ। କିନ୍ତୁ ନିୟମ ଲାଗୁ କରାଯାଇଥିବା ରାସ୍ତାରେ ଏଯାଏ ସୂଚନାଫଳକ ଲାଗି ପାରିନାହିଁ। ଫଳରେ ଚାଳକ ଜାଣି ପାରୁନାହାନ୍ତି। ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ତୁରନ୍ତ ଫଳକ ଲଗାଇବାକୁ ଦାବି ହୋଇଛି। ଏ ସମ୍ପର୍କରେ ଟ୍ରାଫିକ ଡିସିପି ଏସ୍.ସୁଶ୍ରୀ କହିଛନ୍ତି, ସୂଚନାଫଳକ ଲଗାଯିବା ପାଇଁ ପୂର୍ତ୍ତ ବିଭାଗକୁ ଚିଠି ଲେଖା ଯାଇଛି। ସୂଚନାଯୋଗ୍ୟ, ପଟିଆ, ପାଵାର ହାଉସ୍, କଳିଙ୍ଗ ଷ୍ଟାଡିୟମ୍‌, କ୍ୟାପିଟାଲ ହସ୍ପିଟାଲ୍, କିଟ୍, କିଟ୍ କ୍ୟାମ୍ପସ ନମ୍ବର-୩, ଶିଶୁଭବନ, ବାଣୀବିହାରଠାରୁ ଶିଶୁଭବନ, ରାଜମହଲ, ଟ୍ରାଇଡେଣ୍ଟ ହୋଟେଲ, ନାକାଗେଟ୍ ପ୍ରମୁଖ ଛକରେ ଏହି ସ୍ପିଡ୍ ଲିମିଟ୍ ରଖାଯାଇଛି।

ସମ୍ବନ୍ଧିତ ଖବର