ମହିଷମର୍ଦିନୀଙ୍କୁ ମେଲାଣି : ପାରମ୍ପରିକ ବାଦ୍ୟର ତାଳେତାଳେ ଭକ୍ତଙ୍କୁ ଶେଷ ଦର୍ଶନ ଦେଇ ମେଲାଣି ନେଲେ ମା’ ମହିଷମର୍ଦିନୀ

ଭୁବନେଶ୍ବର : ସରିଛି ମହାମାୟାଙ୍କ ନବରାତ୍ରି ଲୀଳା। ପାରମ୍ପରିକ ବାଦ୍ୟର ତାଳେତାଳେ ଭକ୍ତଙ୍କୁ ଶେଷ ଦର୍ଶନ ଦେଇ ମେଲାଣି ନେଇଛନ୍ତି ମା’ ମହିଷମର୍ଦିନୀ। ଅସତ୍‌ ଉପରେ ସତ୍ୟର ବିଜୟ ବାର୍ତା ନେଇ ଧରାକୁ ଓହ୍ଲାଇଥିବା ମା’ଙ୍କୁ ଜାକଜମକରେ ବିଦାୟ ଦେଇଛନ୍ତି ଶ୍ରଦ୍ଧାଳୁ। ଶେଷ ଦର୍ଶନ ପାଇଁ ମିଳିତ ଭସାଣି ଉତ୍ସବ ଦେଖିବାକୁ ଆଜି ଲୋକାରଣ୍ୟ ପାଲଟିଥିଲା ଅଧା ଭୁବନେଶ୍ବର। ସବୁ ପୂଜା କମିଟି ବୁଲିପାରିନଥିବା ବ୍ୟକ୍ତିଙ୍କ ପାଇଁ ଆଜି ଏକାଠି ବିଭିନ୍ନ ସ୍ଥାନର ମେଢ଼ ଦର୍ଶନ କରିବାର ସୁଯୋଗ ଆଣିଥିଲା ୪ ଭସାଣି ଉତ୍ସବ ସମିତି। ଶିଙ୍ଘ ବାଜା, ଦୁଲଦୁଲି, ଢୋଲ, ମାଦଳ, ହଳଦୀକାଠ ବାଜା, ଘଣ୍ଟ, ଶଙ୍ଖ ବାଦ୍ୟ ସହ କଣ୍ଢେଇ ନାଚ ଆକର୍ଷଣ ସାଜିଥିଲା। ବିଶେଷକରି ଷଣ୍ଢ, ବୁଢ଼ାବୁଢ଼ି, ଘୋଡ଼ା ନାଚ, ଚଢ଼େୟା ଚଢ଼େୟାଣୀଙ୍କ ମେଳ ମଧ୍ୟରେ ମା’ଙ୍କୁ ବିଦାୟ ଦେବାର ଦୃଶ୍ୟ ଉପଭୋଗ କରିବା ପାଇଁ ରାସ୍ତାର ଉଭୟ ପାର୍ଶ୍ବରେ ହଜାର ହଜାର ଲୋକ ସ‌ମବେତ ହୋଇଥିଲେ। ଭସାଣ ଉତ୍ସବ ସମିତି ପକ୍ଷରୁ ରସଗୋଲା ହାଣ୍ଡି ଭେଟି ଦେଇ ପୂଜା କମିଟିମାନଙ୍କୁ ସ୍ବାଗତ କରାଯାଇଥିଲା।

