ଖଣ୍ଡଗିରି: ଗତକାଲି କେଜି ପ୍ରତି ୬୦ ଟଙ୍କାରେ ବିକ୍ରି ହେଉଥିଲା ଦେଶୀ ପୋଟଳ। କୋଲକାତା ପୋଟଳର ଦାମ୍ ଥିଲା ୨୫ ଟଙ୍କା। ଆଜି ଅଚାନକ ଦେଶୀ କେଜି ପ୍ରତି ୩୫ରୁ ୪୦ ଏବଂ କୋଲକାତି ୧୭ ଟଙ୍କାକୁ ଖସି ଆସିଛି। କେବଳ ଏହି ଗୋଟିଏ ପରିବା ନୁହେଁ, ବର୍ଷା ଯୋଗୁଁ ଭୁବନେଶ୍ବର ପାଇକାରୀ ବଜାରକୁ ଖୁଚୁରା ବ୍ୟବସାୟୀ ଓ ଗ୍ରାହକ ନ ଆସିବାରୁ କେଇ ଘଣ୍ଟା ମଧ୍ୟରେ ଅଧିକାଂଶ ପରିବାରର ଦର ଅଚାନକ କମି ଯାଇଥିଲା। ଏଥିଯୋଗୁଁ ଗ୍ରାହକଙ୍କ ମୁହଁରେ ହସ ଫୁଟିଲା, କିନ୍ତୁ ବିକ୍ରେତାଙ୍କ ଚିନ୍ତା ବଢ଼ି ଯାଇଥିଲା। ତେବେ ଆସନ୍ତାକାଲି ସ୍ଥିତି ସ୍ବାଭାବିକ ହୋଇଯିବ ବୋଲି ପରିବା ବ୍ୟବସାୟୀମାନେ ଆଶା କରିଛନ୍ତି।
ପରିବା ବ୍ୟବସାୟୀ ସଂଘର କବିରାଜ ସ୍ବାଇଁଙ୍କ ଅନୁସାରେ, ବର୍ଷା ସତ୍ତ୍ବେ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ସ୍ଥାନରୁ ବଡ଼ଟ୍ରକରେ ୬୦ରୁ ୭୦ ଟନ୍ ବିଭିନ୍ନ ପରିବା ଆସିଥିଲା। ଏହା ସହିତ ପ୍ରାୟ ୨୦୦ଟି ଛୋଟଗାଡ଼ିରେ ଆହୁରି ପର୍ଯ୍ୟାପ୍ତ ପରିବା ବଜାରରେ ପହଞ୍ଚିଥିଲା। ଦିନ ତମାମର ଝିପିଝିପି ବର୍ଷା ସହିତ ବଢୁଥିବା ଥଣ୍ଡା ଯୋଗୁଁ ପାଣି ଜମି ସନ୍ତସନ୍ତିଆ ରାସ୍ତାକୁ କେହି ବାହାରିଲେ ନାହିଁ। ଫଳରେ ମାତ୍ର ଗୋଟିଏ ଦିନରେ ବାଇଗଣ କେଜି ୩୦ରୁ ୧୫ ଟଙ୍କା, ଗାଜର ୩୦ରୁ ୧୫, ବନ୍ଧାକୋବି ୧୨ରୁ ୮, କଖାରୁ ୧୫ରୁ ୧୩କୁ ହ୍ରାସ ପାଇଯାଇଛି। ତେବେ ଫୁଲକୋବି ପୂର୍ବଭଳି ୨୦ ଟଙ୍କା, ଭେଣ୍ଡି ଓ କଲରା ୨୫ରୁ ୩୦ ଟଙ୍କା ଏବଂ ବିନ୍ ୬୦ ଟଙ୍କା କେଜି ବିକ୍ରି ହୋଇଛି। ଏସବୁ ପରିବା ମୂଲ୍ୟରେ ବିଶେଷ ଫରକ ହୋଇନାହିଁ।
