ଅଘଟଣ ପରେ ଚେତିଲେ: ମନେ ପଡ଼ିଲା ‘ଡ୍ରାଏ ଡେ’

ଭୁବନେଶ୍ବର : ଶେଷରେ ବିଏମ୍‌ସି ମାନିଛି ଯେ, ଡ୍ରାଏ ଡେ ପାଳନ ବନ୍ଦ ହୋଇ ଯାଇଥିଲା। ଯେଉଁ କେନ୍ଦ୍ରୀୟ ବିଦ୍ୟାଳୟ(ନଂ-୪)ରେ କମିସନର ଯାଇ ଡେଙ୍ଗୁ ସଚେତନତା କରାଇଥିଲେ ସେହି ବିଦ୍ୟାଳୟରେ ଜଣେ ଛାତ୍ରଙ୍କ ଡେଙ୍ଗୁରେ ମୃତ୍ୟୁ ଘଟିବା ପରେ ତନାଘନା ହୋଇଥିଲା। ତନାଘନା ବେଳେ ବିଏମ୍‌ସି ଡ୍ରାଏ ଡେ ପାଳନ ଆରମ୍ଭ କରିବାର କିଛି ଦିନ ପରେ ବନ୍ଦ କରିଦେଇଥିବା ଜଣାପଡ଼ିଥିଲା। ଏ ନେଇ ରାଜ୍ୟ ସରକାର ମଧ୍ୟ ଉଦ୍‌ବେଗ ପ୍ରକାଶ କରିଥିଲେ। ଦୁଇଦିନ ତଳେ ଡେଙ୍ଗୁକୁ ନେଇ ସରକାର ସମୀକ୍ଷା କରିବା ପରେ ଡ୍ରାଏ ଡେ ସହ ସଚେତନତା ଉପରେ ଗୁରୁତ୍ବ ଦେଇଥିଲେ।

ପୂର୍ବଭଳି ଗୁରୁବାର ଓ ରବିବାର ଡ୍ରାଏ ଡେ ପାଳନ ହେବ। ସେହି କ୍ରମରେ ଗୁରୁବାର ଦିନ କମିସନର ବିଜୟ ଅମୃତା କୁଲାଙ୍ଗେ ୧୩ ନମ୍ବର ୱାର୍ଡ ପରିଦର୍ଶନ କରିଥିଲେ। ନିଜେ ଘର ଘର ବୁଲି ଡେଙ୍ଗୁକୁ ନେଇ ସଚେତନ କରାଇଥିଲେ। ପାଣି ରହୁଥିବା ଅବ୍ୟବୃହତ ପାତ୍ରକୁ କିଭଳି ଘୋଡ଼ାଇ ରଖିବା, ଆବର୍ଜନା ଗଦା କରି ନ ରଖିବା ପ୍ରଭୃତି ଉପରେ ସେ ଗୁରୁତ୍ବାରୋପ କରିଥିଲେ। ଏ ନେଇ ସେ ୱାର୍ଡର ସାଧାରଣ ଲୋକ ଓ ବ୍ୟବସାୟୀମାନଙ୍କ ସହ କଥା ହୋଇଥିଲେ। ସମସ୍ତଙ୍କର ସହଯୋଗ ଲୋଡ଼ିଥିଲେ। ବିଏମ୍‌ସି ଏକା ନୁହେଁ, ବରଂ ସର୍ବସାଧାରଣଙ୍କ ସହଯୋଗରେ ହିଁ ଡେଙ୍ଗୁ ମୁକାବିଲା କରାଯାଇ ପାରିବ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର