ରାଜଧାନୀରେ ଡେଙ୍ଗୁ ତାତି: ଘରୋଇ ହସ୍ପିଟାଲରେ ଡେଙ୍ଗୁ ପରୀକ୍ଷା କରନି

ଗଠିତ ହେଲା ର‍୍ୟାପିଡ୍‌ ରେସପନ୍‌ସ ଟିମ୍‌

ରାଜଧାନୀରେ ଡେଙ୍ଗୁକୁ ନଜରରେ ରଖି ସ୍ୱାସ୍ଥ୍ୟସେବା ନିର୍ଦେଶାଳୟରେ ଏକ କଣ୍ଟ୍ରୋଲ ରୁମ୍‌ ଖୋଲଯାଇଛି। ଏହା ଆସନ୍ତା ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ କାର୍ଯ୍ୟ କରିବ। ଡେଙ୍ଗୁ ପାଇଁ ସ୍ୱତନ୍ତ୍ର ଭାବେ ଜଣେ ନୋଡାଲ ଅଧିକାରୀଙ୍କୁ ମଧ୍ୟ ନିଯୁକ୍ତ କରାଯାଇଛି। ଏହାସହ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ର‍୍ୟାପିଡ୍‌ ଆକ୍ସନ୍‌ ଟିମ୍‌ ଗଠନ କରାଯାଇଛି। ଯେଉଁ ଅଞ୍ଚଳରେ ଡେଙ୍ଗୁ ସଂପର୍କରେ ଜଣାପଡ଼ିବ ଏହି ଟିମ୍‌ ର‍୍ୟାପିଡ୍‌ ରେସପନ୍ସ ଟିମ୍‌କୁ ଜଣାଇବେ। ରେସପନ୍ସ ଟିମ୍‌ରେ ବିଏମ୍‌ସିର ଜଣେ ଅଧିକାରୀଙ୍କ ସମେତ ଏନ୍‌ଭିବିଡିସିପର ଅଧିକାରୀ, ଏଡିଏମ୍‌ଓ(ଜନସ୍ୱାସ୍ଥ୍ୟ), ଫାଇଲେରିଆ ଅଧିକାରୀଙ୍କ ସମେତ ୧୫ଜଣ ଅଧିକାରୀ ରହିଛନ୍ତି। ପରିମଳ ସମେତ କେଉଁ ଅଞ୍ଚଳରେ ମଶା ତେଲ ଓ ଟିଫା ମେସିନ୍‌ ଚାଲିବ, ଏହି ଟିମ୍‌ ତାହାର ତଦାରଖ କରିବ।

ଦାବି ଅନୁଯାୟୀ ବୁଲିବ ଟିଫା ମେସିନ୍‌
ଡେଙ୍ଗୁ ମଶାର ଲାର୍ଭା ନଷ୍ଟ କରିବା ପାଇଁ ରାଜଧାନୀର ବିଭିନ୍ନ ସ୍ଥାନରେ ଲାର୍ଭିସାଇଡାଲ ତେଲ ପକାଇବାକୁ ନିଷ୍ପତ୍ତି ହୋଇଛି। ତେବେ ଯେଉଁ ଅଞ୍ଚଳରେ ଟିଫା ମେସିନ୍‌ ବୁଲିବା ପାଇଁ ଦାବି କରାଯିବ ସେହି ଅଞ୍ଚଳରେ ଏହି ମେସିନ୍‌ ବୁଲିବ ବୋଲି ନିଷ୍ପତ୍ତି ହୋଇଛି। ଏହାସହ ମଶାରୀକୁ ଔଷଧରେ ବୁଡ଼ାଇ ଲୋକଙ୍କୁ ବାଣ୍ଟିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।

