ମା’ଙ୍କୁ ଟିକେ ଦେଖାଅ…

କୁମାରୀଙ୍କୁ ନେଇ ନବାକୁମାରୀ ପୂଜା, ଦଧି ଅନ୍ନ ଖାଇ ବିଶ୍ରାମ ନେଲେ ମା'

ଭୁବନେଶ୍ୱର : ଘରେ ଜମା ମନ ବୁଝୁନି। ପାଦ ଆପେ ଆପେ ମଣ୍ଡପ ଆଡ଼କୁ ଟାଣି ହୋଇଯାଉଛି। କିଛି ଶ୍ରଦ୍ଧାଳୁ ଯାଇ ପୂଜା ମଣ୍ଡପ ଆଗରେ ଟହଲ ମାରୁଛନ୍ତି। ଆଉ କିଛି ଶ୍ରଦ୍ଧାଳୁ ପୂଜା ମଣ୍ଡପ ସଦସ୍ୟଙ୍କୁ ଯାଇ ନେହୁରା ହୋଇ କହୁଛନ୍ତି, ଟିକେ ସମୟ ପାଇଁ ପରଦା ଟେକିଦିଅ। ମା’ଙ୍କୁ ଦର୍ଶନ କରେଇଦିଅ। କେଉଁଠି ଗଳାବାଟରେ ମା’ଙ୍କୁ ଦେଖିବାର ସୁଯୋଗ ମିଳି ଯାଉଥିଲେ ହେଁ ଅଧିକାଂଶ ସ୍ଥାନରେ କଟକଣା ଯୋଗୁଁ ଭକ୍ତଙ୍କ ମନ ମରିଯାଉଛି। କଟକଣା ଓ ବ୍ୟାକୁଳ ଭକ୍ତଙ୍କ ଆତଯାତ ମଧ୍ୟରେ ସମ୍ପନ୍ନ ହୋଇଛି ଚଣ୍ଡୀ ପୂଜା ଓ ଲଳିତା ସହସ୍ରନାମ। ଅଷ୍ଟମୀରେ ଦେବୀ ମହିଷାସୁରକୁ ବଧ କରିଥିବା ବେଳେ ମହିଷାସୁର ବଧରେ ମା’ଙ୍କ ସହ ଯୁଦ୍ଧ ଲଢ଼ିଥିବା ଦୁଷ୍ଟଶକ୍ତିଙ୍କୁ ଶାନ୍ତ ରଖିବା ପାଇଁ ବଳି ଦିଆଯାଇଥିଲା। ଆଜି ନବମୀରେ ପୂଜା ମଣ୍ଡପରେ ଦେବୀଙ୍କ ବିଶ୍ରାମ ଦିବସ ପାଳିତ ହୋଇଛି। ବିଭିନ୍ନ ମଣ୍ଡପରେ ମା’ଙ୍କ ନିକଟରେ ଦଧିଅନ୍ନ ଭୋଗ କରାଯାଇଛି। ମଣ୍ଡପକୁ ଶ୍ରଦ୍ଧାଳୁଙ୍କ ଆଗମନକୁ ବାରଣ କରାଯାଇଥିବାରୁ କିଛି ପୂଜା ସମିତି ସଦସ୍ୟମାନେ ସ୍ଥାନୀୟ ଲୋକଙ୍କ ଘରେ ଦହି ପଖାଳ ତଥା ଦଧି ଅନ୍ନ ପହଞ୍ଚାଇଥିଲେ।

ନବମୀ ପୂଜାର ଆଉ ଏକ ବିଶେଷତି କୁମାରୀ ପୂଜା। ଏହି ଅବସରରେ କିଛି ପୂଜା ମଣ୍ଡପରେ ୯ଜଣ କୁମାରୀଙ୍କ ଉପସ୍ଥିତିରେ ପୂଜା ଅନୁଷ୍ଠିତ ହୋଇଛି। କରୋନା କଟକଣା ମୁତାବକ ୭ଜଣଙ୍କ ମଧ୍ୟରେ ପୂଜା କରାଯିବାର ନିୟମ ରହିଥିବାରୁ କିଛି ସ୍ଥାନରେ ଅନଲାଇନ୍‌ରେ ନବକୁମାରୀ ପୂଜା କରାଯାଇଛି। ଚଣ୍ଡୀ ପୂଜା ଓ ଲଳିତା ସହସ୍ର ନାମ ଜପ ପରେ ଅପରାହଣରେ ମା’ଙ୍କ ନିକଟରେ ସପ୍ତସତୀ ଚଣ୍ଡୀ ପାଠ କରାଯାଇ ହୋମ କରାଯାଇଥିଲା। ଷୋଡ଼ଶ ପୂଜାରେ ଶ୍ରୀକ୍ଷେତ୍ରରୁ ମା’ ବିମଳା, ଝଙ୍କଡ଼ରୁ ମା’ ଶାରଳା, କାକଟପୁରରୁ ମା’ ମଙ୍ଗଳା, ବାଙ୍କିରୁ ମା’ ଚର୍ଚିକା, ଯାଜପୁରରୁ ମା’ ବିରଜା, ବଡ଼ମ୍ବାରୁ ଭଟ୍ଟାରିକା, ଘଟଗାଁରୁ ତାରିଣୀ, ଗଞ୍ଜାମରୁ ସିଦ୍ଧ ଭୈରବୀ, ଅନୁଗୁଳରୁ ହିଙ୍ଗୁଳା, ବାଣପୁରରୁ ଭଗବତୀ, ଖଲ୍ଲିକୋଟରୁ ନାରାୟଣୀ, ଭଦ୍ରକରୁ ଭଦ୍ରକାଳୀଙ୍କୁ ଆବାହନ କରାଯାଇଥିଲା। ସନ୍ଧ୍ୟାରେ ଆଳତି କରାଯାଇ ନୀତି ସମାପନ କରାଯାଇଛି। ପୂଜା ପାଇଁ କଟକଣା ଓ ପୂଜା ମଣ୍ଡପ ଆଗରେ ପରଦା ଢଙ୍କା ଯାଇଥିଲେ ବି ଅପରାହଣରୁ ବିଳମ୍ବିତ ରାତି ଯାଏ ମଣ୍ଡପ ସମ୍ମୁଖରେ ଲୋକଙ୍କ ଯା’ ଆସ ଲାଗିରହିଥିଲା। କିଛି ଭକ୍ତ ମନ ବୁଝିବାକୁ ପୂଜା ମଣ୍ଡପ ନିକଟରେ ଦୀପଟିଏ ଜାଳି ଦେଇ ବାହାରୁ ମୁଣ୍ଡିଆ ପକେଇ ଚାଲିଆସୁଥିଲ।

ସମ୍ବନ୍ଧିତ ଖବର