ପୁରୁଣା ଭୁବନେଶ୍ୱର: ମୂର୍ତ୍ତି ନିର୍ମାଣରେ ବ୍ୟସ୍ତ ମାଟି କାରିଗର। ବିଭିନ୍ନ ଅସ୍ଥାୟୀ ତମ୍ବୁ ଓ ପୂଜା ମଣ୍ଡପରେ ବିଭିନ୍ନ ମୃଣ୍ମୟ ମୂର୍ତ୍ତି କାମ ଆରମ୍ଭ ହୋଇଛି। କାରଣ ଆଉ ଦିନ କେଇଟା ପରେ ଆସୁଛି ପାର୍ବଣ ଋତୁ। ବନ୍ୟା ଯୋଗୁଁ ମୂର୍ତ୍ତ କାରିଗର ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବନ୍ୟା ଯୋଗୁଁ ବାଉଁଶ, କତା, ସୁତୁଲିର ଅଭାବ ଦେଖା ଦେଇଛି। ଫଳରେ ପ୍ରତିବର୍ଷ ରାଜଧାନୀରେ ମାଟି ସମସ୍ୟାର ସମ୍ମୁଖୀନ ହେଉଥିବା କାରିଗର ପାଇଁ ଏବେ ନୂଆ ସମସ୍ୟା ଉଭା ହୋଇଛି।

Advertisment

ପାର୍ବଣର ପ୍ରଥମରେ ଆସୁଛନ୍ତି ପାର୍ବତୀ ନନ୍ଦନ ଗଣପତି। ଏଥିପାଇଁ ଗଣେଶଙ୍କ ମୃଣ୍ମୟ ମୂର୍ତ୍ତି ପ୍ରସ୍ତୁତି ଜୋରସୋର୍‌ରେ ଚାଲିଛି। ମୂର୍ତ୍ତି ତିଆରି ପାଇଁ କାରିଗରମାନେ ମଧ୍ୟ ଖୁବ୍ ତତ୍ପର ହୋଇ ପଡ଼ିଛନ୍ତି। ରାଜଧାନୀରେ ୫୦ରୁ ଅଧିକ ସ୍ଥାନରେ ମୂର୍ତ୍ତି ତିଆରି ଚାଲିଥିବା ବେଳେ କେବଳ ପୁରୁଣା ଭୁବନେଶ୍ବରରେ ୩୦ରୁ ଅଧିକ ସ୍ଥାନରେ ମୂର୍ତ୍ତି ତିଆରି ଚାଲିଛି। ତେବେ ବନ୍ୟା ‌ଯୋଗୁଁ ମୂର୍ତ୍ତି ପାଇଁ ଆବଶ୍ୟକ କତା ଦଉଡ଼ି ଓ ସୁତୁଲି ମଧ୍ୟ କମ ପରିମାଣରେ ମିଳୁଛି। ଗରୁତ୍ବପୂର୍ଣ୍ଣ କଥା ହେଉଛି କାରିଗରଙ୍କୁ ମାଟି ମିଳିବା କଷ୍ଟ ହୋଇଛି। ରାଜଧାନୀରେ ମୂର୍ତ୍ତି ନିର୍ମାଣ ପାଇଁ ମାଟିର ଘୋର ଅଭାବ ରହିଛି। ଏବେ ବନ୍ୟା ଯୋଗୁଁ ନଦୀ ପଠାରୁ ମାଟି ଆସିପାରୁ ନାହିଁ। ତେଣୁ ମାଟି ଦର ବି ବଢ଼ିଯାଇଛି।

ପୂର୍ବରୁ ଗୋଟିଏ ଟ୍ରାକ୍ଟର ମାଟିର ଦାମ୍ ୧୨ ଶହ ଟଙ୍କା ଥିବାବେଳେ ଏବେ ଦର ୪ ହଜାରରୁ ୬ ହଜାର ଟଙ୍କା ହୋଇଛି। ମୂର୍ତ୍ତି ପାଇଁ ଏବେ ମାଟି ଧଉଳି ନିକଟ ନଦୀ ଓ ଗଙ୍ଗୁଆରୁ ଆସୁଛି। ବନ୍ୟା ପୂର୍ବରୁ ମାଟିକୁ ଗଚ୍ଛିତ ରଖିଥିବା ବ୍ୟବସାୟୀ ଚଢ଼ା ଦାମରେ ବିକ୍ରି କରୁଛନ୍ତି। ପୂର୍ବରୁ ସାରଙ୍ଗି ବାଉଁଶରେ ମୂର୍ତ୍ତି କରାଯାଉଥିଲା। ମାତ୍ର ଏହି ବାଉଁଶର ଅଭାବ ଯୋଗୁଁ ଏବେ ଚାକୁଣ୍ଡା କିମ୍ବା ଆକାଶିଆ ଗଛର କାଠରେ ମୂର୍ତ୍ତି ନିର୍ମାଣ କରାଯାଉଛି। ତେବେ ଏହି ସାମଗ୍ରୀ ଅଭାବ ଯୋଗୁଁ ମୂର୍ତ୍ତିର ଦାମ ବଢ଼ୁଛି ବୋଲି ମୂର୍ତ୍ତି କାରିଗର ଟିକମ ମହାପାତ୍ର କହିଛନ୍ତି। ଗୋସାଗରେଶ୍ବର ଅଞ୍ଚଳର ମୂର୍ତ୍ତି ବ୍ୟବସାୟୀ କୁହନ୍ତି ବିଶେଷ କରି ପୁରୀ ଜିଲ୍ଲାରୁ ମାଟି, କତା ଦଉଡ଼ି ଓ ସୁତୁଲି ଆସିଥାଏ। ତେବେ ସେହି ଜିଲ୍ଲାରେ ବନ୍ୟା ପ୍ରଭାବିତ ହୋଇଥିବାରୁ ମୂର୍ତ୍ତି ପାଇଁ ସାମଗ୍ରୀର ଅଭାବ ଦେଖା ଦେଇଛି। ଅନ୍ୟତମ ମୂର୍ତ୍ତି ବ୍ୟବସାୟୀ ଅରୁଣ ମହାପାତ୍ରଙ୍କ କୁହନ୍ତି ଗ୍ରାହକଙ୍କ ଚାହିଦା ଅନୁଯାୟୀ ମୂର୍ତ୍ତି ତିଆରି କରାଯାଇ ଯୋଗାଇ ଦିଆଯିବ।

ବଢ଼ୁଛି ବାରଙ୍ଗ ତିଆରି ମୂର୍ତ୍ତି ଚାହିଦା

ବାରଙ୍ଗ: ବହୁ ପୂର୍ବରୁ ବାରଙ୍ଗ ଅଞ୍ଚଳର ଶିଳ୍ପୀଙ୍କ ହାତ ତିଆରି ଗଣେଶ ମୂର୍ତ୍ତିର ଚାହିଦା ରହିଆସିଛି। ଗଢ଼ଣ, କାରୁକାର୍ଯ୍ୟ ଓ ଦାମ ପାଇଁ ଉଭୟ କଟକ ଓ ଭୁବନେଶ୍ବରର ଲୋକେ ଏହି ଅଞ୍ଚଳରୁ ମୂର୍ତ୍ତି କିଣି ନେଇଥାଆନ୍ତି। ସେହିଭଳି ବାଙ୍କୀ, ଆଠଗଡ଼, ବଡ଼ମ୍ବା, ନରସିଂହପୁର ଆଦି ଅଞ୍ଚଳରୁ ବି ଏଠାରୁ ମୂର୍ତ୍ତି ନେବା ପାଇଁ ବରାଦ ଆସିଥାଏ। ତେଣୁ ଏବେ ଫୁଲପୋ‌ଖରୀ, କୁସିନ୍ଦା ଓ ଗୋଡ଼ିସାହି ଆଦି ଅଞ୍ଚଳର ମୂର୍ତ୍ତି ଶିଳ୍ପୀମାନେ ବ୍ୟସ୍ତ ରହିଥିବା ଦେଖିବାକୁ ମିଳିଛି।

