ଡମ୍ପିଂୟାର୍ଡ ନିଆଁ: ପଲିଥିନ୍‌ ସାଜିଛି ବିପଦ

ଭୁବନେଶ୍ବର: ଭୁବନେଶ୍ବର ଉପକଣ୍ଠ ଭୁଆସୁଣୀ ଡମ୍ପିଂୟାର୍ଡ ନିଆଁ ଲିଭୁନି। ବିଏମ୍‌ସି ପକ୍ଷରୁ ସେସ୍‌ପୁଲ ଦ୍ବାରା ଯେତେ ପାଣି ପକାଗଲେ ମଧ୍ୟ ନିଆଁର ପ୍ରକୋପ ବଢ଼ୁଛି ପଛେ, କମିବା ନାଁ ନେଉନି। ଏଥିପାଇଁ ୬ଟି ଗାଁର ଲୋକେ ଭୟରେ ଦିନ କାଟୁଛନ୍ତି। ପ୍ରତିଦିନ ବିଷାକ୍ତ ଧୂଆଁକୁ ଗ୍ରହଣ କରୁଥିଲେ ମଧ୍ୟ ସେମାନଙ୍କ ସମସ୍ୟା ପ୍ରତି କେହି ଧ୍ୟାନ ଦେଉନାହାନ୍ତି। ବିଏମ୍‌ସି କର୍ତୃପକ୍ଷ ସବୁ ଜାଣି ଆଖି ବୁଜି ଦେଇଥିବା ବେଳେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବି ନିରବଦ୍ରଷ୍ଟା ସାଜିଛି। ଦମକଳ ଗାଡ଼ି ଦ୍ବାରା ନିଆଁକୁ ନିୟନ୍ତ୍ରଣ କରିବା ପରିବର୍ତେ ପୂର୍ବଭଳି ସେସ୍‌ପୁଲ ଗାଡ଼ିରେ ପାଣି ପକାଯାଉଛି। ଚିନ୍ତାର କାରଣ ହେଉଛି ଯେ ନିଆଁ ନ ଲିଭିବା ପଛରେ ପଲିଥିନ୍‌ ଏବେ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି। ଡମ୍ପିଂୟାର୍ଡରେ ଯେତିକି ଅଳିଆ ପଡ଼ିଛି, ସେଥିରୁ ୭୦ପ୍ରତିଶତ କେବଳ ପଲିଥିନ୍‌। ଏହା ନିଆଁକୁ ବ୍ୟାପିବାରେ ସହାୟକ ହେଉଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବୈଜ୍ଞାନିକଙ୍କ କହିବା କଥା ହେଉଛି ଯେ ଭୁବନେଶ୍ୱର ପୁଣିଥରେ ପଲିଥିନ୍‌ମୟ ହୋଇଯାଇଛି। ଛୋଟ ଦୋକାନଠାରୁ ଆରମ୍ଭ କରି ବଡ଼ ମଲ୍ ପର୍ଯ୍ୟନ୍ତ, ସବୁଠି ବେଧଡ଼କ ପଲିଥିନ୍‌ ବ୍ୟବହାର ହେଉଛି। ଫଳସ୍ବରୂପ ସହରର ବିଭିନ୍ନ ଡମ୍ପିଂୟାର୍ଡରେ ପ୍ରତିଦିନ କୁଢ଼କୁଢ଼ ପଲିଥିନ୍ ସାଙ୍ଗକୁ ଅଳିଆ ଗଦା ହେଉଛି। ପ୍ରତିଦିନ ଭୁବନେଶ୍ୱରରୁ ୪ଶହ ମେଟ୍ରିକ୍ ଟନ୍ ସଲିଡ୍ ୱେଷ୍ଟ ବାହାରୁଛି। ଏଥିରେ ୭ରୁ ୮ ଟନ୍ ପ୍ଲାଷ୍ଟିକ୍‌ ଓ ପଲିଥିନ୍ ରହିଛି। ସେଗୁଡ଼ିକ ଡମ୍ପିଂୟାର୍ଡ‌ରେ ପଡ଼ିବାରୁ ଯେତେ ପାଣି ଢାଳିଲେ ମଧ୍ୟ ନିଆଁ ଲିଭୁନାହିଁ। କୁହୁଳିକୁହୁଳି ଧୂଆଁ ସୃଷ୍ଟି କରୁଛି। ଟିକିଏ ପବନ ହେବା କ୍ଷଣି ନିଆଁ ପୁଣିଥରେ ଜୋରରେ ଜଳୁଛି। ଏହାର ସ୍ଥାୟୀ ପ୍ରତିକାର ଦିଗରେ ପଦକ୍ଷେପ ନେବାକୁ ପଡ଼ିବ। ନ ହେଲେ ସେମିତି ଜଳୁଥିବ। ଏବେ ଖରା ଦିନ ହେଉଥିବାରୁ ନିଆଁର ପ୍ରକୋପ ଅଧିକ ରହିବ।

