ବିନା ହେଲ୍‌ମେଟ୍‌ରେ ଗାଡ଼ି ଚାଳନା, ୧୦ ଦିନରେ ୯୭ ଲାଇସେନ୍ସ ବାତିଲ

ଅନ୍ୟକୁ ଗାଡ଼ି ଦେଇ ଫସୁଛନ୍ତି ମାଲିକ

ଭୁବନେଶ୍ୱର : ବିନା ହେଲ୍‌ମେଟ୍‌ରେ ଗାଡ଼ି ଚଳାଉଥିବା ବ୍ୟକ୍ତିଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ କରିବା ଯୋଜନାକୁ ରାଜଧାନୀରେ କଡ଼ାକଡ଼ି କରାଯାଇଛି। ଗତ ୧୦ ଦିନ ଭିତରେ ଏହି କାରଣରୁ ୯୭ ଜଣଙ୍କର ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯାଇଛି। ଆର୍‌ଟିଓ-୧ରେ ୧୩ଟି ଲାଇସେନ୍ସ ବାତିଲ ହୋଇଥିବାବେଳେ ଆରଟିଓ-୨ରେ ୮୪ ଲାଇସେନ୍ସ ବାତିଲ ହୋଇଛି। ସେହିଭଳି ଉଭୟ ଆର୍‌ଟିଓରେ ୫୦ରୁ ଊର୍ଦ୍ଧ୍ବ ମାମଲା ବିଚାରାଧୀନ ଅଛି। ସେହି ୫୦ ଲାଇସେନ୍ସ ମଧ୍ୟରୁ ଅର୍ଦ୍ଧାଧିକ ଖାରଜ ହେବ ବୋଲି ସୂଚନା ମିଳିଛି।

ତେବେ ଏହି ଧରପଗଡ଼ ଓ ଡ୍ରାଇଭିଂ ଲାଇସେନ୍ସ ଖାରଜ ପ୍ରକ୍ରିୟା ଯୋଗୁଁ ଏକ ରୋଚକ ତଥ୍ୟ ପଦାକୁ ଆସିଛି। ଅନ୍ୟ ଲୋକକୁ ଗାଡ଼ି ଦେଇ ମୂଳ ଗାଡ଼ି ମାଲିକ ଫସୁଛନ୍ତି। ଗାଡ଼ି ନମ୍ବର ଆଧାରରେ ଚାଲାଣ କଟାଯାଉଥିବାରୁ ଗାଡ଼ି ମାଲିକ ନାଁରେ ହିଁ ମାମଲା ହେଉଛି। ଫଳରେ ଗାଡ଼ି ମାଲିକର ଡ୍ରାଇଭିଂ ଲାଇସେନ୍ସ ବାତିଲ ହୋଇ ଯାଉଛି। ଅଥଚ ବିନା ହେଲ୍‌ମେଟ୍‌ରେ ଚଳାଉଥିବା ବ୍ୟକ୍ତି ଖସି ଯାଉଛି। ତା’ ଲାଇସେନ୍ସ ବାତିଲ ହେଉନାହିଁ। ବହୁ ସମୟରେ ଯାଞ୍ଚ କରୁଥିବା ଟିମ୍‌ ବିନା ହେଲ୍‌ମେଟ୍‌ ଗାଡ଼ିଚାଳକକୁ ଧରିବାରେ ସକ୍ଷମ ହେଉନାହାନ୍ତି। ସେ କ୍ଷେତ୍ରରେ ସେମାନେ ଗାଡ଼ି ନମ୍ବର ଆଧାରରେ ଚାଲାଣ ପଠାଉଛନ୍ତି। ଫଳରେ ଘରେ ବସିଥିବା ଗାଡ଼ିମାଲିକ ତଣ୍ଡ ଗଣୁଛି, ନଚେତ୍ ତା’ ଲାଇସେନ୍ସ ବାତିଲ ହୋଇଯାଉଛି। ସେହିଭଳି ପତ୍ନୀଙ୍କ ନାମରେ ଥିବା ଗାଡ଼ି ଚଳାଇବାବେଳେ ସ୍ବାମୀ ନିୟମ ଭାଙ୍ଗୁଥିବାରୁ ପତ୍ନୀଙ୍କ ନାମରେ ଚାଲାଣ ଯାଉଛି। ମାତ୍ର ପତ୍ନୀଙ୍କର ଲାଇସେନ୍ସ ନଥିବାରୁ ଏହି ଯୋଜନାଟି କାର୍ଯ୍ୟକାରୀ ହୋଇପାରୁନାହିଁ। ତେଣୁ ବିଭାଗୀୟ ଅଧିକାରୀମାନଙ୍କ କହିବା କଥା ଅନ୍ୟକୁ ଗାଡ଼ି ଦେବା ବେଳେ ହେଲ୍‌ମେଟ୍‌ କଥାକୁ ଗୁରୁତ୍ବ ଦେବାକୁ ପଡ଼ିବ। ନଚେତ୍ ଯିଏ ଗାଡ଼ି ଚଳାଇଲେ ବି ମାଲିକ ହିଁ ଫସିବା ସାର ହେବ। ସେହିଭଳି ଯେଉଁମାନେ ଚତୁରତାର ସହ ଖସି ଯାଉଛନ୍ତି, ପରବର୍ତ୍ତୀ ଚେକିଂ ବେଳେ ଉକ୍ତ ଗାଡ଼ି ଜବତ ହେବ। ଯେଉଁମାନେ ଲାଇସେନ୍ସ ଦେଖାଉ ନାହାନ୍ତି, ସେମାନଙ୍କ ଗାଡ଼ି ଘଟଣାସ୍ଥଳରେ ଜବତ ହେବା ନିୟମ ରହିଛି ବୋଲି ଭୁବନେଶ୍ବର ଆରଟିଓ-୧ ପ୍ରଦୀପ ମହାନ୍ତି କହିଛନ୍ତି।

ସମ୍ବନ୍ଧିତ ଖବର