ମେଣ୍ଢାଶାଳ: ଚନ୍ଦକା ଡିଭିଜନର ଚାରିଟିଯାକ ରେଞ୍ଜ୍ରେ ପାଣି ଅଭାବ ଦେଖାଦେଇଛି। ଡମପଡା ରେଞ୍ଜ୍ର ନାଗେଶ୍ୱର, ଯାରିଆ ଓ ଶଉରା ବିଲ; ଚନ୍ଦକା ରେଞ୍ଜ୍ର କୋଚିଲା ବାରଣା, ଝୁମୁକା, କୁମାରଖୁଣ୍ଟି, ବୁଆରିଗଡ଼; ହଳଦିଆ ରେଞ୍ଜ୍ର ଡେରାସ, ଗୁପ୍ତପଡ଼ା, ଅମ୍ବିଲ ଓ ମାଡ଼ୁଆ; ଭରତପୁର ରେଞ୍ଜ୍ର ଚୂନକୋଳି ପୋଖରୀ, କୂଅସଉରା ଓ ଭୀମଖାଲରେ ପାଣିର ପରିମାଣ କମିଥିବାବେଳେ ଜଙ୍ଗଲର ଅନେକ ସ୍ଥାନରେ ଥିବା ଖାଲଗୁଡ଼ିକ ଶୁଖିଲା ପଡ଼ିଛି। ଏହା ସହିତ ଦିନକୁ ଦିନ ତାପମାତ୍ରା ବଢ଼ିବାରେ ଲାଗିଛି। ପ୍ରଚଣ୍ଡ ଖରାରେ ଗଛପତ୍ର ମଧ୍ୟ ଶୁଖଗଲଣି। ଚନ୍ଦକା ଜଙ୍ଗଲରେ ବାରମ୍ବାର ନିଆଁ ଲାଗୁଥିବାବେଳେ ବନବିଭାଗ ନିଆଁ ଲିଭାଇବା ପାଇଁ ନାକେଦମ୍ ହେଲାଣି। କିନ୍ତୁ ଜଙ୍ଗଲ ନିଆଁକୁ ନିୟନ୍ତ୍ରଣ କରିବାରେ ଏଯାଏ ଶତପ୍ରତିଶତ ସଫଳତା ମିଳିନି। ଜଙ୍ଗଲରେ ପର୍ଯ୍ୟାପ୍ତ ମାତ୍ରାରେ ଥିବା ଗଣ୍ଠିବାଉଁଶ ଗଛ ହୁହୁହୋଇ ଜଳୁଥିବାବେଳେ ତା’ପାଖକୁ ଯିବା ବନକର୍ମଚାରୀଙ୍କ ପକ୍ଷେ ସମ୍ଭବ ହେଉନାହିଁ। ଚଳିତ ବର୍ଷ ବିଭିନ୍ନ ପର୍ଯ୍ୟାୟରେ ନିଆଁଲାଗି ଜଙ୍ଗଲର ଗୋଟିଏ ଗୋଟିଏ ସ୍ଥାନରେ ୫ କିମିରୁ ଅଧିକ ଆକାରର ସ୍ଥାନ ଜଳିପୋଡ଼ି ପାଉଁଶ ହୋଇଯାଇଛି। ପ୍ରଚଣ୍ଡ ଖରା, ଗରମ, ପାଣିର ଅଭାବ ସହିତ ଚନ୍ଦକା-ଡମପଡ଼ା ହସ୍ତୀ ଅଭୟାରଣ୍ୟରେ ବାରମ୍ବାର ନିଆଁ ଲାଗୁଥିବାରୁ ଏବେ ସେଠାକାର ପଶୁପକ୍ଷୀ ତ୍ରାହି ତ୍ରାହି ଡାକ ଛାଡୁଛନ୍ତି। ବିଶେଷକରି ଚନ୍ଦକା ଅଭୟାରଣ୍ୟର ହାତୀମାନେ ଭାରି ସମସ୍ୟାରେ ପଡ଼ିଛନ୍ତି। କାରଣ ସେମାନଙ୍କର ଯାତାୟାତ ଅପେକ୍ଷାକୃତ ସୀମିତ ସ୍ଥାନରେ ଥିବାବେଳେ ସେମାନେ ଅନ୍ୟ ପଶୁପକ୍ଷୀଙ୍କ ଅପେକ୍ଷା ଅନେକ ଅଧିକ ପାଣି ଆବଶ୍ୟକ କରନ୍ତି।
