ଭୁବନେଶ୍ବର: ରାଜଧାନୀବାସୀଙ୍କ ନିଦ ହଜେଇ ଦେଲାଣି ନକଲି ଖାଦ୍ୟ ସାମଗ୍ରୀ। କ’ଣ ଖାଇବେ, ନଖାଇବେ ଭାବି ପାରୁ ନାହାନ୍ତି ଲୋକେ। ଦୈନନ୍ଦିନ ଜୀବନର ଅତ୍ୟନ୍ତ ଜରୁରୀ ଖାଦ୍ୟ ସାମଗ୍ରୀରେ ଅପମିଶ୍ରଣ ହେଉଥିବା ଜଣା ପଡ଼ିବା ପରେ ଏପରି ଚିନ୍ତା ଗ୍ରାସ କରିଛି। ଅନ୍ୟପକ୍ଷରେ ଏପରି ଖାଦ୍ୟ ସାମଗ୍ରୀ ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରୁଥିବାରୁ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। ଖାଇବା ତେଲରୁ ଆରମ୍ଭ କରି ମଶାଧୂପ ପର୍ଯ୍ୟନ୍ତ ନାମୀଦାମୀ ବ୍ରାଣ୍ଡ୍ର ନକଲି ଜିନିଷ ବଜାରରେ ମିଳୁଛି। ନକଲି ସାମଗ୍ରୀ ପ୍ରସ୍ତୁତ ହେଉଥିବା କାରଖାନା ଓ ମାଲିକମାନଙ୍କୁ ଠାବ କରାଯାଉଥିଲେ ମଧ୍ୟ ଏଥିରେ ସଂପୂର୍ଣ୍ଣ ରୋକ୍ ନଲାଗିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେମାନେ ଏତେ ଚତୁରତାର ସହ ଏସବୁ କରୁଛନ୍ତି ଯେ, ଅସଲି ଓ ନକଲି ମଧ୍ୟରେ ପାର୍ଥକ୍ୟ ବାଛିବା କଷ୍ଟକର ହୋଇପଡ଼ୁଛି। ଅନ୍ୟପକ୍ଷରେ ଖାଦ୍ୟର ମାନ ଯାଞ୍ଚରେ କଡ଼ାକଡ଼ି କରାଯାଉ ନଥିବାରୁ ଅସାଧୁ ବ୍ୟବସାୟୀମାନେ ଏହାର ଭରପୂର ଫାଇଦା ଉଠାଇ ପ୍ରଚୁର ଲାଭ ଉଠାଉଛନ୍ତି। ରାଜ୍ୟ ବାହାରୁ ଚୋରାରେ ଏହି ଭେଜାଲ ସାମଗ୍ରୀ ବଜାରକୁ ଆସୁଥିବା ବେଳେ ରାଜଧାନୀର କେତେକ ନିର୍ଜନ ଓ ପରିତ୍ୟକ୍ତ କୋଠାରେ ଲୁଚାଛପାରେ ଏସବୁ ଉତ୍ପାଦ ପ୍ରସ୍ତୁତ କରାଯାଉଛି। ଚୋରା ବ୍ୟବସାୟୀମାନେ ବିଭିନ୍ନ କମ୍ପାନିର ବ୍ରାଣ୍ଡ୍ରେ ନକଲି ସାମଗ୍ରୀ ବିକ୍ରି କରି ଲକ୍ଷାଧିକ ଟଙ୍କା ଆୟ କରୁଛନ୍ତି। ପୁଣି ଲକ୍ଷଲକ୍ଷ ଟଙ୍କାର ଟିକସ ମଧ୍ୟ ଠକୁଛନ୍ତି। ପୁଲିସ ଓ ପ୍ରାଶାସନିକ ଅଧିକାରୀ ଏସବୁକୁ ରୋକିବାରେ ଅସମର୍ଥ ହୋଇଥିବାରୁ ପରିସ୍ଥିତି ଭୟାବହ ହେଉଛି। ଏନେଇ କିଛି ସ୍ବତନ୍ତ୍ର ରୢାକେଟ କାମ କରୁଥିବା ପୁଲିସ ସନ୍ଦେହ କରୁଛି।
Sambad is now on WhatsApp
Join and get latest news updates delivered to you via WhatsApp
୩ ମାସରେ ୨ ସ୍ଥାନରେ ଚଢ଼ଉ
ଗତ ଫେବ୍ରୁଆରି ୧୮ ତାରିଖ ବଡ଼ଗଡ଼ ବ୍ରିଟ୍ କଲୋନିର ଏକ ଭଡ଼ା ଘରୁ ନକଲି ଅଗରବତି ଜବତ ହୋଇଥିଲା। ଲକ୍ଷାଧିକ ଟଙ୍କାର ୧୦ଟି ନାମୀଦାମୀ ସଂସ୍ଥାର ଅଗରବତି ସହିତ ମଶାଧୂପ ମଧ୍ୟ ପ୍ରସ୍ତୁତ ହେଉଥିବା ଜଣାପଡ଼ିଥିଲା। ଜାନୁଆରି ୧୮ ତାରିଖରେ ନନ୍ଦନକାନନ ଅଞ୍ଚଳରୁ ନକଲି ଚା’ ଗୁଣ୍ଡ ଜବତ କରାଯାଇଥିଲା। ଟାଟା ପ୍ରିମିୟମ୍ ଜରି ପ୍ୟାକେଟ୍ରେ ନକଲି ଚା’ ଗୁଣ୍ଡ ଭର୍ତ୍ତି କରି ଖୁଚୁରା ଦୋକାନୀଙ୍କୁ ବିକ୍ରି କରାଯାଉଥିଲା। ପୁଲିସ୍ ସେଠାରୁ ଏକ ବସ୍ତା ଚା’ଗୁଣ୍ଡ ଜବତ କରିଥିଲା।
ପଚା କଖାରୁରୁ ଟମାଟୋ ସସ୍
୨୦୧୮ ଅଗଷ୍ଟ ୨୯ ତାରିଖରେ ଶୈଳଶ୍ରୀ ବିହାରସ୍ଥିତ ମହାବୀର ବସ୍ତିରୁ କିରନ୍ ବ୍ରାଣ୍ଡ୍ ନାମରେ ପଚାସଢ଼ା ବିଲାତି ଓ କଖାରୁରୁ ଟମୋଟୋ ସସ୍ ତିଆରି ହେଉଥିବା ଧରାପଡ଼ିଥିଲା। ଏହି ସଂସ୍ଥା ଉପରେ ଚଢ଼ଉ କରି ଅଭିଯୁକ୍ତକୁ ଗିରଫ କରିଥିଲେ। ଏସବୁ ନକଲି ସାମଗ୍ରୀ ବଜାର ମୂଲ୍ୟଠାରୁ ବହୁ କମ୍ ଦାମ୍ରେ ଛୋଟ ହୋଟେଲ ଓ ଫାଷ୍ଟଫୁଡ୍ ସେଣ୍ଟର୍କୁ ଯୋଗାଣ କରାଯାଉଥିଲା। ଗତ ବର୍ଷ ଖାରବେଳ ଥାନା ପୁଲିସ ଏକ ନକଲି ଗୁଟ୍ଖା କମ୍ପାନି ଠାବ କରି ବହୁ ପରିମାଣରେ ଗୁଟ୍ଖା ଜବତ କରିଥିଲା।
ପୋଡ଼ା ମୋବିଲ୍ରୁ ଇଂଜିନ୍ ଅଏଲ୍
