ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ସୁରକ୍ଷାକୁ ନେଇ ଏବେ ବଡ଼ ସଂକଟ ଉଭା ହୋଇଛି। ସିକ୍ୟୁରିଟି ଗାର୍ଡ ଥିବା ସତ୍ତ୍ବେ କ୍ୟାମ୍ପସ୍‌ରେ ଅସାମାଜିକ ଅଣଛାତ୍ର ବେଧଡ଼କ ପଶୁଛନ୍ତି। ନିଶା ଖାଇ କେତେବେଳେ ଛାତ୍ରୀଙ୍କୁ କମେଣ୍ଟ ମାରୁଛନ୍ତି ତ କେତେବେଳେ ଛାତ୍ରଙ୍କୁ ଆକ୍ରମଣ କରୁଛନ୍ତି। ଏମିତିକି ଛାତ୍ରୀଙ୍କୁ ଟଣାଓଟରା କରିବାକୁ ପଛାଉ ନାହାନ୍ତି। ପ୍ରତିଦିନ ସନ୍ଧ୍ୟାରେ ସ୍ଥିତି ଆହୁରି ସଙ୍ଗିନ୍‌ ହୋଇପଡ଼ୁଛି। ସନ୍ଧ୍ୟାରୁ ବିଳମ୍ବିତ ରାତିଯାଏ କ୍ୟାମ୍ପସ୍‌ରେ ଓପନ୍‌ ବାର୍‌ ସୃଷ୍ଟି ହେଉଛି। ଖୋଲାଖୋଲି ମଦ ପିଇବା ସହ ଗଞ୍ଜେଇ ଟାଣୁଛନ୍ତି। ଯିଏ ପ୍ରତିବାଦ କଲା ସେମାନଙ୍କୁ ଆକ୍ରମଣ କରାଯାଉଛି। ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସର ଏଭଳି ସ୍ଥିତିକୁ ନେଇ ଛାତ୍ରଛାତ୍ରୀ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଉଦ୍‌ବେଗର ବିଷୟ ଯେ, ସ୍ଥାନୀୟ ପୁଲିସ୍‌ ଓ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଏ ସମ୍ପର୍କରେ ଅବଗତ ଥିଲେ ବି ହାତଟେକି ଦେଇଛନ୍ତି।
କୁଆଡ଼େ ଗଲା ନିଶାମୁକ୍ତ ନାରା
ପାନ ହେଉ କି ଗୁଟ୍‌ଖା, ସିଗାରେଟ୍‌; କୌଣସି ପ୍ରକାର ନିଶାଦ୍ରବ୍ୟ ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ବିକ୍ରି କିମ୍ବା ସେବନ ହୋଇପାରିବ ନାହିଁ। ଖିଲାପ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଆବଶ୍ୟକ ପଡ଼ିଲେ କ୍ୟାମ୍ପସ୍‌ରୁ ତଡ଼ା ଖାଇବେ। ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ନିଶାଦ୍ରବ୍ୟ ବିକ୍ରି ଉପରେ କଟକଣା ପାଇଁ କୁଳପତି ଓ କୁଳସଚିବ ଏଭଳି ନିଷ୍ପତ୍ତି ନେଲେ। ଏମିତିକି କମିସନରେଟ୍‌ ପୁଲିସ ମଧ୍ୟ ନିଶା ମୁକ୍ତ କ୍ୟାମ୍ପସ ପାଇଁ ନାରାଦେଲା। ଏତେ ଚେତାବନୀ ସତ୍ତ୍ବେ କ୍ୟାମ୍ପସ୍‌ରେ ନିଶା କାରବାର ବଢ଼ିଚାଲିଛି। ଅନେକ ସମୟରେ ଛାତ୍ରୀଛାତ୍ରୀ ସମସ୍ୟାରେ ପଡ଼ି ପୁଲିସ ଓ କ୍ୟାମ୍ପସ ସିକ୍ୟୁରିଟି ଗାର୍ଡଙ୍କୁ ଫୋନ୍‌ କଲେ କେହି ଶୁଣୁନାହାନ୍ତି। 

Advertisment

ଛାତ୍ରୀଙ୍କୁ କମେଣ୍ଟ ମାରୁଛନ୍ତି, ଟଣାଓଟରା କରୁଛନ୍ତି
ହାତଟେକି ଦେଇଛନ୍ତି
କର୍ତ୍ତୃପକ୍ଷ ଓ ପୁଲିସ

