ଭୁବନେଶ୍ବର : ବ୍ରହ୍ମପୁର ଏମ୍କେସିଜି ମେଡିକାଲ କଲେଜ୍ରେ ନାମ ଲେଖାଇ ଦେବା ପାଇଁ ନକଲି ସାମ୍ବାଦିକ ନେଇଥିଲା ୧୫ ଲକ୍ଷ ଟଙ୍କା। ଚଢ଼ୁଥିଲା ଫୋର୍ଡ ଏଣ୍ଡିଓଭର କାର୍। ନା’ ଟଙ୍କା ଫେରାଇଲା, ନା ଆଡ୍ମିସନ କରାଇଲା। ‘ଜେଇଇ’ ନାମରେ ଥିବା ଡିମାଣ୍ଡ ଡ୍ରାଫ୍ଟ ଓ ଏକ ନକଲି ଚିଠି ଦେଖାଇ ମାସ ମାସ ଧରି ଆବେଦନକାରୀକୁ ଭଣ୍ଡାଉଥିଲା। ମାମଲା ଥାନାକୁ ଯିବା ପରେ ଏହି ନକଲି ସାମ୍ବାଦିକକୁ ବାନ୍ଧିଛି ନୂଆପଲ୍ଲୀ ଥାନା ପୁଲିସ। ଅଭିଯୁକ୍ତ ହେଉଛି ଚନ୍ଦ୍ରଶେଖରପୁର ଥାନା ପଟିଆରେ ରହୁଥିବା ସୁନୀଲ ସାମନ୍ତରାୟ। ପୁଲିସ ତା’ ଠାରୁ ଏକ୍ସପୋଜ୍ ଓଡ଼ିଶା ନାମରେ ୱେବ୍ ପୋର୍ଟାଲର ପରିଚୟପତ୍ର, ସମ୍ପୃକ୍ତ ଦାମୀ ଗାଡ଼ି ଓ ୧୦ ଲକ୍ଷ ଟଙ୍କା ଜବତ କରିଛି। ନାମଲେଖା ବାବଦକୁ ନକଲି କାଗଜପତ୍ର ମଧ୍ୟ ଜବତ ହୋଇଛି। ଜବତ କାଗଜପତ୍ରକୁ ପରୀକ୍ଷା କରିବା ପାଇଁ ହାଣ୍ଡରାଇଟିଂ ବ୍ୟୁରୋକୁ ପଠାଯାଇଛି।
ତେବେ ଆଜିର ନୂଆ ଘଟଣା ନୁହେଁ, ବରଂ ଅତୀତରେ ମଧ୍ୟ କମିସନରେଟ୍ ପୁଲିସ ସମ୍ପୃକ୍ତ ଅଭିଯୁକ୍ତକୁ ଅନୁରୂପ ମାମଲାରେ ବାନ୍ଧିଥିଲା। ତା ନାମରେ ଇନ୍ଫୋସିଟି ଓ ଚନ୍ଦ୍ରଶେଖରପୁର ଥାନାରେ ମାମଲା ରହିଛି। ଏଣୁ ସେ ଏଭଳି ବଡ଼ ରୢାକେଟ୍ରେ ସମ୍ପୃକ୍ତ ଥିବା ପୁଲିସ ଅନୁମାନ କରୁଛି। ତା’କୁ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରିବାକୁ କମିସନରେଟ୍ ପୁଲିସ ଯୋଜନା କରିଛି। ନିକଟ ଅତୀତରେ ଦାଦାବଟି ମାଗିବା ଅଭିଯୋଗରେ କମିସନରେଟ୍ ପୁଲିସ ୪ରୁ ଊର୍ଦ୍ଧ୍ବ ନକଲି ସାମ୍ବାଦିକଙ୍କୁ ବାନ୍ଧି ସାରିଛି।
ପୁରୀର କୃଷ୍ଣପ୍ରସାଦ ଉଦ୍ଗାତାଙ୍କ ପୁଅ ୨୦୨୦ରେ ଓଜେଇଇ ପରୀକ୍ଷା ଦେଇଥିଲେ। ଓଜେଇଇ ତାଲିକାରୁ ଉଦ୍ଗାତାଙ୍କ ପୁଅଙ୍କର ନମ୍ବର ବାହାର କରି ସୁନୀଲ୍ କୃଷ୍ଣପ୍ରସାଦଙ୍କୁ ଫୋନରେ ଯୋଗାଯୋଗ କରିଥିଲା। ବ୍ରହ୍ମପୁର ଏକମେସିଜି ମେଡିକାଲ କଲେଜରେ ଆଡ୍ମିସନ କରାଇଦେବା ପାଇଁ କଥା ହୋଇଥିଲା। ଏଥିପାଇଁ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି କହିଥିଲା। କୌଣସି ଟଙ୍କା ନ ନେଇ ସେ ମେଲ୍ରେ ଏକ ପ୍ରୋଭିଜନାଲ ଆଲର୍ଟମେଣ୍ଟ ପେପର ପଠାଇଥିଲା। ୨୦୨୦ ସେ୍ପ୍ଟେମ୍ବରରେ ‘ଆଡମିଟେଡ୍’ ଶୀର୍ଷକ ଏକ ମେଲ୍ ପଠାଇଥିଲା। ଏହି ଚିଠି ପାଇବା ପରେ କୃଷ୍ଣପ୍ରସାଦଙ୍କର ବିଶ୍ୱାସ ଆସିବାରୁ ସେ ୧୫ ଲକ୍ଷ ଟଙ୍କା ଦେଇଥିଲେ। ପରେ ଆଉ ପାଞ୍ଚ ଲକ୍ଷ ଦେବାକୁ କଥା ହୋଇଥିଲା।
ପରେ ଖୋଳତାଡ଼ କଲାବେଳେ ଜଣାପଡ଼ିଥିଲା କି ସୁନୀଲ ଦେଇଥିବା ସମସ୍ତ କାଗଜପତ୍ର ନକଲି ବୋଲି ଜଣାପଡ଼ିଥିଲା। ଏଣୁ ଟଙ୍କା ଫେରାଇବାକୁ କୃଷ୍ଣପ୍ରସାଦ ସୁନୀଲକୁ କହିଥିଲେ। ହେଲେ ଗଣମାଧ୍ୟମ ପ୍ରତିନିଧି କହି ସେ ଦିନ ଗଡ଼ାଇ ଚାଲିଥିଲା। କୃଷ୍ଣପ୍ରସାଦ ନିରାଶ ହୋଇ ଗତ ୧୪ ତାରିଖରେ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ଅଭିଯୁକ୍ତ ଗଣମାଧ୍ୟମର ପ୍ରତିନିଧି କହୁଥିବାରୁ ଥାନାକୁ ଆସିବା ପାଇଁ ପୁଲିସ ସୁନୀଲକୁ ନୋଟିସ୍ ଦେଇଥିଲା। ହେଲେ ସେ ନୋଟିସ୍କୁ ମଧ୍ୟ ଖାତିର କରିନଥିଲା। ଗତ ବିଳମ୍ବିତ ରାତିରେ ପୁଲିସ ସୁନୀଲଙ୍କୁ ଥାନାକୁ ଉଠାଇ ଆଣିଥିଲା। ସେ ସବୁ ମାନିବା ପରେ ତା ପାଖରେ ଥିବା ୧୦ ଲକ୍ଷ ଟଙ୍କା ଫେରାଇଥିଲା। ବିଭିନ୍ନ ମେଡିକାଲ କଲେଜ୍ରେ ସିଟ୍ ବୁକିଂ ପାଇଁ ଏକ ବଡ଼ ଠକେଇ ରୢାକେଟ୍ରେ ସୁନୀଲ ଥିବା ପୁଲିସ ସନ୍ଦେହ କରୁଛି। ତାକୁ ରିମାଣ୍ଡରେ ଆଣିବା ପରେ ଏହା ଉପରୁ ପରଦା ହଟିବ ବୋଲି ନୂଆପଲ୍ଲୀ ଥାନା ଇନ୍ସ୍ପେକ୍ଟର ଶରତ ସାହୁ ସୂଚନା ଦେଇଛନ୍ତି।