୩ ବର୍ଷ ତଳେ ସତ୍ୟନଗର ଅଞ୍ଚଳରୁ ଏକ ନକଲି ସାର୍ଟିଫିକେଟ୍ ସଂସ୍ଥା ଠାବ କରାଯାଇଥିଲା। ବିଭିନ୍ନ ପ୍ରକାର ସାର୍ଟିଫିକେଟ୍ ବାବଦକୁ ୨୦ରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ନିଆଯାଉଥିଲା। ମଞ୍ଚେଶ୍ବର ଅଞ୍ଚଳରେ ପୋଡ଼ା ମୋବିଲ୍ ସଂଗ୍ରହ କରି ବିଭିନ୍ନ କେମିକାଲ ଜରିଆରେ ନକଲି ଇଞ୍ଜିନ୍ ଅଏଲ୍ ଓ ଲୁବ୍ରିକାଣ୍ଟ୍ସ୍ ପ୍ରସ୍ତୁତ କରୁଥିବା ସଂସ୍ଥାକୁ ୨୦୧୭ ଡିସେମ୍ବରରେ କ୍ବିକ୍ ଆକ୍ସନ ଟିମ୍ ଠାବ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ସେହିବର୍ଷ ନଭେମ୍ବର ୧୬ରେ ଲକ୍ଷ୍ମୀସାଗର ଅଞ୍ଚଳରୁ ନକଲି ଘିଅ ପ୍ରସ୍ତୁତକାରୀ ସଂସ୍ଥା ଉପରେ ଚଢ଼ଉ କରି ନକଲି ସାମଗ୍ରୀ ଓ କଞ୍ଚାମାଲ୍ ଜବତ କରାଯାଇଥିଲା। ପ୍ରାୟ ସମୟରେ ନକଲି ସାମଗ୍ରୀ ପ୍ରସ୍ତୁତକାରୀ ସଂସ୍ଥା ଠାବ ହେବା ସହ ସାମଗ୍ରୀ ଜବତ ହେଉଛି। କିନ୍ତୁ ସବୁ ସଂସ୍ଥାର ମୂଳରେ ପଞ୍ଚିବା ସମ୍ଭବ ହୋଇପାରୁନି।
ଇମ୍ପ୍ରୁଭ୍ମେଣ୍ଟ୍ ନୋଟିସ୍ ଦେଇ ଛାଡ଼ି ଦିଆଯାଉଛି
ଏ ସମ୍ପର୍କରେ ଡିସିପି ଅନୁପ ସାହୁ କହିଛନ୍ତି, ଯେଉଁଠି ନକଲି ସାମଗ୍ରୀ ପ୍ରସ୍ତୁତ ହେଉଥିବା ଖବର ମିଳୁଛି, ପୁଲିସ ପକ୍ଷରୁ ସେଠାରେ ଚଢ଼ଉ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ନମୁନା ସଂଗ୍ରହ ହେଉଛି। ଖାଦ୍ୟର ମାନ ପରୀକ୍ଷା ହେଉଛି। ଭେଜାଲ୍ ବୋଲି ଜଣାପଡ଼ିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯାଇ କେବଳ ଇମ୍ପ୍ରୁଭ୍ମେଣ୍ଟ୍ ନୋଟିସ୍ ଦେଇ ଛାଡ଼ି ଦିଆଯାଉଛି। ଫଳରେ ଅସାଧୁ ବ୍ୟବସାୟୀଙ୍କ ସାହସ ବଢ଼ୁଛି।
ନକଲି ଖାଦ୍ୟ ସାମଗ୍ରୀ କର୍କଟର କାରଣ
କ୍ୟାପିଟାଲ ହସ୍ପିଟାଲ ପୂର୍ବତନ ମୁଖ୍ୟ ମେଡିକାଲ ଅଧିକାରୀ ଡାକ୍ତର ଗଙ୍ଗାଧର ରଥ କୁହନ୍ତି, ବଜାରରେ ମିଳୁଥିବା ନକଲି ଲଙ୍କା ଗୁଣ୍ଡ, ମସଲା ଗୁଣ୍ଡ, ଘିଅ, ଦହି, ଛେନା, ଟମାଟୋ ସସ୍ ବା ଚିଲି ସସ୍ ଓ ତେଲରେ ବହୁ ହାନିକାରକ ରସାୟନ ରହିଛି। ଏସବୁରେ କାର୍ସିନୋଜେନ୍ ନାମକ ଏକ ରସାୟନ ମିଳେ। ଯାହା କର୍କଟ ରୋଗର ମୁଖ୍ୟ କାରଣ। ଛେନା ଓ ମିଠା ଆଦିରେ ମଇଦା ଓ ଷ୍ଟାର୍ଚ ବହୁଳ ପରିମାଣରେ ମିଶା ଯାଉଥିବାରୁ ଏହା ମୋଟାପଣ, ଗ୍ୟାଷ୍ଟ୍ରିକ୍ ଓ କୋଲେଷ୍ଟ୍ରଲ୍ ସମସ୍ୟା ଦେଖାଦିଏ। ହାନିକାରକ କେମିକାଲ ବହୁ ପରିମାଣରେ ସମସ୍ତ ଖାଦ୍ୟରେ ମିଶାଇବା ଯୋଗୁଁ ଆସିଡିଟି, ହୃଦ୍ରୋଗ, ପେଟ ଓ ଚର୍ମ ରୋଗ ହୋଇଥାଏ। ଏସବୁ ନକଲି ସାମଗ୍ରୀକୁ ଚିହ୍ନଟ କରିବା କଷ୍ଟକର। କେବଳ ଲ୍ୟାବ୍ରେ ପରୀକ୍ଷା କଲେ ହିଁ ରସାୟନ ଚିହ୍ନଟ ହୋଇପାରିବ। ତେଣୁ ଶସ୍ତା ସାମଗ୍ରୀ ନ କିଣିବାକୁ ଡାକ୍ତର ଶ୍ରୀ ରଥ ପରାମର୍ଶ ଦେଇଛନ୍ତି।
ନକଲି ସାମଗ୍ରୀ ବ୍ୟବସାୟରେ ଦଣ୍ଡ କମ୍, ଲାଭ ଅଧିକ
ବରିଷ୍ଠ ଆଇନଜୀବୀ ବନ ମହାନ୍ତି କୁହନ୍ତି, ନକଲି ସାମଗ୍ରୀ ଉତ୍ପାଦନ ତଥା ବିକ୍ରି ଭଳି ଅପରାଧ ପାଇଁ ଭାରତୀୟ ପିଙ୍ଗଳ କୋର୍ଡ ଅନୁଯାୟୀ ୩ରୁ ୫ ବର୍ଷର ଜେଲ୍ ଦଣ୍ଡ ରହିଛି। କିନ୍ତୁ ଓଡ଼ିଶାରେ ଆଜି ପର୍ଯ୍ୟନ୍ତ ଧରା ପଡ଼ିଥିବା କୌଣସି ଅଭିଯୁକ୍ତଙ୍କୁ ଏହି ଦଣ୍ଡରେ ଦଣ୍ଡିତ କରାଯାଇନାହିଁ। ପୁଲସ ଚଢ଼ଉ କରି ଗିରଫ କରିଥିବା ଅଭିଯୁକ୍ତଙ୍କୁ ଖୁବ୍ କମ୍ ଦିନରେ ଜେଲ୍ରୁ ମୁକ୍ତ କରିଦେଉଛି। ଫଳରେ ଅପରାଧୀମାନେ ଏଭଳି ଏକ ଜଘନ୍ୟ ଅପରାଧରୁ ନିବୃତ୍ତ ହେଉନାହାନ୍ତି। କାରଣ ଅପରାଧ ତୁଳନାରେ ନକଲି ସାମଗ୍ରୀ ବ୍ୟବସାୟରେ ଦଣ୍ଡ କମ୍ ମିଳେ। କିନ୍ତୁ ସ୍ବଳ୍ପ ବ୍ୟୟରେ ଲକ୍ଷଲକ୍ଷ ଟଙ୍କା ରୋଜଗାର କରି ହୁଏ। ଲୋକଙ୍କ ସ୍ବାସ୍ଥ୍ୟ ଓ ବିଶ୍ବାସ ସହ ଖେଳୁଥିବା ଏଭଳି ଅପରାଧୀଙ୍କ ପାଇଁ ଦଣ୍ଡ ବିଧାନ କଡ଼ାକଡ଼ି ହେବା ଉଚିତ ବୋଲି ଶ୍ରୀ ମହାନ୍ତି କହିଛନ୍ତି।