ବାଜିରେ ଲାଗିଛି ଲୋକଙ୍କ ଜୀବନ : ରାଜଧାନୀ ଓ ଉପକଣ୍ଠରେ ମାଳମାଳ ଅପମିଶ୍ରିତ କାରଖାନା

ଗୋଟିଏ ଧରାପଡ଼ିଲା, ଆହୁରି ଅନେକ ଅଛି
ରିଫାଇନ୍ ତେଲ ଓ ଟର୍ଚ୍ଚ ବ୍ୟାଟେରି ଖୋଳ ଗୁଣ୍ଡରେ ହେଉଛି ନକଲି ଘିଅ
ଫାଷ୍ଟଫୁଡ୍ ଦୋକାନରେ ଭଳିକି ଭଳି ବେନାମୀ ସସ୍‌
ବଡ଼ ବ୍ରାଣ୍ଡ ନାଁରେ ମିଳୁଛି ଅପମିଶ୍ରିତ ସୋରିଷ ତେଲ

ରାଜଧାନୀ ଓ ଉପକଣ୍ଠରେ ଏବେ ନକଲି ଖାଦ୍ୟ ସାମଗ୍ରୀ ପ୍ରସ୍ତୁତକାରୀ ମାଫିଆଙ୍କ ରାଜୁତି। କେଉଁଟି ଅସଲି କେଉଁଟି ନକଲି; ଗ୍ରାହକ ପକ୍ଷେ ଜାଣିବା କଷ୍ଟକର। କମ୍‌ ଦାମରେ ବଡ଼ କମ୍ପାନିର ଷ୍ଟିକରଲଗା ନକଲି ସାମଗ୍ରୀ କିଣି ବେପାରୀ ଚଢ଼ା ଦରରେ ଗ୍ରାହକକୁ ଯୋଗାଉଛନ୍ତି। ଆଉ ବିଚରା ଗ୍ରାହକ ଅସଲି ଭାବି ଏଭଳି ନିମ୍ନମାନର ବିଷାକ୍ତ ସାମଗ୍ରୀ ଖାଇ ନାନା ରୋଗରେ ପଡୁଛି। କେବଳ ପୁଲିସ ଓ ଖାଦ୍ୟ ସୁରକ୍ଷା ଅଧିକାରୀ ଚଢ଼ଉ କରିବା ସହ ତତ୍କାଳ କାର୍ଯ୍ୟାନୁଷ୍ଠାନ ନେଇ ନିଜ କାମ ସାରି ଦେଉଛନ୍ତି। କିନ୍ତୁ ବର୍ଷ ବର୍ଷ ଧରି ଚାଲିଥିବା ନକଲି, ଅପମିଶ୍ରିତ କାରବାର ଉପରେ ରୋକ୍ ଲାଗିପାରୁ ନାହିଁ। ବାଜିରେ ଲାଗିଛି ସାଧାରଣ ଲୋକଙ୍କ ଜୀବନ। ନିକଟରେ ରାଜଧାନୀ ଭୁବନେଶ୍ବରରେ ନକଲି ଖାଦ୍ୟ ସାମଗ୍ରୀକୁ ନେଇ ‘ସମ୍ବାଦ’ ଅନୁସନ୍ଧାନରେ ଖବର ପ୍ରକାଶ ପାଇବା ପରେ ସ୍ପେସାଲ ସ୍କ୍ବାଡ୍ ରାଜଧାନୀ ଉପକଣ୍ଠ ପାହାଳରେ ଏକ ଅପମିଶ୍ରିତ ସସ୍ ଏବଂ ଆଚାର କାରଖାନାରେ ଚଢ଼ଉ କରିଥିଲା। କିନ୍ତୁ ଇଏ କେବଳ ଭାତହାଣ୍ଡିରୁ ଗୋଟିଏ ଭାତ ଚିପିବା ଭଳି କଥା। ରାଜଧାନୀରେ ଏଭଳି ଶହଶହ ନକଲି ଓ ଅପମିଶ୍ରିତ ଖାଦ୍ୟ ସାମଗ୍ରୀ ତିଆରି ଓ କାରାବାର ଜାରି ରହିଛି। ଯାହାକୁ ଧରିବା କମିସନରେଟ୍‌ ପୁଲିସ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ନକଲି ଖାଦ୍ୟ ସାମଗ୍ରୀକୁ ନେଇ ‘ସମ୍ବାଦ’ ମହାନଗର ଟିମ୍‌ର ଆଉ ଏକ ଅନୁସନ୍ଧାନ। (ରିପୋର୍ଟ: ଶୁଭକାନ୍ତ ପଢ଼ିଆରୀ)

ରାଜଧାନୀରେ ଏବେ ସବୁଠୁ ଅଧିକ ନକଲି ଗୁଆଘିଅ ବିକ୍ରି ଚାଲିଛି। ଦିନକୁ ଲକ୍ଷଲକ୍ଷ ଟଙ୍କାର ବେପାର ହେଉଛି। ନାମୀ ବ୍ରାଣ୍ଡ୍‌ରେ ନୁହେଁ; ବରଂ ସାଇକେଲ ଚଳାଇ ବେପାରୀ ଲୋକଙ୍କ ଘରେ ପହଞ୍ଚି ଯାଉଛନ୍ତି, କାଚ ବୋତଲ ଖୋଲି ଘିଅ ଦେଖାଉଛନ୍ତି, ବୋତଲ ଠିପି ଖୋଲି ଗ୍ରାହକଙ୍କ ହାତରେ ଘସି ଦେଇ ବାସ୍ନା ଶୁଘାଂଉଛନ୍ତି ଏବଂ ନିଜକୁ ନେଇ ଅସଲି ଗୁଆଘିଅ ପ୍ରସ୍ତୁତକାରୀ ବୋଲି ପରିଚୟ ଦେଉଛନ୍ତି। ଏହି ଘିଅ କେଉଁଠୁ ଆସୁଛି ବୋଲି ଯଦି ଗ୍ରାହକ ପଚାରେ ତାହେଲେ ସେମାନେ ରାଜଧାନୀ ଉପକଣ୍ଠ ଅଞ୍ଚଳର ଏକ ଗାଁ ନାଁ କହି ଦିଅନ୍ତି। ଆହୁରି ବିଶ୍ବାସ ଜନ୍ମାଇବା ପାଇଁ ଆମ ସାଙ୍ଗରେ ଯାଇ ଘିଅ ତିଆରି ଦେଖି ପାରିବେ ବୋଲି କହନ୍ତି। ଏତିକି କଥା ପରେ ଗ୍ରାହକ ବିଶ୍ବାସ କରି କେଜି ପ୍ରତି ୭ ଶହରୁ ୮ ଶହ ଟଙ୍କାରେ ଘିଅ କିଣି ନିଅନ୍ତି। ଏହି ନକଲି ଘିଅ କେମିତି ତିଆରି ହେଉଛି ତାହା ଜାଣିବା ଲାଗି ଲକ୍ଷ୍ମୀସାଗର ଅଞ୍ଚଳରେ ଥିବା ଏକ ବସ୍ତିରେ ‘ସମ୍ବାଦ’ର ମହାନଗର ଟିମ୍ ପହଞ୍ଚି ଥିଲା। ସେଠି ଘିଅ କେମିତି ପ୍ରସ୍ତୁତ ହେଉଥିଲା ଦେଖିଲେ; ଆପଣଙ୍କ ହୋସ୍ ଉଡ଼ିଯିବ। ବଜାରରେ କମ୍ ଦାମରେ ମିଳୁଥିବା ଅତି ନିମ୍ନମାନର ରିଫାଇନ୍‌ ତେଲକୁ ଆଲୁମିନିୟମରେ ତିଆରି ଅବ୍ୟବହୃତ ଟର୍ଚ୍ଚ ବ୍ୟାଟେରି ଖୋଳକୁ ଗୁଣ୍ଡ କରି ମିଶାଯାଉଛି। ରିଫାଇନ ତେଲରେ ଏହା ମିଶାଯିବା ପରେ ଧୀରେ ଧୀରେ ବହଳିଆ ହୋଇ ବସିବାକୁ ଲାଗେ। ଗୁଆଘିଅ ଭଳି ବାସ୍ନା ପାଇଁ ଏଥିରେ କିଛି ଏସେନ୍ସ ବ୍ୟବହାର କରାଯାଏ। ଆଉ କେଜି ପିଛା ମାତ୍ର ଶହେ ଟଙ୍କାରେ ତିଆରି ହେଉଥିବା ଏହି ଅପମିଶ୍ରିତ ବିଷାକ୍ତ ଘିଅକୁ ଅସଲି ଗୁଆଘିଅ କହି ବେପାରୀ ୭ ଶହରୁ ୮ ଶହ ଟଙ୍କାରେ ବିକ୍ରି କରୁଛି। ଏଭଳି ଅପମିଶ୍ରିତ ଘିଅ ଖାଇଲେ ବୁଢ଼ାଠୁ ନେଇ ପିଲାଙ୍କ ଯାଏ ଦେହ ଖରାପ ହୁଏ। ପରେ କ୍ୟାନସର ଭଳି ମାରାତ୍ମକ ରୋଗର କାରଣ ମଧ୍ୟ ପାଲଟେ। ଲକ୍ଷ୍ମୀସାଗର, ବଡ଼ଗଡ଼, ନୟାପଲ୍ଲୀ, ବରମୁଣ୍ଡା ବସଷ୍ଟାଣ୍ଡ ନିକଟ, ଏୟାରପୋର୍ଟ, ମଞ୍ଚେଶ୍ବର ଅଞ୍ଚଳରେ ଏହି ନକଲି ଘିଅ ପ୍ରସ୍ତୁତ କରାଯାଉଛି। ମୁଖ୍ୟତଃ ବଙ୍ଗୀୟ ବେପାରୀମାନେ ଏହାର ମଙ୍ଗ ଧରୁଛନ୍ତି।

