ସ୍ମାର୍ଟ ସିଟି କର୍ତ୍ତୃପକ୍ଷଙ୍କ ସ୍ମାର୍ଟ କାରନାମା : ଡ୍ରୋନ୍‌ରେ ଚାଲିଛି ବିଶୋଧନ, ହିସାବ ନାହିଁ

ଅଗ୍ନିଶମ ଗାଡ଼ି, ହାତ ସ୍ପ୍ରେ ପରେ ଡ୍ରୋନ୍‌ କାହିଁକି ଆସିଲା ତାକୁ ନେଇ ପ୍ରଶ୍ନ
ବେଙ୍ଗାଲୁରୁ ସଂସ୍ଥା ପଛରେ କିଏ? କାହାର ସ୍ବାର୍ଥ ସାଧନ ହେଉଛି?

ଭୁବନେଶ୍ବର : କରୋନା ମୁକାବିଲା ପାଇଁ ରାଜଧାନୀରେ ବିଏମ୍‌ସି, କମିସନରେଟ୍ ପୁଲିସ, ଅଗ୍ନିଶମ ବିଭାଗ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁ ପଦକ୍ଷେପ ନିଆଯାଉଛି। ବିଏମ୍‌ସି ଓ ଅଗ୍ନିଶମ ବିଭାଗ ସାରା ରାଜଧାନୀକୁ ସଂକ୍ରମଣମୁକ୍ତ କରିବା ପାଇଁ ବିଶୋଧକ (ସୋଡିୟମ ହାଇପୋକ୍ଲୋରାଇଟ୍‌ ସଲ୍ୟୁସନ୍) ସିଞ୍ଚନ କରୁଛନ୍ତି। ହେଲେ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ କର୍ତ୍ତୃପକ୍ଷ ଏବେ ଯେଉଁ ସ୍ମାର୍ଟ ଉପାୟ ଅବଲମ୍ବନ କରିଛନ୍ତି, ତାହାକୁ ନେଇ ପ୍ରଶ୍ନ ଉଠିଛି। ରାଜଧାନୀର ବିଭିନ୍ନ ହାଟ, ବଜାର ସମେତ ବିଭିନ୍ନ ଅଞ୍ଚଳରେ ଡ୍ରୋନ୍‌ ମାଧ୍ୟମରେ ସୋଡିୟମ ହାଇପୋକ୍ଲୋରାଇଟ୍‌ ସଲ୍ୟୁସନ୍ ସିଞ୍ଚନ କରାଉଛନ୍ତି। ଯାହାକୁ ନେଇ ଅଙ୍ଗୁଳି ଉଠିଛି। ଯେଉଁଠି ଅଗ୍ନିଶମ ଗାଡ଼ି ଓ ହାତ ସ୍ପ୍ରେ’ ଦ୍ବାରା ବିଶୋଧକ ସିଞ୍ଚନ ହୋଇଛି, ସେଠାରେ ପୁଣି କାହିଁକି ଏହି ବିଶୋଧକ ସିଞ୍ଚନ ହେଉଛି। ତାହା ପୁଣି ବାହାର ରାଜ୍ୟର ଏକ ସଂସ୍ଥା ଦ୍ବାରା। ରାଜଧାନୀବାସୀଙ୍କୁ କିପରି ସ୍ମାର୍ଟ ଉପାୟରେ ବିଭିନ୍ନ ସୁବିଧା ସୁଯୋଗ ମିଳିବ, କିପରି ଲୋକ ସ୍ମାର୍ଟ ଟେକ୍ନୋଲୋଜି ବ୍ୟବହାର କରି ସମୟ ଅତିବାହିତ କରିବେ, କିପରି ଅଧିକ ସଚେନ ହେବେ, ସେନେଇ ଭୁବନେଶ୍ବର ସ୍ମାର୍ଟସିଟି ଲିମିଟେଡ୍‌ ପକ୍ଷରୁ ଯୋଜନା ନ କରି ଏପରି ବିପତ୍ତି ସମୟରେ ଯେପରି ଘରୋଇ ସଂସ୍ଥାକୁ ପୋଷା ଚାଲିଛି, ତାହା ବିଭିନ୍ନ ମହଲ ପାଇଁ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏପରିକି ସରକାରୀ ଅର୍ଥ କିପରି ଲୁଟ୍‌ କରିହେବ, ସେଥିପାଇଁ ଏପରି ଯୋଜନା ହୋଇଛି ବୋଲି କେତେକ ମଧ୍ୟ ଅଭିଯୋଗ କରୁଛନ୍ତି।

ଅଗ୍ନିଶମ ବିଭାଗ ପକ୍ଷରୁ ୮ଟି ଗାଡ଼ିରେ ପ୍ରତିଦିନ ସହରର ବିଭିନ୍ନ ସ୍ଥାନରେ ସୋଡିୟମ ହାଇପୋକ୍ଲୋରାଇଟ୍‌ ସଲ୍ୟୁସନ୍ ସିଞ୍ଚନ ହେଉଛି। ରାଜରାସ୍ତାରୁ ଆରମ୍ଭ କରି ଗଳିକନ୍ଦି, ବିଭିନ୍ନ ହାଟ, ଦୋକାନ ବଜାର, ଜନଗହଳି ଅଞ୍ଚଳରେ ବିଶୋଧକ ସିଞ୍ଚନ ହେଉଛି। ପ୍ରାୟ ୫୦ ହଜାର ଲିଟର ବିଶୋଧକ ଦିନକୁ ସିଞ୍ଚନ ହେଉଛି। ଏଥିପାଇଁ ଅଗ୍ନିଶମ ବିଭାଗର କର୍ମଚାରୀମା‌ନେ ଦିନତମାମ କାମ କରୁଛନ୍ତି। କେବଳ ଏତିକି ନୁହେଁ, ବିଭିନ୍ନ ବସ୍ତି ଏବଂ ଅଗ୍ନିଶମ ଗାଡ଼ି ଯାଇ ପାରୁ ନଥିବା ଅଞ୍ଚଳରେ ବିଏମ୍‌ସି ପକ୍ଷରୁ ୧୪ଟି ହାତ ସ୍ପ୍ରେ’ ମାଧ୍ୟମରେ ଦିନକୁ ପ୍ରାୟ ହଜାରେରୁ ଦୁଇ ହଜାର ଲିଟର ସ୍ପ୍ରେ’ ହେଉଛି। ଏତିକିରେ କ’ଣ ସହରର ବିଶୋଧନ ହୋଇପାରିଲାନି ଯେ ସ୍ମାର୍ଟ ସିଟି କର୍ତ୍ତୃପକ୍ଷ ବାହାର ରାଜ୍ୟରୁ ଡ୍ରୋନ୍ ମଗାଇ ସୋଡିୟମ ହାଇପୋକ୍ଲୋରାଇଟ୍‌ ସଲ୍ୟୁସନ୍ ସ୍ପ୍ରେ’ କଲେ।

ମିଳିଥିବା ସୂଚନା ଅନୁଯାୟୀ, ପୂର୍ତ୍ତ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୁପାରିସରେ ବେଙ୍ଗା‌ଲୁରୁସ୍ଥିତ ଜେନେରାଲ ଏରୋନେଟିକ୍ସ ପ୍ର‌ାଇଭେଟ୍‌ ଲିମିଟେଡ୍‌କୁ ଭୁବନେଶ୍ବରରେ ଡ୍ରୋନ୍‌ ମାଧ୍ୟମରେ ସ୍ପ୍ରେ’ କରିବାକୁ ଡକା ଯାଇଛି। ଏହି ସଂସ୍ଥାର ଗୋଟିଏ ଡ୍ରୋନ୍ କେମିକାଲ୍ ସ୍ପ୍ରେ’ କରୁଥିବା ବେଳେ ୟୁଏଭିଏସନ୍ ନାମକ ସଂସ୍ଥା ଡ୍ରୋନ୍ ମାଧ୍ୟମରେ ଆକାଶ ମାର୍ଗରୁ ସର୍ଭେ କରି ସୂଚନା ଦେଉଛି। ସବୁଠୁ ଗୁରୁତ୍ବପୂର୍ଣ୍ଣ ହେଲା, ଲକ୍‌ଡାଉନ୍ ନିୟମ କଡ଼ାକଡ଼ି ହେବା ପରେ ବେଙ୍ଗାଲୁରୁର ଏହି ଡ୍ରୋନ୍ ଚଳାଉଥିବା ସଂସ୍ଥାର ଅଧିକାରୀମାନେ ଆସିଛନ୍ତି। ସେମାନେ ସଡ଼କ ପଥରେ କିପରି ଭୁବନେଶ୍ବର ଆସିବେ, ସେନେଇ ସ୍ମାର୍ଟ ସିଟି କର୍ତ୍ତୃପକ୍ଷ ବ୍ୟବସ୍ଥା କରିବା ସହ ପୂର୍ତ୍ତ ବିଭାଗ ଆଇବିରେ ସେମାନଙ୍କର ରହିବା ବ‌ନ୍ଦୋବସ୍ତ କରିଛନ୍ତି। ସଂସ୍ଥାର କର୍ମଚାରୀମାନେ ରାତି ହେଲେ ଆଇବିରୁ ବାହାରୁଛନ୍ତି। ଆଉ ରାତିରେ ହିଁ ବିଭିନ୍ନ ଅଞ୍ଚଳରେ କେମିକାଲ୍ ସ୍ପ୍ରେ’ କରୁଛନ୍ତି।

