କଠିନ ବର୍ଜ୍ୟବସ୍ତୁ ପ୍ଲାଣ୍ଟ ସ୍ଥିତି ସାଂଘାତିକ : ଚନ୍ଦକା ଜଙ୍ଗଲକୁ ମାଡ଼ିଲାଣି ଆବର୍ଜନା

ତାରିଖ ପରେ ତାରିଖ ଗଡ଼ୁଛି

ବିଏମ୍‌ସିର ଅପାରଗତା ନା ଦାରୁଠେଙ୍ଗ ଗ୍ରାମବାସୀଙ୍କ ଯୁକ୍ତି ଯୋଗୁଁ ଅଟକିଛି!

ଭୁବନେଶ୍ୱର : କଠିନ ବର୍ଜ୍ୟବସ୍ତୁ ପ୍ଲାଣ୍ଟ ନ ଥିବାରୁ ସ୍ୱଚ୍ଛ ସର୍ବେକ୍ଷଣ-୨୦୧୭ରେ ଭୁବନେଶ୍ୱର ୨୦୦ ନମ୍ବର ହରାଇଲା। ଚଳିତବର୍ଷ ସର୍ବେକ୍ଷଣରେ ବି ୧୫୦ ନମ୍ବର ହରାଇବ। ଏପରିକି ଭୁଆସୁଣୀ ଡମ୍ପିଂୟାର୍ଡରେ ବିନା ବିଶୋଧନରେ ଲକ୍ଷ ଲକ୍ଷ ଟନ୍‌ ଆବର୍ଜନା ଗଦା ହେଉଥିବାରୁ ଏହାର କୁପ୍ରଭାବ ଏବେ ଚନ୍ଦକା ଅଭୟାରଣ୍ୟ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ଉପରେ ପଡ଼ିଲାଣି। କଠିନ ବର୍ଜ୍ୟବସ୍ତୁ ପ୍ଲାଣ୍ଟ ନିର୍ମାଣ ପାଇଁ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ରାଜ୍ୟ ସରକାରଙ୍କୁ ବହୁବାର ତାଗିଦ୍‌ କଲାଣି। କିନ୍ତୁ ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରୁନି। ଜାତୀୟ ଗ୍ରିନ୍‌ ଟ୍ରିବ୍ୟୁନାଲରେ ମାମଲା ଅଛି କହି ବିଏମ୍‌ସି କର୍ତ୍ତୃପକ୍ଷ ନାହିରେ ତେଲ ପକାଇ ଶୋଇ ପଡ଼ିଛନ୍ତି। ସେପଟେ ଏହି ପାହାଡ଼ ଉଚ୍ଚର ଆବର୍ଜନା ଏବେ ରାଜଧାନୀବାସୀଙ୍କ ନିଦ ହଜାଇବାକୁ ବସିଲାଣି।

