ମୃତ୍ୟୁ ପରେ ଗୁମର ଫିଟୁଛି: ୫ ମାମଲାରେ ନିର୍ଦ୍ଦୋଷ ଥିଲେ ଦୁଲାଲ

ସ୍ତ୍ରୀଙ୍କ ଅଭିଯୋଗ: ସବୁ ମାମଲା ମିଛ

ଭୁବନେଶ୍ବର: ବାପା ଘର ଛାଡ଼ିଲାବେଳେ ଝିଅ ଫାଲ୍‌ଗୁନିକୁ ୫ ବର୍ଷ ଓ ପୁଅ ଜୟକୁ ୩ ବର୍ଷ ହୋଇଥିଲା। ଏହା ଭିତରେ ୧୨ ବର୍ଷ ବିତିଯାଇଥିଲା ଓ ସେମାନେ ବାପାଙ୍କ ମୁହଁ ଦେଖିପାରି ନ ଥିଲେ। ସେତେବେଳର ୫ ବର୍ଷର ଝିଅ ବାପାଙ୍କ ମୁହଁକୁ କିଛି ଦିନ ପାଇଁ ମନେ ରଖିବାକୁ ସକ୍ଷମ ହୋଇଥିଲେ ବି ପରେ ଭୁଲି ଯାଇଥିଲା। ୩ ବର୍ଷର ପୁଅ ବାପାଙ୍କ ମୁହଁ ମୋଟେ ମନେ ରଖି ନଥିଲା। କିନ୍ତୁ ଦିନେ କାରାବାସ ସରିବ ଓ ବାପା ସେମାନଙ୍କ ପାଖକୁ ଫେରିଆସିବେ ବୋଲି ସେମାନେ ନିଶ୍ଚିତ ଥିଲେ। ମାତ୍ର ହଠାତ୍ ୧୨ ବର୍ଷ ପରେ ସେମାନେ ଏମିତି ଅଚାନକ ବାପାଙ୍କ ମଲାମୁହଁ ଦେଖିବେ ବୋଲି କେବେ ଭାବିନଥିଲେ। ଆଜି ବାପାଙ୍କ ମୃତଦେହ ଦେଖିବା ପରେ ସେମାନେ ଭୋଭୋ କାନ୍ଦି ପକାଇଥିଲେ। ସେମାନଙ୍କ ଛାତିଫଟା କୋହ ଓ ଲୁହ ସେଠ‌ାରେ ଉପସ୍ଥିତ ଲୋକଙ୍କ ଆଖିରୁ ଲୁହ ଝରାଇ ଦେଇଥିଲା। ସେହିଭଳି ୧୨ ବର୍ଷ ପରେ ସ୍ତ୍ରୀ ଆଖି ଆଗରେ ସ୍ବାମୀଙ୍କ ମୃତଦେହ ଦେଖି ନିଜକୁ ସମ୍ଭାଳି ପାରିନଥିଲେ। ମୁଣ୍ଡ ପିଟି କାନ୍ଦିଥିଲେ। ଆଜି କ୍ୟାପିଟାଲ ହସ୍ପିଟାଲର ଶବ ବ୍ୟବଚ୍ଛେଦ ଗୃହ ନିକଟରେ ଏମିତି କରୁଣ ଦୃଶ୍ୟ ସମସ୍ତଙ୍କୁ ସ୍ତବ୍ଧ କରି ଦେଇଥିଲା। ଝାରପଡ଼ା ଜେଲ୍‌ରେ ବିଚାରାଧୀନ କଏଦୀ ଓ ଅଭିଯୁକ୍ତ ମାଓବାଦୀ ରବି ଦୁଲାଲଙ୍କ ମୃତଦେହ ନେବାକୁ ଆସିଥିବା ସ୍ତ୍ରୀ ଓ ଦୁଇ ପିଲାଙ୍କ ଏମିତି ଅବସ୍ଥା ଆଜି ସମସ୍ତଙ୍କୁ ବିମର୍ଷ କରି ଦେଇଥିଲା।

ଗତ ୧୬ ତାରିଖରେ ଝାରପଡ଼ା ଜେଲ୍‌ ପରିସରରେ ପଡ଼ିଯିବାରୁ ମାଓବାଦୀ ଅଭିଯୋଗରେ ବନ୍ଦୀ ଥିବା ରବି ଦୁଲାଲଙ୍କର ମୃତ୍ୟୁ ଘଟିଥିଲା। ଆଜି ଅର୍ଥାତ୍ ୩ ଦିନ ପରେ ତାଙ୍କ ସ୍ତ୍ରୀ ପ୍ରତିମା ଦୁଲେ ଓ ଝିଅ ଫାଲ୍‌ଗୁନି, ପୁଅ ଜୟ ଓ ଅନ୍ୟ ଆତ୍ମୀୟସ୍ବଜନମାନେ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଥିଲେ। ‘ମିଥ୍ୟା ମୋକଦ୍ଦମା ବିରୋଧୀ ଅଭିଯାନ’ର କର୍ମକର୍ତ୍ତାମାନେ ତାଙ୍କ ପରିବାରକୁ ଠାବ କରି କ୍ୟାପିଟାଲ ହସ୍‌ପିଟାଲରେ ପହଞ୍ଚାଇଥିଲେ। ପଶ୍ଚିମବଙ୍ଗ ବାଙ୍କୁଡ଼ା ଜିଲ୍ଲା ବଡ଼ସାରଙ୍ଗା ଥାନା ଛୋଟତାରାଙ୍ଗା ଗାଁରୁ ଠାବ କରି ସେମାନଙ୍କୁ ଭୁବନେଶ୍ବର ଅଣାଯାଇଥିଲା। ଶୋକାକୁଳ ପରିବେଶରେ ମଧ୍ୟାହ୍ନରେ ଶବ ବ୍ୟବଚ୍ଛେଦ ହୋଇଥିଲା ଓ ପରିବାରକୁ ମୃତଦେହ ହସ୍ତାନ୍ତର କରାଯାଇଥିଲା। ଜେଲ୍‌ କର୍ତ୍ତୃପକ୍ଷ ରବିଙ୍କ ପରିବାରକୁ ବନ୍ଦୀ କଲ୍ୟାଣ ପାଣ୍ଠିରୁ ୧୦ ହଜାର ଓ ଅନ୍ତିମ ସଂସ୍କାର ପାଇଁ ୫ ହଜାର ଟଙ୍କା ପ୍ରଦାନ କରିଥିଲେ। ସେ ବନ୍ଦୀ ଭାବରେ ରହିବା ବେଳେ ଏଠାରେ ବିଭିନ୍ନ କାମରେ ନିୟୋଜିତ ଥିବାରୁ ୨୦ ହଜାର ଟଙ୍କା ପାଇବେ। ତେବେ ଉତ୍ତରାଧିକାରୀ ପ୍ରମାଣପତ୍ର ଦାଖଲ କରିବା ପରେ ଏହି ଅର୍ଥ ପ୍ରଦାନ କରାଯିବ ବୋଲି ଜେଲ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ।

ସ୍ତ୍ରୀଙ୍କ ଅଭିଯୋଗ: ସବୁ ମାମଲା ମିଛ
ପ୍ରତିମାଙ୍କ ସୂଚନାନୁସାରେ ରବିଙ୍କ ସାମାନ୍ୟ ମୁଣ୍ଡ ଦୋଷ ଥିଲା। ଦିନ ମଜୁରିଆ ଭାବେ କାମ କରୁଥିଲେ। ୨୦୦୮ ମସିହାରେ ସେ ଘରୁ ବାହାରି ଆସିଥିଲେ। ଭୁବନେଶ୍ବରରେ କାମଧନ୍ଦା ନ ପାଇ କିଛି ଦିନ ପରେ ସେ ଘରକୁ ଫେରିବାକୁ ବାହାରିଥିଲେ। ମାତ୍ର ଦୁର୍ଭାଗ୍ୟବଶତଃ ସେ ଭୁଲ୍‌ରେ ନୟାଗଡ଼ ବସ୍‌ରେ ଚଢ଼ି ଯାଇଥିଲେ ଓ ସେଠାରେ ପୁଲିସ ତାଙ୍କୁ ମାଓବାଦୀ ସନ୍ଦେହରେ ଗିରଫ କରିଥିଲା। ନୟାଗଡ଼ ଜିଲ୍ଲା ଦୌରାଜଜ୍ କୋର୍ଟରେ ୫ଟି ଓ ଦଶପଲ୍ଲା କୋର୍ଟରେ ୪ଟି ମକଦ୍ଦମା ତାଙ୍କ ନାଁରେ ଛନ୍ଦି ଦିଆଯାଇଥିଲା। ଅଭାବରୁ ସ୍ତ୍ରୀ ମାମଲା ଲଢ଼ି ପାରିନଥିଲେ। ତେବେ ୯ ମାମଲାରୁ ସେ ୫ଟିରେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଥିଲେ ଓ ଅନ୍ୟ ୪ଟି ମାମଲାରେ ସାକ୍ଷୀମାନେ ତାଙ୍କୁ ଚିହ୍ନି ପାରିନଥିଲେ। ତେଣୁ ମିଛ ମକଦ୍ଦମାରୁ ମୁକୁଳିବା ପାଇଁ ରାସ୍ତା ଖୋଲି ସାରିଥିଲା। ମାତ୍ର ଜେଲ୍‌ର ଅନ୍ଧାର କୋଠରିରୁ ମୁକୁଳିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଗଲା। ତେଣୁ ମିଛ ମାମଲାରେ ଛନ୍ଦି ତାଙ୍କ ନିରୀହ ସ୍ବାମୀଙ୍କୁ ମୃତ୍ୟୁ ମୁଖକୁ ଠେଲିଇଛି ବୋଲି ଆଜି କାନ୍ଦିକା ଦିଆଯାନ୍ଦି ପ୍ରତିମା ଅଭିଯୋଗ କରିଛନ୍ତି।