ମହାରାଷ୍ଟ୍ରରୁ ଆସିଲା ପିଆଜ
ମହାରାଷ୍ଟ୍ରର ନାସିକରୁ ଆସିଲା ପିଆଜ। ଆଜି ଆଇଗିଣିଆ ପାଇକାରୀ ବଜାରରେ ପିଆଜ ୩୫ରୁ ୪୫ ଟଙ୍କା ମଧ୍ୟରେ ବିକ୍ରି ହୋଇଥିବା କହିଛନ୍ତି ବ୍ୟବସାୟୀ ସଂଘର ଶକ୍ତି ମିଶ୍ର। ନାସିକ୍ରେ ଅଦିନିଆ ବର୍ଷା ଯୋଗୁଁ ପିଆଜ ଉତ୍ପାଦନ ବାଧାପ୍ରାପ୍ତ ହୋଇଥିଲା। ଏଥିଯୋଗୁଁ ଦର ଆକାଶ ଛୁଇଁଥିଲା। ସ୍ଥିତି ଏଭଳି ହୋଇଥିଲା ଯେ ବିଭିନ୍ନ ବଜାରରେ ୬୦ରୁ ୭୦ ଟଙ୍କାରେ ପିଆଜ ବିକ୍ରି ହୋଇଥିଲା। ଲୋକଙ୍କ କଡ଼େଇରୁ ପିଆଜ ଉଭାନ ହୋଇଯାଇଥିଲା। ଏହାକୁ ନେଇ ଲୋକେ ରାଜରାସ୍ତାକୁ ଓହ୍ଲାଇଥିଲେ। ବିରୋଧୀ ଦଳ କଂଗ୍ରେସ ପିଆଜ ବିକ୍ରି କରିଥିଲା। ନାଫେଡ୍ ପକ୍ଷରୁ ମଧ୍ୟ ବିଭିନ୍ନ ସ୍ଥାନରେ ପିଆଜ ବିକ୍ରି କରାଯାଇ ଥିଲା। ବର୍ତ୍ତମାନ ନାସିକରୁ ପିଆଜ ଆସିବା ପରେ ଦର ନିୟନ୍ତ୍ରିତ ହେବ ବୋଲି ଆଶା କରାଯାଉଛି। ତେବେ ଏବେ ନାସିକ୍ରୁ ଯେଉଁ ପିଆଜ ଆସିଛି, ତାହା ସେତେଟା ଉନ୍ନତମାନର ନୁହେଁ। ନୂଆ ପିଆଜ ହୋଇଥିବାରୁ ଏହାର ଗୁଣାତ୍ମକମାନରେ ସମସ୍ୟା ରହିଛି। ବିଭିନ୍ନ ସ୍ଥାନରେ ଦାଗ ମଧ୍ୟ ଦେଖିବାକୁ ମିଳୁଛି। ତେବେ ଖୁବ ଶୀଘ୍ର ସ୍ଥିତି ସ୍ବାଭାବିକ ହେବ ବୋଲି ଆଶା ରହିଛି। ସୂଚନା ଅନୁଯାୟୀ, ଓଡ଼ିଶାରେ ପ୍ରତିବର୍ଷ ୩.୫୫ ଲକ୍ଷ ମେଟ୍ରିକ ଟନ୍ ପିଆଜର ଆବଶ୍ୟକତା ଥାଏ। ସେହି ଅନୁଯାୟୀ ରାଜ୍ୟ ଉତ୍ପାଦନ ମଧ୍ୟ କରିଥାଏ। କିନ୍ତୁ ଏହା କେବଳ ନିର୍ଦ୍ଦିଷ୍ଟ ସମୟ ହେଉଥିବାରୁ ବର୍ଷସାରା ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିପାରେ ନାହିଁ। ତେଣୁ ପିଆଜ ପାଇଁ ଓଡ଼ିଶାକୁ ନାସିକ ଓ ଆନ୍ଧ୍ରପ୍ରଦେଶ ଉପରେ ନିର୍ଭର କରିବାକୁ ପଡ଼େ।