ଭୁଆସୁଣୀରେ କଠିନ ବର୍ଜ୍ୟବସ୍ତୁ ପ୍ଲାଣ୍ଟ ଏବଂ ଆବର୍ଜନା ପକାଇବା ପାଇଁ ବିଏମ୍‌ସି ପ୍ରାୟ ୬୧ଏକର ଜମି ଅଧିଗ୍ରହଣ କରିଛି। ଏଥିରୁ ୧୨ଏକର ଜମିରେ ପ୍ଲାଣ୍ଟ ନିର୍ମାଣ ହେବାକୁ ଥିବାବେଳେ ସୌନ୍ଦର୍ଯ୍ୟକରଣ ପାଇଁ ପ୍ରାୟ ୩ଏକର ଜମି ରଖାଯାଇଛି। ବାକି ପ୍ରାୟ ୪୫ଏକର ଜମିରେ ରାଜଧାନୀର ଆବର୍ଜନା ଗଦା ହେଉଛି। ହେଲେ ଏହି ଆବର୍ଜନା ବୈଜ୍ଞାନିକ ପଦ୍ଧତିରେ ଗଦା ହେଉ ନଥିବାରୁ ଏବଂ ଏହାକୁ ବିଶୋଧନ କରିବାର କୌଣସି ବ୍ୟବସ୍ଥା ହୋଇନଥିବାରୁ ଏହା ଏବେ ଚନ୍ଦକା ଜଙ୍ଗଲ ଆଡ଼କୁ ମାଡ଼ି ଗଲାଣି। ଏପରିକି ଏବେ ପ୍ରାୟ ୨୫ଫୁଟ ଉଚ୍ଚରେ ଆବର୍ଜନା ଗଦା ହୋଇଥିବାବେଳେ ଡମ୍ପିଂୟାର୍ଡ ପାଇଁ ଥିବା ସ୍ଥାନ ପୂରା ଆବର୍ଜନାରେ ଭର୍ତ୍ତି ହୋଇଗଲାଣି। ଆସନ୍ତା କିଛି ମାସ ମଧ୍ୟରେ ଯଦି ବୈଜ୍ଞାନିକ ପଦ୍ଧତିରେ ଆବର୍ଜନା ପକାନଯାଏ କି ବିଶୋଧନ ବ୍ୟବସ୍ଥା ନ କରାଯାଏ ତେବେ ରାଜଧାନୀରୁ ଆଉ ଆବର୍ଜନା ଉଠିପାରିବନି। ଡମ୍ପିଂୟାର୍ଡ ସ୍ଥିତି ଜଟିଳ ରୂପ ଧାରଣ କରିଥିବାବେଳେ ବିଏମ୍‌ସି କର୍ତ୍ତୃପକ୍ଷ ହାତରେ ହାତ ଯୋଡ଼ି ବସିବା ସମସ୍ତକୁ ବିସ୍ମିତ କରିଛି।

ଭୁଆସୁଣୀରେ ରାଜଧାନୀର ଆବର୍ଜନା ପକାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କଠିନ ବର୍ଜ୍ୟବସ୍ତୁ ପ୍ଲାଣ୍ଟ ନିର୍ମାଣ ନେଇ ଜାତୀୟ ଗ୍ରିନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି)ର କୋଲକାତା ବେଞ୍ଚ୍‌ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ପୁଲିସ ଉପସ୍ଥିତିରେ ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ଏନ୍‌ଜିଟି ନିର୍ଦ୍ଦେଶ ଦେବା ପରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଆବଶ୍ୟକ ପୁଲିସ ଯୋଗାଇ ଦେବାକୁ ବର୍ଷକ ତଳେ ନିଷ୍ପତ୍ତି ହୋଇଥିଲା। ସେତେବେଳେ ବିଏମ୍‌ସି କମିସନର କ୍ରିଷନ କୁମାର କହିଥିଲେ ଯେ ଆମେ ଖୁବ୍‌ ଶୀଘ୍ର କାମ ଆରମ୍ଭ କରିବୁ। କିନ୍ତୁ ବର୍ଷକ ଭିତରେ ଏହି ‘ଖୁବ୍‌ ଶୀଘ୍ର’ ସମୟଟି ଆସିନି। ପ୍ଲାଣ୍ଟ ନିର୍ମାଣ ପାଇଁ ଇଟା ଖଣ୍ଡେ ବି ଆଜି ପର୍ଯ୍ୟନ୍ତ ପଡ଼ିପାରିନି।

