ଭୁବନେଶ୍ବର: ଆଜି ପୁଲିସ ଗୁଳିରେ ଗୁରୁତର ହୋଇଥିବା ନିଶା ମାଫିଆ ସେକ୍ ଜାମ୍ସେଦର କଳା ସାମ୍ରାଜ୍ୟ ବେଶ୍ ବିଶାଳ। ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଜାମ୍ସେଦର ଚେର ନେପାଳରୁ ପଶ୍ଚିମବଙ୍ଗ ଦେଇ ଭୁବନେଶ୍ବରକୁ ଲମ୍ବିଛି। ଏକଦା ମେଧାବୀ ଛାତ୍ର ଥିବା ଜାମ୍ସେଦ ଶିକ୍ଷକତା କରିବା ଲକ୍ଷ୍ୟରେ ବିଏଡ୍ କରିଥିଲା। କିନ୍ତୁ ପରେ ରାତାରାତି କୋଟିପତି ହେବାର ସ୍ବପ୍ନ ଦେଖି ଅପରାଧ ଜଗତରେ ପାଦ ରଖିଥିଲା। ଧଳାଜହର ବେପାରରୁ ଏହି ସଫଳତା ପାଇବ ବୋଲି ସେ ଏହି ରାସ୍ତାରେ ଚାଲିବା ଆରମ୍ଭ କରିଥିଲା। ଶେଷକୁ ତା ବେପାର ଏମିତି ଜମିଆସିଥିଲା ଯେ ସେ ମାସକୁ ୧୬ ଲକ୍ଷ ଟଙ୍କା କମାଇପାରୁଥିଲା।
ପୁଲିସ ସୂଚନାନୁସାରେ ପ୍ରଥମେ ସେ ୨୦୧୮ ମସିହାରେ ପଶ୍ଚିମବଙ୍ଗରୁ ବ୍ରାଉନ୍ସୁଗାର ଆଣି କଟକ ଓ ଭୁବନେଶ୍ବରର ଛୋଟଛୋଟ ବ୍ୟବସାୟୀଙ୍କୁ ଯୋଗାଉଥିଲା। ଧୀରେଧୀରେ ତା’ର କଳା ସାମ୍ରାଜ୍ୟ ବିସ୍ତାର ଲାଭ କଲା ଏବଂ ସେ ନେପାଳରୁ କମ୍ ଦାମ୍ରେ ବ୍ରାଉନ୍ସୁଗାର କିଣି ବାଲେଶ୍ବର, ଭଦ୍ରକ, କଟକ, ଜଗତସିଂହପୁର ଓ ରାଜଧାନୀକୁ ଚାଲାଣ କଲା। ନେପାଳରୁ ୩/୪ଲକ୍ଷ ଟଙ୍କାରେ କିଣୁଥିବା ବ୍ରାଉନ୍ସୁଗାରକୁ ସେ ୮ଲକ୍ଷ ଟଙ୍କାରେ ବିକ୍ରି କରୁଥିଲା। ପ୍ରାଥମିକ ତଦନ୍ତରୁ ଏଭଳି ତଥ୍ୟ ହାତେଇଛି ସ୍ପେସାଲ୍ କ୍ରାଇମ୍ ୟୁନିଟ୍(ଏସ୍ସିୟୁ)। ତାକୁ ରିମାଣ୍ଡରେ ଆଣିବା ପରେ ତା’ ନେଟ୍ୱର୍କର ଲମ୍ବା ଚିଠା ଜଣାପଡ଼ିବ ବୋଲି କୁହାଯାଇଛି।
ରାଜଧାନୀରେ ରାଜପ୍ରସାଦ, କୋଲକାତାରେ ପ୍ରେମିକା
ଜାମ୍ସେଦ ଥିଲା ବେଶ୍ ରଙ୍ଗିନ ମିଜାଜ୍ର ଯୁବକ। ଧଳାଜହର କାରବାରୁ ଯାହା ରୋଜଗାର କରୁଥିଲା, ସେହି ଟଙ୍କାରେ ସେ ରାଜଧାନୀରେ ରାଜପ୍ରସାଦ ଭଳି ଘର ନିର୍ମାଣ କରିଛଇ। ଏତିକି ନୁହେଁ କୋଲକାତାରେ ତା’ର ବହୁ ପ୍ରେମିକା ରଖିଥିବା ଜଣାପଡ଼ିଛି। ବିବାହିତ ହୋଇଥିଲେ ହେଁ ସେ ପ୍ରେମିକାମାନଙ୍କ ସହ ବେଶି ସମୟ କୋଲକାତାରେ ବିତାଉଥିଲା। କିଛି ପ୍ରେମିକା ମଧ୍ୟ ତା’ ନିଶା କାରବାରରେ ସାମିଲ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ସେଦିଗରେ ମଧ୍ୟ ପୁଲିସ ଖୋଳତାଡ଼ କରୁଛି।
୨ ମାସରେ ୪ ଏନ୍କାଉଣ୍ଟର୍, ୫ ଘାଇଲା
୨ ମାସରେ କମିସନରେଟ୍ ପୁଲିସ ୫ ଜଣ ଅପରାଧୀଙ୍କୁ ଏନ୍କାଉଣ୍ଟର୍ କଲାଣି। ଫେବ୍ରୁଆରି ୧୬ରେ ପୁରୀ କେନାଲ୍ରୋଡ୍ରେ ଆପାର୍ଟମେଣ୍ଟ ଲୁଟେରା ଅର୍ଜୁନ ଅନାରେ ପୁଲିସ ଗୁଳି ଖାଇଥିଲା। ମାର୍ଚ୍ଚ ୮ରେ ପୁରୀ ବାଇପାସ୍ ଟଙ୍କପାଣି ସାଇମନ୍ଦିର ନିକଟରେ ବିହାରୀ ଏଟିଏମ୍ ଲୁଟେରା ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଦୀପକ କୁମାରକୁ ପୁଲିସ ଏନ୍କାଉଣ୍ଟର୍ କରିଥିଲା। ଏପ୍ରିଲ୍ ୩ରେ ବାଙ୍କୁଆଳ ନଦୀପଠାରେ ବିହାରର ଦୁଇ କୁଖ୍ୟାତ ଲୁଟେରା ତଥା ‘ଖୋରା ଗ୍ୟାଙ୍ଗ’ର ସୋନୁ ଯାଦବ ଓ ମନୀଷ ଯାଦବ ପୁଲିସର ଡବଲ୍ ଏନ୍କାଉଣ୍ଟର୍ରେ ଘାଇଲା ହୋଇଥିଲେ।