ନକଲି ଗୁଆଘିଅ ପଛକୁ ରାଜଧାନୀ ବଜାରରେ ସର୍ବାଧିକ ବିକ୍ରି ହେଉଛି ନକଲି ସସ୍। ରାସ୍ତାକଡ଼ରେ ଅଧିକାଂଶ ଫାଷ୍ଟଫୁଡ୍ ଦୋକାନରେ ଭଳିକି ଭଳି ବେନାମୀ କମ୍ପାନିର ଟମାଟୋ, ଚିଲି ସସ୍ ମିଳୁଛି। ଅଧିକାଂଶ ସସ୍‌ରେ ପ୍ୟାକିଂ ତାରିଖ, ଏକ୍ସପାଏରି ତାରିଖ, ରେଜିଷ୍ଟ୍ରେସନ ନମ୍ବର ମଧ୍ୟ ଉଲ୍ଲେଖ ରହୁ ନାହିଁ। ଅଧିକ ଲାଭ ପାଇଁ ଫାଷ୍ଟଫୁଡ୍ ଦୋକାନୀ କମ୍‌ ଦାମରେ ଏହି ସସ୍ କିଣୁଛନ୍ତି। ଏହି ସସ୍ ହାତଗଣତି କେତେକ ଦୋକାନରେ ମିଳୁଛି। ନ ହେଲେ ସିଧାସଳଖ ଫାଷ୍ଟଫୁଡ୍ ଦୋକାନୀଙ୍କୁ ନକଲି କମ୍ପାନି ପକ୍ଷରୁ ଯୋଗାଇ ଦିଆଯାଉଛି। ପଚାସଢା କଖାରୁ, ପୋକରା ଚାଉଳ ଗୁଣ୍ଡ, ରାସାୟନିକ ପଦାର୍ଥ, ବାସ୍ନା ପାଇଁ ଏସେନ୍ସ ମିଶାଯାଇ ଏହି ସସ୍ ପ୍ରସ୍ତୁତ କରାଯାଉଛି। ଆଉ ଏଭଳି ଅପମିଶ୍ରିତ ସସ୍‌ ଖାଇ ଲୋକ ରୋଗରେ ପଡୁଛନ୍ତି। ବିଏମସି ସ୍ବାସ୍ଥ୍ୟ କାର୍ଯ୍ୟାଳୟ କି ଫୁଡ୍ ସେଫ୍ଟି ପକ୍ଷରୁ କୌଣସି ଚଢ଼ଉ ମଧ୍ୟ କରାଯାଉ ନାହିଁ। ତେଣୁ ବର୍ଷ ବର୍ଷ ଧରି ନିର୍ଭୟରେ ଏଭଳି ଅପମିଶ୍ରିତ ସସ୍‌କୁ ବ୍ୟବହାର କରାଯାଉଛି।

