ପୁରୁଣା ବିଏମ୍‌ସି ଅଫିସ୍‌ରେ ଡିଏସ୍‌ଆର ଅଫିସ୍‌ ଆଜିଠୁ, କର୍ପୋ‌ରେସନ୍‌ ବିନାନୁମତିରେ ଟେକିଦେଲେ

ଭୁବନେଶ୍ୱର: ବିଏମ୍‌ସି ମୁଖ୍ୟାଳୟ ଜନପଥସ୍ଥିତ ବିଏମ୍‌ସି-ଆଇସିଓଏମ୍‌ସି କୋଠାକୁ ଉଠି ଆସିବା ପରେ ପୁରୁଣା ଅଫିସ୍‌ରେ ଆସନ୍ତାକାଲିଠାରୁ ଦକ୍ଷିଣପୂର୍ବ ଜୋନ୍‌ ଅଫିସ୍‌ କାମ ଆରମ୍ଭ କରିବାକୁ ଯାଉଛି। ୪ ଦିନ ଧରି ସାମନ୍ତରାପୁର ଭଡ଼ା ଘରୁ ଏହି ଅଫିସ୍‌କୁ ସ୍ଥାନାନ୍ତର କରାଯାଇଛି। ପୁରୁଣା ଅଫିସ୍‌ରେ ଥିବା ପିଏମ୍‌ୟୁ ସେଲ୍‌ରେ ରାଜସ୍ବ ସେକ୍ସନ ବସିବାକୁ ଥିବା ବେଳେ ତଳ ମହଲାରେ ଜେଡ୍‌ଡିସି ପ୍ରିୟବ୍ରତ ପାଢ଼ୀଙ୍କ ସମେତ ଅନ୍ୟ ଅଧିକାରୀମା‌ନଙ୍କ ପାଇଁ ବସିବା ବ୍ୟବସ୍ଥା ହୋଇଛି। ଆସନ୍ତାକାଲିଠାରୁ ବିଧିବଦ୍ଧ ଭାବରେ ଏଠାରେ ଜୋନ୍‌ ଅଫିସ କାମ କରିବ। ଏଣୁ ଅଭି‌ଯୋଗ ହେଉ କି ଅନ୍ୟ ଯେକୌଣସି କାମ ପାଇଁ ଦକ୍ଷିଣପୂର୍ବ ଜୋନ୍‌ ବାସିନ୍ଦା କଳ୍ପନା ଛକରେ ଥିବା ବିଏମ୍‌ସିର ପୁରୁଣା ଅଫିସ୍‌କୁ ଆସିବା ପାଇଁ କୁହାଯାଇଛି।

ଅନ୍ୟପଟେ ଭୁବନେଶ୍ବର ଓ ଖଣ୍ଡଗିରି ସବ୍‌-ରେଜିଷ୍ଟର୍‌ କାର୍ଯ୍ୟାଳୟ ମଧ୍ୟ ଏଠାରେ କାମ କାମ କରିବ। ଏ ନେଇ ବିଏମ୍‌ସି ଗତକାଲି ବିଜ୍ଞପ୍ତି ଜାରି କରିଛି। ଅବ୍ୟବହୃତ ସରକାରୀ ଅଫିସକୁ ଅନ୍ୟ ଅଫିସ୍‌ ପାଇଁ ବ୍ୟବହାର କରିବାକୁ ସରକାରୀ ନିୟମ ରହିଥିବାରୁ ଅତିରିକ୍ତ କମିସନର ସୂର୍ଯ୍ୟବଂଶୀ ମୟୂର ବିକାଶ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହି ଦୁଇଟି କାର୍ଯ୍ୟାଳୟ ବିଏମ୍‌ସିର ଦୁଇଟି ଇଞ୍ଜିନିୟରିଂ ସେକ୍ସନରେ କାମ କରିବ। ଏହି ଦୁଇଟି ଇଞ୍ଜିନିୟରିଂ ସେକ୍ସନ ଦୁଇ ଜୋନ୍‌ ଅଫିସ୍‌କୁ ସ୍ଥାନାନ୍ତର ହେବ। ଇଞ୍ଜିନିୟରିଂ ସେକ୍ସନ ଡିଭିଜନ୍‌-୧ ଅଫିସ କଳିଙ୍ଗ ହସ୍‌ପିଟାଲ୍‌ ଛକରେ ଥିବା ଉତ୍ତର ଜୋନ୍‌ ଅଫିସ ପରିସରକୁ ଯିବ। ଡିଭିଜନ୍‌-୨ ରେଣ୍ଟାଲ୍‌ କଲୋନିରେ ଥିବା ଦକ୍ଷିଣ ପଶ୍ଚିମ ଜୋନ୍‌ ଅଫିସ୍‌କୁ ଯିବ। ନୂଆ କରି ତିଆରି ହୋଇଥିବା ଡିଭିଜନ୍‌-୩ ଇଞ୍ଜିନିୟରିଂ ସେକ୍ସନ ଏହି ପୁରୁଣା କୋଠାରେ ରହିବ। ଦୁଇ ଡିଏସ୍‌ଆର ଅଫିସ୍‌ ପାଇଁ ଦୁଇ ଇଞ୍ଜିନିୟରିଂ ଡିଭିଜନ୍‌କୁ ଖାଲି କରାଯାଇଛି। ଗତକାଲିଠାରୁ ଉଭୟ ଅଫିସ୍‌ ସ୍ଥାନାନ୍ତର ହେବାରେ ଲାଗିଛି। ଆଜି ସନ୍ଧ୍ୟାରେ ମଧ୍ୟ ସିଫ୍ଟିଂ ଚାଲିଥିବା ପରିଲକ୍ଷିତ ହୋଇଛି। ଇଞ୍ଜିନିୟରିଂ ସେକ୍ସନ ଛଡ଼ା ବିଏମ୍‌ସି ରିକ୍ରିଏସନ୍‌ କ୍ଲବ୍‌ରେ ମଧ୍ୟ ଟେବୁଲ୍‌ ଚେୟାର ପଡ଼ିଛି। ଏହାକୁ କେତେକ ବିରୋଧ କରିଛନ୍ତି।

ଦକ୍ଷିଣ-ପୂର୍ବ ଜୋନ୍‌ ଅଫିସ୍‌ ବି ଚାଲିବ
ଦୁଇ ଜୋନ୍‌ ଅଫିସ୍‌କୁ ଗଲା ଇଞ୍ଜିନିୟରିଂ ସେକ୍ସନ

ତିନିଟି ଇଞ୍ଜିନିୟରିଂ ସେକ୍ସନ ବିଏମ୍‌ସି ପୁରୁଣା କୋଠାର ଉପର ତଳ ମହଲା ହୋଇ ଗୋଟିଏ ଜାଗାରେ ଥିଲା। ବିଭିନ୍ନ ପ୍ରକାର ସମୀକ୍ଷା ବୈଠକ ପାଇଁ ସୁବିଧା ହେଉଥିଲା। ତା’ ଛଡ଼ା ଉଭୟ ଅଫିସ୍‌ର ଗଦା ଗଦା ଫାଇଲ୍‌ ଏବେ ଉଭୟ ଜାଗାକୁ ବୋହି ନେବା କାଠିକର ପାଠ ହେବ। ଏହି ସେକ୍ସନରୁ ଫାଇଲ୍‌ ଗାୟବ ହୋଇଯାଇଥିବାରୁ ମାମଲା ଲୋକାୟୁକ୍ତରେ ପହଞ୍ଚିବା ପରେ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ କରୁଛି। ଏବେ ଏ ସବୁକୁ ବୋହି ନେବା ବେଳେ ଫାଇଲ୍‌ ହଜିବା ସମ୍ଭାବନା ରହିଛି। ଅନ୍ୟପଟେ କେତେକ ଠିକାଦାର ମଧ୍ୟ ଏହି ସ୍ଥାନାନ୍ତର ନିଷ୍ପତ୍ତିକୁ ବିରୋଧ କରିଛନ୍ତି। ଉଭୟ ସେକ୍ସନର ଅଞ୍ଚଳ ଏହି ନୂଆ ଠିକଣାଠାରୁ ବହୁ ଦୂରକୁ ଚାଲିଯିବ। ଏଣୁ ସେମାନଙ୍କୁ ସମସ୍ୟା ହେବ ବୋଲି ସେମାନେ ଏହାକୁ ବିରୋଧ କରିବା ସହ ଗୋଟିଏ ଜାଗାରେ, ନୂଆ କିମ୍ବା ପୁରୁଣା କୋଠାରେ ରଖିବା ପାଇଁ ଦାବି କରିଛନ୍ତି।

