କଳିଙ୍ଗ ହସ୍ପିଟାଲରେ ଡ୍ରଗ୍‌ସ ପୁନର୍ବାର ଯାଞ୍ଚ

ଭୁବନେଶ୍ବର : କଳିଙ୍ଗ ହସ୍ପିଟାଲରେ ଡ୍ରଗ୍‌ସ କଣ୍ଟ୍ରୋଲର କାର୍ଯ୍ୟାଳୟ ପକ୍ଷରୁ ଆଜି ପୁଣିଥରେ ଯାଞ୍ଚ କରାଯାଇଛି। ହସ୍ପିଟାଲର ସେଣ୍ଟ୍ରାଲ ଡ୍ରଗ୍‌ ହାଉସ ଓ ଅନ୍ୟାନ୍ୟ ସ୍ଥାନରେ ଡ୍ରଗ୍‌ସ ଇନ୍‌ସପେକ୍ଟର ଯାଞ୍ଚ କରିଛନ୍ତି। ଆସନ୍ତା ସୋମବାର ଏ ସଂକ୍ରାନ୍ତୀୟ ରିପୋର୍ଟ ଡ୍ରଗ୍‌ସ କଣ୍ଟ୍ରୋଲର କାର୍ଯ୍ୟାଳୟକୁ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। ଗତକାଲି ଭୁବନେଶ୍ବର ରେଞ୍ଜ ୧ ଓ ୨ର ଡ୍ରଗ୍‌ସ ଇନ୍‌ସପେକ୍ଟର କଳିଙ୍ଗ ହସ୍ପିଟାଲ ଫାର୍ମାସିରେ ଯାଞ୍ଚ କରିଥିଲେ। ସେଠାରେ ୬ପ୍ରକାରର ଔଷଧକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା। ତେଣୁ ଏହି ୬ ପ୍ରକାରର ଔଷଧକୁ ରୋଗୀମାନଙ୍କୁ ନ ଦେବା ପାଇଁ ନିର୍ଦେଶ ଦିଆଯାଇଥିଲା। ଆଜି ମଧ୍ୟ ଫାର୍ମାସିର ବଳକା କ୍ଷେତ୍ରରେ ଯାଞ୍ଚ କରାଯାଇଛି। ତେବେ ଆଜିର ଯାଞ୍ଚରେ କେଉଁ କେଉଁ କ୍ଷେତ୍ରରେ ସନ୍ଦେହ ରହିଛି ତାହା ସ୍ପଷ୍ଟ ହୋଇପାରି ନାହିଁ। ଅପରପକ୍ଷରେ ଖୁବଶୀଘ୍ର ଅନ୍ୟ ହସ୍ପିଟାଲଗୁଡ଼ିକରେ ମଧ୍ୟ ଯାଞ୍ଚ କରାଯିବ ବୋଲି ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି। ଯାଞ୍ଚ ନେଇ କଳିଙ୍ଗ ହସ୍ପିଟାଲ କର୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ସମ୍ବନ୍ଧିତ ଖବର