ଦୃଷ୍ଟିହୀନଙ୍କ ଦ୍ରୋଣାଚାର୍ଯ୍ୟ, ତପନ ମହାନ୍ତିଙ୍କୁ ଜାତୀୟ ଶିକ୍ଷକ ସମ୍ମାନ

ଭୁବନେଶ୍ବର: କ୍ୟାପିଟାଲ ହାଇସ୍କୁଲ୍‌ରେ ପଢ଼ୁଥିବା ବେଳେ ସାର୍‌ କହିଲେ, ଦୃଷ୍ଟିହୀନ ପିଲାଙ୍କ ପାଇଁ ରାଇଟର (ପରୀକ୍ଷାରେ ଲେଖନୀ ଚାଳନା) ହୋଇ କିଏ ଯିବ? ସାର୍‌ଙ୍କ ମୁହଁରୁ ପ୍ରଶ୍ନ ସରିଛି କି ନାହିଁ ସେ ହାତ ଟେକିଦେଲେ। ରାଇଟର ହୋଇ ଯିବା ପାଇଁ ତାଙ୍କୁ ଚୟନ ସିନା କରାଗଲା, କିନ୍ତୁ ପରୀକ୍ଷା ହଲ୍‌ରେ ଏପରି ଅନୁଭବ ଥଲା ତାଙ୍କ ପାଇଁ ଏକଦମ ନୂଆ। ପରୀକ୍ଷା ଆରମ୍ଭ ହେଲା। ଜଣେ ଦୃଷ୍ଟିହୀନ ଛାତ୍ର ଉତ୍ତର ଡାକୁଥାଆନ୍ତି ଏବଂ ସେ ଏସବୁକୁ ଶୁଣି ପରୀକ୍ଷା ଖାତାରେ ଉତାରୁଥାଆନ୍ତି। ପରୀକ୍ଷାରେ ଉତ୍ତର ଲେଖିଦେଇ ଚାଲି ଆସିଲେ, ମାତ୍ର ସେଦିନ ସେହି ଦୃଷ୍ଟିହୀନ ଛାତ୍ରର ନିଃସହାୟତା ତାଙ୍କ ମନରୁ ଲିଭିଲା ନାହିଁ। ସେମାନଙ୍କ ପାଇଁ କିଛି କରିବାର ସଂକଳ୍ପୀ ମନ ତାଙ୍କୁ ଦୃଷ୍ଟିହୀନ ପିଲାଙ୍କ ଶିକ୍ଷକ ସଜାଇ ଦେଲା। ପାଠ ତ ଅନେକ ପଢ଼ାଉଥିଲେ, କିନ୍ତୁ ପିଲା କେମିତି ପାଠକୁ ସହଜରେ କରାୟତ୍ତ କରିବେ ତା’ର ନିଆରା ସୂତ୍ର ବାହାର କରି ସେ ସାଜିଲେ ଜଣେ ଭିନ୍ନ ଶିକ୍ଷକ। ଦୀର୍ଘ ବର୍ଷର ସେହି ସାଧନାର ଫଳଶ୍ରୁତି ପାଇଁ ରାଷ୍ଟ୍ରୀୟ ଶିକ୍ଷକ ସମ୍ମାନ ପାଇବାକୁ ଯାଉଛନ୍ତି ଭୀମଭୋଇ ଦୃଷ୍ଟିହୀନ ବିଦ୍ୟାଳୟର ଛାତ୍ର ବତ୍ସଳ ଶିକ୍ଷକ ତପନ କୁମାର ମହାନ୍ତି। ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଏ ନେଇ ସୂଚନା ଦେବା ପରେ ତାଙ୍କଠୁ ଶିକ୍ଷା ଗ୍ରହଣ କରିଥିବା ଛାତ୍ରଛାତ୍ରୀମାନେ ଆତ୍ମହରା ହୋଇଯାଇଛନ୍ତି। ଓଡ଼ିଶାରୁ ୨ଜଣ ଶିକ୍ଷକ ଚୟନ ହୋଇଥିବା ବେଳେ ଶ୍ରୀ ମହାନ୍ତିଙ୍କ ଶିକ୍ଷକତାର ଯାତ୍ରା ଏକ ମାଇଲଷ୍ଟୋନ୍‌।

ପ୍ରାକ୍ତନ ରାଷ୍ଟ୍ରପତି ଅବଦୁଲ କାଲାମ କହିଥିଲେ, ବ୍ୟକ୍ତିର ଚରିତ୍ର, ଦକ୍ଷତା ଓ ଭବିଷ୍ୟତର ରୂପକାର ହେଉଛନ୍ତି ଶିକ୍ଷକ। ଶ୍ରୀ ମହାନ୍ତି ଏହାକୁ ସାକାର ପୂର୍ବକ ଶିକ୍ଷାର ନିହାଣ ମୁନରେ ସେ ଗଢ଼ିଚାଲିଛନ୍ତି ଜଣେ ଜଣେ ଉଜ୍ଜ୍ବଳ ପ୍ରତିଭା। ଦୃଷ୍ଟିହୀନ ପିଲାମାନେ ସିନା ବ୍ରେଲ୍‌ରେ ପଢ଼ୁଥିଲେ, ମାତ୍ର ସେମାନଙ୍କ ପାଇଁ ପଢ଼ିବାର ଆଉ କୌଣସି ସରଳ ଉପାୟ ନଥିଲା। ରାଜ୍ୟର ୮୦ ପ୍ରତିଶତ ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କ ଆର୍ଥିକ ସ୍ଥିତି ସ୍ବଚ୍ଛଳ ନଥିଲା। ସ୍କୁଲ୍‌ରୁ ପଢ଼ିସାରି ଛୁଟି ହୋଇ ଯିବା ପରେ ସେମାନଙ୍କ ପାଇଁ ପଢ଼ାର ଆଉ କୌଣସି ସରଳ ବିକଳ୍ପ ନଥିଲା। ଏହାକୁ ହୃଦୟଙ୍ଗମ କରି ୨୦୦୨ ମସିହାରେ ଶ୍ରୀ ମହାନ୍ତି ୧୦ମ ଶ୍ରେଣୀ ପିଲାଙ୍କ ପାଇଁ ଅଡିଓ ବହି ଆରମ୍ଭ କଲେ। ଗଣିତ ବ୍ୟତୀତ ଅନ୍ୟ ସମସ୍ତ ପାଠକୁ ସେ ନିଜ କଣ୍ଠରେ ରେକର୍ଡିଂ କରି ୧୦ମ ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦେଲେ। ପରେ ହୃଦୟଙ୍ଗମ କଲେ, ସାଧାରଣ ପିଲାମାନଙ୍କ ପାଇଁ ସିନା ସମସ୍ତ ପ୍ରକାର ଟେଷ୍ଟପେପର ଉପଲବ୍ଧ ଅଛି, ହେଲେ ୧୦ମ ପରୀକ୍ଷା ଦେବାକୁ ଯାଉଥିବା ଦୃଷ୍ଟିହୀନ ପିଲାଙ୍କ ପାଇଁ ତ ଏସବୁ ନାହିଁ। ତେଣୁ ପିଲାମାନଙ୍କ ପାଇଁ ଟେଷ୍ଟ୍‌ପେପରର ଅଡିଓ ପ୍ରସ୍ତୁତ କରି ପିଲାମାନଙ୍କ ପାଖେ ପହଞ୍ଚାଇଲେ।

ପିଲାମାନେ ଯେପରି ବିଭିନ୍ନ ଶବ୍ଦକୁ ଗୋଟେ ବହିରୁ ବ୍ରେଲ୍‌ ଅକ୍ଷରରେ ପାଇପାରିବେ ସେଥିପାଇଁ ୨ଟି ‘ୱାର୍ଡ ବୁକ୍‌’ ପ୍ରସ୍ତୁତ କଲେ। ଏବେ ବି ପିଲାମାନେ ମାତ୍ର ୬୦ ଟଙ୍କାରେ ବ୍ରହ୍ମପୁରର‌ ବ୍ରେଲ୍‌ ଛପାଖାନାରୁ ସେଇ ବହିର ପ୍ରିଣ୍ଟ୍‌ ନେଇ ପଢ଼ୁଛନ୍ତି। କେବଳ ସେତିକି ନୁହେଁ ଅନେକ ଶିକ୍ଷକ ଓ ଦୃଷ୍ଟିହୀନ ପିଲାଙ୍କ ପିତାମାତା ନିଜ ପିଲାଙ୍କୁ ପଢ଼ାଇବା ପାଇଁ ବ୍ରେଲ୍‌ ଶିକ୍ଷା ଗ୍ରହଣ କରିବାକୁ ଚାହୁଁଥିବାରୁ ସେମାନଙ୍କ ପାଇଁ ୨ଟି ‘ଲର୍ଣ୍ଣିଙ୍ଗ୍‌ ବ୍ରେଲ୍‌’ ବହି ମଧ୍ୟ ଲେଖିଛନ୍ତି। ସ୍କୁଲ୍‌ ଛୁଟି ହେବା ପରେ କିଏ ସିନା ଘରକୁ ଯାଇ ବିଶ୍ରାମ ନେବା କଥା ଭାବେ, କିନ୍ତୁ ଶ୍ରୀ ମହାନ୍ତି ଘରେ ସ୍କୁଲ୍‌ ଛୁଟି ହେବା ପରେ ଛାତ୍ରଛାତ୍ରୀଙ୍କ ପାଇଁ ପଢ଼ାର ଭିନ୍ନ ବିକଳ୍ପ ଉପରେ ଗବେଷଣା କରନ୍ତି। ତାଙ୍କର ସେଇ ଆନ୍ତିରକତାର ଶ୍ରମ ବ୍ୟର୍ଥ ଯାଇନି। ତପସ୍ବିନୀ ଦାସ, ଅନନ୍ତ ନାୟକଙ୍କ ଭଳି ଛାତ୍ରଛାତ୍ରୀ ଓଏଏସ୍‌ ପାଇଛନ୍ତି। ମହମ୍ମଦ ଜାଫର ଇକ୍‌ବାଲ୍‌, ପଙ୍କଜ ଭୁଏ ଓ କାଳିଆ ପ୍ରଧାନ ଭଳି ତାଙ୍କ ଛାତ୍ର ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳିବାର ଗୌରବ ଲଭିଛନ୍ତି। ବିକ୍ରମାଦିତ୍ୟ ପ୍ରଧାନ ସଫ୍ଟୱେର ଇଂଜିନିୟର ହୋଇପାରିଛନ୍ତି। ଅନେକ ଦୃଷ୍ଟିହୀନଙ୍କ ଦ୍ରୋଣାଚାର୍ଯ୍ୟ ସାଜି ସେମାନଙ୍କୁ ଦୁନିଆର ଆଲୋକ ଉପଲବ୍ଧି କରାଇଛନ୍ତି।

ସମ୍ବନ୍ଧିତ ଖବର