ଭୁବନେଶ୍ବର : ବ୍ରାଉନସୁଗାର ବିକ୍ରି କରି ଗିରଫ ହୋଇଥିବା ରିଜର୍ଭ କନଷ୍ଟେବଲ୍ ଜାନକୀ ବଲ୍ଲଭ ଭାରୀମଲ୍ଲ ଜଣେ ଅଭ୍ୟାସଗତ ଅପରାଧୀ। ତାଙ୍କ ନାଁରେ ଏକାଧିକ ଫୌଜଦାରୀ ମାମଲା ରୁଜୁ ହୋଇଛି। ଚୋରି, ଅପହରଣ, ମାଡପିଟ୍ ଓ ନିଶାଦ୍ରବ୍ୟ କାରବାର ଭଳି ଅଭିଯୋଗ ତାଙ୍କ ନାଁରେ ଆସିବା ପରେ ତାଙ୍କୁ ବାଧ୍ୟତାମୂଳକ ଅବସର ଦେବାକୁ ପୁଲିସ ବିଭାଗ ଚିନ୍ତା କରୁଛି। ରାଜ୍ୟ ସରକାରଙ୍କ ‘୫-ଟି’ ଯୋଜନା ଅନୁଯାୟୀ ଏହା କାର୍ଯ୍ୟକାରୀ କରାଯିବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି।
ଏଠାରେ ପ୍ରକାଶ ଥାଉକି, ଗିରଫ କନଷ୍ଟେବଲଜଣକ କମିସନରେଟ୍ ପୁଲିସ ଓ ଖୋର୍ଦ୍ଧା ଜିଲ୍ଲାରେ କାମ କରୁଥିବା ବେଳେ ତାଙ୍କ ନାମରେ ଦୁଇଟି ବଡ଼ ବଡ଼ ଅଭିଯୋଗ ରହିଥିଲା। କ୍ୟାପିଟାଲ ଥାନା ଅଞ୍ଚଳରେ ୨୦୦୫ ମସିହାରେ ହତ୍ୟା ପାଇଁ ଏକ ଅପହରଣ ମାମଲାରେ ସେ ଅଭିଯୁକ୍ତ ଥିଲେ। ପ୍ରମାଣ ଅଭାବରୁ ସେ ଖଲାସ ହୋଇଥିଲେ। ୨୦୦୮ରୁ ୨୦୧୮ ମସିହା ପର୍ଯ୍ୟନ୍ତ ଖୋର୍ଦ୍ଧାରେ କାର୍ଯ୍ୟରତ ଥିଲେ। ୨୦୧୧ରେ ଖଣ୍ଡଗିରି ଥାନାରେ ମଧ୍ୟ ମାଡ଼ପିଟ୍ ମାମଲା ଥିଲା। ୨୦୧୮ ମସିହାରେ ଖୋର୍ଦ୍ଧାରେ ଜଣେ ଓକିଲଙ୍କ ଗାଡ଼ି ଚୋରି କରିବା ଅଭିଯୋଗରେ ସେ ଗିରଫ ହୋଇଥିଲେ। ଏବେ ସେ ଭୁବନେଶ୍ବର ରିଜର୍ଭ ପୁଲିସରେ କାର୍ଯ୍ୟରତ ଥିଲେ। ପୁଲିସ ବିଭାଗରେ କାମ କରୁଥିବାରୁ ଏହି ବେପାର ବେଶ୍ ସୁରୁଖୁରୁରେ ଚାଲିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/conestbal.jpg)