ସହିଦନଗରରେ ୨୧ ମେଢ଼
ଭୁବନେଶ୍ବର ଭସାଣି ଉତ୍ସବ ସମିତି ପକ୍ଷରୁ ସହିଦନଗରରେ ଆୟୋଜିତ ଭସାଣ ଉତ୍ସବରେ ଆଜି ୨୧ଟି ମେଢ଼ ସାମିଲ୍‌ ହୋଇଥିଲେ। ପ୍ର‌ଥମେ ଭୀମଟାଙ୍ଗି ପହଞ୍ଚିବା ପରେ ୟୁନିଟ୍‌ ୧ ହରପାର୍ବତୀ, ପଳାଶୁଣି, ୟୁନିଟ୍‌ ୨ ହରପାର୍ବତୀ, ୟୁନିଟ୍‌ ୯ ପାର୍ବତୀ, ଷ୍ଟେସନ୍‌ ବଜାର, ବାଣୀବିହାର ଟ୍ରାଫିକ୍‌ ଛକ, ଭିଏସ୍‌ଏସ୍‌ ନଗର, ସତ୍ୟନଗର, କୋରଡ଼କଣ୍ଟା, ବାଙ୍କୁଆଳ, ବମିଖାଲ, ବାଣୀବିହାର, କେସୁରା, ଝାରପଡ଼ା, ବନଦୁର୍ଗା ପୂଜା ସମିତି, ଗିରିଦୁର୍ଗା କ୍ଲବ୍‌, ନହରକଣ୍ଟା, ଚକେଇସିଆଣି ଓ ଶେଷରେ ସହିଦନଗର ମେଢ଼ ବାହାରିଥିଲା। ଶୋଭାଯାତ୍ରା ବାଣୀବିହାରରୁ ବାହାରି ରାଜମହଲ ଛକରେ ପହଞ୍ଚିବା ପରେ ସେଠାରୁ ବିସର୍ଜନ ପାଇଁ ଯାଇଥିଲା। ଭୁବନେଶ୍ବର ଡିସିପି ଅନୁପ ସାହୁ ଭୁବନେଶ୍ବର ଦୁର୍ଗାପୂଜା ସମିତିର ସ୍ମରଣିକା ଉନ୍ମୋଚନ କରିଥିଲେ। ଜଗନ୍ନାଥ ମହାପାତ୍ର, ନାରାୟଣ ମହାପାତ୍ର, ଉମାନାଥ ମିଶ୍ର, ହରୀଶ ପ୍ରସାଦ ରଥ, ଲଳିତ ମୋହନ ପଣ୍ଡା, ରବୀନ୍ଦ୍ର ସ୍ବାଇଁ, ରବି ବିଶ୍ବାଳ, ମଳୟ ରଂଜନ ମହାପାତ୍ର, ସଚ୍ଚିଦାନନ୍ଦ ରଥ, ଆଶିଷ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ନୂଆପଲ୍ଲୀରେ ୧୫ ମେଢ଼
ନୂଆପଲ୍ଲୀ ଦୁର୍ଗାପୂଜା ପଡ଼ିଆରେ ରାଜଧାନୀ ମନ୍ଦିର ସୁରକ୍ଷା ଭସାଣି ସମିତି ପକ୍ଷରୁ ଆୟୋଜିତ ମିଳିତ ଭସାଣି ଉତ୍ସବରେ ୧୫ ମେଢ଼ ସମବେତ ହୋଇଥିଲେ। ଆଇଗିଣିଆ, କଳାରାହାଙ୍ଗ, ଗଣ୍ଡମୁଣ୍ଡା ଭକ୍ତମଧୁନଗର, ଗଙ୍ଗନଗର, ଶ୍ୟାମପୁର, ପୋଖରୀପୁଟ, ଭଗବାନପୁର ପାତ୍ରପଡ଼ା, ଝାଡ଼େଶ୍ବରୀ, ଡୁମଡୁମା ହାଉସିଂବୋର୍ଡ, ଶିରିପୁର, ୟୁନିଟ୍‌ ୮ ରାଜ୍‌ କ୍ଲବ୍‌, ଶିରିପୁର ହରପାର୍ବତୀ, ଜୟଦେବ ବିହାର, ନୂଆପଲ୍ଲୀ ନୂଆସାହିର ମେଢ଼ ଏକାଠି ଦର୍ଶନ କରିଥିଲେ ଶ୍ରଦ୍ଧାଳୁ। ଏକତ୍ରିତ ହେବା ପରେ ପ୍ରଥମେ ପୀଠଦେବୀ ଝାଡ଼େଶ୍ବରୀ ବାହାରିଥିଲେ। ସିଆର୍‌ପି-ଡିଏଭି-ସିଟି ମହିଳା ମହାବିଦ୍ୟାଳୟ ଦେଇ ଗଙ୍ଗନଗରରେ ଶୋଭାଯାତ୍ରା ଶେଷ ହୋଇଥିଲା। ଭସାଣି ସମିତିର ସଭାପତି ନିରଂଜନ ମିଶ୍ର, ସମ୍ପାଦକ ଦିଲ୍ଲୀପ ମହାନ୍ତି, ନୂଆପଲ୍ଲୀ ଦୁର୍ଗାପୂଜା ସମିତିର ସଭାପତି ପବିତ୍ର ମୋହନ ବେହେରା, ସମ୍ପାଦକ ମହେନ୍ଦ୍ର ବଳବନ୍ତରାୟ ଓ ଉପଦେଷ୍ଟା ନବକିଶୋର ବେହେରା ପ୍ରମୁଖ ଉପସ୍ଥିତ ରହି ସାମିଲ୍ ହୋଇଥିବା ପୂଜା କମିଟିର କର୍ମକର୍ତାଙ୍କୁ ସମ୍ବର୍ଧିତ କରିଥିଲେ।

ପୁରୁଣା ଭୁବନେଶ୍ବରରେ ୨୧‌ ମେଢ଼
ପୁରୁଣା ଭୁବନେଶ୍ୱରରେ ୨୧ଟି ମେଢ଼ ପ୍ରତିବର୍ଷ ସକାଳୁ ବିଭିନ୍ନ ମଣ୍ଡପରୁ ବାହାରି ବଢ଼େଇବାଙ୍କ ଓ ଗୋସାଗରେଶ୍ବର ଛକ ପରିକ୍ରମା କରି ବିସର୍ଜନ ପାଇଁ ଯାଇଥାନ୍ତି। ତେବେ ଚଳିତ ବର୍ଷ ଅପରାହ୍‌ଣ ୩ଟା ପରେ ପ୍ରାୟ ସବୁ ମେଢ଼ ବଢ଼େଇବାଙ୍କ ପରିକ୍ରମା କରି ବାହାରିଥିଲା। ବିଳମ୍ବ ହେବାରୁ ସବୁ ମେଢ଼ ବିସର୍ଜନ ହେବା ବେଳକୁ ରାତି ହୋଇଯାଇଥିଲା। କେବଳ ହରଚଣ୍ଡୀ ପୂର୍ବାହ୍ନ ୧୧ଟାରେ ପରିକ୍ରମା ଶେଷ କରି ବିସର୍ଜନ ହେବାକୁ ଯାଇଥିଲେ।

ସମ୍ବନ୍ଧିତ ଖବର