ଅଳିଆ ଧରି ବାରଦୁଆର ବିଏମ୍‌ସି

ପ୍ରଶାସନ ଚାପରେ ନଇଁଗଲା ହରପୁର ପ୍ରତିବାଦ, ଜନବସତି ଉପରେ ଯେପରି ପ୍ରଭାବ ନପଡ଼ିବ ସେ ବ୍ୟବସ୍ଥା କରୁଛୁ: ବିଏମ୍‌ସି କର୍ତ୍ତୃପକ୍ଷ

ଭୁବନେଶ୍ବର/ଖଣ୍ଡଗିରି : ଏବେ ଅଳିଆ ଧରି ବାରଦୁଆର ହେଉଛି ଭୁବନେଶ୍ବର ମହନଗର ନିଗମ (ବିଏମ୍‌ସି)। ଯେଉଁଠି ଅଳିଆ ଗାଡ଼ି ପହଞ୍ଚୁଛି ସେଠାରେ ବିରୋଧର ସମ୍ମୁଖୀନ ହେଉଛି ବିଏମ୍‌ସି। ଦାରୁଠେଙ୍ଗସ୍ଥିତ ଭୁଆସୁଣୀ ଡମ୍ପିଂୟାର୍ଡ, ଜଟଣୀର ଖଣ୍ଡୁଆଳ ଖଣି ଓ ଶେଷରେ ଛତାବରର ହରପୁରରେ ବି ବିରୋଧ। ଆଜି ଏହିଭଳି ସମସ୍ୟାକୁ ନେଇ ପୁଣି ହରଡ଼ଘଣାରେ ପଡ଼ିଛି ବିଏମ୍‌ସି।

ବାତ୍ୟା ‘ଫନି’ ପରେ ରାଜଧାନୀରେ ଭାଙ୍ଗି ପଡ଼ିଥିବା ଗଛ ଓ ଡାଳଗୁଡ଼ିକୁ ବିଏମ୍‌ସି ଓ ପୂର୍ତ୍ତ ବିଭାଗ ତୁରନ୍ତ ଉଠାଇ ଏହାକୁ ବିଭିନ୍ନ ସ୍କୁଲ ପଡ଼ିଆ ଏବଂ ଖୋଲା ପଡ଼ିଆରେ ରଖିଥିଲେ। ସୈନିକ ସ୍କୁଲସ୍ଥିତ ଡମ୍ପିଂୟାର୍ଡରେ ବି ସବୁଜ ଆବର୍ଜନାର ପାହାଡ଼ ଛିଡ଼ା‌ ହୋଇଥିଲା। ଏଠାରୁ ଆବର୍ଜନାଗୁଡ଼ିକୁ ନେଇ ଭୁଆସୁଣୀ‌ ଡମ୍ପିଂୟାର୍ଡରେ ପକାଯାଇଥିଲା। ହେଲେ ଭୁଆସୁଣୀ ଓ ସୈନିକ ସ୍କୁଲସ୍ଥିତ ଅସ୍ଥାୟୀ ଡମ୍ପିଂୟାର୍ଡରେ ନିଆଁ ଲାଗିବା ଏବଂ ସହର ମଧ୍ୟରେ ବିଭିନ୍ନ ସ୍କୁଲ ପଡ଼ିଆରେ ଗଦା ହୋଇଥିବା ଡାଳ ପତ୍ରରେ ନିଆଁ ଲାଗିବା ପରେ ଏବେ ସହର ବାହାରକୁ ଏହି ଡାଳ ପତ୍ର ଆବର୍ଜନାକୁ ସ୍ଥାନାନ୍ତର କରାଯାଉଛି। ‌କିନ୍ତୁ ଯେଉଁଠିକୁ ଅଳିଆ ଗାଡ଼ି ଯାଉଛି, ସେଠାରେ ଲୋକ ବିରୋଧ କରୁଛନ୍ତି। ବିଏମ୍‌ସି କର୍ତ୍ତୃପକ୍ଷ ବାରଦୁଆର ହେଲା ଭଳି ଅଳିଆ ଗାଡ଼ି ଧରି ବୁଲୁଛନ୍ତି। ଆଗକୁ ସ୍କୁଲ ଖୋଲିବାକୁ ଥିବାରୁ ଏବଂ ସହରକୁ ଅକସ୍ମାତ୍ ଅଗ୍ନିକାଣ୍ଡରୁ ରକ୍ଷା କରିବାକୁ ଉପକଣ୍ଠରେ ଥିବା ବିଭିନ୍ନ ଖୋଲା ଅଞ୍ଚଳକୁ ଏହି ଆବର୍ଜନା ସ୍ଥାନାନ୍ତର କରାଯାଉଛି। କିନ୍ତୁ ଏହାକୁ କେଉଁଠି ପକାଯିବ, ଏବେ ବଡ଼ ଚ୍ୟାଲେଞ୍ଜ ହୋଇଛି।

