ଡ୍ରଗ୍‌ସ କଣ୍ଟ୍ରୋଲର ପକ୍ଷରୁ କାର୍ଯ୍ୟାନୁଷ୍ଠାନ, କଳିଙ୍ଗ ହସ୍ପିଟାଲର ସେଣ୍ଟ୍ରାଲ ଔଷଧ ଷ୍ଟୋର୍‌ ବନ୍ଦ ନିର୍ଦେଶ

ଭୁବନେଶ୍ବର: କଳିଙ୍ଗ ହସ୍ପିଟାଲ ଉପରେ ଡ୍ରଗ୍‌ସ କଣ୍ଟ୍ରୋଲର ନିର୍ଦେଶାଳୟ ପକ୍ଷରୁ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। କିଛିଦିନ ତଳେ ହସ୍ପିଟାଲରେ ଚଢ଼ଉ କରାଯିବା ସହିତ ହସ୍ପିଟାଲକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା। ତେବେ ନିର୍ଦେଶାଳୟ ଏହି ପରିପ୍ରେକ୍ଷୀରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ହସ୍ପିଟାଲର ସେଣ୍ଟ୍ରାଲ ଔଷଧ ଷ୍ଟୋର ଓ ବହିର୍ବିଭାଗକୁ ସିଲ୍ କରିବା ପାଇଁ ନିର୍ଦେଶ ଦିଆଯାଇଛି। ପରବର୍ତୀ ନିର୍ଦେଶ ପର୍ଯ୍ୟନ୍ତ ଏହାକୁ ବନ୍ଦ ରଖିବାକୁ କୁହାଯାଇଛି।

ଡ୍ରଗ୍‌ସ କଣ୍ଟ୍ରୋଲର(ଭାରପ୍ରାପ୍ତ) ମାମିନା ପଟ୍ଟନାୟକ କହିଛନ୍ତି, କଳିଙ୍ଗ ହସ୍ପିଟାଲର ସେଣ୍ଟ୍ରାଲ ଷ୍ଟୋରକୁ ପରବର୍ତୀ ନିର୍ଦେଶ ନ ହେବା ଯାଏଁ ବନ୍ଦ ରଖିବା ପାଇଁ ନିର୍ଦେଶ ଦିଆଯାଇଛି। ଏହାସହ ବହିର୍ବିଭାଗ ଷ୍ଟୋରକୁ ଚିଠି ପାଇବାର ୩ଦିନ ପର୍ଯ୍ୟନ୍ତ ବନ୍ଦ ରଖିବା ପାଇଁ ନିର୍ଦେଶ ଦିଆଯାଇଛି। ସେଣ୍ଟ୍ରାଲ ଷ୍ଟୋର ଓ ଓପିଡି ଷ୍ଟୋର ବନ୍ଦ ରହିଛି କି ନାହିଁ ତାହା ଡ୍ରଗ୍‌ ଇନ୍‌ସପେକ୍ଟର ଯାଞ୍ଚ କରିବା ପାଇଁ କୁହାଯାଇଛି। ପୂର୍ବରୁ ହୋଇଥିବା ଯାଞ୍ଚ ସମୟରେ ହସ୍ପିଟାଲର ସେଣ୍ଟ୍ରାଲ ଷ୍ଟୋର ଓ ଓପିଡି ଷ୍ଟୋରରେ ଠିକ୍‌ ଭାବେ ରେକର୍ଡ ବଜାୟ ରହୁ ନ ଥିବା ସାମ୍ନାକୁ ଆସିଥିଲା। ହସ୍ପିଟାଲ ଯେଉଁ ଔଷଧ କିଣୁଥିଲା ତାହାର ହିସାବ, ବିକ୍ରି ହେଉଥିବା ଔଷଧର ହିସାବ, ପ୍ରେସକ୍ରିପସନ୍ ଅନୁସାରେ ଔଷଧର ଯୋଗାଣ, ଗୁଣାତ୍ମକ ଔଷଧ, ଔଷଧର ଉଚିତ୍ ଦାମ, ଅବଧି ଶେଷ ଔଷଧର ଅଲଗା ରହିଛି କି ନାହିଁ ତାହାର ରେକର୍ଡ ଠିକ୍‌ରେ ବଜାୟ ରହିବା ଦରକାର। ତେଣୁ ଏଭଳି ଉଲ୍ଲଂଘନ ହୋଇଥିବା ଯୋଗୁଁ ହସ୍ପିଟାଲ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଶ୍ରୀମତୀ ପଟ୍ଟନାୟକ କହିଛନ୍ତି। ତେବେ ଡ୍ରଗ୍‌ସ କଣ୍ଟ୍ରୋଲର ପକ୍ଷରୁ ଏଭଳି କାର୍ଯ୍ୟାନୁଷ୍ଠାନ ଫଳରେ ହସ୍ପିଟାଲରେ ଔଷଧ ଯୋଗାଣକୁ ନେଇ ସମସ୍ୟା ଦେଖାଯିବାର ଆଶଙ୍କା ସୃଷ୍ଟି ହୋଇଛି। ବହିର୍ବିଭାଗ ପାଇଁ ଉଦ୍ଦିଷ୍ଟ ଷ୍ଟୋର ବନ୍ଦ ହେବା ଫଳରେ ରୋଗୀମାନେ ସିଧାସଳଖ ଔଷଧ କିଣିପାରିବେ ନାହିଁ। ଅପରପକ୍ଷରେ କଳିଙ୍ଗ ହସ୍ପିଟାଲ ପକ୍ଷରୁ ଏ ସଂକ୍ରାନ୍ତରେ କୌଣସି ମତାମତ ମିଳିପାରି ନାହିଁ।

ଉଲ୍ଲେଖ ଯେ, କଳିଙ୍ଗ ହସ୍ପିଟାଲରେ ବିଧାୟକ ମୋହନ ମାଝିଙ୍କୁ ଦୁର୍ବ୍ୟବହାର ହୋଇଥିବା ଅଭିଯୋଗ ହୋଇଥିଲା। ପରେ ରାଜ୍ୟ ସରକାର କଳିଙ୍ଗ ହସ୍ପିଟାଲର ରାଜ୍ୟ ଚିକିତ୍ସା ପାଣ୍ଠିକୁ ସାମୟିକ ଭାବେ ପ୍ରତ୍ୟାହାର କରି ନେଇଛନ୍ତି। ଏହାସହ ପିସିପିଏନ୍‌ଡିଟି ପକ୍ଷରୁ ହସ୍ପିଟାଲରେ ଯାଞ୍ଚ କରାଯିବା ସହିତ ନିୟମ ଉଲ୍ଲଂଘନ ଯୋଗୁଁ ୨ଟି ଅଲଟ୍ରାସାଉଣ୍ଡ ମେସିନ୍‌କୁ ସିଲ୍ କରାଯିବା ସହିତ ମାମଲା ରୁଜୁ କରାଯାଇଛି।

ସମ୍ବନ୍ଧିତ ଖବର