ଏ ନେଇ ଆସନ୍ତାକାଲି ସେମା‌ନେ କମିସନରଙ୍କୁ ଭେଟିବେ ବୋଲି କହିଛନ୍ତି। ତେବେ ବଡ଼ କଥା ହେଉଛି, ନିକଟ ଭବିଷ୍ୟତରେ କର୍ପୋରରେସନ୍‌ ବୈଠକ ବସିବାକୁ ରହିଛି। କର୍ପୋରେସନ୍‌ର ବିନାନୁମୋଦନରେ ଏଭଳି ସ୍ଥାନାନ୍ତରକୁ ସେମାନେ ବିରୋଧ କରିବା ସହ ଏହାକୁ ପ୍ରସଙ୍ଗ କରିବାକୁ କହିଛନ୍ତି।

ପୁରୁଣା କୋଠାରେ ଦକ୍ଷିଣ-ପୂର୍ବ ଜୋନ୍‌ ଅଫିସ୍‌ ଓ ଦୁଇ ସବ୍‌ରେଜିଷ୍ଟର୍‌ ଅଫିସ୍‌ ଏଭଳି ତିନିଟି ନୂଆ ଅଫିସ୍‌ କାମ କରିବ। ତା’ ସହ ଏଠାରେ ଭେଇକିଲ୍‌ ଓ ଷ୍ଟୋର୍‌ ସେକ୍ସନ ମଧ୍ୟ କାମ କରିବ। ଅନ୍ୟ ପୁରୁଣା ଅଫିସଗୁଡ଼ିକ ତାଲା ପଡ଼ିବ। ତେବେ ବଡ଼ କଥା ହେଉଛି, ନୂଆ କୋଠା (ବିଏମ୍‌ସି-ଆଇସିଓଏମ୍‌ସି)ରେ ଫାଇଲ୍‌ ରଖିବା ପାଇଁ ଜାଗା ନାହିଁ କିମ୍ବା ବିଏମ୍‌ସିର ପୁରୁଣା ବଡ଼ ବଡ଼ ଆଲମାରି ରଖିବା ପାଇଁ ଅନୁମତି ନାହିଁ। ଏଣୁ ଫାଇଲ୍‌ ସବୁ ଚଟାଣରେ ଗଦା ହୋଇରହୁଛି। ବିଭିନ୍ନ ସେକ୍ସନର ଅନେକ ଗୁରୁତ୍ବପୂର୍ଣ୍ଣ ଫାଇଲ୍‌ ରହିଛି। ଏଣୁ ସେହି ସବୁ ଗୁରୁତ୍ବପୂର୍ଣ୍ଣ ଫାଇଲ୍‌କୁ ପୁରୁଣା ଅଫିସ୍‌ ଆଲମାରିରେ ତାଲା ପକାଇ ରଖାଯାଇଛି। ଆବଶ୍ୟକ ପଡ଼ିଲେ, କର୍ମଚାରୀମାନେ ଆସି ଏଠାରୁ ନେଇ ବ୍ୟବହାର କରୁଛନ୍ତି। ବିଶେଷକରି ବିଧି ଉପବିଭାଗ(ଲ’ ସେକ୍ସନ)ର ଅଧିକାଂଶ ଗୁରୁତ୍ବପୂର୍ଣ୍ଣ ଫାଇଲ୍‌ ରହିଛି। ସେ ସବୁ ପୁରୁଣା ଅଫିସରେ ରହିଛି। ଏଣୁ ଏଠାରେ ନୂଆ ନୂଆ ଅଫିସ୍‌ ଖୋଲିଲେ ଗହଳି ଜମିବ। ଏ ସବୁ ଗୁରୁତ୍ବପୂର୍ଣ୍ଣ ଫାଇଲ୍‌ ସୁରକ୍ଷିତ ରହିବ କି ନାହିଁ, ସେ ନେଇ ପ୍ରଶ୍ନ ଉଠିଛି।

ସମ୍ବନ୍ଧିତ ଖବର