ଆଜି ବିଏମ୍‌ସି କର୍ତ୍ତୃପକ୍ଷ ଜଟଣୀ ବ୍ଲକ ଛତାବର ପଞ୍ଚାୟତ ହରପୁରରେ ଆବର୍ଜନା ପକାଇବାକୁ ୫୦ଟି ଡମ୍ପର୍‌ରେ ଅଳିଆ ବୋଝେଇ କରି ନେଇଥିଲେ। ମାତ୍ର ଗ୍ରାମବାସୀ ଗାଡ଼ିକୁ ଅଟକ ରଖିଥିଲେ। ଅଳିଆ ପକାଇବାକୁ ଦେଇ ନଥିଲେ। ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକଙ୍କୁ ବୁଝାସୁଝା କରାଯିବା ସହ ସେମାନଙ୍କ ଉପରେ ପରୋକ୍ଷ ଚାପ ପକାଇବାରୁ ଗ୍ରାମବାସୀ ପଛଘୁଞ୍ଚା ଦେଇଥିଲେ। ଆଜି ୫୦ ଟ୍ରକ୍ ଆବର୍ଜନା ହରପୁରରେ ପଡ଼ିଗଲା। ହେଲେ କାଲି କେଉଁଠି ପଡ଼ିବ, ସେ ଚିନ୍ତା ବିଏମ୍‌ସି କର୍ତ୍ତୃପକ୍ଷଙ୍କୁ ଘାରିଲାଣି।

ସୂଚନାଯୋଗ୍ୟ, ହରପୁରରେ ଥିବା ପରିତ୍ୟକ୍ତ ଖଣିଟି ଇଡ୍‌କୋ ଅଧିକୃତ ଜମି ହୋଇଥିବାରୁ ଗ୍ରାମବାସୀଙ୍କ ବିରୋଧ ଯୁକ୍ତିଯୁକ୍ତ ନୁହେଁ ବୋଲି କର୍ତ୍ତୃପକ୍ଷ କହିଥିଲେ। ଫଳରେ ଗ୍ରାମବାସୀଙ୍କ ପ୍ରତିବାଦ ଥମି ଯାଇଥିଲା। ଅପରାହ୍ଣରେ ପୁଲିସ ଉପସ୍ଥିତି‌ରେ ଅଳିଆ ପଡ଼ିଥିଲା। ତେବେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଥିବା ଜଣାପଡ଼ିଛି।

ସୂଚନାନୁସାରେ ଆଜି ସକାଳେ ପ୍ରାୟ ୫୦ ଟ୍ରକ୍‌ ଅଳିଆ ଗାଡ଼ି ହରପୁର ଗାଁ ମୁଣ୍ଡ ପରିତ୍ୟକ୍ତ ଖଣି ନିକଟରେ ପହଞ୍ଚିଥିଲା। ଏକାଥରକେ ଏତେ ସଂଖ୍ୟକ ଅଳିଆ ଗାଡ଼ି ଦେଖିବା ପରେ ଗ୍ରାମବାସୀମାନେ ସେମାନଙ୍କୁ ଅଟକାଇଥିଲେ। ପରିତ୍ୟକ୍ତ ମୋରମ୍‌ ଖଣିରେ ଅଳିଆ ପଡ଼ିବ ବୋଲି ଜଣାପଡ଼ିବା ପରେ ଗ୍ରାମବାସୀମାନେ ଗାଡ଼ିଗୁଡ଼ିକୁ ଅଟକାଇ ଫେରିଯିବାକୁ ଚେତାବନୀ ଦେଇଥିଲେ। ଖବର ପାଇ ବିଏମ୍‌ସିର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ଟ୍ରକ୍‌ରେ କୌଣସି ପ୍ରକାର ଆବର୍ଜନା ନାହିଁ, କେବଳ ବାତ୍ୟାରେ ଭାଙ୍ଗି ପଡ଼ିଥିବା ଗଛ ଡାଳ ବୋଲି କହିଥିଲେ ଓ ଲୋକଙ୍କୁ ଗୋଟି ଗୋଟି ଟ୍ରକ୍‌ ଦେଖାଇଥିଲେ।

