ଜନବସତି ଅଞ୍ଚଳ ପାଲଟିଛି ଡମ୍ପିଂୟାର୍ଡ; ବିଏମ୍‌ସି ଓ କଳାରାହାଙ୍ଗ ପଞ୍ଚାୟତ ଛକାପଞ୍ଝା, ଅଞ୍ଚଳବାସୀ ହନ୍ତସନ୍ତ

ବିଏମ୍‌ସି ଓ କଳାରାହାଙ୍ଗ ପଞ୍ଚାୟତ ଛକାପଞ୍ଝା, ଅଞ୍ଚଳବାସୀ ହନ୍ତସନ୍ତ,

ଚନ୍ଦ୍ରଶେଖରପୁର: ସମସ୍ୟାରେ ଘାଣ୍ଟି ହେଉଛି ପ୍ରଭାତ ଭିଲ୍ଲାର ତ୍ରିଦେବ ଆପର୍ଟମେଣ୍ଟ ଅଞ୍ଚଳ। ପଟିଆରେ ଥିବା ଏହି ଅଞ୍ଚଳ ଏବେ ଅଳିଆ ଆବର୍ଜନାରେ ପରିପୂର୍ଣ୍ଣ ହୋଇଛି। ପ୍ରବେଶପଥରୁ ହିଁ ଏହା ଡମ୍ପିଂୟାର୍ଡର ଭ୍ରମ ସୃଷ୍ଟି କରୁଛି। ଦୁର୍ଗନ୍ଧମୟ ପରିବେଶରେ ଅଞ୍ଚଳବାସୀ ଅଣନିଶ୍ବାସୀ ହୋଇପଡ଼ୁଛନ୍ତି। ବର୍ଷେ କି ଦୁଇ ବର୍ଷ ନୁହେଁ, ‌ଦୀର୍ଘ ୭ ବର୍ଷ ହେଲା ଏଭଳି ସମସ୍ୟା ଲାଗି ରହିଥିଲେ ମଧ୍ୟ କେହି ଶୁଣୁନାହାନ୍ତି। ପ୍ରଭାତ ଭିଲ୍ଲାର ଚାରିପାଖ ଅଞ୍ଚଳ ବିଏମ୍‌ସି ଅଧୀନରେ ଆସୁଥିବା ବେଳେ କେବଳ ଏହି ଅଞ୍ଚଳ କଳାରାହାଙ୍ଗ ପଞ୍ଚାୟତ ଭିତରେ ରହୁଛି। ବିଏମ୍‌ସି ଓ ପଞ୍ଚାୟତର ଛକାପଞ୍ଝା ମଧ୍ୟରେ ଅଞ୍ଚଳବାସୀ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି।

ଦୁର୍ଗନ୍ଧରେ ନାକ ଫାଟି ପଡ଼ୁଛି, କେହି ଶୁଣୁନାହାନ୍ତି

ବଡ଼ କଥା ହେଲା ଯେ ରାସ୍ତା କଡ଼ରେ କୁଢ଼ କୁଢ଼ ଆବର୍ଜନା ଜମା ହୋଇ ରହିଥିଲେ ମଧ୍ୟ ଉଠାଯାଉନାହିଁ। ରାସ୍ତା ପାର୍ଶ୍ବରୁ ନାଲି ମାଟି ଖୋଳା ଯାଇଥିବାରୁ ସେଠାରେ ଏକ ପୋଖରୀ ସୃଷ୍ଟି ହୋଇଛି। ଉକ୍ତ ପୋଖରୀ ଏବେ ଡମ୍ପିଂୟାର୍ଡରେ ପରିଣତ ହୋଇଛି। ବସ୍ତିବାସିନ୍ଦାଙ୍କ ସମେତ ଏହା ନିକଟରେ ଥିବା ଆପାର୍ଟମେଣ୍ଟ, ମେଡିକାଲରୁ ବାହାରୁଥିବା ଆବର୍ଜନା ଏହା ଭିତରେ ପ୍ରବେଶ କରୁଛି। ତେଣୁ ଲୋକେ ରାସ୍ତାରେ ଯିବା ଆସିବା କରିବା କଷ୍ଟକର ହୋଇପଡ଼ୁଛି। ନାକରେ ରୁମାଲ ନ ଦେଲେ ଏହି ରାସ୍ତାରେ ଯିବା ସମ୍ଭବପର ହେଉନାହିଁ। କେତେକ ସ୍ଥାନରେ ରାସ୍ତା ଉପରେ ସ୍ବେରେଜ୍‌ ପାଣି ଢେଉ ଖେଳୁଛି। ବୟସ୍କଠାରୁ ପିଲାଙ୍କ ପର୍ଯ୍ୟନ୍ତ ସମସ୍ତେ ଆବର୍ଜନା‌ ପାଣିରେ ଚଳପ୍ରବଳ ହେଉଛନ୍ତି। ଏନେଇ ବାରମ୍ବାର ଅଭିଯୋଗ ହେଲେ ମଧ୍ୟ କେହି ଶୁଣୁନାହାନ୍ତି। ପରସ୍ପର ଉପରେ ଦୋଷ ଲଦି ଖସିବାକୁ ଉଦ୍ୟମ କରୁଛନ୍ତି।