ଚନ୍ଦକା ଅଭୟାରଣ୍ୟର ଏବେ ୩୭ଟି ହାତୀ ଅଛନ୍ତି, ଯାହାଙ୍କ ଭିତରେ ଛୁଆ ଓ ବଡ଼ହାତୀ ଅଛନ୍ତି। ଏମାନଙ୍କ ଭିତରୁ ଭରତପୁର ସଂରକ୍ଷିତ ଜଙ୍ଗଲରେ ୧୫ଟି ହାତୀ ରହିଛନ୍ତି। ପ୍ରବଳ ଖରା ଓ ବର୍ଷାର ଅଭାବ ଯୋଗୁଁ ଅଭୟାରଣ୍ୟରେ ଥିବା ଖାଲଗୁଡ଼ିକରୁ ପାଣି ଶୁଖି ଆସିଲାଣି। ଫଳରେ ହାତୀମାନେ ଜଳକ୍ରୀଡ଼ା କରିପାରୁନାହାନ୍ତି। ହାତୀଙ୍କ ପାଇଁ ଜଳକ୍ରୀଡ଼ା କେବଳ ଏକ କ୍ରୀଡ଼ା ନୁହେଁ, ଏହା ସେମାନଙ୍କ ଜୀବନଶୈଳୀର ଏକ ଅଂଶ। ଏହି ହାତୀଙ୍କ ପାଇଁ କାମ କରୁଥିବା ଓୟୁଏଟିର ପ୍ରାଣୀ ବିଶେଷଜ୍ଞ ଡାକ୍ତର ଇନ୍ଦ୍ରଦ୍ୟୁମ୍ନ ନାଥ କହିଛନ୍ତି, ‘‘ପ୍ରଚଣ୍ଡ ଖରା ଜୀବଜନ୍ତୁଙ୍କ ପାଇଁ ବିପଦ। ପ୍ରାୟ ପଶୁପକ୍ଷୀ ଅଧିକ ତାପମାତ୍ରା ସହି ପାରି ନଥାନ୍ତି। ତାପମାତ୍ରା ୩୭ ଡିଗ୍ରି ଭିତରେ ରହିଲେ ଚଳିବ, କିନ୍ତୁ ତା’ଉପରକୁ ଗଲେ ବିପଦ। ବିଶେଷକରି ଅଧିକ ଗରମରେ ହାତୀମାନେ ପ୍ରଭାବିତ ହୁଅନ୍ତି।
ତାପମାତ୍ରା ବୃଦ୍ଧିହେଲେ ହାତୀଙ୍କ ଦେହ ଖରାପ ହୋଇଥାଏ। ସେଥିପାଇଁ ସେମାନେ ନିଜର ପିଠି ଉପରେ ନାଲିରଙ୍ଗର ମାଟି ଓ ଡାଳପତ୍ର ପକାନ୍ତି ଏବଂ ପାଣି ଓ କାଦୁଅପୂର୍ଣ୍ଣ ଖାଲ ଓ ପୋଖରୀରେ ପଡ଼ି ରହିଥାଆନ୍ତି।’’ ଚନ୍ଦକା ଡିଭିଜନର ଅଧିକାରୀ ଶରତଚନ୍ଦ୍ର ବେହେରା କହିଛନ୍ତି, ଭରତପୁର ରେଞ୍ଜ ଜଙ୍ଗଲର ଚୂନକୋଳି ପୋଖରୀ, କୂଅସୌରା ଓ ଭୀମଖାଲରେ ପାଣି ରହିଥିବାବେଳେ ଚନ୍ଦକା ରେଞ୍ଜ୍ର କୋଚିଲାବାରଣ, ଝୁମୁକା, କୁମାରଖୁଣ୍ଟି, ବୁଆରିଗଡ଼ରେ ପୋଖରୀ ରହିଛି। ସେହିପରି ହଳଦିଆ ରେଞ୍ଜ୍ରେ ଡେରାସ, ଗୁପ୍ତପଡ଼ାବନ୍ଧ ଅମ୍ବିଲ ଓ ମାଡ଼ୁଆରେ ପାଣି ରହିଛି। ଅଳ୍ପ କେତେକ ସ୍ଥାନରେ ପାଣି ଶୁଖିଛି। ହାତୀମାନେ ପାଣି ପିଇବା ପାଇଁ ଅସୁବିଧା ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/sffhfhfhfhfh.jpg)