ବିଏମ୍‌ସିର ଜଣେ ଅଧିକାରୀ କହିଛନ୍ତି, ପ୍ଲାଷ୍ଟିକ୍ ବ୍ୟାଗ୍ ବ୍ୟବହାରକୁ ନିୟନ୍ତ୍ରଣ କରିବା ସହ ପରିବେଶ ସୁରକ୍ଷା ରଖିବା ଉଦ୍ଦେଶ୍ୟରେ ବିଏମ୍‌ସି ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯେଉଁଥିରେ ୫୦ ମାଇକ୍ରନରୁ କମ୍‌ ମୋଟେଇ ପଲିଥିନ୍ କିମ୍ବା ପ୍ଲାଷ୍ଟିକ୍ କ୍ୟାରିବ୍ୟାଗ୍ ବ୍ୟବହାର ଉପରେ କଟକଣା ଜାରି ହୋଇଛି। ଏଥିସହ ପିଲିଥିନ୍ ବ୍ୟବହାର ନେଇ ବ୍ୟବସାୟୀଙ୍କୁ ମାସିକ ୪ ହଜାର ଟଙ୍କା ପଞ୍ଜୀକରଣ ଶୁକ୍ଳ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଛି। ପଲିଥିନ୍ ବ୍ୟାନ୍‌ ନେଇ ବିଭିନ୍ନ ସମୟରେ ଚଢ଼ଉ କରାଯାଉଛି, ଜବତ କରାଯିବା ସହ ଜରିମାନା ବି ଆଦାୟ ହେଉଛି। କିନ୍ତୁ ସଚେତନତା ଅଭାବରୁ ଲୋକେ ନିୟମ ମାନୁନାହାନ୍ତି। ଆମେ କିଛି କରିପାରିବୁନି ବୋଲି ଅଧିକାରୀଜଣଙ୍କ କହିଛନ୍ତି। ପରିବେଶବିତ୍‌ଙ୍କ ମତରେ ପଲିଥିନ୍‌ ନିଆଁ ସବୁଠାରୁ ମାରାତ୍ମକ। ଏହା ପରିବେଶକୁ ଦୂଷିତ କରିବା ସହ ବିଭିନ୍ନ ରୋଗ ସୃଷ୍ଟି କରିଥାଏ। ବିଶେଷକରି ଚର୍ମ ଓ ଆଖି ରୋଗ ହେବାର ବହୁ ଆଶଙ୍କା ରହିଛି। କର୍କଟ ପରି ମାରାତ୍ମକ ରୋଗ ହୋଇପାରେ। ଭୁଆସୁଣୀ ଡମ୍ପିଂୟାର୍ଡ ନିକଟରେ ୬ଟି ଗାଁ ରହିଥିବାରୁ ସେଠାକାର ଲୋକେ ବହୁ ପରିମାଣରେ ପ୍ରଭାବିତ ହୋଇପାରନ୍ତି। ଏବେଠାରୁ ଉପଯୁକ୍ତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି।

ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିଦ ଭାଙ୍ଗିଲା
୧୫ ଦିନ ହେଲା ଡମ୍ପିଂୟାର୍ଡ ନିଆଁ ଜଳୁଥିଲେ ମଧ୍ୟ ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଚୁପ୍‌ ବସିଥିଲା। ଲୋକେ ତାତିବା ସହ ‘ସମ୍ବାଦ’ରେ ଏନେଇ ବାରମ୍ବାର ଖବର ପ୍ରକାଶ ପାଇବା ପରେ ଆଜି ଏକ ପ୍ରତିନିଧିଦଳ ଡମ୍ପିଂୟାର୍ଡ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛି। ଆଞ୍ଚଳିକ ଅଧିକାରୀ ବି.ବି ଦାସ କହିଛନ୍ତି, ସ୍ଥିତି ଉପରେ ଦୃଷ୍ଟି ରଖାଯାଇଛି। ନିୟମିତ ମନିଟରିଂ ହେଉଛି। ନିଆଁ କିଭଳି ଲିଭିବ, ସେ ଦିଗରେ ପଦକ୍ଷେପ ନେବାକୁ ବିଏମ୍‌ସି କର୍ତୃପକ୍ଷଙ୍କୁ ନିର୍ଦେଶ ଦିଆଯାଇଛି। ଏକ ପ୍ରତିନିଧି ଦଳ ସେଠାକୁ ଯାଇ ସ୍ଥିତି ପରଖିଛନ୍ତି। ମଝିରେ ମଝିରେ ନିଆଁ ଲାଗୁଛି, ପୁଣି ଲିଭି ଯାଉଛି। ନିଆଁକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ପରିସରକୁ ଆଣିବା ପାଇଁ ବିଏମ୍‌ସିକୁ କୁହାଯାଇଛି। ଆଗକୁ ନୋଟିସ୍‌ ଜାରି କରାଯାଇ ରିପୋର୍ଟ ମଗାଯିବ।

ସମ୍ବନ୍ଧିତ ଖବର