କମିସନରେଟ୍‌ ପୁଲିସ ଇତିହାସରେ ପ୍ରଥମ : ତଡ଼ିପାର ହେ‌ବେ ୩ ନିଶା ବେପାରୀ

ଭୁବନେଶ୍ବର : କମିସନରେଟ୍‌ ପୁଲିସ ଇତିହାସରେ ପ୍ରଥମ ଘଟଣା ଘଟିବାକୁ ଯାଉଛି। ପ୍ରଥମ ପର୍ଯ୍ୟାୟରେ ଓଡ଼ିଶା ସହରାଞ୍ଚଳ ପୁଲିସ ଆଇନ-୨୦୦୩ର ଦଫା ୪୬ ମୁତାବକ କାର୍ଯ୍ୟାନୁଷ୍ଠାନ ହେବ। ପ୍ରଥମ ଦଫାରେ ୩ଜଣ ଅଭ୍ୟାସଗତ ନିଶା ବେପାରୀଙ୍କୁ ତଡ଼ିପାର କରାଯିବ ବୋଲି ସୂଚନା ଦେଇଛନ୍ତି ପୁଲିସ କମିସନର ସତ୍ୟଜିତ ମହାନ୍ତି। ପରବର୍ତ୍ତୀ ସମୟରେ ଏକାଧିକ ବେପାରୀଙ୍କୁ ଏହି ଆଇନରେ ଛନ୍ଦା ଯିବ ବୋଲି ଯୋଜନା ହୋଇଛି। କମିସନରେଟ୍‌ ପୁଲିସ ଅଧୀନରେ ରହିଥିବା ସମସ୍ତ ଥାନାକୁ ଏଭଳି ଅଭ୍ୟାସଗତ ଅପରାଧୀଙ୍କୁ ଠାବ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବାରମ୍ବାର ଏଭଳି ନିଶା ବେପାର କରି ଜେଲ୍‌ ଯାଇଥିବା ଅଭିଯୁକ୍ତଙ୍କୁ ଖୋଜି ସୋମବାର ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ କମିସନର ନିର୍ଦ୍ଦେଶ ଦେଇଥିବା ବେଳେ ପ୍ରାଥମିକ ପର୍ଯ୍ୟାୟରେ ରିପୋର୍ଟ ଦାଖଲ ହୋଇଛି। ଏହି ପର୍ଯ୍ୟାୟରେ ନୂଆପଲ୍ଲୀ, ଖଣ୍ଡଗିରି ଓ ଜଟଣୀ ଥାନା ଅଧୀନରେ ତିନିଜଣ ଅଭିଯୁକ୍ତଙ୍କ ତାଲିକା କମିସନରଙ୍କୁ ପ୍ରଦାନ କରାଯାଇଛି। ଦଫା ୪୬ରେ ଏମାନଙ୍କର କମିସନରଙ୍କ କୋର୍ଟରେ ଶୁଣାଣି କରାଯାଇ ଖୁବ୍‌ଶୀଘ୍ର ତଡ଼ିପାର କରି କମିସନରେଟ୍‌ ପୁଲିସ ସୀମା ବାହାରକୁ ପଠାଇ ଦିଆଯିବ ବୋଲି ଜଣାପଡ଼ିଛି।

ସୂଚନା ମୁତାବକ, କମିସନରେଟ୍‌ ପୁଲିସ ଅଞ୍ଚଳକୁ ଚୋରା ନିଶା କାରବାର ମୁକ୍ତ କରିବା ପାଇଁ କମିସନରେଟ୍‌ ପୁଲିସ ଏକ ସ୍ବତନ୍ତ୍ର ଡ୍ରାଇଭ୍‌ ଆରମ୍ଭ କରିଛି। ସ୍ବତନ୍ତ୍ର ଡ୍ରାଇଭ୍‌ ବଳରେ ଅଦ୍ୟାବଧି ୨୦ଜଣରୁ ଊର୍ଦ୍ଧ୍ବ ଗିରଫ ହୋଇଥିବା ବେଳେ ବିପୁଳ ପରିମାଣର ଗଞ୍ଜେଇ ଓ ବ୍ରାଉନ ସୁଗାର ଜବତ ହୋଇଛି। କ୍ରମାନ୍ବୟରେ ଅଭ୍ୟାସଗତ ଅପରାଧୀଙ୍କ ବିରୋଧରେ ଦଫା ୪୬ ବଳରେ କାର୍ଯ୍ୟାନୁଷ୍ଠାନ ନେବାକୁ ପୁଲିସ ଯୋଜନା କରିଛି।

ସମ୍ବନ୍ଧିତ ଖବର