ଅପରପକ୍ଷରେ କେତେକ ବଡ଼ ବ୍ରାଣ୍ଡ ନାଁରେ ଅପମିଶ୍ରିତ ସୋରିଷ ତେଲ ମଧ୍ୟ ବଜାରରେ ମିଳୁଛି। ସୋରିଷ ତେଲ ଭଳି ଦେଖା ଯାଉଥିବା ଏହି ତେଲର ସ୍ବାଦ ମଧ୍ୟ ଭିନ୍ନ। କିଛି ଦିନ ବୋତଲରେ ରହିବା ପରେ ରଙ୍ଗ ବଦଳି ଯାଉଛି। ଏହି ତେଲରେ ରୋଷେଇ ହେଲେ ତରକାରୀ ସ୍ବାଦ ମଧ୍ୟ ବଦଳି ଯାଉଛି। ରାଜଧାନୀ ଓ ଏହାର ଉପକଣ୍ଠ ଅଞ୍ଚଳର କେତେକ ନିର୍ଦ୍ଦିଷ୍ଟ ଜାଗାରେ ଏ ସବୁ ତିଆରି ହେଉଛି।

 

News Unseen

କେବଳ ଏସବୁ ସାମଗ୍ରୀ ନୁହେଁ; ନକଲି ଗୁଣ୍ଡ ମସଲା ଓ ଗୋଟା ଜୀରା ମଧ୍ୟ ରାଜଧାନୀରେ ତିଆରି ହେଉଛି। ଗଳିକନ୍ଦିରେ ମସଲା ଗୁଣ୍ଡ ମେସିନ୍ ପକାଇ ନକଲି ମସଲା ତିଆରି ଚାଲିଛି। ଏମିତି ଅନେକ ବ୍ରାଣ୍ଡ୍‌ ଓ ବିନା ବ୍ରାଣ୍ଡ୍‌ରେ ମସଲା ଆସୁଛି; ଯାହା ପୂର୍ବରୁ କେବେ ଶୁଣିବାକୁ ମିଳିନି। କିନ୍ତୁ ସେସବୁ ବଜାରରେ ମିଳୁଛି। ଏହି ମସଲାର ସ୍ବାଦ ମଧ୍ୟ ଭିନ୍ନ ରହୁଛି। କମ ଦାମରେ ମିଳୁ ଥିବାରୁ ଲୋକ ନେଉଛନ୍ତି ଓ ଅଧିକ ଲାଭ ପାଇଁ କେତେକ ନିର୍ଦ୍ଦିଷ୍ଟ ଦୋକାନୀ ଏହାକୁ ରଖୁଛନ୍ତି। ଏ ସବୁ ଖୁଲମଖୁଲା ଚାଲୁଥିଲେ ମଧ୍ୟ ଚଢ଼ଉ ହୋଇପାରୁ ନାହିଁ।

ଖାଦ୍ୟ ସାମଗ୍ରୀ ବ୍ୟତୀତ ଏବେ ନକଲି ଇଞ୍ଜିନ୍ ଅଏଲ ମଧ୍ୟ ତିଆରି ହେଉଛି ରାଜଧାନୀରେ। ପୋଡ଼ା ମୋବିଲ୍, ରିଫାଇନ୍ ଅଏଲ, ରଙ୍ଗ ମିଶା ଯାଇ ନକଲି ଇଞ୍ଜିନ ଅଏଲ୍ ପ୍ରସ୍ତୁତ କରାଯାଉଛି। ଯାହାକୁ ବିଭିନ୍ନ ନାମୀଦାମୀ ବ୍ରାଣ୍ଡ ବୋତଲରେ ନକଲି ଲୋଗୋ ଲଗାଯାଇ ବିକ୍ରି କରାଯାଉଛି। ରାଜଧାନୀ ଓ ଏହାର ଉପକଣ୍ଠ ଅଞ୍ଚଳରେ କେତେକ ଛୋଟଛୋଟ ଗ୍ୟାରେଜରେ ଏହି ଇଞ୍ଜିନ୍ ଅଏଲକୁ ନକଲି କାରଖାନା ମାଲିକ ଯୋଗାଉଛନ୍ତି। ମାତ୍ର ୩୦ରୁ ୪୦ ଟଙ୍କାରେ ତିଆରି ହେଉଥିବା ଇଞ୍ଜିନ୍ ଅଏଲ ୨୫୦ରୁ ୩୦୦ ଟଙ୍କାରେ ବିକ୍ରି ହେଉଛି। ପୂରା ରାଜଧାନୀ ସାରା ନକଲି ସାମଗ୍ରୀର ଜାଲ ମାଡ଼ି ରହିଛି। ସ୍ବତନ୍ତ୍ର ସ୍କ୍ବାଡ୍ ଗଠନ କରାଯାଇ ସ୍ବତନ୍ତ୍ର ଭାବେ ଚଢ଼ଉ ଅଭିଯାନ ହେଲେ ଏହି ନକଲି କାରବାର ଉପରେ ରୋକ୍ ଲାଗି ପାରିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର