ନିଶାସକ୍ତ ଯୁବତୀଙ୍କ ଉନ୍ମତ୍ତକାଣ୍ଡ: କଳିଙ୍ଗ ଷ୍ଟୁଡିଓ ଛକରେ ଉତ୍ପାତ କଲେ, ହୋଟେଲ୍‌ରେ ପଶି ଭାଙ୍ଗିଲେ

ଭୁବନେଶ୍ବର: ସମୟ ପ୍ରାୟ ମଧ୍ୟାହ୍ନ ୧ଟା। କଳିଙ୍ଗ ଷ୍ଟୁଡିଓ ଛକରେ ଜଣେ ନିଶାସକ୍ତ ଯୁବତୀ ରାସ୍ତା ମଝିରେ ଛିଡ଼ା ହୋଇଥା’ନ୍ତି। ଆସୁଥିବା ଗାଡ଼ିକୁ ହାତ ଦେଖାଇ ଅଟକାଇବା ସହିତ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରୁଥାନ୍ତି। ଏପରିକି ଯିଏ ତାଙ୍କୁ ଅନାଉଥାଏ, ତାଙ୍କୁ ବି ଅପଶବ୍ଦ ପ୍ରୟୋଗ କରୁଥାନ୍ତି। ଦୀର୍ଘ ଅଢ଼େଇ ଘଣ୍ଟା କାଳ କଳିଙ୍ଗ ଷ୍ଟୁଡିଓ ଛକରେ ଯୁବତୀଜଣକ ଏପରି ଉତ୍ପାତ କରିଥିଲେ।

କାର୍ ନେଇ ଯାଉଥିବା କିଛି ଚାଳକଙ୍କ ସାମ୍ନାକୁ ଜାଣିଶୁଣି ଆସୁଥିଲେ। ଏଥିରୁ ପୁଲିସ୍ ଭ୍ୟାନ୍ ମଧ୍ୟ ବାଦ୍ ପଡ଼ି ନଥିଲା। ପୁଲିସ ଭ୍ୟାନକୁ ଅଟକାଇ ମାରିବାକୁ ମଧ୍ୟ ଉଦ୍ୟତ ହୋଇଥିଲେ। ତାଙ୍କ ଉତ୍ପାତରୁ ଭରତପୁର ଛକରେ ଥିବା ଏକ ହୋଟେଲ୍ ମଧ୍ୟ ବାଦ୍ ପଡ଼ି ନଥିଲା। ହୋଟେଲ୍‌ ଭିତରେ ପଶି ଟେବୁଲ୍, ଚେୟାର୍ ଭଙ୍ଗାରୁଜା କରିଥିଲେ।

ହୋଟେଲ୍ କର୍ମଚାରୀ ବିରୋଧ କରିବାରୁ ତାଙ୍କ ଉପରକୁ ମୋବାଇଲ୍ ଫୋପାଡ଼ି ଥିଲେ। ମାତ୍ର ମୋବାଇଲ ତଳେ ପଡ଼ିବା ଯୋଗୁଁ ସ୍କ୍ରିନ୍ ଫାଟି ଯାଇଥିଲା। ଏହାକୁ ନେଇ ହଙ୍ଗାମା କରିଥିଲେ ମାତାଲ ଯୁବତୀ। ମୋବାଇଲ୍ କାହିଁକି ଭାଙ୍ଗିଲା ବୋଲି କହି ହୋଟେଲ୍ କର୍ତ୍ତୃପକ୍ଷଙ୍କୁ ଟଙ୍କା ମାଗିଥିଲେ। ଏହିଭଳି ଅଢ଼େଇ ଘଣ୍ଟା କାଳ ଉତ୍ପାତ କରିବା ପରେ ଅଟୋରେ ଚନ୍ଦକା ଆଡ଼କୁ ପଳାଇଥିଲେ। ସ୍ଥାନୀୟ ଲୋକଙ୍କ ସୂଚନା ମୁତାବକ, ଯୁବତୀଜଣକ ସ୍ଥାନୀୟ ଭରତପୁରର। ସେ ଦୀର୍ଘ ଦିନ ହେବ ଏହିଭଳି ମଦ ପିଇ ସ୍ଥାନୀୟ ଅଞ୍ଚଳରେ ଉତ୍ପାତ କରୁଛନ୍ତି।

ସମ୍ବନ୍ଧିତ ଖବର