କଳିଙ୍ଗ ହସ୍ପିଟାଲରେ ଡ୍ରଗସ୍‌ କଣ୍ଟ୍ରୋଲର କାର୍ଯ୍ୟାଳୟର ଚଢ଼ଉ

ରୋଗୀଙ୍କୁ ୬ ପ୍ରକାରର ଔଷଧ ଦେଇପାରିବନି ହସ୍ପିଟାଲ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର: କଳିଙ୍ଗ ହସ୍ପିଟାଲରେ ଆଜି ଡ୍ରଗସ୍ କଣ୍ଟ୍ରୋଲର କାର୍ଯ୍ୟାଳୟ ପକ୍ଷରୁ ଚଢ଼ଉ କରାଯାଇଛି। କାର୍ଯ୍ୟାଳୟର ୨ ଜଣିଆ ଟିମ୍ ହସ୍ପିଟାଲର ଫାର୍ମାସିରେ ଯାଞ୍ଚ କରିବା ସହ ୬ପ୍ରକାରର ଔଷଧ ବିକ୍ରି ଉପରେ କଟକଣା ଜାରି କରିଛନ୍ତି। ଏଥିରେ ମୁଖ୍ୟତଃ ଆଣ୍ଟି-ବାଇଓଟିକ୍ ଔଷଧ ରହିଛି। ହସ୍ପିଟାଲ କର୍ତୃପକ୍ଷ ଏ ସଂପର୍କିତ କାଗଜପତ୍ର ଦେଖାଇ ପାରି ନଥିଲେ। ସଂପୂର୍ଣ୍ଣ ରିପୋର୍ଟ ଆସିବା ପରେ ପରବର୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅପରପକ୍ଷରେ ରାଜଧାନୀ ସମେତ କଟକର ବିଭିନ୍ନ ଘରୋଇ ଡାକ୍ତରଖାନାଗୁଡ଼ିକରେ ଯାଞ୍ଚ କରାଯିବ ବୋଲି କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଦିନ ପ୍ରାୟ ୩ଟାରେ ଭୁବନେଶ୍ବର ଡିଆଇ (ଡ୍ରଗସ୍‌ ଇସ୍ପପେକ୍ଟର) ରେଞ୍ଜ ୧ର ଚନ୍ଦନ ଗିରି ଓ ୨ର ଡିଆଇ ପ୍ରବେଶ କୁମାର ଲେଙ୍କା କଳିଙ୍ଗ ହସ୍ପିଟାଲର ଫାର୍ମାସିରେ ଯାଞ୍ଚ କରିଥିଲେ। ଫାର୍ମାସିରୁ ଔଷଧ ହସ୍ପିଟାଲର ଓପିଡି ଓ ଆଇପିଡିକୁ ଦିଆଯାଉଛି। ତେଣୁ ଔଷଧ କିଣା ନେଇ ବିଲିଂର ଯାଞ୍ଚ କରାଯାଇଥିଲା। ଏହାସହ ରେଜିଷ୍ଟରକୁ ଠିକ୍‌ରେ ରଖାଯାଉଛି କି ନାହିଁ, ତାହାର ମଧ୍ୟ ଯାଞ୍ଚ ହୋଇଛି। ଦୀର୍ଘ ୩ଘଣ୍ଟା ଧରି ଏହି ଚଢ଼ଉ ଜାରି ରହିଥିଲା। ଏ ସମୟରେ ହସ୍ପିଟାଲ କର୍ତୃପକ୍ଷ ଔଷଧ ପାଇଁ ଆବଶ୍ୟକ କାଗଜପତ୍ର ଦେଖାଇ ପାରି ନଥିବା ଜଣାପଡ଼ିଛି। ଚଢ଼ଉ ସଂପର୍କିତ ରିପୋର୍ଟ ପ୍ରଦାନ କରାଯିବା ପରେ ହସ୍ପିଟାଲକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯିବ। ଯଦି ହସ୍ପିଟାଲ କର୍ତୃପକ୍ଷ ଏ ସଂପର୍କିତ ସମସ୍ତ କାଗଜପତ୍ର ଦେଖାଇବାରେ ବିଫଳ ହୁଅନ୍ତି, କାର୍ଯ୍ୟାନୁଷ୍ଠାନ ସ୍ବରୂପ ଫାର୍ମାସିକୁ ମଧ୍ୟ ଜବତ କରାଯିବ।

ଡ୍ରଗ୍‌ସ କଣ୍ଟ୍ରୋଲର (ଭାରପ୍ରାପ୍ତ) ମାମିନା ପଟ୍ଟନାୟକ କହିଛନ୍ତି, କଳିଙ୍ଗ ହସ୍ପିଟାଲ ବିରୋଧରେ ଅନେକ ଅଭିଯୋଗ ଆସିଛି। ତେଣୁ ଆଜି ହସ୍ପିଟାଲରେ ଚଢ଼ଉ କରାଯାଇଥିଲା। ଏଠାରେ ୬ ପ୍ରକାରର ଔଷଧକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ତେଣୁ ହସ୍ପିଟାଲ କର୍ତୃପକ୍ଷ ଏହି ଔଷଧକୁ ରୋଗୀଙ୍କୁ ଦେଇପାରିବେ ନାହିଁ। ଏହାସହ ଫର୍ମ-୧୫କୁ ଇସ୍ୟୁ କରାଯାଇଛି। ସଂପୂର୍ଣ୍ଣ ରିପୋର୍ଟ ଆସିବା ପରେ ପରବର୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆବଶ୍ୟକ ପଡ଼ିଲେ, ଫାର୍ମାସିକୁ ମଧ୍ୟ ଜବତ କରି ଦିଆଯିବ। ଆଗାମୀ ଦିନରେ ରାଜଧାନୀ ସମେତ କଟକର ଘରୋଇ ଡାକ୍ତରଖାନାରେ ଚଢ଼ଉ କରାଯିବ ବୋଲି ଶ୍ରୀମତୀ ପଟ୍ଟନାୟକ ସୂଚନା ଦେଇଛନ୍ତି। ଏ ସଂକ୍ରାନ୍ତରେ କଳିଙ୍ଗ ହସ୍ପିଟାଲ କର୍ତୃପକ୍ଷଙ୍କ ମତାମତ ମିଳିପାରି ନାହିଁ।

ସମ୍ବନ୍ଧିତ ଖବର