ଭୁବନେଶ୍ବର: ଝାରପଡ଼ା ଜେଲ୍ ଭିତରୁ ନିଶା ବେପାରକୁ ନିୟନ୍ତ୍ରଣ କରାଯାଉଥିଲା। ବିଚାରାଧୀନ ବନ୍ଦୀ ଥିବା ୩ ନିଶା ମାଫିଆ ଏହା ଚଳାଇଥିଲେ ବୋଲି ଜଣାପଡ଼ିଛି। ଗୁଇନ୍ଦା ସୂଚନା ଆଧାରରେ ଜେଲ୍ କର୍ତ୍ତୃପକ୍ଷ ଅତର୍କିତ ଚଢ଼ଉ କରି ୩ କଏଦୀଙ୍କଠାରୁ ଦାମୀ ମୋବାଇଲ ଜବତ କରିବା ପରେ ଏହାକୁ ନେଇ ତନାଘନା ଆରମ୍ଭ ହୋଇଛି। ଜବତ ମୋବାଇଲଗୁଡ଼ିକର ସିଡିଆର୍ ଯାଞ୍ଚ କରାଯାଉଛି ଏବଂ ସମ୍ପୂର୍ଣ୍ଣ ରିପୋର୍ଟ ମିଳିବା ପରେ ୩ ନିଶା ମାଫିଆଙ୍କ କଳା ସାମ୍ରାଜ୍ୟର ଗୁମର ଖୋଲିବ ବୋଲି ଆଶା କରାଯାଉଛି। ଏନେଇ ଜେଲ୍ କର୍ତ୍ତୃପକ୍ଷ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଛନ୍ତି ଏବଂ ପୁଲିସ ମାମଲା ରୁଜୁ କରି ଜେଲ୍ ଭିତରକୁ ମୋବାଇଲ୍ କିଭଳି ଗଲା, ସେନେଇ ଖୋଳତାଡ଼ ଚଳାଇଛି।
ଯେଉଁ ୩ଜଣଙ୍କଠାରୁ ମୋବାଇଲ ଜବତ କରାଯାଇଛି, ସେମାନଙ୍କ ମଧ୍ୟରେ ୨ଜଣ ବ୍ରାଉନ୍ସୁଗାର ଓ ଜଣେ ଗଞ୍ଜେଇ ମାଫିଆ ରହିଛନ୍ତି। ୨ବର୍ଷରୁ ଅଧିକ ସମୟ ଧରି ଜେଲ୍ରେ ଥିବା ଜଣେ ନିଶା ମାଫିଆ ନିଜ ଵାର୍ଡରେ ମୋବାଇଲକୁ ଲୁଚାଇ ରଖିଥିଲା। ସେହିଭଳି ଜଣେ ପାଇଖାନାରେ ଓ ଆଉ ଜଣେ ଗଛ କୋରଡ଼ରେ ଲୁଚାଇଥିଲା। ଜେଲ୍ ପ୍ରାଚୀରକୁ ଡିଆଁଇ ସହଯୋଗୀମାନେ ସେମାନଙ୍କୁ ମୋବାଇଲ ଦେଇଥିଲେ ବୋଲି ସେମାନେ ସ୍ବୀକାର କରିଛନ୍ତି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ସେମାନେ ପ୍ରାୟ ଗୋଟିଏ ମାସରୁ ଅଧିକ ଦିନ ଧରି ମୋବାଇଲ୍ ବ୍ୟବହାର କରୁଥିଲେ। ସେମାନଙ୍କ ମୋବାଇଲ୍ ଫୋନ୍ରେ ଶହଶହ କଲ୍ ଯାଇଛି ଏବଂ ଶହଶହ କଲ୍ ମଧ୍ୟ ଆସିଛି। ତେଣୁ ସେମାନେ ଜେଲ୍ରେ ଥାଇ ମଧ୍ୟ ନିଶା କାରବାରକୁ ନିୟନ୍ତ୍ରଣ କରୁଥିଲେ ବୋଲି ସନ୍ଦେହ ବଢ଼ିଛି।
ଜେଲ୍ ବାହାରେ ସିସିଟିଭି ରହିଛି, ଵାଚ୍ ଟାଵାର୍ ରହିଛି, ଜେଲ୍ ଭିତରେ ଵାର୍ଡର ଜଗିବସିଛନ୍ତି। ଏତେ ସବୁ କଟକଣା ସତ୍ତ୍ବେ ପ୍ରାଚୀର ଡିଆଁଇ କଏଦୀଙ୍କ ନିକଟକୁ ମୋବାଇଲ୍ ପହଞ୍ଚିପାରିଥିବାରୁ ଜେଲ୍ କର୍ତ୍ତୃପକ୍ଷଙ୍କ ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଜେଲ୍ ଭିତରେ କଏଦୀ ମୋବାଇଲ ବ୍ୟବହାର କରୁଥିଲେ ହେଁ କେହି ଜାଣିପାରି ନଥିଲେ। ଗୁଇନ୍ଦା ବିଭାଗ ଜଣାଇବା ପରେ ଜେଲ୍ କର୍ତ୍ତୃପକ୍ଷ ଚଢ଼ଉ କରିଥିଲେ। ଏନେଇ ଜେଲ୍ ଅଧୀକ୍ଷକ ସର୍ବେଶ୍ବର ସାହୁଙ୍କ କହିବା କଥା ଜେଲ୍ରେ କଡ଼ା କଟକଣା ଥିବା ସତ୍ତ୍ବେ ଗଳାବାଟରେ ଏଭଳି କାରବାର ହେଉଛି। ବଡ଼ କଥା ହେଉଛି ଏବେ ୧୮ଟି ଵାର୍ଡର ପୋଷ୍ଟ ଖାଲି ପଡ଼ିଛି। ଷ୍ଟାଫ୍ ନଥିବାରୁ ଵାଚ୍ ଟାଵାରରେ ସୁରକ୍ଷା କର୍ମୀ ମୁତୟନ ହୋଇପାରୁନାହାନ୍ତି। ତେଣୁ ଆଉ ୧ ପ୍ଲାଟୁନ୍ ଫୋର୍ସ ବଢ଼ାଇବାକୁ ଏସ୍ଓଜି କମାଣ୍ଡାଣ୍ଟଙ୍କୁ ଲିଖିତ ଭାବେ ଜଣାଇଦିଆଯାଇଛି।