କେବଳ ଏତିକି ନୁହେଁ, ବିଏମ୍‌ସିର କୌଣସି ଅଧିକାରୀଙ୍କୁ କଠିନ ବର୍ଜ୍ୟବସ୍ତୁ ପ୍ଲାଣ୍ଟ ନେଇ ପଚାରିଲେ ସମସ୍ତେ ଚତୁରତାର ସହ କହୁଛନ୍ତି ଏନ୍‌ଜିଟିରେ ଆସନ୍ତା ଶୁଣାଣି ଚୂଡ଼ାନ୍ତ ଶୁଣାଣି ହେବ। ହେଲେ ଏହା ମଧ୍ୟରେ ପ୍ରାୟ ୧୦ରୁ ଅଧିକ ଶୁଣାଣି ସରିଥିବାବେଳେ କିଛି ନିଷ୍କର୍ସ ବାହାରିପାରୁନି। ଏପରିକି ଜାନୁଆରି ୧୨ତାରିଖରେ ଚୂଡ଼ାନ୍ତ ଶୁଣାଣି ହେବ ବୋଲି କର୍ତ୍ତୃପକ୍ଷ କହୁଥିବାବେଳେ ଏହା ଏବେ ଫେବ୍ରୁଆରି ୧୫ତାରିଖକୁ ଘୁଞ୍ଚିଯାଇଛି। ବିଏମ୍‌ସି କର୍ତ୍ତୃପକ୍ଷଙ୍କର ଏପରି ଉତ୍ତର ଶୁଣି ରାଜଧାନୀର ସଚେତନ ନାଗରିକ କହିଲେଣି, ଚୂଡ଼ାନ୍ତ ଶୁଣାଣି ହେବ ବୋଲି କୋର୍ଟ କହୁଛନ୍ତି ନା ବିଏମ୍‌ସି କର୍ତ୍ତୃପକ୍ଷ ମନଇଚ୍ଛା କହୁଛନ୍ତି। ଏନ୍‌ଜିଟି ଶୁଣାଣି ନାଁରେ କର୍ତ୍ତୃପକ୍ଷ କୋଲକାତା ବୁଲିବାକୁ ଯାଉଛନ୍ତି ନା କୋର୍ଟରେ କିଛି ବଳିଷ୍ଠ ତଥ୍ୟ ଉପସ୍ଥାପନ କରୁଛନ୍ତି। ଯଦି ଡମ୍ପିଂୟାର୍ଡ ଓ କଠିନ ବର୍ଜ୍ୟବସ୍ତୁ ପ୍ଲାଣ୍ଟ ଭୁବନେଶ୍ୱର ପାଇଁ ନିତାନ୍ତ ଆବଶ୍ୟକ ଏବଂ ଏହା ନହେଲେ ଭୁବନେଶ୍ୱର ପାଇଁ କେଉଁ ପ୍ରକାରର ବିଷମ ପରିସ୍ଥିତି ସୃଷ୍ଟି ହେବ ତାହା ଜଣାଉଛନ୍ତି ତାହା କ’ଣ କୋର୍ଟରେ ଠିକ୍‌ ଭାବେ ଉପସ୍ଥାପନ କରିପାରୁନାହାନ୍ତି। ବିଏମ୍‌ସି କର୍ତ୍ତୃପକ୍ଷ ପ୍ରତି ଶୁଣାଣି ପରେ କହୁଛନ୍ତି ନ୍ୟାୟାଧୀଶ ଗ୍ରାମବାସୀଙ୍କୁ ଭର୍ତ୍ସନା କଲେ, ତୁରନ୍ତ କାମ ଆରମ୍ଭ କରିବାକୁ କହିଲେ। ତେବେ କାହିଁକି ବିଏମ୍‌ସି ସପକ୍ଷରେ ରାୟ ପ୍ରକାଶ ପାଉନି।

ଅପରପକ୍ଷେ ଗତ ଜୁନ୍‌ ମାସରୁ ଜନଶୁଣାଣି ଶେଷ ହୋଇଥିବାବେଳେ ଏନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟରେ କ’ଣ ନିଷ୍ପତ୍ତି ନିଆଗଲାଣି, ଯଦି କିଛି ନିଷ୍ପତ୍ତି ନିଆଯାଇନି ତେବେ କାହିଁକି ନିଆଯାଇନି ସେନେଇ ବି ବିଏମ୍‌ସି କର୍ତ୍ତୃପକ୍ଷ ଖୋଳତାଡ଼ କରୁନାହାନ୍ତି। ଯାହା ବିଏମ୍‌ସିର ବରିଷ୍ଠ ଅଧିକାରୀଙ୍କ କାର୍ଯ୍ୟଶୈଳୀକୁ ସନ୍ଦେହ ଘେରକୁ ଟାଣୁଛି।

ସମ୍ବନ୍ଧିତ ଖବର