ଢିଲା ସିକ୍ୟୁରିଟିକୁ ଅନ୍ଧାର ରାସ୍ତା
ସନ୍ଧ୍ୟା ହେଲେ ବିଶ୍ବବିଦ୍ୟାଳୟ କ୍ୟାମ୍ପସକୁ ଘୋଟିଆସୁଛି କଳା ଅନ୍ଧାର। ପ୍ରବେଶ ଗେଟ୍‌ରୁ ଭିତର ରାସ୍ତା ସବୁଠି ଲାଇଟ୍‌ ଖରାପ ହୋଇପଡ଼ିଛି। ବାରମ୍ବାର ଛାତ୍ରଛାତ୍ରୀ ଅଭିଯୋଗ ପରେ ନା ଏହାର ମରାମତି ହେଉଛି ନା ନୂଆ ଲାଇଟ୍‌ ଲଗାଯାଉଛି। ଫଳରେ ଛାତ୍ରଛାତ୍ରୀ ଅନ୍ଧାର‌ ରାସ୍ତା ଦେଇ ଯିବାଆସିବା କରୁଛନ୍ତି। ଅନ୍ଧାରର ସୁଯୋଗ ନେଇ ଅଣଛାତ୍ରମାନେ କ୍ୟାମ୍ପସ୍‌ରେ ପଶି ଛାତ୍ରୀଙ୍କୁ ପିଛା କରିବା ସହ ଅସଦାଚରଣ ଉଦ୍ୟମ କରୁଛନ୍ତି। ଏନେଇ ପୂର୍ବରୁ ଥାନାରେ ଅଭିଯୋଗ ମଧ୍ୟ ହୋଇଛି। ଏହା ସତ୍ତ୍ବେ ମଧ୍ୟ କର୍ତ୍ତୃପକ୍ଷ ଚେତୁ ନାହାନ୍ତି। 

କାମ କରୁନି ସିସିଟିଭି
ସୁରକ୍ଷାକୁ ଦୃଷ୍ଟିରେ ରଖି କ୍ୟାମ୍ପସରେ ସିସିଟିଭି ଖଞ୍ଜାଯାଇଥିଲା। ଯଦି କେହି କୌଣସି ଅପରାଧ କିମ୍ବା ଅଘଟଣ ଘଟାଇ ଖସିବାକୁ ଉଦ୍ୟମ କରେ ସିସିଟିଭିରେ ଧରାପଡ଼ିବା ନିଶ୍ଚିତ। ଉଦ୍‌ବେଗର ବିଷୟ କ୍ୟାମ୍ପସରେ ଲାଗିଥିବା ସିସିଟିଭି ଗୁଡ଼ିକ ଦୀର୍ଘକାଳ ଧରି ଖରାପ ହୋଇପଡ଼ିଛି। ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ସବୁଜାଣି ଚୁପ୍‌ ବସିଛନ୍ତି।

ପଛ ପାଚେରି ଅଣଛାତ୍ରଙ୍କ ପାଇଁ ଗଳାବାଟ
ବାଣୀବିହାରର ପଛପଟ ପାଚେରି ଭାଙ୍ଗିଯିବା ପରେ ଏହା ଅଣଛାତ୍ରଙ୍କ ପାଇଁ ଗଳାବାଟ ପାଲଟିଛି। ଏମିତିକି ମୁଖ୍ୟ ଫାଟକ ଦେଇ କ୍ୟାମ୍ପସରେ ପଶୁଥିଲେ ବି ସିକ୍ୟୁରିଟି ଗାର୍ଡ ଠିକ୍‌ ଭାବେ ଚେକିଂ ନକରି ଛାଡ଼ିଦେଉଛନ୍ତି। ଅସାମାଜିକ ଯୁବକ କ୍ୟାମ୍ପସରେ ପଶି ନିଶା ଆଡ଼ା ଜମାଇବା ସହ ଛାତ୍ରୀଙ୍କୁ କମେଣ୍ଟ କରିବା, ଆକ୍ରମଣ କରିବା ଭଳି ଘଟଣା ଘଟୁଛି। ଏନେଇ ଆମେ ବିଶ୍ବବିଦ୍ୟାଳୟ କର୍ତୃପକ୍ଷଙ୍କୁ ଜଣାଇବା ପରେ ବି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ।
ସୁବ୍ରତ ବିଶ୍ବାଳ, ଛାତ୍ରନେତା
କ୍ୟାମ୍ପସ୍‌ ଅସୁରକ୍ଷିତ
କିଛିଦିନ ତଳେ ଜଣେ ଛାତ୍ରୀ ତାଳପତ୍ରେଶ୍ବରୀ ମନ୍ଦିର ସମ୍ମୁଖ ପୋଖରୀ ନିକଟରେ ଯାଉଥିବା ସମୟରେ ୩ଜଣ ଅଜଣା ଯୁବକ ଆସି ତାଙ୍କୁ ଟଣାଓଟରା କଲେ। ଏନେଇ ଆମେ ପୁଲିସ୍‌ରେ ଅଭିଯୋଗ ମଧ୍ୟ କରିଥିଲୁ। ଆଶ୍ଚର୍ଯ୍ୟର କଥା ଆଜି ପର୍ଯ୍ୟନ୍ତ ସେ ଯୁବକମାନଙ୍କୁ ଧରିବା ତ ଦୂରର କଥା ଚିହ୍ନଟ ହୋଇପାରିଲେ ନାହିଁ। ଆମ କ୍ୟାମ୍ପସ୍‌ କେତେ ସୁରକ୍ଷିତ ଏଥିରୁ ଆପଣମାନେ ଅନୁମାନ କରନ୍ତୁ। 
ପ୍ରାଚୀ ନାୟକ, ଛାତ୍ରୀ