ସବୁଠୁ ଆଶ୍ଚର୍ଯ୍ୟର ବିଷୟ, ଏହି ଡ୍ରୋନ୍ ସପ୍ତାହେ ତଳେ ଯେତେବେଳେ ଆସିଲା, ସେତେବେଳେ କୁହାଗଲା ଏହା ରାଜଧାନୀର ସଂକ୍ରମିତ ଅଞ୍ଚଳରେ ସୋଡିୟମ ହାଇପୋକ୍ଲୋରାଇଟ୍‌ ସଲ୍ୟୁସନ୍ ସ୍ପ୍ରେ’ କରିବ। ଗୋଟିଏ ଡ୍ରୋନ୍ ବିଶୋଧକ ସ୍ପ୍ରେ’ କରିବ ଓ ଆଉ ଗୋଟିଏ ଆକାଶମାର୍ଗରୁ ଚିତ୍ର ଉତ୍ତୋଳନ କରି ସୂଚନା ଦେବ। କିନ୍ତୁ ପ୍ରଥମ ଦିନରୁ ହିଁ ଏହା ଫେଲ୍‌ ମାରିଥିଲା। ଡ୍ରୋନ୍ ଗୋଟିଏ ଘରେ ମାଡ଼ ହୋଇ ତଳେ ପଡ଼ିଥିଲା। ଏପରିକି ଡ୍ରୋନ୍ ଯେତିକି କେମିକାଲ୍‌ ସ୍ପ୍ରେ’ କଲା ତାହା ତଳେ ପଡ଼ିବା ବଦଳରେ ଆକାଶରେ ଉଡ଼ି ଯାଉଥିଲା। ଏବେ ରାଜଧାନୀରେ ପ୍ରାୟ ୧୦ରୁ ୧୫କିମି ବେଗରେ ପବନ ବହୁଥିବାରୁ ଡ୍ରୋନ୍ ଯେଉଁଭଳି କେମିକାଲ୍‌ ସ୍ପ୍ରେ’ କରୁଛି, ତାହା ଟାର୍ଗେଟ୍‌ ଅଞ୍ଚଳରେ ପଡ଼ୁ ନ ଥିଲା। ଡ୍ରୋନ୍‌ର ବ୍ୟବହାର ନେଇ ସାଧାରଣ ଲୋକ ପ୍ରଶ୍ନ ଉଠାଇବାରୁ ଏବଂ ଏହା ଅଧିକ ଫଳପ୍ରଦ ନୁହେଁ ବୋଲି ଜଣାପଡ଼ିବାରୁ କର୍ତ୍ତୃପକ୍ଷ କହିଲେ ଯେ ରାତିରେ ଡ୍ରୋନ୍ ବୁଲିବ। ଦୋକାନ, ବଜାର ରାତିରେ ବନ୍ଦ ହୋଇଯାଉଥିବାରୁ ଡ୍ରୋନ୍ ରାତିରେ ବୁଲୁଛି କି ନାହିଁ, ଡ୍ରୋନ୍‌ରୁ କେମିକାଲ୍ ମାଟିରେ ପଡ଼ୁଛି କି ନାହିଁ, ଡ୍ରୋନ୍ କେତେ ସମୟ ବୁଲିଲା, କେତେ ଅଞ୍ଚଳ ବୁଲିଲା, କେହି ଦେଖିବାର ନାହିଁ କି ପ୍ରଶ୍ନ ଉଠାଇବାର ନାହିଁ। ଏହାର ଫାଇଦା ନେଇ ଏବେ ସ୍ମାର୍ଟ ସିଟି କର୍ତ୍ତୃପକ୍ଷ ସ୍ମାର୍ଟ କରାନାମା ଦେଖାଇବାରେ ଲାଗିଛନ୍ତି।

ଭୁବନେଶ୍ବର ସ୍ମାର୍ଟସିଟି ଲିମଟେଡ୍‌ କର୍ତ୍ତୃପକ୍ଷଙ୍କୁ ପଚାରିବା ପରେ ଜଣାପଡ଼ିଛି ଯେ ଜେନେରାଲ ଏରୋନେଟିକ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ ଡ୍ରୋନ୍‌ ମାଧ୍ୟମରେ ସ୍ପ୍ରେ’ କରୁଛି। ଏଥିରେ ଥିବା ବ୍ୟାଟେରି ଦ୍ବାରା ଏକାଥରକେ ୨୫ ମିନିଟ ଏହା ଉଡ଼ି ପାରୁଛି। ଏଥିରେ ୭.୫ ଲିଟର ବିଶୋଧକକୁ ୧.୫କିମି ଅଞ୍ଚଳରେ ସ୍ପ୍ରେ’ କରାଯାଇପାରୁଛି।

ସେହିପରି ଏହି ଡ୍ରୋନ୍ ଛିଞ୍ଚିବା ସମୟରେ ଯେମିତି ‌‌‌‌କୌଣସି ଲୋକ କେମିକାଲ ସଂସ୍ପର୍ଶରେ ଆସିବେନି, ସେଥିପାଇଁ ଆଉ ଏକ ଡ୍ରୋନ୍ ଏହି ‌ଡ୍ରୋନ୍‌ ଉପରେ ଉଡ଼ୁଛି। ଲୋକଙ୍କୁ ସଚେତନ କରିବା ସହ ବିଭିନ୍ନ ପ୍ରକାରର ଘୋଷଣା କରୁଛି। ହେଲେ ଭୁବନେଶ୍ବର ସ୍ମାର୍ଟସିଟି କର୍ତ୍ତୃପକ୍ଷ ଏଥିପାଇଁ କେତେ ଟଙ୍କା ଖର୍ଚ୍ଚ ହେବ, ‌କିପରି ଏହି ସଂସ୍ଥାକୁ ଚୟନ ହେଲା, ଏହାଦ୍ବାରା କ’ଣ ଫାଇଦା ହେବ, ବିଏମ୍‌ସି ଓ ଅଗ୍ନିଶମ ବିଭାଗ ସିଞ୍ଚନ କରୁଥିବା ବେ‌ଳେ ଡ୍ରୋନ୍ ଦ୍ବାରା ସିଞ୍ଚନ କାହିଁକି ଆବଶ୍ୟକ ପଡ଼ିଲା, ସେ ଉତ୍ତର ଦେଇନାହାନ୍ତି।

କେବଳ ଏତିକି ନୁହେଁ, ଯେଉଁ କେମିକାଲ ଅଗ୍ନିଶମ ବିଭାଗ ଗାଡ଼ି ସ୍ପ୍ରେ’ କରୁଥିଲା, ତାହା ସଂସ୍ପର୍ଶରେ ଆସିଲେ ଲୋକଙ୍କର କିଛି ‌ହେଉ ନ ଥିଲା। କିନ୍ତୁ‌ ଯେତେବେଳେ ଡ୍ରୋନ୍‌ ସିଞ୍ଚନ କରୁଛି, ସେତେବେଳେ ଲୋକଙ୍କୁ ଘରେ ରହିବାକୁ କୁହାଯାଉଛି। ଭୁବନେଶ୍ବର ସ୍ମାର୍ଟସିଟି ଲିମିଟେଡ୍‌ କର୍ତ୍ତୃପକ୍ଷ ରାଜଧାନୀବାସୀଙ୍କୁ ଅନ୍ଧାରରେ ରଖି ଏପରି ବିପତ୍ତି ସମୟରେ ଘରୋଇ ସଂସ୍ଥାକୁ ଲକ୍ଷ ଲକ୍ଷ ଟଙ୍କା ଫାଇଦା ଦେବାରେ କାହାର ସ୍ବାର୍ଥ ସାଧନ ହେଉଛି ତାହା ସ୍ପଷ୍ଟ ହେବା ଉଚିତ ବୋଲି ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର