ଏନ୍‌ଏଚ୍‌ରେ ନକଲି ଆର୍‌ଟିଓ, ଭିଡିଓ ଭାଇରାଲ୍‌ ପରେ ଦୁଇ ଧୂର୍ତ୍ତ ଗିରଫ

ଭୁବନେଶ୍ୱର: ଗାଡ଼ିରେ ଲାଗିଥିଲା ହଳଦିଆ ବତି। ୧୬ ନମ୍ବର ଜାତୀୟ ରାଜପଥ ନୂଆପଲ୍ଲୀ ଇସ୍କନ୍‌ ମନ୍ଦିର ସମ୍ମୁଖ ଫ୍ଲାଏଓଭର ବ୍ରିଜ୍‌ ଉପରେ ଠିଆ ହୋଇଥିଲା ଗାଡ଼ିଟି। ଭିତରେ ବସିଥିଲେ ଆର୍‌ଟିଓ ସାହେବ। ଆଉ ଜଣେ କର୍ମଚାରୀ ଏନ୍‌ଏଚ୍ ଉପରେ ଠିଆ ହୋଇ ବଡ଼ ବଡ଼ ଟ୍ରକ୍‌ ଓ ଅନ୍ୟ ଭାରୀଯାନ ସବୁକୁ ଅଟକାଉଥିଲେ। ଅଟକୁଥିବା ଗାଡ଼ିମାନଙ୍କର ଚାଳକ କାଗଜପତ୍ର ଧରି ବତିଲଗା ଗାଡ଼ି ପାଖକୁ ଯାଇ ସାହେବଙ୍କୁ ଦେଖା କରୁଥିଲେ ଓ ହାତଗୁଞ୍ଜା ଦେଇ ଫେରୁଥିଲେ। ବିନା ରସିଦ୍‌ରେ ଚାଲିଥିବା ଏହି କାରବାର ଦେଖି ଜଣେ ଯୁବକ ଚତୁରତାର ସହ ବାଇକ୍‌ ଅଟକାଇଥିଲେ ଓ ଏହି କଳା କାରନାମାର ଭିଡିଓ ସୁଟିଂ କରି ସୋସିଆଲ୍‌ ମିଡିଆରେ ଅପ୍‌ଲୋଡ୍‌ କରିଦେଲେ। କେବଳ ସେତିକି ନୁହେଁ, ନୂଆପଲ୍ଲୀ ଥାନାକୁ ମଧ୍ୟ ଖବର ଜଣାଇଦେଲେ। ପିସିଆର୍‌ ଭ୍ୟାନ୍‌ ଆସିବା ଦେଖି ଉଭୟ ଆର୍‌ଟିଓ ସାହେବ ଓ ତାଙ୍କ କର୍ମଚାରୀ ବତିଲଗା ଗାଡ଼ି ଛାଡ଼ି ଦୌଡ଼ିଥିଲେ। ଫଳରେ ନାଟକର ପର୍ଦ୍ଦାପାସ୍‌ ହୋଇଥିଲା।

