ସପ୍ତମୀ ପୂଜା ଆରମ୍ଭ

ନହରକଣ୍ଟା ସାର୍ବଜନୀନ ଦୁର୍ଗାପୂଜା, ପ୍ରତି ଘ‌ରେ ପହଞ୍ଚିବ ସିନ୍ଦୂର, ଭୋଗ

ବାଲିପାଟଣା : ବାଲିପାଟଣା ବୁଦ୍ଧନାଥ ବ୍ୟବସାୟୀ ସଂଘ ଓ ସାର୍ବଜନୀନ ପୂଜା କମିଟି ପକ୍ଷରୁ ଚଳିତ ବର୍ଷ ମା ଦୁର୍ଗାଙ୍କ ପୂଜା ଲାଗି ବିଲ୍ବବରଣ କର୍ମ ଅନୁଷ୍ଠିତ ହୋଇଯାଇଛି। ବୁଧବାର ଶିଶୁମଠ ଗ୍ରାମରେ ଥିବା ବେଲଗଛରୁ ବିଲ୍ୱ ବରଣ କର୍ମ ସଂପାଦନ ହୋଇଥିଲା। ଅନୁଷ୍ଠାନର ପୂଜକ, କର୍ତ୍ତା ଓ କର୍ମକର୍ତାଙ୍କ ଉପସ୍ଥିତିରେ ପୂଜା ହୋଇଥିଲା। ଘଣ୍ଟ, ଢୋଲ, ମହୁରୀ, ଶଙ୍ଖ, ତୁରୀ ନାଦ ସହିତ କଳସ ସ୍ଥାପନ କରାଯାଇଛି। ସପ୍ତମୀ ପୂଜାରେ କଳସ ଶୋଭାଯାତ୍ରା, ଘଟ ସ୍ଥାପନ, ଚକ୍ଷୁଦାନ, ଷୋଡ଼ଶ ଉପଚାର ପୂଜା, ମଣ୍ଡଳାର୍ଚ୍ଚିତ, ଦେବା ଦେବୀ ଆମନ୍ତ୍ରଣ, ହବନ କର୍ମ କରାଯାଇଛି। ବୁଦ୍ଧନାଥ ବ୍ୟବସାୟୀ ସଂଘ ସଭାପତି ହେମନ୍ତ କୁମାର ଜେନା, ସମ୍ପାଦକ ସୁରେନ୍ଦ୍ର ନାଥ ନାୟକ, ଜୟନ୍ତ କୁମାର ଶିଶୁ ଗୋସ୍ୱାମୀ, ଅଜୟ କୁମାର ହୋତା ପ୍ରମୁଖ ଚଳିତ ବର୍ଷ ପୂଜାରେ କୋଭିଡ୍‌ କଟକଣା ପାଳନ ଉପରେ ଗୁରତ୍ୱ ଦିଆଯିବ ବୋଲି କହିଛନ୍ତି।

ସେହିପରି କୁଶଭଦ୍ରା ସାଂସ୍କୃତିକ ପରିଷଦ ତରଫରୁ ବିଲ୍ବଧିବାସ, କଳସ ଶୋଭାଯାତ୍ରା ହୋଇଛି। ଶୁକ୍ରବାର ନବପତ୍ରିକା ସ୍ନାନ, ଚକ୍ଷୁଦାନ, ମଣ୍ଡଳ ସ୍ଥାପନ, ବ୍ରାହ୍ମଣ ବରଣ, ମହାସ୍ନାନ, ଚଣ୍ଡୀପାଠ, ମହାଷ୍ଟମୀ ବ୍ରତପୂଜା, ଆରତି କରାଯିବ। ସୋମବାର ଦଶହରା ପୂଜା ସହ ରାତି ୯ଟାରେ ବିସର୍ଜନ ପୂଜା କରାଯିବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି।

ନହରକଣ୍ଟା ସାର୍ବଜନୀନ ଦୁର୍ଗାପୂଜା, ପ୍ରତି ଘ‌ରେ ପହଞ୍ଚିବ ସିନ୍ଦୂର, ଭୋଗ
ବାଲିଅନ୍ତା : ନହରକଣ୍ଟା ସାର୍ବଜନୀନ ଦୁର୍ଗାପୂଜା ସରକାରୀ ଗାଇଡ୍‌ଲାଇନ୍ ଆଧାରରେ ପାଳନ କରିବାକୁ ନିଷ୍ପତ୍ତି ହୋଇଛି। ପୂଜାକୁ ଭକ୍ତଙ୍କ ପ୍ରବେଶ ବାରଣ କରାଯାଇଛି। ଦୁର୍ଗାପୂଜା କମିଟି ତରଫରୁ ଅଞ୍ଚଳର ପ୍ରତି ପରିବାର ନିକଟରେ ମା’ଙ୍କ ପୂଜା ସିନ୍ଦୂର ପହଞ୍ଚାଇବା ସହିତ ବରିଷ୍ଠ ନାଗରିକଙ୍କ ନିକଟରେ ଭୋଗ ପହଞ୍ଚାଇବା ବ୍ୟବସ୍ଥା କରାଯାଉଛି। ସାମାଜିକ ଗଣମାଧ୍ୟମ ଜରିଆରେ ମା’ଙ୍କ ଦର୍ଶନ ନିମନ୍ତେ ବ୍ୟବସ୍ଥା କରାଯାଉଛି। ଏଣୁ ଭକ୍ତମାନେ ଘରେ ରହି ଦେବୀଙ୍କୁ ଆରାଧନା କରିବାକୁ କମିଟିର ସାଧାରଣ ସମ୍ପାଦକ ଶିବ ଛୋଟରାୟ ଓ ଅନ୍ୟ ସଦସ୍ୟମାନେ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର