ବାଲିପାଟଣା: ରାତି‌ ଡ୍ୟୁଟି ବେଳେ ମଦ ନିଶାରେ ମାତାଲ ଅବସ୍ଥାରେ ରୋଗୀ ସମ୍ପର୍କୀୟଙ୍କୁ ଦୁର୍ବ୍ୟବହାର କରି ଜ୍ବରରେ ପୀଡ଼ିତ ଶିଶୁକୁ ଚିକିତ୍ସା ନକରି ଫେରାଇଥିବା ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଶ୍ରୀମୟ ମିଶ୍ରଙ୍କୁ ବିଦା କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ବାଲିପାଟଣାରେ ଡାକ୍ତର ମିଶ୍ରଙ୍କ ସମସ୍ତ କାର୍ଯ୍ୟକଳାପ ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ କରୁଛି ଏବଂ ଖୁବ୍‌ ଶୀଘ୍ର ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରାଳୟକୁ ପଠାଇବ। ଅନୁରୂପ ଆଚରଣ ପାଇଁ ୫ ବର୍ଷ ତଳେ ମାଲକାନଗିରିରୁ ତଡ଼ା ଖାଇଥିବା ଡାକ୍ତର ମିଶ୍ରଙ୍କୁ ନେଇ ଏବେ ବାଲିପାଟଣାରେ ଜନଅସନ୍ତୋଷ ବଢ଼ିବା‌ରେ ଲାଗିଥିବାରୁ ଖୁବ୍‌ ଶୀଘ୍ର ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି।

Advertisment

ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ଶ୍ରୀକାନ୍ତ ବେହେରାଙ୍କ ସୂଚନାନୁସାରେ ଡାକ୍ତର ମିଶ୍ରଙ୍କ ବିରୋଧରେ ହୋଇଥିବା ଅଭିଯୋଗର ସମସ୍ତ ତଥ୍ୟ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ଦିଆଯାଇଛି। ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଆର୍ତ୍ତବନ୍ଧୁ ନାୟକଙ୍କ କହିବା କଥା କର୍ତ୍ତବ୍ୟରେ ଅବହେଳା ଓ ବିଶୃଙ୍ଖଳା ସୃଷ୍ଟି କରିଥିବା ଡାକ୍ତର ମିଶ୍ରଙ୍କ ସମ୍ପର୍କରେ ବିଭାଗୀୟ ଉପରିସ୍ଥ ଅଧିକାରୀଙ୍କୁ ସବିଶେଷ ତଥ୍ୟ ଦିଆଯାଇଛି। ତେଣୁ ଖୁବ୍‌ ତାଙ୍କୁ ବଦଳି କରାଯିବ। ସୂଚନାଯୋଗ୍ୟ, ଗୁରୁବାର ବିଳମ୍ବିତ ରାତିରେ କୁଳନ୍ତିରା ଗ୍ରାମର ସମ୍ବିତ ରାୟ ତାଙ୍କ ଜ୍ୱରରେ ଆକ୍ରାନ୍ତ ଶିଶୁପୁତ୍ରକୁ ନେଇ ବାଲିପାଟଣା ହସ୍ପିଟାଲକୁ ଆସିଥିଲେ। ସେତେବେଳେ ଡାକ୍ତର ମିଶ୍ର ମଦ ନିଶାରେ ଚୁର୍‌ ହୋଇ ମାତାଲ ଅବସ୍ଥାରେ ଥିଲେ। ସେ ଶୋଇଥିବା ରୁମ୍‌ର କବାଟ ବାଡ଼େଇ ଡାକିବାରୁ ରାଗିଯାଇ ସେ ସମ୍ବିତଙ୍କୁ ଗାଳିମନ୍ଦ କରିବା ସହ ତାଙ୍କ ପୁଅର ଚିକିତ୍ସା କରିନଥିଲେ। ଶୀତ ରାତିରେ ପୁଅକୁ ଧରି ୧୦ କିମି ଦୂର ବାଳକାଟି ହସ୍ପିଟାଲ ଯାଇଥିଲେ।