ଦୁଇଜଣ ଧୂର୍ତ୍ତ ଦିନ ଦି’ପହରେ ଆଖିରେ ଆଙ୍ଗୁଠି ଗେଞ୍ଜି ନକଲି ଆର୍‌ଟିଓ ବେଶରେ ଏନ୍‌ଏଚ୍‌ରେ ଚାନ୍ଦା ଆଦାୟ କରୁଥିବା କଥା ଧରାପଡ଼ି ଯାଇଥିଲା। ପରେ ପୁଲିସ ଅଭିଯୁକ୍ତଦ୍ବୟଙ୍କୁ ଗିରଫ କରିଛି। ସେମାନେ ହେଲେ ବାରଙ୍ଗ ଦାଢ଼ା ଗ୍ରାମର ସୌମ୍ୟରଞ୍ଜନ ରାଉତ ଓ ଯାଜପୁର ବରିର ଚନ୍ଦ୍ରଶେଖର ଦାସ। ଉଭୟ ଚନ୍ଦ୍ରଶେଖରପୁର ଲକ୍ଷ୍ମୀପୁର ବସ୍ତିରେ ରହୁଛନ୍ତି। ଗିରଫ ଅଭିଯୁକ୍ତଦ୍ବୟଙ୍କ ବୟାନ ଅନୁସାରେ, ଜଣେ ବରିଷ୍ଠ ରେ‌ଳବାଇ ଅଧିକାରୀଙ୍କ ପାଖରେ ଏହି ଇନୋଭା କ୍ରିଷ୍ଟାଲ ଗାଡ଼ି ଭଡ଼ା ସୂତ୍ରରେ ଲାଗିଥିଲା। ଏହାକୁ ସୌମ୍ୟ ଚଳାଉଥିଲା। ତେବେ ଧୂର୍ତ୍ତ ଚନ୍ଦ୍ରଶେଖର ଏହି ହଳଦିଆ ବତି ଲଗା ଗାଡ଼ିକୁ ବ୍ୟବହାର କରି ଅଭିନବ ଲୁଟ୍‌ ବାବଦରେ ସୌମ୍ୟକୁ କହିଥିଲା। ଗାଡ଼ିର ଅସଲ ନମ୍ବରକୁ ବଦଳାଇ ଏକ ନକଲି ନମ୍ବର ପ୍ଲେଟ୍ ଲଗାଇ ଦେଲେ କଥା ଧରାପଡ଼ିବ ନାହିଁ ବୋଲି ଚନ୍ଦ୍ରଶେଖର ବୁଝାଇ ଦେଇଥିଲା। ସୌମ୍ୟ ମନକୁ କଥାଟି ପାଇବା ପରେ ଗତକାଲି ସେମାନେ ଅଭିଯାନରେ ବାହାରି ପଡ଼ିଥିଲେ। ପାଖାପାଖି ୧୦/୧୨ଟି ଗାଡ଼ିରୁ ଭଲ ଚାନ୍ଦା ଆଦାୟ କରିବାରେ ସକ୍ଷମ ହୋଇଥିଲେ। କିନ୍ତୁ ଅଧିକ ସମୟ ପାଇଁ ଭାଗ୍ୟ ସେମାନଙ୍କ ସାଥ୍‌ ଦେଲା ନାହିଁ। ଭିଡିଓ କରିଥିବା ଯୁବକ ସେମାନଙ୍କ ଏହି ନକଲି ନାଟକକୁ ଧରା ପକାଇଦେଲେ। ଏହା ପୂର୍ବରୁ ଏହି ଧୂର୍ତ୍ତଦ୍ବୟ ଏମିତି ଅନେକଥର ଗାଡ଼ିଚାଳକମାନଙ୍କଠାରୁ ଚାନ୍ଦା ଆଦାୟ କରିଥିବା ପୁଲିସ ସନ୍ଦେହ କରୁଛି। ନିୟମିତ ସମୟ ବ୍ୟବଧାନରେ ଏହି ଅଭିଯୁକ୍ତଦ୍ବୟ ଏମିତି ନକଲି ଆର୍‌ଟିଓ ବେଶରେ ଲୁଟୁଥିଲେ ବୋଲି ପୁଲିସ ଜାଣିବାକୁ ପାଇଛି।

ତେବେ ଏହି ଘଟଣାର ତଦନ୍ତ ହେଉ ହେଉ ଅନ୍ୟ ଏକ ଠକାମି ପଦାକୁ ଆସିଥିବା ଅଭିଯୋଗ ହେଉଛି। ଆଳୁ ଖୋଳୁଖୋଳୁ ମହାଦେବ ମିଳିବା ଭଳି ଏହି ଗାଡ଼ିକୁ ବେଆଇନ ଭାବେ ଭଡ଼ା ସୂତ୍ରରେ ଲଗାଯାଇଥିବା କୁହାଯାଉଛି। ଗାଡ଼ି ଜବତ ସମୟରେ ବ୍ୟବହାର ହୋଇଥିବା ବ୍ୟବସାୟିକ ନମ୍ବର ପ୍ଲେଟଟି ଅନ୍ୟ ଏକ ଗାଡ଼ିର ଓ ତାହା ଗ୍ୟାରେଜ୍‌ରେ ପଡ଼ିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଉକ୍ତ ବ୍ୟବସାୟିକ ନମ୍ବର ପ୍ଲେଟ ବାହାର କରିବା ପରେ ଇନୋଭାର ପ୍ରକୃତ ନମ୍ବର ମିଳିଛି। ଏହି ନମ୍ବରରୁ ଗା‌ଡ଼ିଟି ଘରୋଇ ବ୍ୟବହାର ପାଇଁ ଉଦ୍ଦିଷ୍ଟ ବୋଲି ଜଣାପଡ଼ିଛି। ଘରୋଇ ନମ୍ବର ବିଶିଷ୍ଟ ଗାଡ଼ି କିଭଳି ଭଡ଼ା ସୂତ୍ରରେ ଦିଆଯାଇଛି, ତାହା ଏବେ ତଦନ୍ତ ପରିସରଭୁକ୍ତ ହୋଇଛି। ଘରୋଇ ନମ୍ବର ବିଶିଷ୍ଟ ଗାଡ଼ି ଜଣେ ସରକାରୀ ଅଧିକାରଙ୍କୁ ଭଡ଼ା ସୂତ୍ରରେ ଦିଆଯିବା ଆଇନସମ୍ମତ କି ନୁହେଁ ଓ ଯଦି ଏହା ବେଆଇନ କାମ, ତେବେ ତାହାକୁ ନେଇ ପୁଲିସ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି, ଦେଖିବା ପାଇଁ ସାଧାରଣରେ ଉତ୍ସୁକତା ସୃଷ୍ଟି ହୋଇଥିବା ପରିଲକ୍ଷିତ ହୋଇଛି।

ସମ୍ବନ୍ଧିତ ଖବର