ପୁରୁଣା ଭୁବନେଶ୍ବର: ନୋ-ଫ୍ଲାଇଂ ଜୋନ୍‌ ଶ୍ରୀଲିଙ୍ଗରାଜ ମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍‌। ଡ୍ରୋନ୍‌ ଉଡ଼ିଥିଲେ ବି ଜାଣି ପାରିଲାନି ପୁଲିସ। କଡ଼ା ସୁରକ୍ଷା ପହରାର ଅସଲ ଚେହେରା ଓ ପୁଲିସ ପ୍ରଶାସନର ପାରିବାପଣିଆ ପଦାରେ ପଡ଼ିଛି। ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ସେବକ, ପ୍ରତ୍ନତତ୍ତ୍ୱବିତ୍‌ ଓ ସାଧାରଣ ଲୋକେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ମନ୍ଦିରର ଫଟୋ, ଭିଡିଓ, ରିଲ୍‌ସ ଅପ୍‌ଲୋଡ୍‌ ପାଇଁ ଏହି ଡ୍ରୋନ୍‌ ଉଡ଼ିଥିବା ଅନୁମାନ କରାଯାଉଛି।

Advertisment

ପାକିସ୍ତାନ ସହ ଯୁଦ୍ଧ ଚାଲିଥିବାରୁ ଡ୍ରୋନ୍‌ ଉଡ଼ାଣ ଉପରେ କଟକଣା କରାଯାଇଛି। ମେ ୧୦ତାରିଖରେ ଓଡ଼ିଶାରେ ଡ୍ରୋନ୍‌ ଉଡ଼ାଣ ଉପରେ କଟକଣା କରାଯାଇଥିଲା। ସାରା ଦେଶରେ ଯୁଦ୍ଧ ସ୍ଥିତି ଥିବା ବେଳେ ସବୁ ଜାଗାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଏଭଳି ସ୍ଥିତିରେ ଓଡ଼ିଶାରେ ଡ୍ରୋନ୍‌ ଉଡ଼ାଣ ଉପରେ ନଜର ରଖିଛନ୍ତି ରାଜ୍ୟ ସରକାର। କିଛି ଅଞ୍ଚଳରେ ଡ୍ରୋନ୍‌ ନ ଉଡ଼ାଇବା ପାଇଁ ନୋ ଫ୍ଲାଇଂ ଜୋନ୍‌ ମଧ୍ୟ ଘୋଷଣା କରାଯାଇଛି। ହେଲେ ଲିଙ୍ଗରାଜ ମନ୍ଦିର ଅଞ୍ଚଳରେ ନୋ ଫ୍ଲାଇଂ ଜୋନ ସତ୍ତ୍ବେ ବିନା ବାଧାରେ ଡ୍ରୋନ୍‌ ଉଡ଼ୁଥିବା ଦେଖିବାକୁ ମିଳିଛି। ଏ ସମ୍ପର୍କରେ ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ କହିଛନ୍ତି, ଏନେଇ ତଦନ୍ତ ଚାଲିଛି। କେହି ଜଣେ ପଶ୍ଚିମ ପ୍ରାଚୀର ପାଖରେ ଏପରି କରିଛି। ପୁଲିସ ପହଞ୍ଚିବା ବେଳକୁ ସେ ପଳାଇଥିଲେ। ସୋସିଆଲ ମିଡିଆରେ ଅପଲୋଡ୍‌ ପାଇଁ ଏପରି କରିଥାଇପାରେ ବୋଲି ସନ୍ଦେହ ପ୍ରକଟ କରିଛନ୍ତି।