କରୋନା ମହାମାରୀ ପାଇଁ ଦୁଇ ବର୍ଷ ହେଲା ଗଣେଶ ପୂଜା ସମେତ ବିଭିନ୍ନ ପୂଜା ଉପରେ କଟକଣା ରହିଥିଲା। ତେଣୁ ବାରଙ୍ଗ ଅଞ୍ଚଳରେ ମୂର୍ତ୍ତି କାରିଗରଙ୍କ ବେପାର ମାନ୍ଦା ପଡ଼ିଥିଲା। ଚଳିତ ବର୍ଷ କରୋନା କଟକଣା ଉଠିଥିବାରୁ ମୂର୍ତ୍ତି କାରିଗରଙ୍କ ହାତ ଚଳଚଞ୍ଚଳ ହୋଇପଡ଼ିଛି। ଏବର୍ଷ ଗଣେଶ ମୂର୍ତ୍ତିର ଚାହିଦା ଆହୁରି ବୃଦ୍ଧି ପାଇଥିବା ସେମାନେ କହିଛନ୍ତି। ଏବେ ବାରଙ୍ଗର କୁମ୍ଭକାର ଗାଁ ଭାବେ ପରିଚିତ ଫୁଲପୋଖରୀ, କୁସିନ୍ଦା ଓ ଗୋଡ଼ିସାହିର କୁମ୍ଭକାରମାନେ ଆକର୍ଷଣୀୟ ଗଣେଶ ମୂର୍ତ୍ତି ନିର୍ମାଣରେ ଲାଗି ପଡ଼ିଛନ୍ତି। ୬ ଇଞ୍ଚରୁ ଆରମ୍ଭ କରି ୧୦ ଫୁଟ୍ ଉଚ୍ଚତା ପର୍ଯ୍ୟନ୍ତ ଶହ ଶହ ସଂଖ୍ୟାରେ ମୂର୍ତ୍ତି ନିର୍ମାଣ ‌କରାଯାଉଛି। ବାରଙ୍ଗ, କଟକ ଓ ଭୁବନେଶ୍ବରର ବିଭିନ୍ନ ପୂଜା ମଣ୍ଡପର କର୍ମକର୍ତ୍ତାମାନେ ବଇନା ଦେଇ ସାରିଛନ୍ତି।

କୁସିନ୍ଦାର ଜଣାଶୁଣା ଶିଳ୍ପୀ ସୁଶାନ୍ତ ବେହେରାଙ୍କ ସୂଚନାନୁସା‌ରେ ବର୍ତ୍ତମାନ ସୁଦ୍ଧା ତାଙ୍କୁ କଟକର ୨୦ ମଣ୍ଡପରୁ ଓ ଭୁବନେଶ୍ବରର ୫ ମଣ୍ଡପରୁ ବଇନା ମିଳିସାରିଛି। ପ୍ରାୟ ୬ ଫୁଟ୍‌ ଉଚ୍ଚତା ବିଶିଷ୍ଟ ମୂର୍ତ୍ତି ପାଇଁ ବରାଦ ମିଳିଛି। ଫୁଲପୋଖରୀର ମୂର୍ତ୍ତିକାର ନବ ବେହେରାଙ୍କ କହିବା କଥା ତାଙ୍କୁ ଭୁବନେଶ୍ବରରୁ ପ୍ରାୟ ୧୫ଟି ଓ କଟକରୁ ୭ଟି ବଡ଼ ମୂର୍ତ୍ତି ପାଇଁ ବରାଦ ମିଳିଛି। ସେହିଭଳି ପିତାମ୍ବର ବେହେରାଙ୍କୁ ଭୁବନେଶ୍ବରରୁ ୬ଟି ଓ କଟକରୁ ପ୍ରାୟ ୧୨ଟି ବଡ଼ ମୂର୍ତ୍ତି ପାଇଁ ବଇନା ମିଳିଛି। ଏହାବାଦ୍ ବାଙ୍କୀ, ଚୌଦ୍ବାର, ଆଠଗଡ଼ ଭଳି ଅଞ୍ଚଳରୁ ମଧ୍ୟ କିଛି କିଛି ବରାଦ ଆସିଛି। ସେହିଭଳି ସ୍ଥାନୀୟ ଗ୍ରାମାଞ୍ଚଳରୁ ବିଭିନ୍ନ କ୍ଲବ୍‌ ଓ ଅନ୍ୟାନ୍ୟ ଅନୁଷ୍ଠାନରୁ ମଧ୍ୟ ମୂର୍ତ୍ତି ବରାଦ ମିଳିଛି। ସେମାନେ ପ୍ରାୟ ୪ ଫୁଟ୍‌ ଉଚ୍ଚତା ବିଶିଷ୍ଟ ମୂର୍ତ୍ତି ପାଇଁ ଆଗ୍ରହ ଦେଖାଇଛନ୍ତି। ମୂର୍ତ୍ତି ଗଢ଼ା ସରିଛି। ଏବେ ରଙ୍ଗ କାର୍ଯ୍ୟ ଚାଲୁ ରହିଛି। ପୂଜା ପାଇଁ ଆଉ କମ୍ ଦିନ ଥିବାରୁ କୁମ୍ଭକାରମାନେ ଦିନରାତି ଅନିଦ୍ରା ହୋଇ ଲାଗି ପଡ଼ିଛନ୍ତି। ଏବର୍ଷ ଦି’ପଇସା ରୋଜଗାର କରିବାକୁ ଥିବାରୁ ସେମାନେ ଖୁସି ଥିବା ଜଣାପଡ଼ିଛି।