ଭୁବନେଶ୍ବର : ଗତ ଦୁଇ ବର୍ଷରେ ରାଜ୍ୟରେ ୧୮୨ ନିମ୍ନମାନର ଔଷଧ ଧରା ପଡ଼ିଛି। ଧରା ପଡ଼ିଥିବା ସମସ୍ତ ଔଷଧ ରାଜ୍ୟ ବାହାରୁ ଓଡ଼ିଶାକୁ ଆସିଛି। ରାଜ୍ୟ ଡ୍ରଗ୍‌ସ କଣ୍ଟ୍ରୋଲର ପକ୍ଷରୁ ବିଭିନ୍ନ ସମୟରେ ହୋଇଥିବା ଯାଞ୍ଚରେ ଏହି ନିମ୍ନମାନର ଔଷଧ ସଂପର୍କରେ ସୂଚନା ମିଳିଛି। ତେବେ ସଂପୃକ୍ତ ଔଷଧକୁ ଫେରାଇ ନେବାକୁ କମ୍ପାନିକୁ ନିର୍ଦେଶ ଦିଆଯିବା ସହ କମ୍ପାନି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂପୃକ୍ତ ରାଜ୍ୟର ଡ୍ରଗ୍‌ସ କଣ୍ଟ୍ରୋଲର କାର୍ଯ୍ୟାଳୟକୁ ଚିଠି ଲେଖା ଯାଇଥିବା ଜଣାପଡ଼ିଛି।

Advertisment

ରାଜ୍ୟରେ ଚୋରାରେ ବିକ୍ରି ହେଉଥିବା ଔଷଧର ସଂଖ୍ୟା ମଧ୍ୟ କିଛି କମ୍ ନୁହେଁ। ପୁଲିସ୍ ମଝିରେ ମଝିରେ ଚଢ଼ଉ କରି କଫ-ସିରଫ୍ ଜବତ କରୁଥିଲେ ହେଁ ଏହା ଯଥେଷ୍ଟ ନ‌ୁହେଁ ବୋଲି କୁହାଯାଉଛି। ଅପରପକ୍ଷେ ନିର୍ଦେଶାଳୟର ବିଧିବଦ୍ଧ ଭାବେ ଏକ ଗୁଇନ୍ଦା ସେଲ୍ ନ ଥିବାରୁ ଏ ସବୁକୁ ଯାଞ୍ଚ କରିବା ସମ୍ଭବ ହେଉନାହିଁ। ଫଳରେ ନିମ୍ନମାନର ଔଷଧ ସହ ନକଲି ଓ ଚୋରାରେ ରାଜ୍ୟରେ କେତେ ଔଷଧ ଆସୁଛି, ତାହା ଡ୍ରଗ୍‌ସ କଣ୍ଟ୍ରୋଲର କାର୍ଯ୍ୟାଳୟ ଜାଣିବା ସମ୍ଭବ ହେଉନାହିଁ।

ସୂଚନା ଅନୁସାରେ, ୨୦୧୭/୧୮ ମସିହାରେ ରାଜ୍ୟରେ ବିଭିନ୍ନ ଔଷଧ ବ୍ୟବସାୟ ପ୍ରତିଷ୍ଠାନରୁ ୬୬ ଓ ସରକାରୀ ଡାକ୍ତରଖାନାରୁ ୪୬ ନିମ୍ନମାନର ଔଷଧ ଧରାପଡ଼ିଛି। ସେହିପରି ୨୦୧୮/୧୯ରେ ଔଷଧ ବ୍ୟବସାୟୀ ପ୍ରତିଷ୍ଠାନରୁ ୫୬ ଓ ସରକାରୀ ଡାକ୍ତରଖାନାରୁ ୧୪ ନିମ୍ନମାନର ଔଷଧ ଯାଞ୍ଚ ସମୟରେ ସ୍ପଷ୍ଟ ହୋଇଛି। ଏହି ସମସ୍ତ ନିମ୍ନମାନର ଔଷଧକୁ ସଙ୍ଗେ ସଙ୍ଗେ ଫେରାଇ ନିଆଯାଇଥିବା ଜଣାପଡ଼ିଛି। ଫଳରେ ରୋଗୀଙ୍କ ନିକଟରେ ନିମ୍ନମାନର ଔଷଧ ପହଞ୍ଚି ପାରି ନାହିଁ। ତେବେ ରାଜ୍ୟରେ ନିମ୍ନମାନର ଓ ନକଲି ଔଷଧ ବିକ୍ରି କରୁଥିବା କମ୍ପାନି ଓ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକ ଉପରେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ୨୦୧୪ରୁ ୨୦୧୯ ମସିହା ଭିତରେ ରାଜ୍ୟରେ ୧୭ ଜଣଙ୍କ ବିରୋଧରେ ମାମଲା ଦାୟର କରାଯାଇଛି। ଏଭଳି ଏକ ପୁରୁଣା ମାମଲାରେ ଜଗତସିଂହପୁର ଅଞ୍ଚଳର ଜଣେ ବ୍ୟବସାୟୀଙ୍କୁ ୧ବର୍ଷ ଜେଲ ଦଣ୍ଡାଦେଶ ହୋଇଥିବା ନିର୍ଦେଶାଳୟ ସୂତ୍ରରୁ ଜଣାପଡ଼ିଛି।

ରାଜ୍ୟରେ ସରକାରୀ ଡାକ୍ତରଖାନାଗୁଡ଼ିକୁ ‘ନିରାମୟ’ ଯୋଜନାରେ ଯୋଗାଇ ଦିଆଯାଉଥିବା ଔଷଧ ରାଜ୍ୟ ଔଷଧ ନିଗମ ଜରିଆରେ କିଣାଯାଉଛି। ନିଗମ ପକ୍ଷରୁ‌ ଟେଣ୍ଡର୍‌ ଜରିଆରେ କିଣାଯାଉଥିବା ଔଷଧକୁ ଏନ୍‌ଏବିଏଲ ପରୀକ୍ଷାଗାରରେ ପରୀକ୍ଷା ପରେ ଡାକ୍ତରଖାନାକୁ ଯୋଗାଇ ଦିଆଯାଉଛି। ତେବେ ‘ନିରାମୟ’ରେ ଅନେକ ସମୟରେ ଔଷଧ ଉପଲବ୍ଧ ହେଉ ନ ଥିବାରୁ ସ୍ଥାନୀୟ ଡାକ୍ତରଖାନା କର୍ତୃପକ୍ଷ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଅର୍ଥରୁ ଔଷଧ କିଣି ରୋଗୀଙ୍କୁ ଯୋଗାଉଛନ୍ତି। ଏଭଳି ପରିସ୍ଥିତିରେ ସ୍ଥାନୀୟ ବଜାରରୁ ହସ୍ପିଟାଲ କର୍ତୃପକ୍ଷ କିଣୁଥିବା ଔଷଧକୁ ପରୀକ୍ଷା କରିବା ସମ୍ଭବ ହେଉନାହିଁ। ଫଳରେ ଏଥିରେ କେତେକ ନିମ୍ନମାନର ଔଷଧ ହସ୍ପିଟାଲ କର୍ତୃପକ୍ଷ କିଣୁଛନ୍ତି। ଏସବୁ ଔଷଧକୁ ସ୍ଥାନୀୟ ଅଞ୍ଚଳର ଡ୍ରଗ୍‌ ଇନ୍‌ସପେକ୍ଟର ନମୁନା ସଂଗ୍ରହ କରିବା ପରେ ପରୀକ୍ଷା ପାଇଁ ପଠାଉଛନ୍ତି। ଗତ ଦୁଇ ବର୍ଷରେ ରାଜ୍ୟରେ ଏଭଳି ୬୦ଟି ନିମ୍ନମାନର ଔଷଧ ଧରାପଡ଼ିବା ଘଟଣା ଏହାକୁ ସ୍ପଷ୍ଟ କରିଛି। ଔଷଧ ନିଗମରେ ଯଦି କୌଣସି ଔଷଧର ଦୁଇଟି ବ୍ୟାଚ୍‌ ନିମ୍ନମାନର ବୋଲି ଜଣାପଡ଼େ, ତେବେ ସଂପୃକ୍ତ କମ୍ପାନିକୁ କଳା ତାଲିକାଭୁକ୍ତ କରିବାର ନିୟମ ରହିଥିବା ବେଳେ ଡ୍ରଗ୍ସ କଣ୍ଟ୍ରୋଲର୍‌ କ୍ଷେତ୍ରରେ ଏଭଳି କୌଣସି ନିୟମ ନାହିଁ।

ଅପରପକ୍ଷରେ ରାଜ୍ୟ ଡ୍ରଗ୍‌ସ କଣ୍ଟ୍ରୋଲର ନିର୍ଦେଶାଳୟରେ ବିଧିବଦ୍ଧ ଭାବେ ଏକ ଗୁଇନ୍ଦା ବିଭାଗ ନାହିଁ। ଫଳରେ କେଉଁ କେଉଁ ଅଞ୍ଚଳରେ ରାଜ୍ୟ ବାହାରୁ ଚୋରାରେ ଔଷଧ ଆସୁଛି ଓ କେଉଁ ବ୍ୟବସାୟୀ ଏହାକୁ ବିକ୍ରି କରୁଛନ୍ତି, ତାହାର ଆଗୁଆ ସୂଚନା ନିର୍ଦେଶାଳୟକୁ ମିଳୁ ନାହିଁ। ରାଜ୍ୟରେ ଏବେ ୨୫ହଜାର ଔଷଧ ବ୍ୟବସାୟ ପ୍ରତିଷ୍ଠାନ ରହିଥିବା ବେଳେ ଏଥିପାଇଁ ୪୦ଜଣ ଡ୍ରଗ୍‌ ଇନ୍‌ସପେକ୍ଟର ରହିଛନ୍ତି। କେତେକ ଅଞ୍ଚଳରେ ଡିଆଇଙ୍କୁ ଏକାଧିକ ଦାୟିତ୍ବ ମଧ୍ୟ ଦିଆଯାଇଛି। ତେଣୁ ବିଧିବଦ୍ଧ ଭାବେ ଏକ ଗୁଇନ୍ଦା ସେଲ କାର୍ଯ୍ୟକ୍ଷମ କରିବା ପାଇଁ ଜଣେ ଡିଡିସିଙ୍କ ଅଧୀନରେ ଜଣେ ଏଡିସି ଓ ତାଙ୍କ ଅଧୀନରେ ୪/୫ଜଣ ଡ୍ରଗ୍‌ ଇନ୍‌ସପେକ୍ଟର ରହିବା କଥା। ମାତ୍ର ମାନବ ସମ୍ବଳର ଅଭାବ ଯୋଗୁଁ ତାହା ମଧ୍ୟ କାର୍ଯ୍ୟକାରୀ ହୋଇପାରୁ ନାହିଁ।

ରାଜ୍ୟ ଡ୍ରଗ୍‌ସ କଣ୍ଟ୍ରୋଲର(ଭାରପ୍ରାପ୍ତ) ମାମିନା ପଟ୍ଟନାୟକ କହିଛନ୍ତି, ରୢାଣ୍ଡମ୍ ଯାଞ୍ଚ ସମୟରେ ଏସବୁ ନିମ୍ନମାନର ଔଷଧ ଧରାପଡ଼ିଛି। ଏହି ଔଷଧକୁ ତୁରନ୍ତ ଫେରାଇ ନେବାକୁ ସଂପୃକ୍ତ କମ୍ପାନିକୁ ଚିଠି ଲେଖାଯାଇଛି। ଅପରପକ୍ଷରେ ଡ୍ରଗ୍‌ସ କଣ୍ଟ୍ରୋଲର କାର୍ଯ୍ୟାଳୟର ବିଧିବଦ୍ଧ ଭାବେ ସେଭଳି କୌଣସି ଗୁଇନ୍ଦା ସେଲ୍ ନାହିଁ। କିଛି ବର୍ଷ ପୂର୍ବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଭଳି ଏକ ସେଲ୍ ପ୍ରତିଷ୍ଠା ପାଇଁ ରାଜ୍ୟକୁ ପ୍ରସ୍ତାବ ଦିଆଯାଇଥିଲା। ଏଥିପାଇଁ କାର୍ଯ୍ୟ ଆରମ୍ଭ ହୋଇଥିଲେ ହେଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆବଶ୍ୟକ ପାଣ୍ଠି ନ ଆସିବାରୁ ତାହା ବନ୍ଦ ହୋଇ ଯାଇଥିଲା। ନିକଟରେ କେନ୍ଦ୍ର ସରକାରଙ୍କ ଏକ ବୈଠକରେ ମଧ୍ୟ ସବୁ ରାଜ୍ୟରେ ବିଧିବଦ୍ଧ ଭାବେ ଏକ ଗୁଇନ୍ଦା ସେଲ୍ ପ୍ରତିଷ୍ଠା କରିବା ଉପରେ ପ୍ରସ୍ତାବ ଦିଆଯାଇଛି। ମହାରାଷ୍ଟ୍ରର ଡ୍ରଗ୍‌ସ କଣ୍ଟ୍ରୋଲର ଯେଉଁ ଢଙ୍ଗରେ ଗୁଇନ୍ଦା ସେଲ୍‌ ଗଠନ କରିଛନ୍ତି, ସେହି ଢାଞ୍ଚାରେ ରାଜ୍ୟରେ ଏକ ସେଲ୍‌ ଗଠନ ପାଇଁ ସହାୟତା‌ ପ୍ରଦାନ କରିବା ପାଇଁ ସଂପୃକ୍ତ ରାଜ୍ୟର ଡିସିଙ୍କୁ ଚିଠି ଲେଖାଯାଇଛି। ସେଠାରୁ ସହାୟତା ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀମତୀ ପଟ୍ଟନାୟକ ସୂଚନା ଦେଇଛନ୍ତି।