୫୦ ଲକ୍ଷ କ୍ଷତିପୂରଣ ଦାବି
ରବିଙ୍କୁ ମିଛ ମାମଲାରେ ମାଓବାଦୀ ସଜାଇ ଶେଷରେ ମୃତ୍ୟୁ ମୁଖକୁ ଠେଲି ଦେଇଥିବା ଅଭିଯୋଗ କରିଛି ‘ମିଥ୍ୟା ମକଦ୍ଦମା ବିରୋଧୀ ଅଭିଯାନ’। ଏଣୁ ତାଙ୍କ ଉତ୍ତରାଧିକାରୀଙ୍କୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦିଆଯାଉ ବୋଲି ଅଭିଯାନ ଦାବି କରିଛି। ରାଜ୍ୟ ଆବାହକ ନରେନ୍ଦ୍ର ମହାନ୍ତି ଓ ଉପଦେଷ୍ଟା ବିଶ୍ବପ୍ରିୟ କାନୁନ୍‌ଗୋ, ଆଇନଜୀବୀ ପ୍ରତିମା ଦାସ, ନିରଞ୍ଜନ ମହାନ୍ତି, ରାଜନୈତିକ ବନ୍ଦୀ ମୁକ୍ତି କମିଟିର ରୁମିତା କୁଣ୍ଡୁ, ସାମାଜିକ କର୍ମୀ ସ୍ୱାତୀ ମିଶ୍ର ଏ ନେଇ ମାନବାଧିକାର କମିସନଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ତା’ ସହିତ ସମସ୍ତ ବିଚାରାଧୀନ ବନ୍ଦୀ ଓ ବିଶେଷକରି ରାଜନୈତିକ ବନ୍ଦୀମାନଙ୍କ ବିଚାର ପ୍ରକ୍ରିୟା ତ୍ୱରାନ୍ବିତ କରିବାକୁ ସଂଗଠନ ପକ୍ଷରୁ ଦାବି କରାଯାଇଛି।

ସୂଚନାଯୋଗ୍ୟ, ୨୦୦୮ ମସିହାରେ ଦଶପଲ୍ଲା ଥାନା ପୋଡ଼ି ମାମଲାରେ ରବି ଗିରଫ ହେବା ପରେ ଝାରପଡ଼ା ଜେଲ୍‌‌ରେ ରହିଥିଲେ। ୧୬ ତାରିଖ ଦିନ ପାଣି ଆଣିବାବେଳେ ତଳେ ପଡ଼ି ଯାଇ ପ୍ରାଣ ହରାଇଥିଲେ। ଦୀର୍ଘ ୬୦ ଘଣ୍ଟା ପରେ ମିଥ୍ୟା ମକଦ୍ଦମା ବିରୋଧୀ ଅଭିଯାନ ଓ ରାଜନୈତିକ ବନ୍ଦୀ ମୁକ୍ତି କମିଟି ପକ୍ଷରୁ ପଶ୍ଚିମବଙ୍ଗର ମାନବାଧିକାର ସଂଗଠନ ମାସୁମ୍ ଓ ସିଡିଆର୍‌ଓ ସହ ଯୋଗାଯୋଗ କରାଯିବା ପରେ ରବି ଦୁଲେଙ୍କ ପତ୍ନୀ ପ୍ରତିମା, ସାନ ଭାଇ ଭୋଳାନାଥ, ଝିଅ ଫାଲ୍‌ଗୁନି, ପୁଅ ଜୟ, ଓ ଅନ୍ୟ ଆତ୍ମୀୟସ୍ୱଜନମାନେ ଗତରାତିରେ ଭୁବନେଶ୍ବରରେ ପହଂଚିଥିଲେ।

ସମ୍ବନ୍ଧିତ ଖବର