ଭୁବନେଶ୍ୱର : ରାଜ୍ୟର ନେତୃତ୍ୱ ନେଉଥିବା ବ୍ୟକ୍ତିଙ୍କ ଦୂରଦୃଷ୍ଟିର ଅଭାବ ପାଇଁ ଓଡ଼ିଶା ଆଗେଇ ପାରୁୁନି। ଓଡ଼ିଶାର ବିକାଶ ପାଇଁ ନେତାଙ୍କଠୁ ଆରମ୍ଭ କରି ଜନସାଧାରଣ ସମସ୍ତଙ୍କର ଦୂରଦୃଷ୍ଟିର ଆବଶ୍ୟକତା ରହିଛି। ଚେତନା ଶକ୍ତିକୁ ଜାଗ୍ରତ କରି ଦୂରଦୃଷ୍ଟି ଆଣିବାରେ ସମ୍ବାଦପତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଜୟଦେବ ଭବନଠାରେ ସାପ୍ତାହିକ ଖବରକାଗଜ ‘ଦୂରଦୃଷ୍ଟି’ର ପ୍ରଥମ ସ୍ୱନକ୍ଷତ୍ର ଉତ୍ସବରେ ମୁଖ୍ୟଅତିଥି ଭାବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ଗିରିଧର ଗମାଙ୍ଗୋ ଯୋଗ ଦେଇ ଏପରି ମତପ୍ରକାଶ କରିଛନ୍ତି। ସମ୍ମାନିତ ଅତିଥି ଭାବେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗ ଦେଇ କହିଲେ, ରାଜ୍ୟର ବିକାଶ ପାଇଁ ସବୁଦଳ ଚିତ୍କାର କରୁଛନ୍ତି। କିନ୍ତୁ ବିକାଶ ଯାଉଛି କୁଆଡ଼େ? ରାଜନେତା ଓ ତାଙ୍କ ପରିବାରର ବିକାଶ ହେଉଛି। ରାଜ୍ୟ ଯେଉଁଠି କି ସେଇଠି ରହିଯାଉଛି। ଏଥିନେଇ ସମସ୍ତେ ଆତ୍ମଚିନ୍ତନ କରିବାର ଆବଶ୍ୟକତା ରହିଛି।
ଅନ୍ୟତମ ଅତିଥି ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି କହିଲେ, ସୁସ୍ଥ ସମାଜ ଗଠନ କରିବାରେ ଗଣମାଧ୍ୟମର ଗୁରୁ ଦାୟିତ୍ୱ ରହିଛି। ଏହି ଅବସରରେ ସାମ୍ବାଦିକତା କ୍ଷେତ୍ରରେ ଉତ୍କର୍ଷତା ପାଇଁ ଅନୁଷ୍ଠାନର ଶ୍ରେଷ୍ଠ ସମ୍ମାନ ‘କଲମ ସମ୍ମାନ’ରେ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକଙ୍କୁ ସମ୍ମାନିତ କରାଯାଇଥିଲା। ଏଥିସହିତ ଅନ୍ୟାନ୍ୟ କ୍ଷେତ୍ରରେ ଅବଦାନ ପାଇଁ ରାଜଶ୍ରୀ ପରିଡ଼ା, ସନ୍ସାଇନ୍ ହସ୍ପିଟାଲ, ସ୍ୱର୍ଣ୍ଣପ୍ରଭା ମହାରଣା, ରଞ୍ଜନ କୁମାର ସାମଲ, ପବିତ୍ର ମୋହନ ବେହେରା, ନିଖିଳ ପାତ୍ର, ପୁଷ୍ପାଞ୍ଜଳି ପାତ୍ର, ମନୋରମା ଆଚାର୍ଯ୍ୟ, ସୁପ୍ରଭା ଶତପଥୀ, ପ୍ରଦୀପ ପୃଷ୍ଟି, ଅଞ୍ଜନ ନାଥ ଓ କୈଳାସ ଚନ୍ଦ୍ର ରଥ ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା। ଦୂରଦୃଷ୍ଟିର ଉପଦେଷ୍ଟା ବରିଷ୍ଠ ଫଟୋ ସାମ୍ବାଦିକ ପିୟୂଷ ମହାନ୍ତି ସ୍ୱାଗତ ଭାଷଣ ଦେଇଥିଲେ। ସମ୍ପାଦକ ଭକ୍ତ ଶେଖର ରାୟ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ। ଇଂ ଶ୍ରୀନିବାସ ଘଟୁଆରୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।