ଭୁବନେଶ୍ବର: ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ଗତକାଲି ନକଲି ଇଞ୍ଜିନ୍ ଅଏଲ ରୢାକେଟ୍ ଧରାପଡ଼ିବା ପରେ କୁଇକ୍ ଆକ୍ସନ ଟିମ୍ (କ୍ୟୁଏଟି) ହାତରେ ଲାଗିଛି ଚାଞ୍ଚଲ୍ୟକର ତଥ୍ୟ। ମଞ୍ଚେଶ୍ବର ସମେଇଗାଡ଼ିଆର ଏକ ନିକାଞ୍ଚନ ସ୍ଥାନରେ ତିଆରି ଚାଲିଥିଲା ଏହି ନକଲି ଇଞ୍ଜିନ୍ ଅଏଲ। ବିପୁଳ ପରିମାଣର ଇଞ୍ଜିନ୍ ଅଏଲ ତିଆରି ହେବା ପରେ ଡ୍ରମରେ ପଶି ଜଗତପୁରକୁ ଯାଏ। ସେଠାରେ ଏକ ଟ୍ରକ ଗ୍ୟାରେଜକୁ ଢାଲ କରି ଏହି ଦୁଇ ନମ୍ବର କାରବାର ଚାଲେ। ଏଠାରୁ ଯାଇଥିବା ନକଲି ଇଞ୍ଜିନ୍ ଅଏଲ ଜଗତପୁରରେ ପ୍ୟାକିଂ କରାଯାଇ ବିଭିନ୍ନ ଜାଗାକୁ ଚାଲାଣ ହୁଏ।
ଏହି ରୢାକେଟର ମୁଖ୍ୟ ବାବାଜି ସାହୁ ଧରାପଡ଼ିବା ପରେ ଜେରା ବେଳେ ଏଭଳି ତଥ୍ୟ ପାଇଛି କ୍ୟୁଏଟି। ବାବାଜି ଜଗତପୁରରେ ଯେଉଁ ଠିକଣା କହିଛି ସେଠାରେ ଚଢ଼ଉ ହେଲା ପରେ ପୂରା ରୢାକେଟର ପର୍ଦାଫାସ୍ ହେବ ବୋଲି କୁହାଯାଉଛି। ସେହିପରି ଇଞ୍ଜିନ୍ ଅଏଲ ପାଇଁ ବ୍ୟବହୃତ ଟ୍ରାନ୍ସଫର୍ମର ତେଲ ବଜାରରେ ଉପଲବ୍ଧ ହୁଏ ନାହିଁ। ଏହା ବିଦ୍ୟୁତ ବିଭାଗକୁ ଯୋଗାଇ ଦିଆଯାଏ। ଚୋରା ଟ୍ରାନ୍ସଫର୍ମର ତେଲ ପଛରେ ବିଦ୍ୟୁତ କର୍ମଚାରୀଙ୍କ ହାତ ରହିଥିବା ସନ୍ଦେହ କରୁଛି ପୁଲିସ। ଗିରଫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କଲେ ଚୋରା ଟ୍ରାନ୍ସଫର୍ମର ତେଲ ଯୋଗାଇବା ପଛରେ କାହାର ହାତ ରହିଛି ତାହା ସ୍ପଷ୍ଟ ହୋଇପାରିବ। ସୂଚନାଯୋଗ୍ୟ, ଗତକାଲି କ୍ୟୁଏଟି ଚଢ଼ଉ କରି ୨୦ ହଜାର ଲିଟର ନକଲି ଇଞ୍ଜିନ୍ ଅଏଲ ଜବତ କରିଥିଲା। ରୢାକେଟର ମୁଖ୍ୟ ବାବାଜି ସାହୁ ସହଯୋଗୀ ଚନ୍ଦ୍ରଶେଖର ସାହୁ ଓ ଜଗା ତଲସାକୁ ଗିରଫ କରା ଯାଇଥିଲା।