ଭୁବନେଶ୍ବର : ରାଜଧାନୀରେ ଥିବା ସମସ୍ତ ୧୦ଟି ଡ୍ରାଇଭ୍-ଇନ୍ ଟିକାକରଣ ଆସନ୍ତା ୨ ତାରିଖରୁ ବନ୍ଦ କରାଯାଇଛି। ଏହି ସବୁ କେନ୍ଦ୍ରରେ ଯେଉଁମାନେ ପ୍ରଥମ ଡୋଜ୍ ନେଇଛନ୍ତି; ସେମାନେ ପ୍ରଥମ ଡୋଜ୍ର ୨୯ରୁ ୪୨ ଦିନ ଭିତରେ ଯେ କୌଣସି ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇ ଦ୍ବିତୀୟ ଡୋଜ୍ ନେଇ ପାରିବେ। ଏଥିପାଇଁ କୌଣସି ସ୍ଲଟ୍ ବୁକିଂ କରିବାକୁ ପଡ଼ିବ ନାହିଁ। ସକାଳ ୯ଟାରୁ ଗୋଟାଏ ଓ ୩ଟାରୁ ୬ଟା ଯାଏ ଏହି ଟିକାକେନ୍ଦ୍ର ଖୋଲା ରହିବ। ଦ୍ବିତୀୟ ଡୋଜ୍ ଟିକା ନେବାକୁ ହେଲେ ପ୍ରଥମ ଡୋଜ୍ର ପ୍ରମାଣପତ୍ର ସମ୍ପୃକ୍ତ କେନ୍ଦ୍ରରେ ଦେଖାଇବାକୁ ପଡ଼ିବ ବୋଲି ବିଏମ୍ସି ସୂଚନା ଦେଇଛି। ଅନ୍ଲକ୍ ପ୍ରକ୍ରିୟାରେ ସମସ୍ତ ମଲ୍ ଖୋଲିବାକୁ ଯାଉଛି। ଏଠାରେ ହେଉଥିବା ଡ୍ରାଇଭ୍-ଇନ୍ କେନ୍ଦ୍ରରେ ଭିଡ଼ ହେବା ଆଶଙ୍କା କରି ବିଏମ୍ସି ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।
ସେହିଭଳି ୧୮ରୁ ୪୪ ଓ ୪୫ ବର୍ଷରୁ ଊର୍ଦ୍ଧ୍ବ ବୟସବର୍ଗର ଲୋକମାନଙ୍କର ଟିକାକରଣ ପାଇଁ କୌଣସି ସ୍ଲଟ୍ ବୁକିଂର ଆବଶ୍ୟକତା ନଥିବା ଘୋଷଣା କରାଯାଇଛି। କ୍ୟାପିଟାଲ ହସ୍ପିଟାଲ ସମେତ ସାମନ୍ତପୁରୀ, ରସୁଲଗଡ଼, ୟୁନିଟ୍ ୩, ନୀଳାଦ୍ରି ବିହାର, ଝାରପଡ଼ା, ଗାଡ଼କଣ, ସହିଦନଗର, ୟୁନିଟ୍-୮, ଆଇଆରସି ଭିଲେଜ୍, କଳ୍ପନା ଓ ପଟିଆରେ ଥିବା ୟୁପିଏଚ୍ସି ଟିକାକରଣ କେନ୍ଦ୍ରରେ ସେମାନେ ସିଧାସଳଖ ପହଞ୍ଚି ଟିକାର ପ୍ରଥମ ଡୋଜ୍ ନେଇ ପାରିବେ। ନିର୍ଦ୍ଧାରିତ ସମୟ ବ୍ୟବଧାନରେ ସେମାନେ ସେହି ନିର୍ଦ୍ଦିଷ୍ଟ କେନ୍ଦ୍ରରେ ଦ୍ବିତୀୟ ଡୋଜ୍ ନେଇ ପାରିବେ ବୋଲି ବିଏମ୍ସି ସୂଚନା ଦେଇଛି।
ରାଜଧାନୀରେ ୩୫୪ କରୋନା ଆକ୍ରାନ୍ତ
ଭୁବନେଶ୍ବର : ରାଜଧାନୀରେ ଶନିବାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୫୪ ରହିଛି। ଗତକାଲି ୩୮୯ ଥିବା ବେଳେ ଶନିବାର ଆକ୍ରାନ୍ତଙ୍କ ସଂଖ୍ୟା ସାମାନ୍ୟ କମିଛି। କିନ୍ତୁ ସୁସ୍ଥଙ୍କ ସଂଖ୍ୟା ଆଶାନୁରୂପ ବଢ଼ୁନଥିବାରୁ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ନିୟମିତ ବଢ଼ୁଛି। ଗତକାଲି ୨୩୧୧ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ଶନିବାର ଏହି ସଂଖ୍ୟା ୨୪୨୨ରେ ପହଞ୍ଚିଛି। ତେବେ ଗତକାଲିଠାରୁ ଆଜି ସୁସ୍ଥଙ୍କ ସଂଖ୍ୟା ବଢ଼ିଛି। ଗତକାଲି ସୁସ୍ଥଙ୍କ ସଂଖ୍ୟା ୨୩୨ ଥିବା ବେଳେ ଶନିବାର ଏହି ସଂଖ୍ୟା ୨୩୯ ରହିଛି। ଗତ ଦୁଇ ଦିନ ଭଳି ମୃତ୍ୟୁ ସଂଖ୍ୟା ୪ ଦର୍ଶାଯାଇଛି। ଶନିବାର ଚିହ୍ନଟ ହୋଇଥିବା ୩୫୪ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଚନ୍ଦ୍ରଶେଖରପୁର, ନୂଆପଲ୍ଲୀ ଓ ଖଣ୍ଡଗିରି ଅଞ୍ଚଳରୁ ସର୍ବାଧିକ ୧୩ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ପୁରୁଣା ଭୁବନେଶ୍ବର, ପଟିଆରୁ ୧୨ ଜଣ ଲେଖାଏଁ, ଭିଏସ୍ଏସ୍ ନଗର ଓ ନୀଳାଦ୍ରି ବିହାରରୁ ଅଞ୍ଚଳରୁ ୧୧ ଜଣ ଲେଖାଏଁ, ବଡ଼ଗଡ଼ ଓ ଲକ୍ଷ୍ମୀସାଗର ଅଞ୍ଚଳରୁ ୧୦ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/Drive-in-vaccination-at-Esplanade-parking-2-1.jpg)