ଚନ୍ଦ୍ରଶେଖରପୁର : ଆଉ ମାତ୍ର ୧୫ ଦିନ ବାକି। ପୁଣି ମୋଟର ଯାନ ଆଇନକୁ କଡ଼ାକଡ଼ି ଲାଗୁ କରାଯିବ। ରାଜଧାନୀରେ ଟ୍ରାଫିକ୍ କଟକଣାକୁ ଜୋର୍‌ଦାର୍ କରାଯିବ। ପୂର୍ବରୁ ସମୟ ଦିଆଯାଇଥିବାରୁ ଗାଡ଼ି ଚାଳକମାନେ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ରଠାରୁ ଆରମ୍ଭ କରି ଡ୍ରାଇଭିଂ ଲାଇସେନ୍ସ ପର୍ଯ୍ୟନ୍ତ ସମସ୍ତ ପ୍ରକାର କାଗଜପତ୍ର ପ୍ରାୟ ଠିକ୍ କରିଦେଲେଣି। କିନ୍ତୁ ଗାଡ଼ି ଚଲାଇବାର ନିୟମ ମାନୁ ନ ଥିବା ଲୋକଙ୍କ ସଂଖ୍ୟା କମିଥିବାର ଅନୁଭବ କରି ହେଉନାହିଁ। ସହରର ଗୁରୁତ୍ବପୂର୍ଣ୍ଣ ତଥା ଜନଗହଳିପୂର୍ଣ୍ଣ ରାସ୍ତା ପାଲଟି ଥିବା‌ ଜୟଦେବ ବିହାରରରୁ ନନ୍ଦନକାନନ ରାସ୍ତାରେ ରଙ୍ଗ୍ ରୁଟ୍‌ରେ ଓ ଫୁଟ୍‌ପାଥ୍‌ରେ ଗାଡ଼ି ଚଳାଉଥିବାର ଦୃଶ୍ୟ ସବୁ ସମୟରେ ଦେଖିବାକୁ ମିଳୁଛି। ଫଳରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେବା ସହ ଅନ୍ୟ ଯାତ୍ରୀମାନେ ସମସ୍ୟାର ସମ୍ମୁଖୀନ ‌େହଉଛନ୍ତି।

Advertisment

ଏହି ରାସ୍ତାରେ ବିଭିନ୍ନ ସାମାଜିକ ଅନୁଷ୍ଠାନ ପକ୍ଷରୁ ଘନଘନ ଟ୍ରାଫିକ୍ ସଚେତନତା କାର୍ଯ୍ୟକ୍ରମ କରାଯାଉଥିବା ବେଳେ ବେପରୱା‌ ଗାଡ଼ି ଚାଳକଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗୁଛି। କେତେବେଳେ ଫୁଟ୍‌ପାଥ୍‌ରେ ତ କେତେବେଳେ ରଙ୍ଗ ରୁଟ୍‌‌ରେ ଦ୍ରୁତ ଗତିରେ ଯାଉଛନ୍ତି ବାଇକ୍ ଆରୋହୀ। ଟ୍ରାଫିକ୍ ନିୟମ କୋହଳ କରାଯିବା ପରେ ଏବେ ଅଧିକ ବେଲଗାମ ହୋଇପଡ଼ିଛନ୍ତି ଏପରି ଗାଡ଼ି ଚାଳକ। ନା ରହୁଛି ମୁଣ୍ଡରେ ହେଲମେଟ୍ ନା ମାନୁଛନ୍ତି ଜେବ୍ରା କ୍ରସିଂ। ଏପରିକି ଛକଗୁଡ଼ିକରେ ସବୁଜବତିକୁ ଅପେକ୍ଷା ନ କରି ମାଡ଼ି ଯାଉଛନ୍ତି ଗାଡ଼ି ଚାଳକ। କେବଳ ନାଲ୍‌କୋ ଛକକୁ ବାଦ୍ ଦେଲେ ଜାଭିୟର୍, ଓମ୍‌ଫେଡ଼୍, ଡମଣା, ପଟିଆ, ମ୍ୟାଗ୍‌ନେଟ୍, ରଘୁନାଥପୁର, କାନନବିହାର ଓ ନନ୍ଦନକାନନ ଛକର ପରିସ୍ଥିତି ସାଂଘାତିକ।

ଅନ୍ୟପକ୍ଷରେ ଇନ୍‌ଫୋସିଟି ଓ କିଟ୍ ବିଶ୍ବ ବିଦ୍ୟାଳୟ ଛକରେ ଟ୍ରାଫିକ୍ ବତି ଥିଲେ ମଧ୍ୟ ଗାଡ଼ିଚାଳକ ମନଇଚ୍ଛା ଯାତାୟାତ କରୁଛନ୍ତି। ଫୁଟ୍‌ପାଥ୍ ଉପରେ ବାଇକ୍ ନେଇ ଯାଉଥିବା ଲୋକମାନେ ନିୟମକୁ ଖାତିର ନ କରି ରଙ୍ଗରୁଟ୍‌‌ରେ ଗାଡ଼ି ଭର୍ତି କରି ଟ୍ରାଫିକ୍‌ ଜାମ କରୁଛନ୍ତି। ଡମଣା ମଦ ଦୋକାନ ଆଗରେ ଟ୍ରାଫିକ୍ ଜାମ ହେଉଥିବାରୁ ଫୁଟ୍‌ପାଥ୍ ଉପରେ ଥିବା ଲୁହା ପାଇପ୍ ବାଡ଼କୁ କିଛି ଦୁର୍ବୃତ୍ତ ଓପାଡ଼ି ଦେଇ ବାଇକ୍‌ରେ ଯାତାୟାତ କରୁଛନ୍ତି। ଏପରି ‌ଲୋକଙ୍କ ପାଇଁ ରାସ୍ତାରେ ନିୟମ ମାନୁଥିବା ଲୋକମାନେ ମଧ୍ୟ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି। ନିକଟରେ ଟ୍ରାଫିକ୍ ଡିସିପି ସାଗରିକା ନାଥ ବିଭିନ୍ନ ଛକରେ ଠିଆ ହୋଇ ଗାଡ଼ି ଚାଳକଙ୍କୁ ଫୁଲ ଓ ଚକୋଲେଟ୍ ଦେଇ ସଚେତନ କରୁଥିବା ବେଳେ ତାହାର କିଛି ଦୂରରେ ଖୋଲାଖୋଲି ଟ୍ରାଫିକ୍ ନିୟମ ଉଲ୍ଲଂଘନ କରାଯାଉଥିବା ଦେଖିବାକୁ ମିଳୁଛି। ଡିସିପି ସାଗରିକା ନାଥଙ୍କ କହିବା ଅନୁଯାୟୀ, କଟକଣା ଆରମ୍ଭ ହେଲେ ମଦ୍ୟପାନ, ରଙ୍ଗରୁଟ୍‌ରେ, ଦ୍ରୁତଗତିରେ, ମୋବାଇଲ୍ ବ୍ୟବହାର କରି, ବିନା ହେଲମେଟ୍ ଓ ସିଟ୍ ବେଲ୍ଟ ଏବଂ ଆବଶ୍ୟକତାଠାରୁ ଅଧିକ ଲୋକ ଗାଡ଼ିରେ ବସିଲେ, ଚାଲାଣ କଟାଯିବ।