ଭୁବନେଶ୍ବର/ବାରଙ୍ଗ: ଭୁବନେଶ୍ବରରେ ଆଜି ଓମ୍‌ଫେଡ କ୍ଷୀର ମିଳି ନଥିଲା। ଗ୍ରାହକମାନେ ଦୋକାନରୁ ଦୋକାନ ଘୂରି ବୁଲୁଥିଲେ ମଧ୍ୟ କ୍ଷୀର ପ୍ୟାକେଟ୍‌ ପାଇ ନଥିଲେ। ସହରରେ ଥିବା ଓମ୍‌ଫେଡ ଷ୍ଟଲ୍‌ଗୁଡ଼ିକ ମଧ୍ୟ ହାତ ଟେକି ଦେଇଥିଲେ। ପ୍ରତିଦିନ ସକାଳୁ ସକାଳୁ କ୍ଷୀର ଚା’ ଉପଲବ୍ଧ ହେଉଥିବା ଷ୍ଟଲଗୁଡ଼ିକରେ ନାଲି ଚା’ ବିକ୍ରି ହେଉଥିଲା। ସହର ସାରା ଆଜି ଏଭଳି କ୍ଷୀର ସଙ୍କଟକୁ ଗ୍ରାହକ ଓ ବ୍ୟବସାୟୀମାନେ ଚିନ୍ତାରେ ପଡ଼ି ଯାଇଥିଲେ। ମଧ୍ୟାହ୍ନ ବେଳକୁ ଜଣାପଡ଼ିଥିଲା ଯେ ଅରିଲୋସ୍ଥିତ ଓମ୍‌ଫେଡ ଫାର୍ମ ସମ୍ମୁଖରେ ଡ୍ରାଇଭରମାନଙ୍କ ବିକ୍ଷୋଭ ଯୋଗୁଁ ଏଭଳି କ୍ଷୀର ସଙ୍କଟ ସୃଷ୍ଟି ହୋଇଛି।

Advertisment

କେବଳ ଭୁବନେଶ୍ବର ନୁହେଁ, କଟକ ସମେତ ରାଜ୍ୟର ଅନ୍ୟାନ୍ୟ ସ୍ଥାନକୁ କ୍ଷୀର, ଦହି, ଘିଅ ଆଦି ସାମଗ୍ରୀ ଚାଲାଣରେ ବାଧା ଉପୁଜିଥିଲା। ଓମ୍‌ଫେଡ ଗାଡ଼ି ଚାଳକଙ୍କ ଅଭିଯୋଗ ଅନୁଯାୟୀ ପୁଲିସ ଉଦ୍ଦେଶ୍ୟମୂଳକ ଭାବେ କିଛି ଗାଡ଼ିକୁ ଅଟକାଇ ବାରମ୍ବାର ଯାଞ୍ଚ କରୁଛି। ସେମାନଙ୍କୁ ବିଭିନ୍ନ ପ୍ରକାର ମାନସିକ ନିର୍ଯାତନା ଦେଉଛନ୍ତି। ଏଭଳି ସମସ୍ୟା ଲଗାତାର ଭାବେ ଲାଗିରହୁଥିବାରୁ ଏନେଇ ଉପରିସ୍ଥ ଅଧିକାରୀଙ୍କ ନିକଟରେ ଅଭିଯୋଗ କରାଯାଇଥିଲା। ମାତ୍ର କେହି ଶୁଣି ନଥିଲେ। ଗତକାଲି ପୁଲିସ ପୁଣି ଜଣେ ଗାଡ଼ି ଚାଳକଙ୍କୁ ଅଟକ ରଖିଛି। ତେଣୁ ଅଟକ ଗାଡ଼ି ଚାଳକକୁ ପୁଲିସ ନ ଛାଡ଼ିବା ପର୍ଯ୍ୟନ୍ତ ଗାଡ଼ି ଗଡ଼ିବ ନାହିଁ ବୋଲି ସେମାନେ ଅଡ଼ି ବସିଥିଲେ। ଅପରାହ୍ଣ ବେଳକୁ ବାରଙ୍ଗ ଥାନା ପୁଲିସ ବିକ୍ଷୋଭ ସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ସମସ୍ୟା ସମାଧାନ ହୋଇଥିଲା। ସଂପୃକ୍ତ ଗାଡ଼ି ଚାଳକଙ୍କ ନାଁରେ ଏକ ମାମଲା ରୁଜୁ କରିବା‌ ପରେ ପୁଲିସ ଛାଡ଼ିଥିବା ଜଣାଯାଇଛି।