ପଟିଆ ପେଟ୍ରୋଲ ପମ୍ପରୁ ରେଳ ଷ୍ଟେସନ୍‌ ଆଡ଼କୁ ଯିବା ରାସ୍ତାର ୫୦୦ ମିଟର ଦୂରରେ ଥିବା ପ୍ରଭାତ ଭିଲ୍ଲାରେ ୩୦୦ରୁ ଅଧିକ ପରିବାର ବାସ କରୁଛନ୍ତି। ପ୍ରଥମରୁ ଏହି ଅଞ୍ଚଳକୁ ଭଲ ରାସ୍ତା ନ ଥିଲା। ତେବେ ୨୦୧୩ରେ କେତେଜଣ ବ୍ୟକ୍ତିବିଶେଷଙ୍କ ଉଦ୍ୟମକ୍ରମେ ଏହି ଅଞ୍ଚଳକୁ ରାସ୍ତା ହୋଇଥିଲା। ଏବେ ସେତିକିରେ ସବୁ କିଛି ଅଟକି ରହିଛି। ଅଞ୍ଚଳର କିଛି ଅଂଶ ବିଏମ୍‌ସି ଓ ଆଉ କିଛି ଅଞ୍ଚଳ କଳାରାହାଙ୍ଗ ପଞ୍ଚାୟତ ଅଧୀନରେ ଆସୁଥିବାରୁ ଅଞ୍ଚଳବାସୀଙ୍କୁ ହଇରାଣ ହେବାକୁ ପଡ଼ୁଛି। ବିଏମ୍‌ସି ଓ ବିଡିଏ ଅଧୀନରେ ଥିବା ଅଞ୍ଚଳରେ ରାସ୍ତା ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଆଲୋକୀକରଣ କରାଯାଇ ନାହିଁ। ସନ୍ଧ୍ୟା ହେବା କ୍ଷଣି ‌ଲୋକେ ଏହି ରାସ୍ତାରେ ଯିବାକୁ ଭୟ ଲାଗୁଛି। ଗତ କିଛି ମାସ ମଧ୍ୟରେ ଏହି ଅଞ୍ଚଳରୁ ଲୁଟ୍‌ ହୋଇଥିବା ବି ଅଭିଯୋଗ ହୋଇଛି।

ବଡ଼ ସମସ୍ୟା ହେଉଛି ଯେ ପଞ୍ଚାୟତ ଅଞ୍ଚଳରେ ବସ୍ତିବାସିନ୍ଦାଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ସରକାରୀ ଜାଗା ମାଡ଼ି ବସି ଲୋକେ ଘର କରି ଚାଲିଛନ୍ତି। କେତେଜଣ ବସ୍ତିବାସିନ୍ଦା ଇତି ମଧ୍ୟରେ ରାସ୍ତାକୁ ବି ବକ୍‌ଜା କରିନେଲେଣି। ସେମାନଙ୍କ ଘରଗୁଡ଼ିକ ରାସ୍ତା ଉପରେ ହୋଇଛି। ଯେଉଁଥିପାଇଁ ଯିବା ଆସିବା ସମୟରେ ଅସୁବିଧା ସୃଷ୍ଟି ହେଉଛି। ଦୁଇଟି ଗାଡ଼ି ଚଳାଚଳ କରିବାକୁ ରାସ୍ତା ହୋଇଥିବା ବେଳେ ଏବେ ଗୋଟିଏ ବି ଗାଡ଼ି ଯିବାକୁ ନାକେଦମ୍‌ ହୋଇପଡ଼ୁଛି। ଅଞ୍ଚଳବାସୀ ଯେତେ ଅଭିଯୋଗ କଲେ ମଧ୍ୟ କେହି ଶୁଣୁନାହାନ୍ତି। କଳାରାହାଙ୍ଗ ସରପଞ୍ଚ ଧରାଛୁଆଁ ଦେଉନାହାନ୍ତି। ବିଏମ୍‌ସି ଅଧୀନରେ ଏହି ଅଞ୍ଚଳ ଆସୁ ନଥିବାରୁ ଆମେ କିଛି କରିପାରିବୁ ନାହିଁ ଅଧିକାରୀମାନେ କହୁଛନ୍ତି। ଯେଉଁଥିପାଇଁ ଏଠାରେ ବାସ କରୁଥିବା ଦୁଇ ହଜାରରୁ ଅଧିକ ଲୋକ ଦୁର୍ଗନ୍ଧ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି।

ସମ୍ବନ୍ଧିତ ଖବର