ଭୁବନେଶ୍ୱର: ରାଜଧାନୀରେ ଡେଙ୍ଗୁ କାୟା ବିସ୍ତାର କରିବା ଖବର ପ୍ରକାଶ ପାଇବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଆଜି ସ୍ୱାସ୍ଥ୍ୟ ବିଭାଗର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଡେଙ୍ଗୁ ପାଇଁ ସ୍ୱତନ୍ତ୍ର ଭାବେ ଏକ କଣ୍ଟ୍ରୋଲରୁମ୍‌ ସମେତ ର‍୍ୟାପିଡ ରେସପନ୍‌ସ ଟିମ୍‌ ଗଠନ କରାଯାଇଛି। ଏହାସହ ସରକାରୀ ଡାକ୍ତରଖାନା ବ୍ୟତୀତ ଘରୋଇ ହସ୍ପିଟାଲରେ ଡେଙ୍ଗୁ ପରୀକ୍ଷା ନ କରାଇବାକୁ ବିଭାଗ ପକ୍ଷରୁ ଲୋକମାନଙ୍କୁ ସଚେତନ କରିବାକୁ ନିଷ୍ପତ୍ତି ହୋଇଛି। ସୂଚନା ଅନୁଯାୟୀ, ଗତ ଜାନୁଆରିରୁ ଏ ପର୍ଯ୍ୟନ୍ତ ରାଜଧାନୀରେ ୧୦ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଚନ୍ଦ୍ରଶେଖର ବିଡିଏ କଲୋନିର ଜଣେ ମହିଳାଙ୍କ ଆଜି ମୃତ୍ୟୁ ହୋଇଯାଇଛି। ଏହାକୁ ନଜରରେ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କେତେକ ପଦକ୍ଷେପ ଗ୍ରହଣ କରାଯାଇଛି। ବିଭାଗର ଜଣେ ଅଧିକାରୀ କହିଛନ୍ତି, ଘରୋଇ ପାଥୋଲ୍ୟାବ୍‌ କିମ୍ବା ହସ୍ପିଟାଲରେ ଲୋକମାନେ ଡେଙ୍ଗୁ ପରୀକ୍ଷା ନ କରି କ୍ୟାପିଟାଲ ହସ୍ପିଟାଲ, ଏଏମ୍‌ସ ଓ ଆରଏମ୍‌ଆରସି ପରୀକ୍ଷା କରନ୍ତୁ। ସରକାରୀ ଡାକ୍ତରଖାନାରେ ମାଗଣାରେ କରାଯାଉଥିବା ବେଳେ ଘରୋଇ ପାଥୋଲ୍ୟାବ୍‌ରେ ଏଲିସା ପରୀକ୍ଷା ଠିକ୍‌ ଭାବେ ହୋଇ ପାରୁନାହିଁ। ଯେଉମାନେ ସରକାରୀ ଡାକ୍ତରଖାନା ଆସିବାକୁ ଚାହୁନାହାନ୍ତି, ସେମାନେ ସ୍ୱାସ୍ଥ୍ୟକର୍ମୀଙ୍କ ନିକଟରେ ଏହି ପରୀକ୍ଷା କରିପାରିବେ। ଫଳରେ ଜଣେ ପ୍ରକୃତରେ ଡେଙ୍ଗୁରେ ଆକ୍ରାନ୍ତ କି ନୁହେଁ ତାହା ସ୍ପଷ୍ଟ ହୋଇପାରିବ।

ପଞ୍ଜୁରୀରେ ଥିବା ପାତ୍ର, ଠାକୁର ଘର ଢାଳ ଓ କୁଲରରୁ ଡେଙ୍ଗୁ ଲାର୍ଭା ଚିହ୍ନଟ
ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହେବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ଅଞ୍ଚଳରେ ଲାର୍ଭା ଯାଞ୍ଚ କରାଯାଇଥିଲା। ସାଲିଆସାହିର ଜଣେ ବ୍ୟକ୍ତି ନିଜ ଶୁଆ ପାଇଁ ରଖିଥିବା ପଞ୍ଜୁରୀର ପାତ୍ର, ବିଡିଏ କଲୋନିର ଜଣେ ବ୍ୟକ୍ତିଙ୍କ ଠାକୁର ଘରେ ଥିବା ପାଣି ଢାଳରୁ ଓ କେତେକ ବ୍ୟକ୍ତିଙ୍କ କୁଲରରେ ଥିବା ସଂରକ୍ଷିତ ପାଣିରୁ ଡେଙ୍ଗୁ ମଶାର ଲାର୍ଭା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚିହ୍ନଟ ହୋଇଛି। ତେଣୁ ଘରେ ରହିଥିବା ପାଣିକୁ ବେଶି ଦିନ ପର୍ଯ୍ୟନ୍ତ ନ ରଖିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