ଓମ୍‌ଫେଡ ପକ୍ଷରୁ କୁହାଯାଇଛି ଯେ ଚୋରି ରୋକିବା ସହ ଏଥିରେ ସଂପୃକ୍ତ ବ୍ୟକ୍ତିଙ୍କୁ ଧରିବାରୁ ଓମ୍‌ଫେଡ କ୍ଷୀର ପରିବହନ କରୁଥିବା ଡ୍ରାଇଭରମାନେ ଆଜି ଆନ୍ଦୋଳନ କରିଥିଲେ। ରାତିରେ କ୍ଷୀର ସ‌ହ ଓମ୍‌ଫେଡର ଅନ୍ୟାନ୍ୟ ସାମଗ୍ରୀ ଗାଡ଼ିରେ ଲୋଡ୍‌ ହେଉଥିବା ବେଳେ କିଛି ଅସାଧୁ କର୍ମଚାରୀ ଓ ଗାଡି ଡ୍ରାଇଭରଙ୍କ ସଲାସୁତରାରେ ତାଲିକାଠାରୁ ଅଧିକ ଦୁଗ୍ଧ ଗାଡିରେ ଲୋଡ କରିଥିଲେ। ପ୍ଲାଣ୍ଟରୁ ଅସତ୍ ଉପାୟରେ ଓମ୍‌ଫେଡ ଉତ୍ପାଦ ଯାଉଥିବା ଅଭିଯୋଗ ପରେ ପରିଚାଳନା ନିର୍ଦେଶକ ବିଜୟ ଅମୃତା କୁଲାଙ୍ଗେ ପ୍ରମାଣ ସହ ଧରିବାକୁ ପୂର୍ବରୁ ତୀକ୍ଷ୍‌ଣ ନଜର ରଖିଥିଲେ। ଗତକାଲି ରାତିରେ କ୍ଷୀର ପରିବହନ ହେଉଥିବା ସମୟରେ ଏହା ଜଣାପଡିଥିଲା। ଖବର ପାଇ ପରିଚାଳନା ନିର୍ଦେଶକଙ୍କ ନିର୍ଦେଶକ୍ରମେ ସଂପୃକ୍ତ ଡ୍ରାଇଭରଙ୍କ ନାମରେ ଆଇନ ଅନୁଯାୟୀ ଥାନାରେ ଏତଲା ଦିଆଯାଇଥିଲା। ପୁଲିସ ମଧ୍ୟ ତତ୍କାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ତେଣୁ ଡ୍ରାଇଭରଙ୍କ ଗିରଫଦାରୀକୁ ବିରୋଧ କରି ଅନ୍ୟ ଡ୍ରାଇଭରମାନେ ଆନ୍ଦୋଳନ କରିବାରୁ କ୍ଷୀର ପରିହନ ବାଧାପ୍ରାପ୍ତ ହୋଇଥିଲା।
ଶ୍ରୀ କୁଲାଙ୍ଗେ କହିଛନ୍ତି ଯେ ଓମ୍‌ଫେଡ ସହ ଲକ୍ଷାଧିକ ଦୁଗ୍ଧଚାଷୀ ଓ ସେମାନଙ୍କର ପରିବାରଙ୍କର ଜୀବିକା ଜଡ଼ିତ ରହିଛି। ତେଣୁ ଓମ୍‌ଫେଡରୁ କେହି ଚୋରି କଲେ କି ଦୁର୍ନୀତି କଲେ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ। ଏହି ଘଟଣାରେ କିଛି କର୍ମଚାରୀ ସଂପୃକ୍ତ ଥିବା ନେଇ ଅଭିଯୋଗ ଆସିଥିବାରୁ ତଦନ୍ତ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି। କମିଟି ରିପୋର୍ଟ ଆଧାରରେ ସଂପୃକ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଡ୍ରାଇଭରଙ୍କ ଏହି ଆନ୍ଦୋଳନ ପାଇଁ ଓମ୍‌ଫେଡର ଜରୁରୀ ସେବାରେ କୌଣସି ଅସୁବିଧା ହୋଇନାହିଁ। ମେଡିକାଲ, ସ୍କୁଲ, ହୋଟେଲ ଆଦିକୁ ଓମ୍‌ଫେଡର ନିଜସ୍ବ ଗାଡ଼ି ଓ ଭଡ଼ା ଗାଡ଼ିରେ କ୍ଷୀର ଯୋଗାଇ ଦିଆଯାଇଛି।