ବାଲିଅନ୍ତା : ପୁଲିସ ମାଡ଼ରେ ଜଣେ ନିଶାଗ୍ରସ୍ତ ଯୁବକ ଆହତ ହେବା ଘଟଣାକୁ କେନ୍ଦ୍ର କରି ବାଲିଅନ୍ତା ସାଇଫନ୍ ବଜାରରେ ଶୁକ୍ରବାର ପୂର୍ବାହ୍ନରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ପ୍ରତିବାଦରେ ସ୍ଥାନୀୟ ଲୋକେ ବଜାର ରାସ୍ତାକୁ ଦୀର୍ଘ ସମୟ ଧରି ଅବରୋଧ କରି ରଖିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଏପରି ଉତ୍ତ୍ୟକ୍ତ ଲୋକେ ପୁଲିସ ଗାଡ଼ିକୁ ମଧ୍ୟ ଅଟକ ରଖିଥିଲେ। ଖବର ପାଇ ବାଲିଅନ୍ତା ଥାନା ଏଏସ୍ଆଇ ରାକେଶ କୁମାର ସାମନ୍ତରାୟ, ସୁଧୀର ରଂଜନ ଦାଶ ଓ ଏଏସ୍ଆଇ ଅରୁଣ କୁମାର ମଲ୍ଲିକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାରୁ ପରିସ୍ଥିତି ଶାନ୍ତ ପଡ଼ିଥିଲା।
ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ଦିନ ପ୍ରାୟ ସାଢ଼େ ୧୧ଟାରେ ସ୍ଥାନୀୟ ତଳଗଡ଼ ମଲ୍ଲିକ ସାହିର କେଦାରନାଥ ମଲ୍ଲିକ (୩୫) ନିଶାଗ୍ରସ୍ତ ଅବସ୍ଥାରେ ସାଇଫନ୍ ବଜାର ନିକଟରେ ଗାଳିଗୁଲଜ କରୁଥିଲେ। ସେଠାରେ କୋଭିଡ୍ ଡ୍ୟୁଟି କରୁଥିବା ପୁଲିସ ଫୋର୍ସ ତାଙ୍କୁ ବୁଝାସୁଝା କରିଥିଲା। ହେଲେ କେଦାର ଓଲଟି ପୁଲିସକୁ ଗାଳିଗୁଲଜ କରିବା ସହ ମାଡ଼ ମାରିବାକୁ ଉଦ୍ୟମ କରିଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ଜଣେ ପୁଲିସ କର୍ମଚାରୀ କେଦାରନାଥଙ୍କୁ ମାଡ଼ ମାରି ଆହତ କରିଥିଲେ ବୋଲି ତାଙ୍କ ବାପା କୈଳାଶ ଚନ୍ଦ୍ର ମଲ୍ଲିକ ଏତଲାରେ ଦର୍ଶାଇଛନ୍ତି। ତେବେ କେଦାରଙ୍କ ମାଆ ସ୍ବର୍ଣ୍ଣଲତା ଏ ସଂପର୍କରେ ସାହିରେ ଜଣାଇବା ପରେ ଗଣ୍ଡଗୋଳ ଉଗ୍ରରୂପ ନେଇଥିଲା। ସାହି ବାସିନ୍ଦା ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ୧ଘଣ୍ଟା ଧରି ରାସ୍ତାରୋକ କରିଥିଲେ। ଫଳରେ ଉଭୟପାର୍ଶ୍ବରେ ଦୀର୍ଘ ସମୟ ଧରି ଗାଡ଼ି ମଟର ଅଟକି ରହିଥିଲା। ଏହାକୁ ନେଇ ସେଠାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/balianta-1.jpg)