ଭୁବନେଶ୍ୱର: ଦୋକାନରୁ ଯେଉଁ ଘିଅ ଓ ତେଲ କିଣୁଛନ୍ତି, ତାହା ଅସଲି ତ? ଡବା ଉପରେ ଲାଗିଥିବା ଲେବୁଲ୍‌ ମୁତାବକ ଭିତରେ ଥିବା ଜିନିଷ ଠିକ୍‌ ତ? ଲକ୍ଷ୍ମୀସାଗର ହାଉସିଂବୋର୍ଡ କଲୋନି‌‌ ଫେଜ୍‌-୧ରେ ଥିବା ଏକ ଆଜବେଷ୍ଟସ୍‌ ଘରୁ ଆଜି ୨ ହଜାର ଲିଟର (୮୮ଟିଣ) ନକଲି ଘିଅ/ତେଲ ଜବତ ହେବା ପରେ ରାଜଧାନୀବାସୀଙ୍କୁ ଏହି ପ୍ରଶ୍ନ ଏବେ ଦ୍ବନ୍ଦ୍ବ‌‌‌ରେ ପକାଇଛି। ସ୍ପେସାଲ ସ୍କ୍ବାଡ୍‌ ଓ ଲକ୍ଷ୍ମୀସାଗର ଥାନା ପୁଲିସର ଏକ ମିଳିତ ଟିମ୍‌ ବର୍ଷ ବର୍ଷ ଧରି ଚାଲୁ ଆସୁଥିବା ଏହି ବେଆଇନ କାରବାରର ଆଜି ପର୍ଦାଫାସ୍‌ କରିଛନ୍ତି।

Advertisment

ଚଢ଼ଉ ବେଳେ ଏହି ତେଲ କାରଖାନାରୁ ନକଲି କ୍ରିଷ୍ଣା ବ୍ରାଣ୍ଡ୍‌ର ଘିଅ, ବାଲାଜୀ ବ୍ରାଣ୍ଡର ଜଡ଼ା ତେଲ ଓ ରାଶି ତେଲ ସହ ତେଲ ଓ ଘିଅର ମହକ(ଏସେନ୍ସ), ରଙ୍ଗ, ବିଭିନ୍ନ ମାପର ହଜାର ହଜାର ଖାଲି ଡବା, ଖାଲି ଟିଣ, ମିଶ୍ରଣ ମେସିନ୍‌, ଓଜନ ମେସିନ୍‌ ଜବତ ହୋଇଛି। ଏହି ଘଟଣାରେ ପୁଲିସ ୪ ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ସେମାନେ ହେଲେ, କେନ୍ଦ୍ରାପଡ଼ା ମାର୍ଶାଘାଇ ଅଞ୍ଚଳର ତିନି ଭାଇ ଲଲାଟେଶ୍ବର ଆଚାର୍ଯ୍ୟ, ଯଯାତି ଆଚାର୍ଯ୍ୟ ଓ ବିକ୍ରମ କେଶରୀ ଆଚାର୍ଯ୍ୟ ଏବଂ ଆଉ ଜଣେ ଅଭିଯୁକ୍ତ ବିଞ୍ଝାରପୁରର ବୈକୁଣ୍ଠ ମଲ୍ଲିକ। ପୁଲିସ ସୂଚନା‌ ମୁତାବକ, ମାର୍ଶାଘାଇର ଧରଣୀଧର ଆଚାର୍ଯ୍ୟଙ୍କର ହାଉସିଂବୋର୍ଡ କଲୋନି ଫେଜ୍‌-୧ରେ ରହିଥିବା ଗୋଟିଏ ଆଜ୍‌ବେଷ୍ଟସ୍‌ ଘରେ ଏହି ବେପାର ଚାଲିଥିଲା। ତାଙ୍କର ତିନିପୁଅଙ୍କ ସହ ଅନ୍ୟ ଜଣେ ଯୁବକ ମିଶି ଏହି ବେପାର କରୁଥିଲେ। ଶସ୍ତା‌ ତେଲକୁ ଘିଅ ବାସ୍ନା ଦେଇ ଏମାନେ କ୍ରିଷ୍ଣା ବ୍ରାଣ୍ଡ୍‌ର ଘିଅ ତିଆରି କରୁଥିଲେ। ତା’ର ନାମ ଥିଲା ‘କୃଷ୍ଣ ବନସ୍ପତି ଘିଅ’। ‘ଆଚାର୍ଯ୍ୟ ଏଣ୍ଟରପ୍ରାଇଜର୍ସ’ ନାମରେ ଏହାର ମାର୍କେଟିଂ ଓ ପ୍ୟାକେଜିଂ ହେ‌ଉଥିଲା। ୯ଶହ ଗ୍ରାମ୍‌ ଓଜନର ଘିଅର ଦାମ୍‌ ୧୫୦ଟଙ୍କା ରହିଥିଲା। ଯାହା ଅସଲି କ୍ରିଷ୍ଣା ବ୍ରାଣ୍ଡ୍‌ର ଦର ସହ ସମାନ ଥିଲା। ତା’ ସହ ବାଲାଜୀ ଜଡ଼ା ଓ ରାଶି ତେଲ ମଧ୍ୟ ପ୍ରସ୍ତୁତ କରୁଥିଲେ। ଏହାର ଦର ମଧ୍ୟ ଅସଲି ତେଲ ଦର ସହ ସମାନ ଥିଲା। ଏଣୁ ଏହି ବେପାରରେ ଆଚାର୍ଯ୍ୟ ପରିବାର ବର୍ଷ ବର୍ଷ ଧରି କୋଟି କୋଟି ଟଙ୍କାର ଲାଭ କରିଥିବା ପୁଲିସ ଅନୁମାନ କରୁଛି। ତେବେ ପଚରାଉଚରା ଚାଲିଛି, ଆହୁରି ଅଧିକ ତଥ୍ୟ ମିଳିବା ସମ୍ଭାବନା ରହିଛି ବୋଲି ପୁଲିସ କହିଛି। କେଉଁଠୁ କଞ୍ଚାମାଲ୍‌ ଆସୁଥିଲା? ଆଉ କିଏ କିଏ ଏହି କାରବାରରେ ସମ୍ପୃକ୍ତ ଅଛନ୍ତି? ଅନ୍ୟ କେଉଁଠି ଏଭଳି କାରଖାନା ରହିଛି? ଆବଶ୍ୟକ ପଡ଼ିଲେ ତଦନ୍ତ ପାଇଁ କମିସନରେଟ୍‌ ପୁଲିସ ମାର୍ଶାଘାଇ ଯିବ ବୋଲି ଜଣାପଡ଼ିଛି। କ୍ରିଷ୍ଣା ବ୍ରାଣ୍ଡ୍‌ର ଘିଅ ଖାଦ୍ୟୋପଯୋଗୀ ହୋଇନଥିବାରୁ ଏହାକୁ କେବଳ ଦୀପରେ ବ୍ୟବହାର କରିବା ପାଇଁ ଡବାରେ ଲେଖା ଯାଇଛି।

ଅପରପକ୍ଷେ ଲକ୍ଷ୍ମୀସାଗର ଥାନାଠାରୁ ମାତ୍ର ୭ଶହ ମିଟର ଦୂରରେ ଏହି ବେଆଇନ କାରବାର ବର୍ଷ ବର୍ଷ ଧରି ଚାଲୁଥିଲା। ନକଲି ତେଲରେ ଭଲ ଭଲ ବ୍ରାଣ୍ଡର ଲେବୁଲ ଲଗାଇ କୋଟି କୋଟି ଟଙ୍କା ରୋଜଗାର ହେଉଥିଲା। କାରଖାନା ସାମ୍ନାରେ ବଡ଼ ବଡ଼ ଗାଡ଼ି ଲାଗୁଥିଲା, ବଡ଼ ବଡ଼ ଦୋକାନକୁ ମଧ୍ୟ ମାଲ୍‌ ଯାଉଥିଲା। କିନ୍ତୁ ପୁଲିସ ପାଖରେ କିପରି ଏହାର ଖବର ନଥିଲା, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପୁଲିସ ଜାଣିନଥିଲା ନା ନକଲି ବେପାର ପଛରେ ଥିଲା ପୁଲିସର ସହଯୋଗ ଥିଲା? ଏହା ଏବେ ରାଜଧାନୀରେ ଚର୍ଚ୍ଚାର ମୁଖ୍ୟ ବିଷୟ ହୋଇଛି।

ବର୍ଷ ବର୍ଷ ଧରି ଚାଲିଥିଲା,
୪ ଅଟକ, ୪ ବର୍ଷ‌ରେ ୭ ନକଲି କାରଖାନା ଠାବ

ଭୁବନେଶ୍ୱର: ଭୁବନେଶ୍ବରରେ ନକଲି କାରଖାନା ନୂଆ ନୁହେଁ। ରାତାରାତି ମାଲାମାଲ ହେବାର ଇଚ୍ଛାକୁ ପୂରଣ କରିବା ପାଇଁ ନାମୀଦାମୀ ବ୍ରାଣ୍ଡର ଲେବୁଲ ବ୍ୟବହାର କରି ନକଲି ତେଲ, ଧୂପକାଠି, ଗୁଟ୍‌ଖା ଓ ସସ୍‌ ପ୍ରସ୍ତୁତ ହେବାର ପୂର୍ବରୁ ଅନେକ ନଜିର ରହିଛି। ଆଜିର ଘଟଣାକୁ ମିଶାଇ ବିଗତ ୪ବର୍ଷରେ ୭ ନକଲି କାରଖାନା କେବଳ ଭୁବନେଶ୍ବରରେ ଠାବ ହୋଇଛି। ଏଥିରେ ସମ୍ପୃକ୍ତ ୨୪ ଜଣଙ୍କୁ ଗିରଫ କରାଯାଇଛି।

-୨୦୧୫ ମସିହାରେ ଖାରବଳେନଗର ଥାନା ଅଞ୍ଚଳରେ ଏକ ଗୁଟ୍‌ଖା ତିଆରି ସଂସ୍ଥା ଉପରେ ଚଢ଼ଉ ହୋଇଥିଲା। ଲକ୍ଷାଧିକ ଟଙ୍କା ନକଲି ଗୁଟ୍‌ଖା ଜବତ ହେବା ସହ ଏଥି‌ରେ ସମ୍ପୃକ୍ତ ୫ଜଣ ଗିରଫ ହୋଇଥିଲେ।

-୨୦୧୬ ମସିହାରେ ଲକ୍ଷ୍ମୀସାଗର ତଳସାହିରେ ନକଲି ଜର୍ଦ୍ଦା କାରଖାନା ଠାବ ହୋଇଥିଲା। ଏଥିରେ ସମ୍ପୃକ୍ତ ୩ ଜଣ ଗିରଫ ହୋଇଥିବା ବେଳେ ଲକ୍ଷାଧିକ ଟଙ୍କା ନକଲି ଗୁଟ୍‌ଖା ଜବତ ହୋଇଥିଲା।

-୨୦୧୭ ନଭେମ୍ବର ୧୨ରେ ଲକ୍ଷ୍ମୀସାଗର ଥାନା ପୁରୁଣା ଷ୍ଟେସନ୍‌ ବଜାର ରିଫ୍ୟୁଜି କଲୋନିରେ ଏକ ନକଲି ଘିଅ କାରଖାନା ଠାବ ହୋଇଥିଲା। ଏଥିରେ ୩ ଜଣ ଗିରଫ ହୋଇଥିଲେ। ଗିରଫ ବ୍ୟକ୍ତି ଶ୍ରମିକ ଥିଲେ, ମାଲିକ ଫେରାର ଥିଲା।

-୨୦୧୭ ଡିସେମ୍ବରରେ ମଞ୍ଚେଶ୍ବର ସମେଇ ଗାଡ଼ିଆ ଅଞ୍ଚଳରେ ଏକ ନକଲି ଇଞ୍ଜିନ ଅଏଲ କାରଖାନା ଠାବ ହୋଇଥିଲା। ଏଥିରେ ସମ୍ପୃକ୍ତ ତିନିଜଣଙ୍କୁ ଗିରଫ କରାଯାଇଥିଲା‌।

-୨୦୧୮ ମସିହାରେ ଚନ୍ଦ୍ରଶେଖରପୁର ଅଞ୍ଚଳରେ ନକଲି ଟମାଟୋ ସସ୍‌ କାରଖାନା ଠାବ ହୋଇଥିଲା। ଏଥିରେ ୨ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଲକ୍ଷାଧିକ ଟଙ୍କା ନକଲି ସସ୍‌ ଜବତ କରାଯାଇଥିଲା। ପଚା କଖାରୁ ଗ୍ରାଇଣ୍ଡିଂ କରି ବ୍ରାଣ୍ଡେଡ୍‌ ସସ୍‌ ନକଲ କରାଯାଉଥିଲା।

-୨୦୧୮ ମସିହାରେ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ନକଲି ଧୂପକାଠି କାରଖାନା ଠାବ ହୋଇଥିଲା। ଏଥିରେ ଦୁଇ ଜଣଙ୍କୁ ଗିରଫ କରାଯିବା ସହ ଲକ୍ଷାଧିକ ଟଙ୍କାର ଧୂପକାଠି ଓ ତିଆରି ସାମଗ୍ରୀ ଜବତ ହୋଇଥିଲା।