ଅକଳରେ ପକାଇବ ଛୋଟା, ନେତା ଲିଙ୍କ୍‌ ନେଇ ତନାଘନା

ଭୁବନେଶ୍ୱର : ଖଣି ତଥା ଡ୍ରଗ୍ସ ମାଫିଆ ଶୁଭ୍ରାଂଶୁ ପରିଡ଼ା ଓରଫ ଛୋଟାଠାରୁ ଏସ୍‌ଟିଏଫ୍‌କୁ ଅନେକ ତଥ୍ୟ ମିଳିଛି। ତଥ୍ୟକୁ ଆଧାର କରି ଚଢ଼ଉ ଜୋରଦାର ଚାଲିଥିବା ବେ‌ଳେ ଅଧିକ ତଥ୍ୟ ସଂଗ୍ରହ ପାଇଁ ଆଉଥରେ ରିମାଣ୍ଡରେ ଆଣିବା ପାଇଁ ଯୋଜନା ଚାଲିଛି। ପୂର୍ବରୁ ୭ ଦିନ ରିମାଣ୍ଡରେ ଆଣିବା ପାଇଁ ଆବେଦନ ହୋଇଥିଲେ ମଧ୍ୟ ମାତ୍ର ତିନିଦିନ ମଞ୍ଜୁର ହୋଇଥିଲା। ଫଳରେ ଯେଉଁ ଲକ୍ଷ୍ୟ ନେଇ ରିମାଣ୍ଡ ଆବେଦନ ହୋଇଥିଲା, ତାହା ପୂରଣ ହୋଇନାହିଁ। ଏଣୁ ଆଉ ଥରେ ରିମାଣ୍ଡରେ ଆଣିଲେ ବହୁ ଗୁମର ଫିଟିବ ବୋଲି ଚର୍ଚ୍ଚା ହେଉଛି। ଅପରପକ୍ଷେ ଖୋର୍ଧା ଗୁରୁଜଙ୍ଗରେ ଥିବା ଛୋଟାର ବେଆଇନ ୪୦ ବଖରା ଘରକୁ ଆଜି ଜିଲ୍ଲା ପ୍ରଶାସନ ଭାଙ୍ଗି ଦେଇଛି।

କିଏ ସେ ନେତା?

ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ କଥା ପଦାକୁ ଆସିଛି। ଛୋଟା ସହ ସଂପର୍କରେ ଥିବା ଜଣେ ଲୋକପ୍ରତିନିଧିଙ୍କୁ ନେଇ ଚର୍ଚ୍ଚା ହେଉଛି। ସମ୍ପୃକ୍ତ ଲୋକପ୍ରତିନିଧି ଜଣକ ଛୋଟାର ଅତି ପରିଚିତ। ଏକଦା ସେ ଉଚ୍ଚପଦ ପାଇବା ପାଇଁ ଇଚ୍ଛା ପ୍ରକାଶ କରିଥି‌ଲେ। ଏଥିପାଇଁ ମୋଟା ଅଙ୍କର ଅର୍ଥ ଆବଶ୍ୟକ ପଡ଼ିଥିଲା। ସେତେବେଳେ ଛୋଟା ହିଁ ତାଙ୍କୁ ଆର୍ଥିକ ସହାୟତା କରିଥିଲା ବୋଲି ଚର୍ଚ୍ଚା ହେଉଛି। ଏବେ ସମ୍ପୃକ୍ତ ନେତା ଏସ୍‌ଟିଏଫ୍‌ ସ୍କାନରକୁ ଆସିଛନ୍ତି। ରାଜନେତା କେବଳ ଆର୍ଥିକ ସହାୟତା ନେଇନଥିଲେ ବରଂ ବେଆଇନ ଖଣି ଉତ୍ତୋଳନରେ ମଧ୍ୟ ତାଙ୍କର ଭାଗୀଦାରି ରହିଛି। ପୁଲିସ ସହ ସମନ୍ବୟ ରକ୍ଷା କରି ଏହି ବେଆଇନ ବେପାରକୁ ସହଜ କରାଉଥିଲେ। ସେହି ବେପାରର କିଛି ପ୍ରମାଣ ଯୋଗାଡ଼ ହେଉଥିବା ନେଇ ସୂଚନା ମିଳିଛି।

ଦିନକୁ ୨ ଲକ୍ଷ ବେପାର

ଅଖା ପାରି ପରିବା ବିକ୍ରି କରୁଥିବା ଛୋଟା ଏବେ‌ କୋଟିପତି। କେଉଁଠୁ ଆସିଲା ଏତେ ଟଙ୍କା ସେ ନେଇ ଏସ୍‌ଟିଏଫ ତାଜୁବ। ଏନେଇ ରିମାଣ୍ଡ ବେଳେ ଏସ୍‌ଟିଏଫ୍‌ ଅନେକ ଖୋଳତାଡ଼ କରିଛି। ଜଣାପଡ଼ିଛି ଯେ ଦିନକୁ ଅତି କମ୍‌ରେ ଛୋଟା ୨ ଲକ୍ଷ ଟଙ୍କାର ବ୍ରାଉନସୁଗାର ବ୍ୟବସାୟ କରୁଥିଲା। କେତେକ ଦିନ ୫ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ବ୍ୟବସାୟ ମଧ୍ୟ ହେଉଥିଲା। ବେପାର ଚଳାଇବା ପାଇଁ ସରକାରୀ ବାବୁ, କିଛି ନେତା ଓ ସହଯୋଗୀଙ୍କ ପିଛାରେ ୭୦ ପ୍ରତିଶତ ଖର୍ଚ୍ଚ କରୁଥିଲା। ୩୦ ପ୍ରତିଶତ ଲାଭ ପାଉଥିଲା।

କିଛି ଦିନ ହେବ ଦିଶୁନଥିଲା

୬ ମାସ ହେବ ଛୋଟାକୁ ବଜାରଘାଟରେ ଦେଖିବାକୁ ମିଳୁନଥିଲା। ନିଜେ ବସି ବେପାରକୁ ପରିଚାଳନା କରୁଥିଲା। କେତେକ ବିଶ୍ବସନୀୟ ସହଯୋଗୀ ମଧ୍ୟ ଇତିମଧ୍ୟରେ ତିଆରି ହୋଇ ସାରିଥିଲେ। ଏଣୁ ନିଜେ ବସି ରହି ସହଯୋଗୀଙ୍କ ଜରିଆରେ ବେପାର ଚଳାଉଥିଲା। କେଉଁଠୁ ମାଲ୍‌ ଆସିବ, କିଏ କେତେ ଟଙ୍କାରେ ନେବ, କାହାକୁ ଦିଆଯିବ କାହାକୁ ଦିଆଯିବ ନାହିଁ ଏ ସବୁ ସେ ନିଷ୍ପତ୍ତି ନେଉଥିଲା।

ସମ୍ବନ୍ଧିତ ଖବର