ଭୁବନେଶ୍ବର: ପୁଲିସ କର୍ମଚାରୀ ବି ମଣିଷ, ତାଙ୍କୁ ବି ଭୂତାଣୁ ସଂକ୍ରମଣ ଭୟ ରହିଛି। ଦିନରାତି ଏକ୍ କରି ଜନସାଧାରଣଙ୍କ ପାଇଁ ଜୀବନକୁ ବିପଦରେ ପକାଉଥିବା ପୁଲିସ କର୍ମଚାରୀଙ୍କୁ ସୁରକ୍ଷିତ ରଖିବା ପାଇଁ ଯୋଜନା ହୋଇଛି। ସଂକ୍ରମଣ ଅବରୋଧ ଅଞ୍ଚଳ ଭିତରକୁ ପୁଲିସ କର୍ମଚାରୀ ପାଟ୍ରୋଲିଂ ପାଇଁ ପ୍ରବେଶ କରିବେ ନାହିଁ। ଭିତରେ ସମସ୍ତେ ଘର ଭିତରେ ଅଛନ୍ତି ବୋଲି ନିଶ୍ଚିତ କରିବ ଡ୍ରୋନ୍। ଏଥର ଆକାଶମାର୍ଗରେ ଡ୍ରୋନ୍ ଉଡ଼ି ଏହି ଅଞ୍ଚଳରେ ପାଟ୍ରୋଲିଂ କରିବ। ଏଥିପାଇଁ ଆଜି କମିସନରେଟ୍ ପୁଲିସ ଡ୍ରୋନ୍ ଉଡ଼ାଇଛି। ଡ୍ରୋନ୍ ଉଡ଼ି ସମ୍ପୃକ୍ତ ଅଞ୍ଚଳର ସ୍ଥିତି ସମ୍ବନ୍ଧରେ ଅବଗତ ହେବା ସହ ଲୋକଙ୍କୁ ସଚେତନ କରାଇଛି। ପ୍ରଥମ ଥର ପାଇଁ ଡ୍ରୋନ୍ରେ ‘ପବ୍ଲିକ୍ ଆଡ୍ରେସ୍ ସିଷ୍ଟମ’ ରହିଛି। ଯେଉଁମାନେ ବାହାରେ ବୁଲୁଥିବା ଡ୍ରୋନ୍ କ୍ୟାମେରା ଜରିଆରେ ଜଣାପଡ଼ୁଛି ସେମାନଙ୍କୁ ତୁରନ୍ତ ଘର ଭିତରକୁ ଯିବା ପାଇଁ ଘୋଷଣା କରାଯାଉଛି। ପୂର୍ବରୁ ଡ୍ରୋନ୍ କେବଳ କ୍ୟାମେରା ଜରିଆରେ ଭିତରର ସ୍ଥିତି ଦେଖାଇବାରେ ସମର୍ଥ ହେଉଥିଲା। ଏବେ ଲୋକଙ୍କୁ ସଚେତନ କରାଇବା ପାଇଁ ଏଥିରେ ପବ୍ଲିକ୍ ଆଡ୍ରେସ୍ ସିଷ୍ଟମ ଖଞ୍ଜା ଯାଇଛି। ପ୍ରଥମେ ରାଜମହଲ ଓ ବାପୁଜୀନଗରରେ ଉଡ଼ିବା ପରେ ଅପରାହ୍ଣରେ ସତ୍ୟନଗର, ବମିଖାଲ ଓ ସୂର୍ଯ୍ୟନଗରରେ ଉଡ଼ିବା ପାଇଁ ଯୋଜନା ହୋଇଥିଲା। ତେବେ ସତ୍ୟନଗରରେ ଉଡ଼ିବା ବେଳେ ଏଥିରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା।
ଭୁବନେଶ୍ବର: ବିଏମ୍ସି ପକ୍ଷରୁ ଅଗ୍ନିଶମ ବିଭାଗ ସହାୟତାରେ ରାଜଧାନୀର ବିଭିନ୍ନ ସ୍ଥାନରେ ସୋଡିୟମ ହାଇପୋକ୍ଲୋରାଇଟ୍ କେମିକାଲ୍ ସିଞ୍ଚନ କରିବା ପରେ ଏବେ ଏହି କେମିକାଲକୁ ଡ୍ରୋନ୍ ମାଧ୍ୟମରେ ସିଞ୍ଚନ କରାଯାଇଛି। ରାଜମହଲରୁ ଶିଶୁ ଭବନ ଛକ ପର୍ଯ୍ୟନ୍ତ ଅଞ୍ଚଳରେ ବିଭିନ୍ନ ଦୋକାନ, ସର୍ବସାଧାରଣ ସ୍ଥାନ ଓ ଘର ଉପରେ ଡ୍ରୋନ୍ରେ କେମିକାଲ୍ ସିଞ୍ଚନ କରାଯାଇଛି। ୧ଲିଟର କେମିକାଲରେ ୧୦୦ଲିଟର ପାଣି ମିଶାଇ ସିଞ୍ଚନ କରାଯାଇଥିଲା। କେମିକାଲ ସଂସ୍ପର୍ଶରେ ଯେପରି କୌଣସି ପଶୁପକ୍ଷୀ କି ମଣିଷ ନଆସିବେ ସେଥିପାଇଁ କଡ଼ା ପୁଲିସ ପହରା ଦିଆଯାଇଥିଲା। ଆଜି ପୂର୍ବାହ୍ନ ୯ଟା ୩୦ରୁ ଡ୍ରୋନ୍ ମାଧ୍ୟମରେ କେମିକାଲ୍ ସିଞ୍ଚନ କରାଯାଇଥିଲା। ଗୋଟିଏ ଡ୍ରୋନରେ ଥରକେ ୧୫ଲିଟର କେମିକାଲ ଭର୍ତ୍ତି କରି ସିଞ୍ଚନ କରିବାର ବ୍ୟବସ୍ଥା ଥିଲା। ଆଜି ରାଜମହଲରୁ ଶିଶୁଭବନ ପର୍ଯ୍ୟନ୍ତ ଦେଢ଼ କିମିର ରାସ୍ତାରେ ଗୋଟିଏ ଡ୍ରୋନ୍ ୩୦ଫୁଟ ଉପରେ ରହି ନିରୀକ୍ଷଣ କରୁଥିଲା। ଏହି ଡ୍ରୋନ୍ ରାସ୍ତାରେ କିଏ ଯାତାୟତ କରୁଛନ୍ତି ତା’ର ସୂଚନା ଦେଉଥିଲା। ସେହିପରି ଦ୍ବିତୀୟ ତଥା ମୁଖ୍ୟ ଡ୍ରୋନ୍ଟି ରାସ୍ତା ଠାରୁ ଦୁଇ ମିଟର ଉପରେ ରହି ବିଶୋଧକ ସିଞ୍ଚନ କରୁଥିଲା। କମିସନରେଟ୍ ପୁଲିସ ଓ ବିଏମ୍ସି ପକ୍ଷରୁ ଏହି ବ୍ୟବସ୍ଥା କରାଯାଇଥିଲା। ଆସନ୍ତାକାଲି ଏହି ବ୍ୟବସ୍ଥା ଅନ୍ୟ ରାସ୍ତାରେ ହେବ ବୋଲି କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/dgj5sd74j98sf7j98sf7j9sfjsfjsfjsfjsfjfjfj.jpg)