ଦାରୁଠେଙ୍ଗ ଡମ୍ପିଂୟାର୍ଡରେ ପଡ଼ି ପାରିବ ନାହିଁ, ବିଧାୟକ ସୁର ରାଉତରାୟ ବିରୋଧ କଲେ ବୋଲି ଜଟଣୀ ଖଣ୍ଡୁଆଳ ଖଣିରେ ପଡ଼ି ପାରିଲା ନାହିଁ, ତେଣୁ ହରପୁରରେ କାହିଁକି ପଡ଼ିବ ବୋଲି ଗ୍ରାମବାସୀମାନେ ପାଲଟା ପ୍ରଶ୍ନ କରିଥିଲେ। ଏହାପରେ ଛତାବର ପଞ୍ଚାୟତର ପୂର୍ବତନ ସରପଞ୍ଚ ବିଷ୍ଣୁପ୍ରସାଦ ଡେଙ୍ଗ, ସମିତି ସଭ୍ୟ ସରୋଜ ନାୟକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ଏହି ଖବର ପାଇ ଜଟଣୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଡିଓ, ତହସିଲଦାର ପ୍ରମୁଖ ହରପୁରରେ ପହଞ୍ଚିଥିଲେ। ସେମାନେ ଲୋକଙ୍କ ସହ ଆଲୋଚନା କରିଥିଲେ। ଏହା ଏକ ଅସ୍ଥାୟୀ ବ୍ୟବସ୍ଥା ଓ ବାତ୍ୟାରେ ଭାଙ୍ଗି ଯାଇଥିବା ଗଛ ଡାଳ ବ୍ୟତୀତ ଅନ୍ୟ କିଛି ଏହି ଖଣିରେ ପଡ଼ିବ ନାହିଁ ବୋଲି ବୁଝାଇଥିଲେ। ଯଦି ଜଟଣୀ କୁସୁମାଟି ଖଣ୍ଡୁଆଳ ଖଣିରେ ବିରୋଧ ହେଲା ଓ ବିଧାୟକଙ୍କ ଚାପରେ ବନ୍ଦ ହେଲା, ତେବେ ହରପୁରରେ କାହିଁକି ହେବ ବୋଲି ଲୋକେ ଏକା ଜିଦ୍ କରିଥିଲେ। ଏହି ଅସ୍ଥାୟୀ ଡମ୍ପିଂୟାର୍ଡ‌ରେ ନିଆଁ ଲାଗିଲେ ହରପୁରକୁ ବିପଦ ରହିଛି ଓ ଆଗାମୀ ବର୍ଷା ଦିନରେ ଖଣି ପାଣିରେ ଏହି ଡାଳପତ୍ର ସଢ଼ିବା ଦ୍ବାରା ଗାଁ ପରିବେଶ ଦୂଷିତ ହେବ ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଥିଲେ। ଲୋକେ ଜିଦ୍‌‌ରେ ଅଟଳ ରହିବା ଦେଖି ପ୍ରଶାସନ ପକ୍ଷରୁ ପରୋକ୍ଷରେ ଧମକ ଦିଆଯାଇଥିଲା। ଏହି ଖଣିଟି ଇଡ୍‌କୋ ଅଧିକୃତ ଜମି ହୋଇଥିବାରୁ ଗ୍ରାମବାସୀମାନଙ୍କ ପ୍ରତିବାଦ କରିବା ବେଆଇନ ବୋଲି ଅଧିକାରୀମାନେ ବୁଝାଇଥିଲେ। ପ୍ରଶାସନ ବାଧ୍ୟ ହୋଇ ପୁଲିସର ହସ୍ତକ୍ଷେପ କରିବ ବୋଲି ପରୋକ୍ଷ ଚେତାବନୀ ଦେଇଥିଲା। ଫଳରେ ଧୀରେ ଧୀରେ ଲୋକଙ୍କ ପ୍ରତିବାଦର ସ୍ବର ଥମି ଯାଇଥିଲା। ଶେଷରେ ଲୋକେ ପ୍ରତିବାଦରୁ ଓହରି ଯାଇଥିଲେ ବି ସେମାନଙ୍କ ବିରୋଧକୁ ରାଜନୈତିକ ସମର୍ଥନ ନ ମିଳିବାରୁ ସେମାନେ କ୍ଷୋଭ ପ୍ରକାଶ କରିଥିଲେ।

ଅପରପକ୍ଷେ ଏନେଇ ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏବେ ବି ରାଜଧାନୀର ପ୍ରତ୍ୟେକ ୱାର୍ଡରୁ ‌ଦୈନିକ ଏକରୁ ଦୁଇ ଟ୍ରିପ ଆବର୍ଜନା ବାହାରୁଛି। ଏହାକୁ ରାଜଧାନୀ ବାହାରେ ନ ପକାଇଲେ ସହର ଭିତରର ସ୍ଥିତି ଉତ୍କଟ ହେବ। ଆମେ ଜନଗହଳି ସ୍ଥାନରେ କି ଗାଁ ନିକଟବର୍ତ୍ତୀ ଅଞ୍ଚଳରେ ଏହାକୁ ପକାଉନୁ। ଜନବସତିଠାରୁ ଦୂରରେ ପକାଉଛୁ। ଲୋକଙ୍କୁ ଯେପରି ସମସ୍ୟା ନ ହେବ, ସେଥିପାଇଁ ପଦକ୍ଷେପ ନେଉଛୁ। ଲୋକ ଯଦି ସହଯୋଗ ନ କରିବେ, ତେବେ ରାଜଧାନୀ ଅବସ୍ଥା ସାଂଘାତିକ ହୋଇଯିବ ବୋଲି ଉକ୍ତ ଅଧିକାରୀଜଣଙ୍କ କହିଛନ୍ତି।

ସମ୍ବନ୍ଧିତ ଖବର