ଡେଙ୍ଗୁ ଅଣାୟତ୍ତ: ଶ୍ରମିକ ବସ୍ତିରୁ ୫ ଚିହ୍ନଟ
ଚନ୍ଦ୍ରଶେଖରପୁର: ରାଜଧାନୀରେ ଅଣାୟତ୍ତ ହେଉଛି ଡେଙ୍ଗୁ। ପ୍ରଥମେ ଓ୍ଵାର୍ଡ ନଂ-୧୩ ଅନ୍ତର୍ଗତ ବିଡିଏ କଲୋନିରେ ଗୋଟିଏ ପରିବାରରୁ ଦୁଇ ଜଣଙ୍କୁ ଡେଙ୍ଗୁ ହୋଇଥିଲା। ଆଜି ଉକ୍ତ ଅଞ୍ଚଳରୁ ଡେଙ୍ଗୁରେ ପ୍ରତିମା ଦାସ ନାମକ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ତେବେ ବସ୍ତି ଅଞ୍ଚଳରେ ସାଧାରଣତଃ ଡେଙ୍ଗୁ ଅନୁକୂଳ ପରିବେଶ ଥାଏ। କିନ୍ତୁ ମୌସୁମି ଆସିବା ପୂର୍ବରୁ ବିଡିଏ କଲୋନି ଭଳି ଅଞ୍ଚଳରେ ଡେଙ୍ଗୁ କାୟା ବିସ୍ତାର କରିବା ସ୍ୱାସ୍ଥ୍ୟ ବିଭାଗ ଓ ବିଏମ୍‌ସିକୁ ଅକଳରେ ପକାଇଛି। ସମ୍ବାଦ ପକ୍ଷରୁ ଏନେଇ ପ୍ରଥମେ ଖବର ପ୍ରକାଶ ପାଇବା ପରେ ପ୍ରଶାସନର ଚେତା ପଶିଥିଲା। ସାଲିଆସାହିରୁ ଡେଙ୍ଗୁ ସଚେତନତା ନେଇ ଏକ ପ୍ରଜ୍ଞାପନ ମେଢ଼ ଆରମ୍ଭ ହୋଇଥିଲା। କିନ୍ତୁ ବର୍ତ୍ତମାନ ଡେଙ୍ଗୁ ଚନ୍ଦ୍ରଶେଖରପୁର ଅଞ୍ଚଳର ବିଭିନ୍ନ ବସ୍ତିକୁ ବ୍ୟାପୁଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆଜି ଚନ୍ଦ୍ରଶେଖରପୁର ଅଞ୍ଚଳର ଶ୍ରମିକ ବସ୍ତିରୁ ୫ଟି ନୂତନ ଡେଙ୍ଗୁ ନମୁନା ଚିହ୍ନଟ ହୋଇଛି। ପରୀକ୍ଷା ପାଇଁ ନମୁନାଗୁଡ଼ିକୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଠାଯାଇଛି। ତେବେ ନମୁନାଗୁଡ଼ିକ ମଧ୍ୟରୁ ୨ଟି ପଜିଟିଭ୍‌ ଥିବା ଜଣେ ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି। ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ବିଭିନ୍ନ ବସ୍ତିରେ ଅସ୍ୱାସ୍ଥ୍ୟକର ପରିବେଶ ଡେଙ୍ଗୁ ରୋଗକୁ ନିମନ୍ତ୍ରଣ କରୁଥିବା ଅଭିଯୋଗ ହୋଇଛି। ବସ୍ତି ଅଞ୍ଚଳର ସ୍ୱଚ୍ଛତା ପ୍ରତି ବିଏମ୍‌ସି ଧ୍ୟାନ ନଦେବା, ବ୍ଲିଚିଂ, ଫଗିଂ ଓ ମଶାତେଲର ଉପଯୋଗ ନହେବା ସମସ୍ୟାକୁ ଦୁଇଗୁଣିତ କରୁଥିବା ବିଜେପି ପକ୍ଷରୁ ଅଭିଯୋଗ ହୋଇଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ବସ୍ତିକୁ ଘରକୁ ଘର ବୁଲି ବର୍ତ୍ତମାନ ଡେଙ୍ଗୁ ବିଷୟରେ ସଚେତନ କରାଯାଉଛି।

ସମ୍ବନ୍ଧିତ ଖବର